ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସହ ଆଲୋଚନା କଲେ ନରସିଂହ : ଭିତ୍ତିଭୂମି ସହ ଶିକ୍ଷାର ମାନ ବଢାଇବା ଉପରେ ଗୁରୁତ୍ୱ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ଆଜି ଅପରାହ୍ନରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏବଂ ବିଶ୍ୱ ବିଦ୍ୟାଳୟ କୁଳପତି ପ୍ରଫେସର ଉମାବଲ୍ଲବ ମହାପାତ୍ରଙ୍କ ମଧ୍ୟରେ ଆଲୋଚନା ହୋଇଯାଇଅଛି । ବଲାଙ୍ଗିରର ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ପରିସରରେ ହୋଇଥିବା ଏହି ଆଲୋଚନା ସମୟରେ କୁଳପତି ପ୍ରଫେସର ମହାପାତ୍ର ବିଶ୍ୱ ବିଦ୍ୟାଳୟର ଭିତ୍ତିଭୂମି ପାଇଁ ଆବଶ୍ୟକ ହେଉଥିବା ଜମି, ବିଶ୍ୱ ବିଦ୍ୟାଳୟରେ ଶିକ୍ଷକ କର୍ମଚାରୀ, ପରିସର ଭିତରେ ପିଇବା ପାଣି ସମସ୍ୟା ଇତ୍ୟାଦିକୁ ବିଧାୟକ ଶ୍ରୀ ମିଶ୍ରଙ୍କ ଦୃଷ୍ଟିକୁ ଆଣିଥିଲେ । ବିଶ୍ୱ ବିଦ୍ୟାଳୟ ପାଇଁ ୫୦କୋଟି ଟଙ୍କାର ଭିତ୍ତିଭୂମି ନିର୍ମାଣ ପାଇଁ ଏ ଯାଏଁ ୨୫ କୋଟି ଟଙ୍କାର ମଞ୍ଜୁର ହୋଇଥିବା ବେଳେ ସେଥିରୁ ମାତ୍ର ୯ କୋଟି ଟଙ୍କା ଆସିଛି ବୋଲି କୁଳପତି ବିଧାୟକଙ୍କୁ ଜଣାଇଥିଲେ । ବିଶ୍ୱ ବିଦ୍ୟାଳୟ ପାଇଁ ଅଧିକ ୪୦ଟି କ୍ଲାସ ରୁମ, ୨୦ଟି ବିଭାଗ ପାଇଁ କମନ ରୁମ, ୯ଟି ପରିକ୍ଷାଗାର ଆବଶ୍ୟକ ରହିଛି । ତେଣୁ ମଞ୍ଜୁର ହୋଇଥିବା ଟଙ୍କା ଏସବୁ ଭିତ୍ତିଭୂମି ତିଆରି ପାଇଁ ପର୍ୟ୍ୟାପ୍ତ ହେବ ନାହିଁ ବୋଲି ମତପ୍ରକାଶ ପାଇଥିଲା । ଆଲୋଚନା ସମୟରେ ବିଧାୟକ ଶ୍ରୀ ମିଶ୍ର ବିଶ୍ୱ ବିଦ୍ୟାଳୟରେ ପ୍ରାଧ୍ୟାପକ ନିଯୁକ୍ତିକୁ ନେଇ ସରକାରଙ୍କ ଉଦାସିନତା ବିଶ୍ୱ ବିଦ୍ୟାଳୟକୁ ଏକ କେବଳ ସାଇନବୋର୍ଡରେ ପରିଣତ କରିଛି ବୋଲି କହିଥିଲେ । ବିଶ୍ୱ ବିଦ୍ୟାଳୟ ପାଇଁ ଦରକାର ହେଉଥିବା ୧୦୦ ଏକର ଜମି ପାଇଁ ତୁରନ୍ତ ବିଶ୍ୱ ବିଦ୍ୟାଳୟ ତରଫରୁ ଜିଲ୍ଲାପାଳଙ୍କୁ ଚିଠି ଲେଖିବାକୁ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଏହାସହ ଆଗାମୀ ୫୦ ବର୍ଷକୁ ଆଖି ଆଗରେ ରଖି ବିଶ୍ୱ ବିଦ୍ୟାଳୟରେ ଏକ ଉନ୍ନତ ଗେଷ୍ଟ ହାଉସ ନିର୍ମାଣ ପାଇଁ ଜମି ପାଇଁ ସରକାରଙ୍କୁ ଚିଠି ଲେଖାଯାଉ ବୋଲି କହିବା ସହ ବିଶ୍ୱବିଦ୍ୟାଳୟ ପରିସର ତଥା ଷ୍ଟାଫ୍ କ୍ୱାଟର, ବିଭିନ୍ନ ହଷ୍ଟେଲରେ ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ପିଇବା ପାଣି ବ୍ୟବସ୍ଥା ହୋଇନଥିବାରୁ ଜନସ୍ୱାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ସହ ଫୋନରେ କଥା ହୋଇ ପିଇବା ପାଣି ସମସ୍ୟା ଶିଘ୍ର ଦୂର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଲୋଚନା ସମୟରେ ସାଇନ୍ସ ପାର୍କ ଓ ପ୍ଲାନାଟୋରିୟମ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଶେଷରେ ଶ୍ରୀ ମିଶ୍ର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ଏକ ଉନ୍ନତ ଶିକ୍ଷାନୁଷ୍ଠାନ ତଥା ଗବେଷଣା କେନ୍ଦ୍ର ରୂପରେ ପରିଣତ କରିବାକୁ ହେଲେ ଉଭୟ ଶିକ୍ଷାର ମାନ ଓ ଭିତ୍ତିଭୂମି ବିକାଶ ସମାନ୍ତରଳ ଭାବରେ କରିବାକୁ ହେବ । ଏହି କାର୍ୟ୍ୟ ପାଇଁ ସରକାର ତଥା କୁଳପତି ଉଭୟଙ୍କ ଆନ୍ତରିକତାର ଆବଶ୍ୟକତା ରହିଛି ବୋଲି ଶ୍ରୀ ମିଶ୍ର ମତ ଦେଇଥିଲେ । ଆଜିର ଏହି ଆଲୋଚନାରେ ବିଶ୍ୱ ବିଦ୍ୟାଳୟର ରେଜିଷ୍ଟର ଡ. ଦୁର୍ଗା ପ୍ରଶନ୍ନ ମହାପାତ୍ର, ପରିକ୍ଷା ନିୟନ୍ତ୍ରକ ଡ. ଅକ୍ଷୟ କୁମାର ମିଶ୍ର ଏବଂ ଶିକ୍ଷାବିତ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଦେବେନ୍ଦ୍ର ନାଥ ମିଶ୍ର ପ୍ରମୁଖ ଭାଗ ନେଇଥିଲେ ।