ବିଛୁବାହାଲି ଗାଁରୁ କଂଟାବାଂଜିକୁ ପକ୍କା ସଡକ ଦାବୀ ନେଇ ଆନ୍ଦୋଳନ ପାଇଁ ସଜବାଜ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଓ ତୁରେକେଲା ବ୍ଲକର ସୀମା ନିର୍ଦ୍ଧରଣ କରେ ବିଛୁବାହାଲି ଗାଁ । ଗାଁଟି ବେଲପଡା ବ୍ଲକ ପଣ୍ଡରିଯୋର ପଂଚାୟତ ଅଧୀନରେ ରହିଛି । ଏହି ଗାଁଟି ବେଲପଡା ବ୍ଲକର ସଲଣ୍ଡି ପଂଚାୟତ ସହ ତୁରେକେଲା ବ୍ଲକର ଚଟୁଅନକା, ବୁରୋମାଲ ପଂଚାୟତର ମଧ୍ୟ ସୀମାରେ ରହିଛି । ଏପରିକି କଂଟାବାଂଜି ଏନ.ଏ.ସି.ର ମଧ୍ୟ ସୀମା ନିର୍ଦ୍ଧାରଣ କରୁଛି । ଗାଁ ଲୋକେ ସ୍ୱାସ୍ଥ୍ୟ ଅବସ୍ଥା ପାଇଁ କଂଟାବାଂଜି ସରକାରୀ ଡାକ୍ତରଖାନା ଉପରେ ନିର୍ଭର କରନ୍ତି । କିନ୍ତୁ ସୀମା ନିର୍ଦ୍ଧାରଣ କରୁଥିବାରୁ ପକ୍କା ରାସ୍ତା ଟିଏ ନ ଥିବାରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଗାଁରେ ୩ଟି ୱାର୍ଡ ଥିବା ବେଳେ ୨୦୦୦ରୁ ଅଧିକ ଜନସଂଖ୍ୟା ରହିଛି । ଏହି ଗାଁଠାରୁ ନିଜସ୍ୱ ବେଲପଡା ବ୍ଲକକୁ ଯିବାକୁ ହେଲେ ୨୫ କି.ମି. ରାସ୍ତା ଯିବାକୁ ପଡେ । ବିଛୁବାହାଲି ଗାଁଠାରୁ ଲଥାକେନ୍ଦ ଗାଁ ରହିଛି, ଯାହା ରାଜ୍ୟ ରାଜପଥ ନଂ. ୪୨କୁ ସଂଯୋଗ ଥିବାଯାଏ ପକ୍କା ସଡକକୁ ଯିବାକୁ ହେଲେ ୫ କି.ମି. କଚା ମାଟିରାସ୍ତା ରହିଛି । ସେହିପରି ପଂଚାୟତ ସଦର ଗାଁକୁ ଯିବାକୁ ହେଲେ ୦୫ କି.ମି. ରାସ୍ତା ପାଖାପାଖି ହୋଇଥାଏ । ଫଳରେ ବେଲପଡା ବ୍ଲକର ଥାନା କିମ୍ବା ସ୍ୱାସ୍ଥ୍ୟ ପାଇଁ ଡାକ୍ତରଖାନାକୁ ଆସିବା ଯିବା କରିବାରେ ବହୁତ ଅସୁବିଧା ହୋଇଥାଏ । ବିଛୁବାହାଲି ଗାଁର ଲୋକେ ମୁଖ୍ୟତଃ କଂଟାବାଂଜି ସହର ଉପରେ ନିର୍ଭର କରନ୍ତି । କିନ୍ତୁ ଗାଁଟି ଉଭୟ ବେଲପଡା ବ୍ଲକ ଓ ତୁରେକେଲା ବ୍ଲକର ସୀମା ନିର୍ଦ୍ଧାରଣ କରୁଥିବାରୁ କଂଟାବାଂଜି ମାତ୍ର ୫ କି.ମି. ଦୂରତା ମଧ୍ୟରେ ଥିଲେ ସୁଦ୍ଧା ପକ୍କା ସଡକ ନ ଥିବାରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୁଅନ୍ତି । ବିଛୁବାହାଲି ଠାରୁ କଂଟାବାଂଜି ମାତ୍ର ୫ କି.ମି. ରାସ୍ତା ପକ୍କା ସଡକ ପ୍ରଧାନମନ୍ତ୍ରୀ ସଡକ ରହିଛି । ଫଳରେ ପ୍ରଧାନମନ୍ତ୍ରୀ ସଡକ ସଂଯୋଗ ଯାଏ ପାଦ ଚଳା ରାସ୍ତା ଥିବାରୁ ଗାଁବାସୀଙ୍କୁ ବହୁତ ଅସୁବିଧା ହୋଇଥାଏ । ବର୍ଷା ଦିନେ ଏହି ପାଦ ଚଳା ରାସ୍ତାରେ ବିଛୁବାହାଲି ଗାଁବାସୀଙ୍କୁ ଯିବା ଆସିବା ପାଇଁ କାଦୁଅ ପଚ ପଚ୍‌ ରାସ୍ତାରେ ହିଁ ନିର୍ଭର କରନ୍ତି । ମୁଖ୍ୟତଃ କଂଟାବାଂଜି ଏକ ବ୍ୟବସାୟିକ କେନ୍ଦ୍ର ସ୍ଥଳି ହୋଇଥିବାରୁ ଗାଁବାସୀ ଏହି ପାଦଚଲା ରାସ୍ତା ଉପରେ ନିର୍ଭର କରୁଥିବା ବେଳେ ନିଜର ଜୀବନ ଜୀବିକା ସହ ଛାତ୍ରୀଛାତ୍ରମାନଙ୍କ ଶିକ୍ଷା ପାଇଁ ନିତିଦିନିଆ ରାସ୍ତା ହୋଇଥାଏ ।

ଏକ ବିଶେଷ ଅନୁସଂଧାନ ବେଳେ ଜଣାପଡିଛି ଯେ, ଗାଁଟି ସଂପୂର୍ଣ୍ଣ ରୁପେ ଆଦିବାସୀ ବହୁଳ ଗାଁ । ଗାଁରେ ୮୦ ଶତକଡା ଲୋକେ ଆଦିବାସୀ ସଂପ୍ରଦାୟର ହୋଇଥିବା ବେଳେ ୧୦ ଶତକଡା ପଛୁଆବର୍ଗ ଓ ୧୦ ଶତକଡା ହରିଜନ ସଂପ୍ରଦାୟର ଲୋକେ ବସବାସ କରନ୍ତି । ଗାଁରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲକୁ ମଧ୍ୟ ସବୁଦିନିଆ ପକ୍କା ସଡକ ନାହିଁ । ଲଥାକେନ୍ଦ ଗାଁକୁ ସଂଯୋଗ କରୁଥିବା କଚା ରାସ୍ତା ଉପରେ ଗାଁର ପ୍ରାଥମିକ ଶିକ୍ଷାକେନ୍ଦ୍ରର ଛୋଟ ଛୋଟ କୋମଳମତି ଛାତ୍ରୀଛାତ୍ରମାନେ ମଧ୍ୟ ଶିକ୍ଷା ଗ୍ରହଣ ପାଇଁ ପାଦ ଚଲା ରାସ୍ତାରେ ପ୍ରାୟ ଅଧ କି.ମି. ଯାଏ ଯାଇଥାନ୍ତି । ଗାଁଟି ବ୍ଲକ ସଦର ମହକୁମା ବେଲପଡା କିମ୍ବା ନିଜ ପଂଚାୟତ ସଦର ଗାଁ ପଣ୍ଡରିଯୋରକୁ ଯିବାକୁ ହେଲେ ବୁଲିବାଲି ପ୍ରାୟ ୧୦ ରୁ ୧୫ କି.ମି. ଯିବାକୁ ପଡୁଛି । ଜୀବନ ଜୀବିକା, ରୋଜଗାର, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବା ଉପରେ କଂଟାବାଂଜି ସହର ଉପରେ ନିର୍ଭର କରୁଛନ୍ତି । ବିଛୁବାହାଲିରୁ ତୁରେକେଲା ବ୍ଲକ ଚଟୁଅନକା ସଦର ମହକୁମାକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡକ ସହିତ ସଂଯୋଗ କରିବା ପାଇଁ ଗାଁବାସୀ ଅନେକବାର ଲୋକସଭା ସାଂସଦ ବଲାଙ୍ଗିର, ବିଧାୟକ ପାଟଣାଗଡ, ଜିଲ୍ଲା ପରିଷଦ ସଭ୍ୟ ତଥା ବେଲପଡା ବ୍ଲକ ପଂଚାୟତ ସମିତି ଅଧ୍ୟକ୍ଷଙ୍କୁ ଅନେକବାର ଲିଖିତ ଜଣାଇବା ପରେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ବେଳେ ଆନ୍ଦୋଳନ ମଧ୍ୟ କରିସାରିଛନ୍ତି । ତେବେ ଗ୍ରାମବାସୀ ଆଗାମୀ ଦିନରେ ଆନ୍ଦୋଳର ପନ୍ଥା ଅବଳମ୍ବନ କରିବା ପାଇଁ ଜଣାଇଛନ୍ତି । ଏପରିକି କୋଭିଡ-୧୯ ଭଳି ମହାମାରୀ ସମୟକୁ ଗ୍ରାମବାସୀ ଆଖି ଆଗରେ ରଖି ଆଗାମୀ ପଂଚାୟତ ନିର୍ବାଚନ ପୂର୍ବରୁ ଏକ ଆନ୍ଦୋଳନ କରିବାର ସଜବାଜ ହେଉଥିବା ପୂର୍ବତନ ସମିତି ସଭ୍ୟ ମୋହନ ମାଝି ରବିବାର ଦିନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.