csstore

କବିତା : ଉଇଲ୍‌ନାମା

  • ହେମନ୍ତ ସାହୁ

ବିନା ମେଘରେ ବର୍ଷିଯାଉଥିବା ନୀଳ ଆଖିର ଲୁହତକ
ମୋ ଦୁଇ ହାତ ପାପୁଲିରେ ଭରିଦେ’
ବଳକା ଯେତେ ଗାଲ ଉପରୁ ମୁଁ ଶୋଷିନେବି
ତୃଷ୍ଣା ମେଂଟାଇବି ।

କହୁଛୁ ଯେ, ମୁଁ କୁଆଡ଼େ ନିକମ୍ମାଟା
ପାରେନି ବାଲକୋନୀ ଉପରେ
ପାଦ ରଖି, ଯୋଉଠି ବିଶ୍ୱାସ
କହ ବିଷ ଭରିବି କେମିତି ?

ମୋର ନିପାରିଲା ପଣକୁ ଧିକ୍କାରୁଚୁ ଯେ,
ଦିନେ ଏଇ ପଣ ହିଁ ଆମକୁ ଜିତାଇବ,
କୁସୁମଦେଇ ପାହାଡ଼ ଉପରେ ଦିତିଆର ଜହ୍ନ ହସୁଥିବ
ତୋର ସବୁ ଆତ୍ମୀୟତା, ମୋର ସବୁ ଯାକ କବିତା
କିଏ ବୁଝୁ କି ନବୁଝୁ, ଦିନେ ଓଡ଼ିଆ ଭାଷା ସାହିତ୍ୟର କୋର୍ସ ହେଇଯିବ
ଜମ୍ମା ମିଛ କହୁନି ଲୋ, ସବୁ ସ୍ୱପ୍ନ ସତ ଏକା ହେବ ।

ଫି’ ଦିନ ଆମେ ତ ସୁଖ ମାନଙ୍କୁ କୁଦେଇ କୁଦେଇ
ନଙ୍ଗରା ହାଡ଼ ଫଟେଇଚୁ, ଛାତିକୁ ଜହ୍ନ କରିଚୁ ।

ହେଇ ଦେଖ୍‌, ପ୍ରେମ ପତ୍ର ଗୁଡ଼ିକ ତ ହ୍ୱାଟ୍ସଅପ୍‌ରେ ନିଲାମ ହେଲାଣି
ହଜିଯାଇଥିବା ଦିନ ଗୁଡ଼ିକ କେବେ ଫେରିବ ଯେ,
ଆଇନା କହୁଚି, ଆମର ବାଳ ପାଚିଗଲାଣି ।

ଧେତ୍‌, ଜୀବନ ଥିବା ଯାଏ କୋଉ ସରେ ଯେ ବସନ୍ତ
ମୁଁ ତ କେବେଠୁ ଛାତିର କୁଲେଇକୁ, ପାପୁଲିଏ ପ୍ରେମ ପାଇଁ
ତୋ ଦୁଇ ପାଦରେ ଘୁଙ୍ଗୁର ସଜେଇଚି
ଅଲିଖିତ ଉଇଲନାମାରେ ମୋର ବୋଲି ଯାହା
ଗୋଟେ ଯୁଗ ଆଗରୁ ସବୁତୋତେ ସଅଁପି ସାରିଚି ।

ନିଶବ୍ଦ ଭଲ ପାଇବାରେ ହିଁ ତ
କବିଟିଏ ଜୀବନ ଜୀଉଁଚି
ଭୋକ ମାନଙ୍କୁ ଖାଉଚି, ଶୋଷ ମାନଙ୍କୁ ପିଇ ପିଇ
ନିଜ ଭିତରେ ନିଜେ ତୋତେ ହିଁ ପାଉଚି
ସର୍ତରେ ନୁହେଁ ସତରେ ମୁଁ ପ୍ରେମିକ ପାଲଟିଚି ।

jayashree
Leave A Reply

Your email address will not be published.