jayashree

ଦେଶ ସ୍ୱାଧୀନ ହେବା ପୂର୍ବରୁ ପାଟଣା ରାଜ୍ୟ ତଥା ବଲାଙ୍ଗିରରେ ଥିଲା ବିଧାନସଭା, ଗୌରବମୟ ଇତିହାସ ନୂତନ ପିଢିକୁ ଅନୁପ୍ରାଣିତ କରିବ : ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଶ ସ୍ୱାଧୀନ ହେବା ପୂର୍ବରୁ ତତ୍କାଳୀନ ଦେଶୀୟ ରାଜ୍ୟ ପାଟଣା ତଥା ବର୍ତ୍ତମାନର ବଲାଙ୍ଗିରରେ ବିଧାନସଭା ଥିଲା । ବିଧାନସଭାରେ ସରକାରୀ ଓ ବେସରକାରୀ ଉଭୟ ପକ୍ଷର ସଭ୍ୟ ଥିଲେ । ରାଜ୍ୟରେ ବିଭିନ୍ନ ଆଇନ ଲାଗୁ ହେବା ପୂର୍ବରୁ ବିଧାନସଭାରେ ଆଲୋଚନା ହେଉଥିଲା । ବଲାଙ୍ଗିର ତଥା ତତ୍କାଳୀନ ପାଟଣା ରାଜ୍ୟରେ ପାଟଣା ରାଜ୍ୟ ବିଧାନସଭା ମନୋନୟନ ଓ ନିର୍ବାଚନ ନିୟମ ୧୯୪୪ ଲାଗୁ କରା ହୋଇଥିଲା । ବିଧାନସଭାକୁ ୧୯୪୫ ମସିହା ଅକ୍ଟୋବର ୧୬ ତାରିଖ ଦିନ ଉଦଘାଟନ କରିଥିଲେ ତତ୍କାଳୀନ ପାଟଣା ମହାରାଜା ରାଜେନ୍ଦ୍ର ନାରାୟଣ ସିଂଦେଓ । ଏହି ଦିନ ବିଜୟା ଦଶମୀ ଥିଲା । ବିଧାନସଭାର ପ୍ରଥମ ଅଧିବେଶନ ୧୯୪୫ ମସିହା ୧୭ ଅକ୍ଟୋବର ବୁଧବାର ଦିନ ବସିଥିଲା । ରାୟ ବାହାଦୁର ସଚିବ ଶିରୋମଣି ଲାଲା ରାଜ କନଓ୍ୟାରଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିରର ଜର୍ଜ ଲିଟରାରୀ ଏଣ୍ଡ ସୋସିଅଲ କ୍ଲବରେ ଏହି ଐତିହାସିକ ଅଧିବେଶନ ବସିଥିଲା । ଏହି ବିଧାନସଭାର ମାନ୍ୟବର ସଭ୍ୟ ମାନେ ଥିଲେ ଗୋପାଲ ଚନ୍ଦ୍ର, ରାଜ୍ୟସ୍ତମ୍ଭ ଲକ୍ଷ୍ମଣ ସାହାଣୀ, କୁମାର ରଣେନ୍ଦ୍ର ପ୍ରତାପ ସିଂଦେଓ, ଧରମ ଦତ୍ତ ଗୁପ୍ତା, ଜନାର୍ଦ୍ଦନ ଦାସ, ମଦନ ଗୋପାଲ, ବନଓ୍ୟାରୀ ଲାଲ ଚୌଧୁରୀ, ପୂର୍ଣ ଚନ୍ଦ୍ର ରଥ, କେ. ଭେଙ୍କଟ ରାଓ, କୋଶଲ କପଟ ଶ୍ରୀମାନ ଲାଲ ରଘୁରାଜ ସିଂଦେଓ, ରେଭରେଣ୍ଡ ଏଡଗାର ଥୋମାସ ୱିଲିୟମ ବ୍ରାଉନ, ରାଜ୍ୟରତ୍ନ ବଳଭଦ୍ର ବହିଦାର, କପିଳେଶ୍ୱର ମହାନନ୍ଦ, ଦେବାର୍ଚ୍ଚନ ସିଂଭୋଇ, କପିଳେଶ୍ୱର ପ୍ରସାଦ ନନ୍ଦ, ଯୁଧିଷ୍ଠିର ମିଶ୍ର, ଚିନ୍ତାମଣି ରଥ, କର୍ମବୀର ଯୁଗଲ କିଶୋର ପନସାରୀ, ହୀରାଧର ସାଏ, ବାସୁଦେବ ମହାଜନ, ଅଭୟ ପ୍ରସାଦ ଠାକୁର, ନିମାଇଁ ଚରଣ ପାଣିଗ୍ରାହୀ, ଭାର୍ଗଭୀ ଗୁରୁ, ସତ୍ୟାନନ୍ଦ ମିଶ୍ର, ଖଗେଶ୍ୱର ସାହୁ, ସୁଦର୍ଶନ ପୁଝାରୀ, ଗୋବର୍ଦ୍ଦନ ଦାସ, ଭାର୍ଗବୀ ଗୁରୁ, ଡ. ବୃଷଭ ବାରିକ, ବ୍ରଜ କିଶୋର ଜୋଶୀ ଓ ସାମୁଏଲ ଜେନା । ଗୃହର ଅଧ୍ୟକ୍ଷ ଲାଲା ରାଜ କନଓ୍ୟାର ପ୍ରଥମେ ତାଙ୍କ ଭାଷଣ ଦେବା ପରେ ଶେଷରେ ପ୍ରସିଦ୍ଧ ଲାଟିନ ବାକ୍ୟ “ଭୋକ୍ସ ପୋପୁଲି ଭୋକ୍ସ ଦେଇ” (vox populi vox dei) ଉଚ୍ଚାରଣ କରିଥିଲେ ଯାହାର ଅର୍ଥ ଲୋକଙ୍କ ସ୍ୱର ଭଗବାନଙ୍କ ସ୍ୱର । ଏହି ଇତିହାସରୁ ଜଣାପଡୁଛି ଯେ, ବଲାଙ୍ଗିର ତଥା ତତ୍କାଳୀନ ପାଟଣା ରାଜ୍ୟରେ ଲୋକଙ୍କ ସ୍ୱରକୁ ସମ୍ମାନ ଦିଆଯାଉଥିଲା । ରାଜତନ୍ତ୍ର ସମୟରେ ମଧ୍ୟ ପାଟଣା ରାଜ୍ୟବାସୀ ଗଣତନ୍ତ୍ର ବ୍ୟବସ୍ଥା ଅନୁରାଗୀ ଥିବା ଜଣାଯାଏ । କିନ୍ତୁ ବର୍ତ୍ତମାନ ବଲାଙ୍ଗିରରେ ଲୋକଙ୍କ ସ୍ୱର ଠାରୁ ନେତା ମାନଙ୍କ ସ୍ୱରକୁ ଅଧିକ ସମ୍ମାନ ଦିଅଯାଉଛି । ସ୍ୱାଧୀନତା ପୂର୍ବରୁ ଅନ୍ୟ ଗଡଜାତ ରାଜ୍ୟ ମାନଙ୍କଠାରୁ ଅପେକ୍ଷାକୃତ ଭାବେ ବିକଶିତ ଥିବା ପାଟଣା ରାଜ୍ୟ ତଥା ବଲାଙ୍ଗିର ଜିଲ୍ଲା ବର୍ତ୍ତମାନ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ତୁଳନାରେ ଏକ ପଛୁଆ ଜିଲ୍ଲା ଭାବେ ପରିଗଣିତ ହେଉଛି । ଭାରତରେ ଗଣତନ୍ତ୍ର ଶାସନ ପରେ ଏହି ବିଧାନସଭାରୁ ମହାରାଜା ନିଜେ ରାଜେନ୍ଦ୍ର ନାରାୟଣ ସିଂଦେଓ ଦେଶର ସାଂସଦ, ଓଡିଶାର ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା ପଦ ବିଭିନ୍ନ ସମୟରେ ଅଳଂକୃତ କରିଥିଲେ । ପାଟଣା ବିଧାନସଭାର ସଭ୍ୟମାନଙ୍କ ମଧ୍ୟରୁ ସ୍ୱର୍ଗତ ଯୁଧିଷ୍ଠିର ମିଶ୍ର ସମ୍ବିଧାନ ସଭାର ସଭ୍ୟ ଭାବେ ସଫଳତାର ସହ କାର୍ୟ୍ୟ ତୁଳାଇଥିବା ବେଳେ ସ୍ୱର୍ଗତ ସତ୍ୟାନନ୍ଦ ମିଶ୍ର ରାଜ୍ୟସଭା ସାଂସଦ ଥିଲେ । ପାଟଣା ରାଜ୍ୟ ବିଧାନସଭାରେ ତତ୍କାଳୀନ ସଭ୍ୟ କପିଳେଶ୍ୱର ପ୍ରସାଦ ନନ୍ଦଙ୍କ ପ୍ରଶ୍ନରୁ ଜଣାପଡେ ଯେ, ୧୯୪୫ ମସିହା ଅକ୍ଟୋବର ମାସରେ ପୃଥ୍ୱୀରାଜ ସ୍କୁଲର ଛାତ୍ରଛାତ୍ରୀ ସଂଖ୍ୟା ୫୪୦ ଥିଲେ ଏବଂ ଏହା ମଧ୍ୟରେ ୨୦ ଜଣ ଛାତ୍ରୀ ଥିଲେ । ପୃଥ୍ୱୀରାଜ ସ୍କୁଲ ଏବଂ ରାଜେନ୍ଦ୍ର ଇଣ୍ଟରମଡେିଏଟ କଲେଜ ପାଇଁ ଅନେକ ଗୁଡିଏ ପ୍ରଶ୍ନ ଉତ୍‌ଥାପିତ ହୋଇଥିବା ଜଣାଯାଏ । ରାଜେନ୍ଦ୍ର ଇଣ୍ଟରମିଡିଏଟ କଲେଜରେ ୧୯୪୪ ମସିହା ଜୁଲାଇ ମାସରୁ ପୂଜା ଛୁଟି ପର୍ୟ୍ୟନ୍ତ ଏବଂ ଅଗଷ୍ଟ ୧୯୪୫ ମସିହାରୁ ଅକ୍ଟୋବର ପର୍ୟ୍ୟନ୍ତ ବାଣିଜ୍ୟ ବିଭାଗ ପ୍ରଫେସର ନଥିବା ପ୍ରଶ୍ନ ପାଟଣା ରାଜ୍ୟ ବିଧାନସଭାରେ ସଭ୍ୟ ନିମାଇଁ ଚରଣ ପାଣିଗ୍ରାହୀ ପଚାରିଥିବା ତଥ୍ୟରୁ ଜଣାଯାଏ । ପାଟଣା ରାଜ୍ୟ ବିଧାନସଭା ରାଜ୍ୟର ବିଭିନ୍ନ ସମସ୍ୟା ବିଷୟରେ ସମ୍ବେଦନଶୀଳ ଥିଲା ବୋଲି ବିଧାନସଭା ବିବରଣୀରୁ ଜଣାପଡେ । କିନ୍ତୁ ଦୀର୍ଘ ବର୍ଷ ଧରି ବଲାଙ୍ଗିର ମହିଳା ମହାବିଦ୍ୟାଳୟରେ ବିଜ୍ଞାନ ବିଭାଗରେ ଅଧ୍ୟାପକ ଓ ଷ୍ଟାଫ ନଥିଲେ ମଧ୍ୟ ବର୍ତ୍ତମାନ ସମୟରେ ବ୍ୟବସ୍ଥାର ସମ୍ବେଦନଶୀଳତା ନାହିଁ । ଏଭଳି ଅନେକ କାରଣ ରହିଛି, ଯାହା ଫଳରେ ଆଜି ଆମର ପ୍ରିୟ ଜିଲ୍ଲା ଏକ ପଛୁଆ ଜିଲ୍ଲା ଭାବେ ପରିଗଣିତ ହେଉଛି । ବିଭିନ୍ନ ବିଧେୟକ ପାଟଣା ବିଧାନସଭାରେ ଅଲୋଚନା କରାଯାଇ ପାସ ହୋଇଥିବା ଜଣାଯାଏ । ତନ୍ମମଧ୍ୟରୁ ପବିତ୍ର ସ୍ଥଳୀ ନିର୍ମାଣ ଏବଂ ପରିଚାଳନା ପ୍ରସ୍ତାବ ବିଧେୟକ ଅନ୍ୟତମ । ଏହି ବିଧେୟକ ପାଇଁ ତତ୍କାଳୀନ ସମ୍ବାଦପତ୍ର ପାଟଣା ଦୀପିକା ଜରିଆରେ ଜନମତ ସଂଗ୍ରହ କରିବା ପାଇଁ ମଧ୍ୟ ପ୍ରସ୍ତାବ ଗୃହୀତ ହୋଇଥିବା ଜଣାଯାଏ । ମୋଟ ଉପରେ ତତ୍କାଳୀନ ପାଟଣା ରାଜ୍ୟ ତଥା ବର୍ତ୍ତମାନର ବଲାଙ୍ଗିର ଇତିହାସର ଏହିସବୁ ତଥ୍ୟ ଏକ ସ୍ୱର୍ଣିମ ଅଧ୍ୟାୟ ବୋଲି ସାମାଜିକ ତଥା ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା କହିଛନ୍ତି । ବଲାଙ୍ଗିରର ଯୁବପିଢୀ ଅଗାମୀ ଦିନରେ ଏହି ହୃତଗୌରବକୁ ଦେଖି ଅନୁପ୍ରାଣିତ ହେବେ ଏବଂ ଏକ ସୁନ୍ଦର ବଲାଙ୍ଗିର ନିର୍ମାଣ ପାଇଁ କାର୍ୟ୍ୟ କରିବେ ବୋଲି ପଣ୍ଡା ଅଶା କରିଛନ୍ତି ।

Leave A Reply

Your email address will not be published.