ବଲାଙ୍ଗିର, ପେଲେସ ଲାଇନ : ଜଗନ୍ନାଥଙ୍କ ରଥଯାତ୍ରା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ । ଏହା ମାନବଜୀବନର ଗଭୀର ଦର୍ଶନକୁ ପ୍ରକାଶ କରୁଥିବା ଏକ ମହାନ ପ୍ରତୀକ । ପ୍ରତିବର୍ଷ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଶ୍ରୀମନ୍ଦିର ଛାଡ଼ି ରଥରେ ଆରୋହଣ କରି ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି । ଏହି ଯାତ୍ରା ଆମକୁ ସ୍ମରଣ କରାଏ ଯେ ଜୀବନ ମଧ୍ୟ ଏକ ଅବିରତ ଯାତ୍ରା – ସ୍ଥିରତା ନୁହେଁ, ଗତି ହିଁ ଜୀବନର ପ୍ରକୃତ ସ୍ୱରୂପ । ମଣିଷର ଶରୀର ହେଉଛି ଏକ ରଥ । କଠୋପନିଷଦର ପ୍ରସିଦ୍ଧ ରଥ ଉପମା ଅନୁସାରେ ଶରୀର ହେଉଛି ଏକ ରଥ, ଇନ୍ଦ୍ରିୟମାନେ ତାର ଘୋଡ଼ା, ମନ ହେଉଛି ଲଗାମ, (ବିବେକଶୀଳ) ବୁଦ୍ଧି ହେଉଛି ସାରଥି ଏବଂ ଆତ୍ମା ହେଉଛି ରଥର ଯାତ୍ରୀ । ଯଦି ବୁଦ୍ଧି ବିବେକଶୀଳ ହୁଏ ଓ ମନ ସଂଯମିତ ରହେ, ତେବେ ଜୀବନର ରଥ ସଠିକ୍ ପଥରେ ଅଗ୍ରସର ହୁଏ । ନଚେତ୍ ମଣିଷ ମୋହ, କାମ, କ୍ରୋଧ ଓ ଲୋଭରେ ପଥଭ୍ରଷ୍ଟ ହୋଇଯାଏ । ରଥଯାତ୍ରାର ଆଉ ଏକ ଗଭୀର ତାତ୍ପର୍ଯ୍ୟ ହେଉଛି ଈଶ୍ୱରଙ୍କ ଲୋକ ମଙ୍ଗଳ ଭାବନା । ଶ୍ରୀମନ୍ଦିରର ଗର୍ଭଗୃହରେ ସୀମିତ ନ ରହି ସେ ନିଜେ ଭକ୍ତଙ୍କ ପାଖକୁ ଆସନ୍ତି । ଏହା ଆମକୁ ଶିଖାଏ ଯେ, ସତ୍ୟ ମହାନତା ଅନ୍ୟମାନଙ୍କ ପାଖକୁ ଯିବାରେ, ସେବା କରିବାରେ ଏବଂ ସମସ୍ତଙ୍କୁ ଆପଣାର କରିବାରେ ନିହିତ । ଜୀବନର ସାର୍ଥକତା କେବଳ ନିଜ ସୁଖରେ ନୁହେଁ, ବରଂ ପର ହିତରେ ରହିଛି । ରଥକୁ ଟାଣୁଥିବା ଅସଂଖ୍ୟ ଭକ୍ତ ମାନବ ସମାଜର ଏକତାର ପ୍ରତୀକ । ସେଠାରେ ଧନୀ-ଦରିଦ୍ର, ଉଚ୍ଚ-ନୀଚ, ଜାତି-ଧର୍ମର କୌଣସି ଭେଦ ରହେ ନାହିଁ । ସମସ୍ତଙ୍କର ଲକ୍ଷ୍ୟ ଏକ—ପ୍ରଭୁଙ୍କ ରଥକୁ ଆଗକୁ ବଢ଼ାଇବା । ଏହା ଶିଖାଏ ଯେ, ସମାଜର ଉନ୍ନତି ପାଇଁ ସମସ୍ତଙ୍କର ସମ୍ମିଳିତ ପ୍ରୟାସ ଆବଶ୍ୟକ । ଯଦି ଏକତା ଅଭାବ ହୁଏ ଦେଶ ରୂପକ ରଥ ଆଗକୁ ଯାଇପାରିବ ନାହିଁ । ରଥଯାତ୍ରାରେ ଆଗକୁ ବଢ଼ିବା ଓ ପୁଣି ବାହୁଡ଼ାରେ ଫେରି ଆସିବା ଜୀବନର ଚକ୍ରକୁ ସୂଚିତ କରେ । ଜନ୍ମ, କର୍ମ, ଅନୁଭବ ଓ ପୁର୍ନମିଳନ: ଏହା ହିଁ ଜୀବନର ନିୟମ । ସୁଖ ଓ ଦୁଃଖ, ମିଳନ ଓ ବିଚ୍ଛେଦ, ସଫଳତା ଓ ବିଫଳତା – ସବୁ ଜୀବନର ଯାତ୍ରାର ଅଂଶ । କୌଣସି ଅବସ୍ଥା ସ୍ଥାୟୀ ନୁହେଁ, ପରିବର୍ତ୍ତନ ହିଁ ସତ୍ୟ । ଏହା ପୁଣି ପୁନରାବୃତ୍ତି ପ୍ରକ୍ରିୟା । ରଥର ବିଶାଳ ଚକ ଆମକୁ ସମୟର ଅନବରତ ଗତିର ସ୍ମୃତି ଦେଇଥାଏ । ସମୟ କାହା ପାଇଁ ଅପେକ୍ଷା କରେ ନାହିଁ । ତେଣୁ ଜୀବନର ପ୍ରତ୍ୟେକ କ୍ଷଣକୁ ସଦୁପଯୋଗ କରି ସତ୍କର୍ମରେ ନିୟୋଜିତ ହେବା ମଣିଷର କର୍ତ୍ତବ୍ୟ ।
ଜଗନ୍ନାଥଙ୍କ ବିଶାଳ ଆଖି ଆମକୁ ସଚେତନତାର ବାର୍ତ୍ତା ଦିଏ । ପ୍ରଭୁ ସବୁକିଛି ଦେଖୁଛନ୍ତି । ତେଣୁ ଜୀବନରେ ସତ୍ୟ, ନ୍ୟାୟ, କରୁଣା ଓ ପ୍ରେମକୁ ଆଧାର କରି ଚାଲିବା ଉଚିତ । ଯେତେ ଅନ୍ୟାୟ, ଅନୀତି କଲେ ମଧ୍ୟ ନିଶ୍ଚିତ ଭାବରେ ଦିନେ ସେହି ଚକା ଆଖିରେ ଧରାପଡିବ ଏବଂ କର୍ମଫଳ ତଦନୁସାରେ ଭୋଗିବାକୁ ହେବ । ଏହା ହିଁ ଜଗନ୍ନାଥଙ୍କ ବଡ଼ ବାର୍ତ୍ତା: ମୁଁ ସବୁ ଦେଖୁଛି ।
ରଥଯାତ୍ରା ଆମକୁ ଏହା ମଧ୍ୟ ଶିଖାଏ ଯେ, ଜୀବନର ରଥକୁ କେବଳ ବାହ୍ୟ ଶକ୍ତି ନୁହେଁ, ଆଭ୍ୟନ୍ତରୀଣ ଶୁଦ୍ଧତା ମଧ୍ୟ ଆଗକୁ ନେଇଥାଏ । ଅହଂକାର, ଈର୍ଷା ଓ ଦ୍ୱେଷର ଭାର ବହନ କଲେ ଜୀବନର ରଥ ଅଟକିଯାଏ । କ୍ଷମା, ପ୍ରେମ, ଦୟା ଓ ସେବା ହେଉଛି ଜୀବନକୁ ସୁଗମ କରୁଥିବା ଶକ୍ତି । ଏହି ଯୁକ୍ତାତ୍ମକ ଶକ୍ତି ହିଁ ସମାଜରେ ସୁଖଶାନ୍ତି ପ୍ରତିଷ୍ଠା କରିଥାଏ । ଜଗନ୍ନାଥଙ୍କ ରଥଯାତ୍ରା କେବଳ ପୁରୀର ଏକ ପର୍ବ ନୁହେଁ, ଏହା ସମଗ୍ର ମାନବ ଜାତି ପାଇଁ ଜୀବନର ଏକ ଅନନ୍ୟ ଦର୍ଶନ । ଏହା ଆମକୁ ଶିଖାଏ ଯେ, ଜୀବନ ହେଉଛି ଏକ ପବିତ୍ର ଯାତ୍ରା—ଯେଉଁଠାରେ ବିବେକ ସାରଥି, ସଂଯମ ଲଗାମ, ସତ୍କର୍ମ ପଥ, ପ୍ରେମ ଶକ୍ତି ଏବଂ ପରମାତ୍ମା (ଶାନ୍ତି ସ୍ୱରୂପ) ହେଉଛନ୍ତି ଅନ୍ତିମ ଲକ୍ଷ୍ୟ । ଯେଉଁ ବ୍ୟକ୍ତି ଏହି ସତ୍ୟକୁ ହୃଦୟଙ୍ଗମ କରେ, ତାଙ୍କ ପାଇଁ ପ୍ରତ୍ୟେକ ଦିନ ଏକ ରଥଯାତ୍ରା ଏବଂ ପ୍ରତ୍ୟେକ ପଦକ୍ଷେପ ଈଶ୍ୱରଙ୍କ ଦିଗରେ ଅଗ୍ରସର ହେବାର ସୁଯୋଗ ଆଣେ । “ଜଗନ୍ନାଥସ୍ୱାମୀ ନୟନପଥଗାମୀ ଭବତୁ ମେ” । ଅର୍ଥାତ “ହେ ଜଗନ୍ନାଥ ସ୍ୱାମୀ ଆପଣ ସଦା ସର୍ବଦା ମୋର ନୟନପଥରେ ରୁହନ୍ତୁ; ମୋର ଦୃଷ୍ଟି, ଚିନ୍ତା ଓ ହୃଦୟର କେନ୍ଦ୍ରବିନ୍ଦୁ ହୁଅନ୍ତୁ (ତଥା ଜୀବନ ରଥକୁ ସଦପଥରେ ଆଗେଇ ନିଅନ୍ତୁ) ଜୟ ଜଗନ୍ନାଥ ।
ଶଙ୍କର ସାହୁ
୯୪୩୭୯୬୦୩୨୬
