- ମହାନଦୀ ଜଳ ବିବାଦ ଓଡିଶା ପାଇଁ ବ୍ୟୁମେରାଂ ସଦୃଶ
- ଲୋୟର ସୁକତେଲକୁ ନେଇ ନେତା ଓ ସରକାରୀ ଅଧିକାରୀମାନେ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି
- ଲୋୟର ସୁକତେଲ ପାଇଁ ଚରମ ଅବହେଳା ମହଙ୍ଗା ପଡିଲା
- ୮୦ ବୈଠକ ସ୍ଥାନରେ ମାତ୍ର ୩
ବଲାଙ୍ଗିର, (କେପିଏନ୍ଏସ୍) : ଓଡିଶା ପାଇଁ ବ୍ୟୁମେରାଂ ହୋଇଛି ମହାନଦୀ ଜଳ ବିବାଦ । ବଲାଙ୍ଗିରର ଜୀବନ ରେଖା ବୋଲି କୁହାଯାଉଥିବା ନିର୍ମାଣାଧୀନ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ମହାନଦୀ ଜଳ ବିବାଦ ମଧ୍ୟରେ ଫଶିଯାଇଥିବା ସୂଚନା ଅଧିକାର ଆଇନ ବଳରେ ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡାଙ୍କୁ ଭାରତ ସରକାରଙ୍କ ଜଳ ସଂସାଧନ, ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ବିଭାଗ ପକ୍ଷରୁ ଫାଇଲ ନମ୍ବର. ଅଇ-୧୨୦୧୧/୧୮୦/୨୦୨୦-ଡବ୍ଲୁପିପି ଯୋଗେ ମିଳିଥିବା ତଥ୍ୟରୁ ଜଣାପଡିଛି । ମହାନଦୀ ଅବବାହିକାର ୪ଟି ନିର୍ମାଣାଧୀନ ଓ ପ୍ରସ୍ତାବିତ ପ୍ରକଳ୍ପ ଯଥା- ତେଲ ବହୁମୁଖୀ ପ୍ରକଳ୍ପ ଡିପିଅର, ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଡିପିଆର ୨ୟର ପୁନଃ ଅଟକଳ, ଖଡଗ ବ୍ୟାରେଜ ପ୍ରକଳ୍ପ ଫିଜିବିଲିଟି ରିପୋର୍ଟ ଏବଂ ତେଲିଜୋର ଜଳସେଚନ ପ୍ରକଳ୍ପ ଫିଜିବିଲିଟି ରିପୋର୍ଟ ଗୁଡିକୁ କେନ୍ଦ୍ରୀୟ ଜଳ ଅୟୋଗ ଓଡିଶାକୁ ଫେରେଇ ଦେଇଥିବା ତଥ୍ୟରୁ ଜଣାପଡିଛି । ହୀରାକୁଦ ଉପର ମୁଣ୍ଡରେ ଛତିଶଗଡ ସରକାରର ବ୍ୟାରେଜ ନିର୍ମାଣକୁ ଓଡିଶା ବେଆଇନ ବୋଲି ଦର୍ଶାଇ ବ୍ୟାରେଜ ନିର୍ମାଣକୁ ବନ୍ଦ କରିବା ପାଇଁ ଦାବୀ କରିଥିଲା । ହେଲେ ବର୍ତ୍ତମାନ ବଲାଙ୍ଗିର ଜିଲ୍ଲାରେ ନିର୍ମାଣାଧୀନ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ସମେତ ରାଜ୍ୟର ପ୍ରସ୍ତାବିତ ଅନ୍ୟ ୩ଟି ପ୍ରକଳ୍ପ ଏହି ବିବାଦରେ ଛନ୍ଦି ହୋଇଛି । ଗତ ୧୭ ସେପ୍ଟେମ୍ବର ୨୦୧୬ ଦିନ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ସ୍ତରୀୟ ବୈଠକରେ ଯେଉଁ କାରଣ ଦର୍ଶାଇ ଛତିଶଗଡ ସରକାର ହୀରାକୁଦ ଉପରମୁଣ୍ଡରେ ନିର୍ମାଣାଧୀନ ବ୍ୟାରେଜ କାମ ବନ୍ଦ ହେବ ନାହିଁ ବୋଲି କହିଲେ ଏବଂ ନିର୍ମାଣ କା୍ର୍ୟ୍ୟକୁ ବନ୍ଦ କଲେ ନାହିଁ ତାର ବିପରୀତ ନୀତି ଓଡିଶା କ୍ଷେତ୍ରରେ ହୋଇଛି ଏବଂ ଏହି ନଦୀଜଳ ବିବାଦ ଓଡିଶ ପାଇଁ ବ୍ୟୁମେରାଂ ସଦୃଶ ହୋଇଛି ବୋଲି ସୂଚନା କର୍ମୀ ଶ୍ରୀ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଉକ୍ତ ବୈଠକରେ ତତ୍କାଳୀନ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନିର୍ମାଣାଧୀନ ବ୍ୟାରେଜ ଗୁଡିକର କାର୍ୟ୍ୟାରମ୍ଭ ୧୦ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ଯୁକ୍ତି ରଖି ବର୍ତ୍ତମାନ ଏହା ଶେଷ ପର୍ୟ୍ୟାୟରେ ପହଂଚିଥିବା କହି ଏହାର ନିର୍ମାଣ କାର୍ୟ୍ୟକୁ ବନ୍ଦ କରାଯିବା ଉଚିତ ନୁହେଁ ବୋଲି ମତ ପୋଷଣ କରିଥିଲେ । ଏହା ପରେ ଛତିଶଗଡରେ ବ୍ୟାରେଜ ନିର୍ମାଣ ବନ୍ଦ ହେଲା ନାହିଁ । କିନ୍ତୁ ଓଡିଶାର ନିର୍ମାଣାଧୀନ ଓ ପ୍ରସ୍ତାବିତ ପ୍ରକଳ୍ପର ମୂଲ୍ୟାଙ୍କନ କରିବା ପାଇଁ କେନ୍ଦ୍ରୀୟ ଜଳ ଆୟୋଗ ବର୍ତ୍ତମାନ ମନା କରିବା ପରେ ଓଡିଶା ଚୁପ ହୋଇ ବସି ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସୂଚନା କର୍ମୀ ପଣ୍ଡା କହିଛନ୍ତି । ଲୋୟର ସୁକତେଲ ପ୍ରକଳ୍ପ ନିର୍ମାଣ କାର୍ୟ୍ୟ ଆରମ୍ଭ ହେବା ୨୦ ବର୍ଷରୁ ଅଧିକ ସମୟ ଅତିକ୍ରାନ୍ତ ହେଲାଣି । ନିଜ ରାଜ୍ୟର ସ୍ୱାର୍ଥ୍ୟକୁ ସୁରକ୍ଷିତ ରଖିବା ପାଇଁ ଛତିଶଗଡ ସରକାର ଯେତେ ଆନ୍ତରିକତାର ସହ କାର୍ୟ୍ୟ କରିଛି ଓଡିଶା ତାହା କରିବାରେ ଅବହେଳା କରିଥିବା ଜଣାପଡୁଛି, ଯାହା ଫଳରେ ଓଡିଶାର ସାମୁହିକ ସ୍ୱାର୍ଥ୍ୟ ବାଧାପ୍ରାପ୍ତ ହୋଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି । ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଆଓ୍ୟାର୍ଡକୁ ଆଧାର କରି ଏହି ପ୍ରକଳ୍ପ ଗୁଡିକର ପ୍ରସ୍ତାବ ବା ପୁନଃ ଅଟକଳ ପାଇଁ ପୁଣି ଥରେ ନୂତନ ଭାବେ ଦସ୍ତାବିଜ ଦାଖଲ କରିବା ପାଇଁ କେନ୍ଦ୍ରୀୟ ଜଳ ଆୟୋଗ ଓଡିଶାକୁ ଗତ ୩ ଅକ୍ଟୋବର ଦିନ ୨୦୧୯ ମସିହାରୁ ଜଣାଇବା ପରେ ପ୍ରାୟ ଏକ ବର୍ଷ ଚାରି ମାସ ସମୟ ଅତିବାହିତ ହୋଇଯାଇଥିଲେ ମଧ୍ୟ ଓଡିଶା ସରକାର କିଛି ନଜାଣିଲା ଭଳିଆ ଚୁପ ହୋଇ ବସିଲେ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ଓଡିଶାର ଦାବୀ ଓ ସର୍ବୋଚ୍ଚ ନ୍ୟାୟାଳୟରେ ଅବେଦନ ଫଳରେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଗଠନ ହୋଇଥିଲା । କିନ୍ତୁ ବର୍ତ୍ତମାନ ଏହା ଓଡିଶା ପାଇଁ ଅସୁବିଧା ସୃଷ୍ଟି କରିଛି । ସରକାର ଏହି ନଦୀ ଜଳ ବିବାଦକୁ ଠିକ ଭାବରେ ପରିଚାଳନା ନକରିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଏବଂ ମହାନଦୀ ସମ୍ପର୍କରେ ବିଭିନ୍ନ ସମୟରେ ରାଜନୈତିକ ନେତା ଓ ସରକାରୀ ଅଧିକାରୀମାନେ ବିଭିନ୍ନ କଥା କହି କେବଳ ବିଭ୍ରାନ୍ତି ସୃଷ୍ଟି କରିଛନ୍ତି କିନ୍ତୁ ଆନ୍ତରିକତାର ସହ କାର୍ୟ୍ୟ କରିନାହାନ୍ତି ବୋଲି ସେ କହିଛନ୍ତି । ଓଡିଶା ସରକାରଙ୍କ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ନିର୍ଦ୍ଦେଶ ନଂ- ୨୫୦୯୨/ଆର ଆର ଏଣ୍ଡ ଆର ଇ ଏଚ-୯୯/୦୬ ତା ୬ ଜୁଲାଇ ୨୦୦୬ ଅନୁଯାୟୀ ଯଦି ବିସ୍ଥାପନ ଓ ପୁନର୍ବାସ ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନ ଓ ପ୍ରକଳ୍ପ ଅଧିକାରୀ ଅସୁବିଧାର ସମ୍ମୁଖୀନ ହେବେ, ତାହେଲେ ଆରପିଡିଏସି ବୈଠକରେ ତାହା ଉପସ୍ଥାପିତ ହେବ । ଲୋୟର ସୁକତେଲ ପ୍ରକଳ୍ପ ନିର୍ମାଣରେ ବିଳମ୍ବର କାରଣ ବିସ୍ଥାପନ ଓ ପୁନର୍ବାସ ବୋଲି ସରକାର ବାରମ୍ବାର କହୁଥିବା ବେଳେ ସରକାରୀ ନିର୍ଦ୍ଦେଶ ମୁତାବକ କାହିଁକି ଅରପିଡିଏସି ବୈଠକ ଡକା ଯାଇନାହିଁ ବୋଲି ଶ୍ରୀ ପଣ୍ଡା ଏକ ସମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି । ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପାଇଁ ବାର୍ଷିକ ୪ଟି ହାରରେ ୨୦ବର୍ଷରେ ୮୦ଟି ଆରପିଡିଏସି ବୈଠକ ହେବା କଥା, କିନ୍ତୁ ସରକାରୀ ତଥ୍ୟ ଅନୁସାରେ ୨୦ ବର୍ଷରେ ମାତ୍ର ୩ଟି ବୈଠକ ଅନୁଷ୍ଠିତ ହୋଇଛି । ୮୦ଟି ଆର ପି ଡି ଏ ସି ବୈଠକ ସ୍ଥାନରେ ମାତ୍ର ୩ଟି ବୈଠକ କରାଯିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରତି ସରକାରଙ୍କ ଓ ସମଗ୍ର ରାଜନୈତିକ ବ୍ୟବସ୍ଥାର ଚରମ ଅବହେଳା ନୁହେଁ କି ବୋଲି ପଣ୍ଡା ପ୍ରଶ୍ନ ବାଢ଼ିଛନ୍ତି । ଦେଶର କୌଣସି ବି ପ୍ରକଳ୍ପ ତୁଳନାରେ ଏହା ସର୍ବନିମ୍ନ । ପ୍ରକଳ୍ପ ପାଇଁ ବିସ୍ଥାପିତ ହେବାକୁ ଥିବା ଲୋକଙ୍କ ସହ ପ୍ରକଳ୍ପର ହିତାଧିକାରୀମାନଙ୍କୁ ତଥା ଜିଲ୍ଲାବାସୀଙ୍କୁ କେବଳ ଆଶ୍ୱାସନା ଦିଅଯାଇ ପ୍ରତାରଣା କରାଯାଇଛି । ଜନସାଧାରଣଙ୍କ ସ୍ୱାର୍ଥ ପ୍ରତି ଆଖିବୁଜି ଦେଇ ଏହି ପ୍ରକଳ୍ପକୁ ଏକ ଭୋଟ ଅମଳ ପ୍ରକଳ୍ପରେ ପରିଣତ କରାଯାଇଛି ବୋଲି ପଣ୍ଡା ସମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
Next Post