ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଧୁନିକ ଓଡ଼ିଶାର ଅନ୍ୟତମ ନିର୍ମାତା ତଥା ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ୧୨୭ତମ ଜନ୍ମ ଜୟନ୍ତୀ ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଅତିଥିମାନେ ରାଜା ରାମଚନ୍ଦ୍ରଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ ସମସ୍ତଙ୍କୁ ସ୍ୱାଗତ କରିବା ସହ ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ଉପରେ ପ୍ରାରମ୍ଭିକ ସୂଚନା ଦେଇଥିଲେ । ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ଜଣେ ଅତ୍ୟନ୍ତ ପ୍ରଜାବତ୍ସଳ ଓ ପ୍ରଗତିଶୀଳ ଚିନ୍ତାଧାରାର ବ୍ୟକ୍ତି ଥିଲେ । ତାଙ୍କର ଗଞ୍ଜାମ ଏବଂ ଓଡିଶା ପାଇଁ ଅବଦାନ ସବୁଦିନ ପାଇଁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ମୁଖ୍ୟଅତିଥି ଭାବେ ଯୋଗଦେଇ ତାଙ୍କ ବକ୍ତବ୍ୟରେ କହିଲେ ଯେ, ୧୯୨୧ ମସିହାରେ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଖଲ୍ଲିକୋଟ ପ୍ରତ୍ୟାବର୍ତ୍ତନ କରି ରାଜ୍ୟଭାର ଗ୍ରହଣ କରିଥିଲେ । ୧୯୨୩ ମସିହାରେ ତତ୍କାଳୀନ ମାନ୍ଦ୍ରାଜ ଲୋକସଭାର ସଦସ୍ୟ ହେଲେ ଏବଂ ଅବହେଳିତ ଓଡିଶାବାସୀଙ୍କ ଉନ୍ନତିମୂଳକ କାର୍ଯ୍ୟରେ ମନୋନିବେଶ କଲେ । ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ପାଇଁ ସେ ମନ ପ୍ରାଣ ଢାଳି ଦେଇଥିଲେ । ମରୁଡି ମୁକାବିଲା, ଜଳସେଚନ ନିମନ୍ତେ ବନ୍ଧବାଡର ବ୍ୟବସ୍ଥା, ଗମନାଗମନ ନିମନ୍ତେ ଅନେକ ପୋଲ ସେ ନିର୍ମାଣ କରାଇଥିଲେ । ୧୯୩୧ ମସିହାରେ ଓଡିଶା ସୀମା ନିର୍ଦ୍ଧାରଣ ପାଇଁ ସାର୍ ସାମୁଏଲ୍ ଓଡୋନେକଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଥିଲା । ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ୧୯୩୨ ମସିହାରେ ତୃତୀୟ ଗୋଲଟେବୁଲ୍ ବୈଠକରେ ଯୋଗଦାନ କରି ଓଜୋନେଇ କମିଟି ସୁପାରିଶ୍ ଅସମିତୀନ ଓ ଅଚରୀ ସବ୍ କମିଟିର ସୁପାରିଶ୍ ଯଥାର୍ଥ ବୋଲି ଯୁକ୍ତି ଉପସ୍ଥାପନ ପୂର୍ବକ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ହେଉ ବୋଲି ଦାବୀ ଉପସ୍ଥାପନ କରିଥିଲେ । ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ଭୂମିକା ଅତ୍ୟନ୍ତ ମହତ୍ଵପୂର୍ଣ୍ଣ ଥିଲା । ଓଡ଼ିଶାର ଏହି ମହାନ ବରପୁତ୍ର ଜନକଲ୍ୟାଣ କରିବା, ଅନେକ କାର୍ଯ୍ୟ ପାଇଁ ଓଡିଶାବାସୀଙ୍କ ଜନମାନସରେ ସଦା ସ୍ମରଣୀୟ ହୋଇରହିଛନ୍ତି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ଖଲ୍ଲିକୋଟ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ନିଜ ନାମରେ ନାମିତ ନ କରି ଖଲିକୋଟ ନାମରେ ନାମିତ କରିବାକୁ ପ୍ରବର୍ତ୍ତାଇ ଥିଲେ । ଏଥିରୁ ରାଜାଙ୍କ ମହାନତା ସମ୍ପର୍କରେ ସମସ୍ତେ ଅବଗତ ହେବା ଆଜିର ଦିନରେ ଆବଶ୍ୟକତା ରହିଛି ବୋଲି ସମ୍ମାନିତ ଅଦିଷ୍ଟ ଭାବେ ଯୋଗଦେଇ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଏ. ବିଶ୍ୱମ୍ବର କହିଥିଲେ । ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଡଃ. ଭି. ରାଜେନ୍ଦ୍ର ରାଜୁ ଯୋଗଦେଇ କହିଥିଲେ, ଯେ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ କେବଳ ଦକ୍ଷିଣ ଓଡିଶା ବା ନିଜ ରାଜ୍ୟ ନୁହେଁ ସେ ପଡୋଶୀ ରାଜ୍ୟର ଉନ୍ନତି କଥା ମଧ୍ୟ ଚିନ୍ତା କରିଥିଲେ । ତାଙ୍କ ଭଳି ପ୍ରଜା ମଙ୍ଗଳକାରୀ ରାଜା ଇତିହାସରେ ବିରଳ । ଗମନାଗମନ ନିମନ୍ତେ ବାହୁଦା, ଋଷିକୂଲ୍ୟା, ନାଗାବଳୀ, ବଂଶୀଧାରା ନଦୀ ଉପରେ ଅନେକ ପୋଲ ନିର୍ମାଣ କରାଇଥିଲେ । ତେଣୁ ତାଙ୍କୁ ବ୍ରିଜ ପ୍ରେସିଡେଣ୍ଟ ବୋଲି ମଧ୍ୟ କୁହାଯାଏ । ଓଡିଶାର ଶିକ୍ଷା, ସଂସ୍କୃତିକୁ ଆଗେଇ ନେବା ସହ ଓଡିଆ ଭାଷା ଆନ୍ଦୋଳନରେ ସାମିଲ ହୋଇ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ପାଇଁ ଗୋଲ ଟେବୁଲ୍ ବୈଠକରେ ଦୃଢ଼ ଦାବୀ ଉପସ୍ଥାପନ କରିଥିଲେ । ତାଙ୍କ ମହାନତାକୁ ଓଡିଆ ଜାତି ସବୁଦିନ ମନେରଖିବ । ଏହି ଉପଲକ୍ଷେ ପୂର୍ବରୁ ଅନୁଷ୍ଠିତ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହା ବିଦ୍ୟାଳୟ ପ୍ରଭୀୟ ଓଡିଆ ବହୁତା ଓ ଓଡିଆ ପ୍ରବନ୍ଧ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥୀମାନେ ପୁରସ୍କୃତ କରିଥିଲେ । ପରିଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।