csstore

ଶିଶୁ ଦିବସରେ ସମ୍ବର୍ଦ୍ଧିତ ହେଲେ ବିରଞ୍ଚି ଦାଶ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର ବିଦ୍ୟାଳୟ ଡିଆଟନ ଠାରେ ଶିଶୁ ଦିବସ ଧୁମଧାମରେ ପାଳିତ ହୋଇଯାଇଛି । ବ୍ୟଙ୍ଗ କବି ଟିକେଲାଲ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବାଲସାହିତ୍ୟ ପୁରସ୍କାର ପ୍ରାପ୍ତ ଡ. ଯୁଗଳ କିଶୋର ଷଡ଼ଙ୍ଗୀ ମୁଖ୍ୟ ଅତିଥି, ସାହିତ୍ୟିକ ଜ୍ୟୋତି ପ୍ରକାଶ ଗଡତ୍ୟା ମୁଖ୍ୟବକ୍ତା, ଶିକ୍ଷକ ଗୋପୀନାଥ ମିଶ୍ର, ଥମିର ଛତ୍ରିଆ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ବିଦ୍ୟାଳୟର ଛାତ୍ରୀବୃନ୍ଦ ପ୍ରାରମ୍ଭିକ ସଙ୍ଗୀତ ଗାନ, ପ୍ରଧାନ ଶିକ୍ଷୟିତ୍ରୀ ରୁନୁବାଳା ପଟ୍ଟାୟତ ଅତିଥି ପରିଚୟ ଓ ଗୀତା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ପଣ୍ଡିତ ନେହେରୁଙ୍କ ଫଟୋଚିତ୍ରରେ ପୁଷ୍ପ, ଧୂପଦୀପ ଅର୍ପଣ କରାଯିବା ପରେ ଶିଶୁ ସାହିତ୍ୟ ବିଶେଷାଙ୍କ ପତ୍ରେପତ୍ରେ ପତ୍ରିକା ଅତିଥିମାନେ ଉନ୍ମୋଚନ କରିଥିଲେ । ଏହି ଅବସରରେ ଶିଶୁ ସାହିତ୍ୟିକ ତଥା ମମତାର ଡୋରି ଶିଶୁ କିଶୋର ପତ୍ରିକାର ସମ୍ପାଦକ ବିରଞ୍ଚି ନାରାୟଣ ଦାଶ ଓ ସାହିତ୍ୟିକ ତଥା ପତ୍ରେ ପତ୍ରେ ପତ୍ରିକାର ସମ୍ପାଦକ ଭିକାରୀ ଚରଣ ମିଶ୍ରଙ୍କୁ ବିଦ୍ୟାଳୟ ତରଫରୁ ପ୍ରଶଂସା ପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ବିଭିନ୍ନ ଭାଷାରେ ବକ୍ତୃତା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ପାଞ୍ଚ ଜଣ କୃତୀ ପ୍ରତିଯୋଗୀଙ୍କୁ ନିର୍ଝରିଣୀ, କଣ୍ଟାବାଞ୍ଜି ତରଫରୁ ପ୍ରମାଣ ପତ୍ର, ପଦକ ଓ ପୁସ୍ତକ ପ୍ରଦାନ କରାଯାଇଥିଲା । ଅନ୍ୟ ପ୍ରତିଯୋଗୀଙ୍କୁ ବିଦ୍ୟାଳୟ ତରଫରୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ଲାଇବ୍ରେରୀକୁ ଭିକାରୀ ଚରଣ ମିଶ୍ର, ଡକ୍ଟର ଯୁଗଳ କିଶୋର ଷଡ଼ଙ୍ଗୀ ଓ ବିରଞ୍ଚି ନାରାୟଣ ଦାଶ ଦୁଇଶହରୁ ଉର୍ଦ୍ଧ୍ବ ପୁସ୍ତକ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.