ଡିଜିଟାଲ ସଶକ୍ତିକରଣର ପ୍ରତୀକ ପାଲଟିଛନ୍ତି ମଞ୍ଜୁଲତା

ନୂଆଦିଲ୍ଲୀ, (ପିଆଇବି) : ଡିଡିଟାଲ ସଶକ୍ତିକରଣ ଦେଶର ସାଧାରଣ ନାଗରିକଙ୍କ ଭାଗ୍ୟରେ କିଭଳି ପରିବର୍ତ୍ତନ ଆଣିଛି ତାହାର ଏକ ଉଦାହରଣ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲାର ଜଣେ ମହିଳା ମଞ୍ଜୁଲତା ଦେବୀ । ୬୦ରୁ ୭୦ ପ୍ରତିଶତ ଜଙ୍ଗଲ ଘେରା ଅଞ୍ଚଳ ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏ ଜନ ସେବା କେନ୍ଦ୍ର (ସିଏସସି) ଖୋଲି ସେ ଲୋକଙ୍କ ଘର ପାଖରେ ଡିଜିଟାଲ ସେବା ପହଞ୍ଚାଉଛନ୍ତି । ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଜନ ସେବା କେନ୍ଦ୍ର ଦିବସ ସମାରୋହରେ କେନ୍ଦ୍ର ରେଳ, ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ ମଞ୍ଜୁଲତା ତାଙ୍କ ସଫଳତାର କାହାଣୀ କହିଛନ୍ତି । ମଞ୍ଜୁଲତା କହିଛନ୍ତି, ପ୍ରଥମେ ସେ ଜଣେ ଗୃହିଣୀ ଥିଲେ । ଏବେ ଜନ ସେବା କେନ୍ଦ୍ରରେ କାମ କରି ସେ ବହୁତ ଖୁସିରେ ଅଛନ୍ତି । ସବୁ ସରକାରୀ ସୁବିଧା ସେ ସ୍ଥାନୀୟ ଲୋକଙ୍କ ଘର ପାଖରେ ପହଞ୍ଚାଇପାରୁଛନ୍ତି । ସେ ଘରକୁ ଘର ବୁଲି ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ, ଗର୍ଭବତୀ ମା’ମାନଙ୍କୁ ବ୍ୟାଙ୍କିଙ୍ଗ ସେବା ଯୋଗାଇ ଦେଉଛନ୍ତି । ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରକୁ ଧନ୍ୟବାଦ ଜଣାଇଛନ୍ତି । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜିଲ୍ଲା ମୟୂରଭଞ୍ଜର ଆଉ ଜଣେ ସଶକ୍ତ ମହିଳା ମଞ୍ଜୁଲତାଙ୍କ କାରଣରୁ ଅନେକ ଚାଷୀଭାଇମାନଙ୍କୁ ନୂତନ ଜ୍ଞାନକୌଶଳର ଲାଭ ମିଳିପାରୁଛି । ଅତି କଠିନ ପରିସ୍ଥିତି ସତ୍ତ୍ୱେ ସେ ଡିଜିଟାଲ ଦକ୍ଷତା ଅର୍ଜନ କରି ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ସଶକ୍ତ କରିପାରୁଛନ୍ତି ।

jittmm
Leave A Reply

Your email address will not be published.