ଗୁଜୁରାଟର କେଭାଡିଆରେ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା “କୁଳପତି ସମ୍ମିଳନୀ” ଉଦ୍‌ଘାଟିତ

  • ‘ବିକଶିତ ଭାରତ’ ଗଠନ ପାଇଁ ଖସଡ଼ା ପ୍ରସ୍ତୁତ କରିବାକୁ କୁଳପତିମାନଙ୍କୁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ଜାତୀୟ ଶିକ୍ଷା ନୀତି ୨୦୨୦ର ସ୍ଥିତି, ଏହାର କାର୍ଯ୍ୟକାରିତା ସମୀକ୍ଷା, ପ୍ରମୁଖ ଉଚ୍ଚଶିକ୍ଷା ଅନୁଷ୍ଠାନର ୫୦ରୁ ଅଧିକ କୁଳପତି ହେଲେ ସାମିଲ
  • ୨୦୩୫ ସୁଦ୍ଧା ଉଚ୍ଚଶିକ୍ଷାରେ ନାମଲେଖାକୁ ୫୦% ପର୍ଯ୍ୟନ୍ତ ବୃଦ୍ଧି କରିବା ସରକାରଙ୍କ ଲକ୍ଷ୍ୟ
  • ଜାତୀୟ ଶିକ୍ଷା ନୀତିର ପଞ୍ଚ ସଂକଳ୍ପ ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ ଏକ ମାର୍ଗଦର୍ଶକ ନୀତି ହେବ
  • ଆମର ରାଷ୍ଟ୍ରୀୟ ଶକ୍ତି ହେଉଛନ୍ତି ଯୁବବର୍ଗ, ଜାତୀୟ ଶିକ୍ଷା ନୀତିରେ ସେମାନଙ୍କୁ ପ୍ରୋତ୍ସାହିତ
    କରିବା ପାଇଁ ଆମେ ବଦ୍ଧ ପରିକର
  • ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟକୁ ରଣନୀତି ପତ୍ର
    ପ୍ରସ୍ତୁତ କରନ୍ତୁ
  • ପ୍ରଥମ ଦିନରେ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ ତ୍ୱରାନ୍ୱିତ କରିବା ପାଇଁ ମୌଳିକ ସଂସ୍କାର
    ଉପରେ କେନ୍ଦ୍ରିତ ବିଷୟ ଗୁଡ଼ିକ ଉପରେ ହେଲା ଆଲୋଚନା

କେଭାଡିଆ/ଗୁଜୁରାଟ, (ପିଆଇବି) : ୨୦୩୫ ସୁଦ୍ଧା ଦେଶରେ ଉଚ୍ଚଶିକ୍ଷା କ୍ଷେତ୍ରରେ ନାମଲେଖାକୁ ୫୦
ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ସରକାରଙ୍କ ଲକ୍ଷ୍ୟ ରହିଛି । ଏଥିପାଇଁ ପାଠ୍ୟକ୍ରମକୁ ନୂଆ ରୂପ
ଦେବା ସହ ଏକ ବ୍ୟବସ୍ଥିତ ଡିଜିଟାଲ ବ୍ୟବସ୍ଥା ତିଆରି କରିବା ପାଇଁ ପଡ଼ିବ । ଅଧ୍ୟାପକମାନଙ୍କୁ ତାଲିମ ସହିତ
ବିବିଧ ପଦ୍ଧତିକୁ ପ୍ରୋତ୍ସାହିତ କରିବା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ପଦକ୍ଷେପ ନେବାକୁ ହେବ ବୋଲି
ଗୁରୁବାର ଗୁଜୁରାଟର କେଭାଡିଆରେ ଅନୁଷ୍ଠିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକର ଦୁଇ ଦିନିଆ କୁଳପତି
ସମ୍ମିଳନୀରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି
ପ୍ରତ୍ୟେକ ବିଶ୍ୱବିଦ୍ୟାଳୟରେ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ କରିବା ପାଇଁ ଶିକ୍ଷା ନୀତିର ପୂର୍ଣ୍ଣ
କ୍ରିୟାନ୍ୱୟନ ଉପରେ ଏକ ରଣନୀତି ପତ୍ର ପ୍ରସ୍ତୁତ କରିବାକୁ ସେ ଆହ୍ୱାନ କରିଥିଲେ । ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଗତ ଦଶନ୍ଧିରେ ଭାରତର ଉଚ୍ଚଶିକ୍ଷା ପରିସଂସ୍ଥାନ ଏକ ମୌଳିକ ପରିବର୍ତ୍ତନ ଦେଇ ଗତି କରିଛି । ଆମର ପଦକ୍ଷେପ ଶିକ୍ଷାନୁଷ୍ଠାନଗୁଡ଼ିକୁ ସର୍ବବ୍ୟାପୀ, ସର୍ବସ୍ପର୍ଶୀ, ବହୁମୁଖୀ କରିବା ସହ ନବସୃଜନରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଆଣିପାରିଛି । ଫଳସ୍ୱରୂପ ଦେଶରେ ମୋଟ ଛାତ୍ରଛାତ୍ରୀଙ୍କ ନାମଲେଖା ୪.୪୬ କୋଟିକୁ ଛୁଇଁଛି । ୨୦୧୪-୧୫ ପରଠାରୁ ନାମଲେଖାରେ ୩୦ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ମହିଳାଙ୍କ ନାମଲେଖା ୩୮ ପ୍ରତିଶତକୁ ବୃଦ୍ଧି ପାଇଛି । ମହିଳାଙ୍କ ନାମଲେଖା ବର୍ତ୍ତମାନ ପୁରୁଷ ଅପେକ୍ଷା ଅଧିକ ରହିଛି । ପିଏଚ୍‌ଡି ନାମଲେଖା ପ୍ରାୟ ଦ୍ୱିଗୁଣିତ ହୋଇଛି ଏବଂ ମହିଳା ପିଏଚ୍‌ଡିଙ୍କ ସଂଖ୍ୟା ୧୩୬ ପ୍ରତିଶତକୁ ବୃଦ୍ଧି ପାଇଛି । ସେହିପରି ଅନୁସୂଚିତ ଜନଜାତିଙ୍କ ନାମଲେଖା ୧୦ ପ୍ରତିଶତ ପଏଣ୍ଟ ବୃଦ୍ଧି ପାଇଥିବା ବେଳେ ଅନୁସୂଚିତ ଜାତିଙ୍କ କ୍ଷେତ୍ରରେ ୮ ପଏଣ୍ଟ ଅଧିକ ବୃଦ୍ଧି ପାଇଛି । ଏହା ସମାବେଶୀ ଶିକ୍ଷା ଏବଂ ସାମାଜିକ ନ୍ୟାୟ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ସୂଚିତ କରୁଛି । ସକାରାତ୍ମକ ନୀତିଗତ ପଦକ୍ଷେପ ଫଳସ୍ୱରୂପ ୧୨୦୦ରୁ ଅଧିକ ବିଶ୍ୱବିଦ୍ୟାଳୟ ଏବଂ ୪୬,୦୦୦ରୁ ଅଧିକ କଲେଜ ସ୍ଥାପନା ହୋଇଛି ଯାହା ଭାରତକୁ ବିଶ୍ୱସ୍ତରରେ ସର୍ବବୃହତ ବ୍ୟବସ୍ଥା ମଧ୍ୟରୁ ଅନ୍ୟତମ କରିଛି । କେନ୍ଦ୍ରମନ୍ତ୍ରୀ ତାଙ୍କ ଅଭିଭାଷଣ ସମୟରେ ଜାତୀୟ ଶିକ୍ଷା ନୀତିର ପଞ୍ଚ ସଂକଳ୍ପନାର ବିଚାର ଉପରେ ଆଲୋକପାତ କରିଥିଲେ, ଯାହା ସେମାନଙ୍କ ବିଶ୍ୱବିଦ୍ୟାଳୟ ଗୁରୁକୁଳରେ କୁଳପତିମାନଙ୍କର ଏକ ମାର୍ଗଦର୍ଶିକା ହେବ । ଏହି ପଞ୍ଚ ସଂକଳ୍ପ ହେଉଛି, ଆଗାମୀ ପିଢିଙ୍କ ପାଇଁ ଉଭା ହେଉଥିବା ଶିକ୍ଷା, ବହୁମୁଖୀ
ଶିକ୍ଷା, ଅଭିନବ ଶିକ୍ଷା, ସମଷ୍ଟିଗତ ଶିକ୍ଷା ଏବଂ ଭାରତୀୟ ଶିକ୍ଷା ଉପରେ ଯୋର୍ । ଶ୍ରୀ ପ୍ରଧାନ
କୁଳପତିମାନଙ୍କୁ ଶିକ୍ଷାଗତ ତ୍ରିବେଣୀ ସଙ୍ଗମର ଉଦ୍ଦେଶ୍ୟଗୁଡ଼ିକୁ ନିମ୍ନଲିଖିତ ଉଦ୍ଦେଶ୍ୟ ମାଧ୍ୟମରେ
କାର୍ଯ୍ୟକାରୀ କରିବା ପାଇଁ ପରିବର୍ତ୍ତନ ଆଣିବାକୁ ଆହ୍ୱାନ କରିଥିଲେ । ଯେମିତି କି ଅତୀତକୁ ପାଳନ କରିବା
(ଭାରତର ସମୃଦ୍ଧି), ବର୍ତ୍ତମାନକୁ ଚିହ୍ନଟ କରିବା (ଭାରତର ବର୍ଣ୍ଣନା ସଂଶୋଧନ) ଏବଂ ଭବିଷ୍ୟତ ସୃଷ୍ଟି
କରିବା (ବିଶ୍ୱ କ୍ରମରେ ଭାରତର ଭୂମିକା) । ଏହା ଅତୀତର ବିଷୟବସ୍ତୁକୁ ବୁଝିବା ସହ ବର୍ତ୍ତମାନକୁ
ଉନ୍ମୋଚିତ କରିବ ତଥା ସମସାମୟିକ ଢାଞ୍ଚାରେ ଭବିଷ୍ୟତକୁ ଉନ୍ମୋଚିତ କରିବା ଦିଗରେ ପଦକ୍ଷେପକୁ
ସୁନିଶ୍ଚିତ କରିବ । ଶିକ୍ଷା ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଆମର ରାଷ୍ଟ୍ରୀୟ ଶକ୍ତି ହେଉଛନ୍ତି ଯୁବବର୍ଗ, ଜାତୀୟ
ଶିକ୍ଷା ନୀତିରେ ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଆମେ ବଦ୍ଧ ପରିକର । ବିଶ୍ୱବିଦ୍ୟାଳୟଗୁଡ଼ିକୁ ଛାତ୍ରଛାତ୍ରୀ-ପ୍ରଥମେ ପଦ୍ଧତି ଅନୁସରଣ କରିବାକୁ ହେବ । ବିଷୟଗୁଡ଼ିକର ବହୁବିଧ ସମନ୍ୱୟ, ଭାରତୀୟ
ଜ୍ଞାନ ପ୍ରଣାଳୀ (ଆଇକେଏସ୍‌)କୁ ମୁଖ୍ୟଧାରାରେ ସାମିଲ କରିବା, ଦକ୍ଷତା ଏବଂ ଉନ୍ନତ ଦକ୍ଷତାକୁ
ପ୍ରୋତ୍ସାହିତ କରିବା ପାଇଁ ପ୍ରଯୁକ୍ତି ଚାଳିତ ଶିକ୍ଷା ପାଇଁ ରଣନୀତି ପ୍ରସ୍ତୁତ କରିବା, ନୂତନତା ଏବଂ
ପାରମ୍ପରିକ ମୂଲ୍ୟବୋଧ ସହିତ ପ୍ରଯୁକ୍ତିବିଦ୍ୟାର ସମନ୍ୱୟ ଉପରେ କେନ୍ଦ୍ରିତ କ୍ୟାମ୍ପସ ପଦକ୍ଷେପ
ଏବଂ ବ୍ୟକ୍ତିଗତ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ କୁଳପତି ସମ୍ମିଳନୀ ଭଳି ସମ୍ମିଳନୀ ଆୟୋଜନ କରାଯିବା
ଉଚିତ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଥିଲେ । ବୈଠକର ପ୍ରଥମ ଦିନରେ ଜାତୀୟ ଶିକ୍ଷା ନୀତି ୨୦୨୦ର ସ୍ଥିତି, ଏହାର କାର୍ଯ୍ୟକାରିତା ଉପରେ ସମୀକ୍ଷା ସହ ମୂଲ୍ୟାଙ୍କନ ଏବଂ ଯୋଜନା ପ୍ରସ୍ତୁତ କରିବା ପାଇଁ ପ୍ରମୁଖ ଉଚ୍ଚଶିକ୍ଷା ଅନୁଷ୍ଠାନର ୫୦ରୁ ଅଧିକ କୁଳପତି ସାମିଲ ହୋଇଥିଲେ । ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଗୁଜୁରାଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସହିତ ମିଳିତ ଭାବରେ ଆୟୋଜିତ ଏହି ବୈଠକର ଲକ୍ଷ୍ୟ ହେଉଛି ବିକଶିତ ଭାରତ ୨୦୪୭ର ଲକ୍ଷ୍ୟକୁ ହାସଲ କରିବା ପାଇଁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକର ପ୍ରଗତିକୁ ଏକାଠି କରିବା ସହ ଯୋଗଦାନ ରଖିବା । ଏହି ସମ୍ମିଳନୀରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ହରିୟାଣା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଆସାମ
ବିଶ୍ୱବିଦ୍ୟାଳୟ, ରାଜସ୍ଥାନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କାଶ୍ମୀର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ବିଶ୍ୱଭାରତୀ, ଜାତୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଇନ୍ଦିରା ଗାନ୍ଧୀ ଜାତୀୟ ଜନଜାତି ବିଶ୍ୱବିଦ୍ୟାଳୟ, ସିକିମ୍ ବିଶ୍ୱବିଦ୍ୟାଳୟ, ତ୍ରିପୁରା ବିଶ୍ୱବିଦ୍ୟାଳୟ, ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ, ଆଲ୍ଲାହାବାଦ ବିଶ୍ୱବିଦ୍ୟାଳୟ ସେମତ ଅନେକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଏଥିରେ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.