- ସମାଜର ଆକାଂକ୍ଷା ଏବଂ ଉର୍ଜା ଆବଶ୍ୟକତା ପୂରଣ କରିବା ଦିଗରେ ଭାରତ ଅଗ୍ରସର – ଧର୍ମେନ୍ଦ୍ର ପ୍ରଧାନ
- ଆସନ୍ତାକାଲି ଠାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଗୁଜୁରାଟରେ ଅନୁଷ୍ଠିତ ହେବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକର ଦୁଇଦିନିଆ କୁଳପତି ସମ୍ମିଳନୀ
- ଜୁଲାଇ ୧୦-୧୧ରେ ଗୁଜୁରାଟର କେଭାଡିଆରେ ଅନୁଷ୍ଠିତ ହେବ ଏହି ସମ୍ମିଳନୀ
- ଶିକ୍ଷାଗତ ପରିବର୍ତ୍ତନର ବାହକ ଭାବରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକର ଭୂମିକା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଉପରେ ଦୃଷ୍ଟି ଦେବା ଉପରେ ସମ୍ମିଳନୀ
- ଜାତୀୟ ଶିକ୍ଷା ନୀତି ୨୦୨୦ କ୍ରିୟାନ୍ୱୟନର ପ୍ରଗତି ସମୀକ୍ଷା ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର ହେବ
ନୂଆଦିଲ୍ଲୀ/ଭୁବନେଶ୍ୱର, (ପିଆଇବି) : ଭାରତ ବିଶ୍ୱର ତୃତୀୟ ସର୍ବବୃହତ ଉର୍ଜା ବ୍ୟବହାରକାରୀ ରାଷ୍ଟ୍ର । ଏହି ପରିପ୍ରେକ୍ଷୀରେ ଆମ ସମାଜର ଆକାଂକ୍ଷା ଏବଂ ଉର୍ଜା ଆବଶ୍ୟକତା ପୂରଣ କରିବା ସହିତ ୨୦୭୦ ସୁଦ୍ଧା ଭାରତ ଶୂନ୍ୟ ଅଙ୍ଗାରକାମ୍ଳ ପ୍ରତିବଦ୍ଧତା ହାସଲ କରିବା ଦିଗରେ ଅଗ୍ରସର ବୋଲି ବୁଧବାର ଆଇଆଇଟି ଦିଲ୍ଲୀରେ ଆୟୋଜିତ “ଭବିଷ୍ୟତରେ ପ୍ରସ୍ତୁତ ଶକ୍ତି ଶିକ୍ଷା : ସୁଯୋଗ ଏବଂ ଚ୍ୟାଲେଞ୍ଜ” ଶୀର୍ଷକ ଜାତୀୟ କର୍ମଶାଳାରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ସମ୍ମିଳନୀରେ ସେ କହିଛନ୍ତି ଯେ ଆମକୁ ଏକ ସ୍ମାର୍ଟ ରଣନୀତି ପ୍ରସ୍ତୁତ କରିବାକୁ ପଡିବ, ଯାହା ଜ୍ଞାନର ସମନ୍ୱୟରେ ସାମାଜ ପାଇଁ ଲାଭଦାୟକ ହେବ । ଆଇଆଇଟି ଦିଲ୍ଲୀ ଉର୍ଜା ଶିକ୍ଷା ପାଇଁ ଭବିଷ୍ୟତର ପଥ ସୃଷ୍ଟି କରିବା ପାଇଁ ଏକ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛି, ଯାହା ପ୍ରଶଂସନୀୟ । ଏହି ପଦକ୍ଷେପ ସାମଗ୍ରିକ ଶିକ୍ଷା ପାଠ୍ୟକ୍ରମ ସହିତ ଶକ୍ତି ଶିକ୍ଷାକୁ ସମନ୍ୱିତ କରିବା ପାଇଁ ଏକ ଦୀର୍ଘ ଯାତ୍ରାର ମୂଳଦୁଆ ଅଟେ । ଏହି ଅବସରରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟ ଏକ ଉତ୍ତମ ଉର୍ଜା ଶିକ୍ଷା ପାଠ୍ୟକ୍ରମ ସୃଷ୍ଟି କରିବାରେ ଯୋଗଦାନ ରଖିବାକୁ ଆଇଆଇଟି ଦିଲ୍ଲୀକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି । ଏହାବ୍ୟତୀତ ଆଉ ଏକ ପୃଥକ କାର୍ଯ୍ୟକ୍ରମ ଅନୁଯାୟୀ, ଗୁଜରାଟର କେଭାଡିଆରେ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଜୁଲାଇ ୧୦ରୁ ୧୧ ତାରିଖ ପର୍ଯ୍ୟନ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକର ଦୁଇଦିନିଆ କୁଳପତି ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ; ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ସୁକାନ୍ତ ମଜୁମଦାର ଏବଂ ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ୨୯ ଜୁଲାଇ ୨୦୨୫ରେ ଜାତୀୟ ଶିକ୍ଷା ନୀତି ୨୦୨୦ କ୍ରିୟାନ୍ୱୟନର ପାଞ୍ଚ ବର୍ଷ ପୂର୍ତ୍ତି ହେବ । ଏହାର ଅଂଶବିଶେଷ ଭାବରେ ଆୟୋଜିତ ହେବାକୁ ଥିବା ସମ୍ମିଳନୀରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକର ଶୀର୍ଷ ନେତୃତ୍ୱମାନଙ୍କୁ ନେଇ ସାଂଗଠନିକ ପ୍ରଗତି ସମୀକ୍ଷା କରିବା ସହ ସାମୂହିକ ଭାବରେ ଆଗାମୀ ଦିନର କାର୍ୟ୍ୟପନ୍ଥା ଉପରେ ବିଚାରବମର୍ଶ ହେବ । ଦୁଇ ଦିନ ଧରି ତିନୋଟି ପ୍ରମୁଖ କ୍ଷେତ୍ର ଯଥା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ନୀତି ଅନୁସାରେ ଆଗାମୀ ଦିନର ଲକ୍ଷ୍ୟ, ତା’ ଉପରେ ରଣନୈତିକ ସହଯୋଗ ଉପରେ ଆଲୋଚନା ହେବ । ସାଂଗଠନିକ ନବସୃଜନ, ସକ୍ଷମ ପରିବେଶ ଏବଂ ମିଳିତ ଆହ୍ୱାନ ଉପରେ ସମକକ୍ଷ ଶିକ୍ଷା ଏବଂ ଜ୍ଞାନର ଆଦାନପ୍ରଦାନ ଉପରେ ଶିକ୍ଷାବିତଙ୍କ ମଧ୍ୟରେ ଆଲୋଚନାକୁ ପ୍ରୋତ୍ସାହିତ କରାଯିବ । ସେହିପରି ୨୦୪୭ର ବିଶ୍ୱ ଶୈକ୍ଷିକ ଦୃଶ୍ୟପଟ୍ଟ ପାଇଁ ଆଗୁଆ ଯୋଜନା ଏବଂ ପ୍ରସ୍ତୁତି ଉପରେ ଚର୍ଚ୍ଚା ହେବ । ଏହି ସମ୍ମିଳନୀ ଉଚ୍ଚଶିକ୍ଷାର ପ୍ରମୁଖ ଦିଗ ଯଥା ଶିକ୍ଷାଦାନ, ଗବେଷଣା, ଜାତୀୟ ଶିକ୍ଷା ନୀତିର ପ୍ରମୁଖ ସ୍ତମ୍ଭ ସହିତ ଦୁଇ ଦିନ ଧରି ୧୦ଟି ବିଷୟବସ୍ତୁ ଅଧିବେଶନ ମାଧ୍ୟମରେ ବିଚାରବିମର୍ଶ ହେବ । ଚାରିବର୍ଷୀୟ ସ୍ନାତକୋତ୍ତର କାର୍ଯ୍ୟକ୍ରମ (ଏଫ୍ଓ୍ୱାଇୟୁପି) ଉପରେ ଧ୍ୟାନ ଦେଇ ଏନ୍ଏଚ୍ଇକ୍ୟୁଏଫ୍/ଏନ୍ସିଆର୍ଏଫ୍ର ବୁଝାମଣା ଏବଂ କ୍ରିୟାନ୍ୱୟନ, କାର୍ଯ୍ୟର ଭବିଷ୍ୟତ – ଚାକିରି ଭୂମିକାର ଭବିଷ୍ୟତର ଆବଶ୍ୟକତା ଅନୁଯାୟୀ ପାଠ୍ୟକ୍ରମଗୁଡ଼ିକର ସମନ୍ୱୟ, ଡିଜିଟାଲ ଶିକ୍ଷା – ସ୍ୱୟମ୍, ସ୍ୱୟମ୍ ପ୍ଲସ୍, କ୍ରେଡିଟ୍ ଟ୍ରାନ୍ସଫର ଉପରେ ଧ୍ୟାନ ଦେଇ ଅପାର, ବିଶ୍ୱବିଦ୍ୟାଳୟ ଶାସନ ବ୍ୟବସ୍ଥା – ସମର୍ଥ, ଉଚ୍ଚ ଶିକ୍ଷାନୁଷ୍ଠାନରେ ସମାନତାକୁ ପ୍ରୋତ୍ସାହନ ଉପରେ ଆଲୋଚନା ହେବ । ପିଏମ୍ ବିଦ୍ୟା ଲକ୍ଷ୍ମୀ, ଓ୍ୱାନ୍ ନେସନ, ଓ୍ୱାନ ସବସ୍କ୍ରିପସନ, ଭାରତୀୟ ଭାଷା ଏବଂ ଭାରତୀୟ ଜ୍ଞାନ ପ୍ରଣାଳୀରେ ଶିକ୍ଷା, ଭାରତୀୟ ଭାଷା ପୁସ୍ତକ ଯୋଜନା, ଏଏନ୍ଆର୍ଏଫ୍, ସିଓଇ, ପିଏମ୍ଆର୍ଏଫ୍ ସମେତ ଗବେଷଣା ଏବଂ ନବସୃଜନ, ରାଙ୍କିଂ ଏବଂ ମାନ୍ୟତା ପ୍ରଣାଳୀ, ଭାରତରେ ଅଧ୍ୟୟନ ସମେତ ଆନ୍ତର୍ଜାତୀୟକରଣ, ଅଧ୍ୟାପକଙ୍କ ବିକାଶ – ମାଲବ୍ୟ ମିଶନ ଶିକ୍ଷକ ତାଲିମ କାର୍ଯ୍ୟକ୍ରମ ଉପରେ ଚର୍ଚ୍ଚା ହେବ । ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ହରିୟାଣା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଆସାମ ବିଶ୍ୱବିଦ୍ୟାଳୟ, ରାଜସ୍ଥାନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କାଶ୍ମୀର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ବିଶ୍ୱଭାରତୀ, ଜାତୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଇନ୍ଦିରା ଗାନ୍ଧୀ ଜାତୀୟ ଜନଜାତି ବିଶ୍ୱବିଦ୍ୟାଳୟ, ସିକିମ୍ ବିଶ୍ୱବିଦ୍ୟାଳୟ, ତ୍ରିପୁରା ବିଶ୍ୱବିଦ୍ୟାଳୟ, ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ, ଆଲ୍ଲାହାବାଦ ବିଶ୍ୱବିଦ୍ୟାଳୟ ସେମତ ଅନେକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।