centurian jitm

ଆକାଶତୀର : ଡ୍ରୋନ ଆକ୍ରମଣ ବିରୋଧରେ ଭାରତର ସୁରକ୍ଷା କବଚ

ନୂଆଦିଲ୍ଲୀ, (ପିଆଇବି) : ପାକିସ୍ତାନ ବିରୋଧରେ ଭାରତର ଅପରେସନ ସିନ୍ଦୁରକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଲାଗି ରହିଛି । ଭାରତ କିପରି ପାକିସ୍ତାନର ୮ଟି ବିମାନଘାଟି ସମେତ ୧୩ଟି ଟାର୍ଗେଟକୁ ଏତେ ନିର୍ଭୁଲଭାବେ ଭେଦ କରିପାରିଲା ଓ ତାହାକୁ ଅଟକାଇବାରେ ପାକିସ୍ତାନ କିପରି ଏତେ ଶୋଚନୀୟ ଭାବେ ବିଫଳ ହେଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମେ ୯ ଓ ୧୦ ରାତିରେ ପାକିସ୍ତାନ ଭାରତର ସାମରିକ ଓ ବେସାମରିକ ଅଂଚଳ ଉପରେ ଡ୍ରୋନ ଓ କ୍ଷେପଣାସ୍ତ୍ର ମାଧ୍ୟମରେ ଭୟଙ୍କର ଆକ୍ରମଣ କରିଥିଲା, କିନ୍ତୁ ତାହା ଭାରତର ଏକ ଅଭେଦ୍ୟ ପ୍ରତିରକ୍ଷା ପ୍ରାଚୀରକୁ ଭେଦ କରିପାରିନଥିଲା, ତାହା ହେଉଛି ଆକାଶତୀର । ଆକାଶତୀର ହିଁ ଭାରତ ଆଭିମୁଖେ ଆସୁଥିବା ପାକିସ୍ତାନର ଡ୍ରୋନ, କ୍ଷେପଣାସ୍ତ୍ର, ମାଇକ୍ରୋ ୟୁଏଭି ଲଏଟରିଂ ମ୍ୟୁନିସନ ଆଦିକୁ ସଫଳତାର ସହ ଭାରତର ବାୟୁସୀମାରେ ପ୍ରବେଶ କରାଇଦେଇନଥିଲା । ଆକାଶତୀର ସଂପୂର୍ଣ୍ଣଭାବେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଓ ଏହା ଆତ୍ମନିର୍ଭର ଭାରତର ଶକ୍ତିକୁ ପ୍ରମାଣିତ କରୁଛି । ଏହା ତୁଳନାରେ ପାକିସ୍ତାନ ବ୍ୟବହାର କରୁଥିବା ଏଚକ୍ୟୁ-୯ ଓ ଏଚକ୍ୟୁ-୧୬ ଭାରତର କ୍ଷେପଣାସ୍ତ୍ର ଓ ଡ୍ରୋନଗୁଡ଼ିକୁ ଅଟକାଇବାରେ ସଂପୂର୍ଣ୍ଣ ବିଫଳ ହୋଇଥିଲା, ଫଳରେ ପାକିସ୍ତାନରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏକ ସଂପୂର୍ଣ୍ଣ ସ୍ୱୟଂଚାଳିତ ପ୍ରତିରକ୍ଷା ବ୍ୟବସ୍ଥା ଆକାଶତୀର ରିଅଲ ଟାଇମରେ ନିଜର ଟାର୍ଗେଟକୁ ଧ୍ବଂସ କରିଦେଇଥାଏ । ଆକାଶତୀର ସମସ୍ତ ସମ୍ପୃକ୍ତ ପକ୍ଷ (କଣ୍ଟ୍ରୋଲ ରୁମ୍, ରାଡାର ଏବଂ ବାୟୁ ପ୍ରତିରକ୍ଷା ବନ୍ଧୁକ) ପାଇଁ ଏକ ସାଧାରଣ, ରିଅଲ-ଟାଇମ ବାୟୁକ୍ଷେତ୍ରର ଚିତ୍ର ପ୍ରଦାନ କରେ, ଯାହା ସମନ୍ୱିତ ବାୟୁ ପ୍ରତିରକ୍ଷା କାର୍ୟ୍ୟକୁ ସକ୍ଷମ କରିଥାଏ । ଏହା ଶତ୍ରୁ ବିମାନ, ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ରର ଚିହ୍ନଟ, ଟ୍ରାକିଂ ଏବଂ କାର୍ଯ୍ୟକୁ ସ୍ୱୟଂଚାଳିତ କରିବା ପାଇଁ ଡିଜାଇନ୍ କରାଯାଇଥିବା ଏକ ସିଷ୍ଟମ । ଏହା ବିଭିନ୍ନ ରାଡାର ସିଷ୍ଟମ, ସେନ୍ସର ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟାକୁ ଏକ ଏକକ କାର୍ଯ୍ୟକ୍ଷମ ଢାଞ୍ଚାରେ ସମନ୍ବିତ କରେ । ଆକାଶତୀର ବହୁବିଧ ଉତ୍ସରୁ ତଥ୍ୟ ସଂଗ୍ରହ କରେ, ଏହାକୁ ପ୍ରକ୍ରିୟାକରଣ କରେ ଏବଂ ସ୍ୱୟଂଚାଳିତ, ରିଅଲ-ଟାଇମ ନିଷ୍ପତ୍ତି ପାଇଁ ଅନୁମତି ଦିଏ । ଆକାଶତୀର ହେଉଛି ବ୍ୟାପକ ସିଫୋରଆଇଏସଆର (କମାଣ୍ଡ, ନିୟନ୍ତ୍ରଣ, ଯୋଗାଯୋଗ, କମ୍ପ୍ୟୁଟର, ବୁଦ୍ଧିମତ୍ତା, ନିରୀକ୍ଷଣ ଏବଂ ଯାଞ୍ଚ) ଫ୍ରେମଓ୍ବାର୍କର ଏକ ଅଂଶ ଓ ଏହା ଅନ୍ୟ ସିଷ୍ଟମ ସହିତ ସମନ୍ୱୟ ରଖି କାର୍ଯ୍ୟ କରେ । ଆକାଶତୀରର କ୍ଷମତା ଏହାର ପ୍ରବଳ ଶକ୍ତି ନୁହେଁ, ବରଂ ଏହାର ବୁଦ୍ଧିମତ୍ତା । ପାରମ୍ପରିକ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଗ୍ରାଉଣ୍ଡବେସଡ୍ ରାଡାର, ମାନବ ପରିଚାଳିତ ବ୍ୟବସ୍ଥା ଓ ଭୂମିରୁ ଆକାଶକୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର ବ୍ୟାଟେରି ଉପରେ ପର୍ଯ୍ୟବେଶିତ ହୋଇଥାଏ । ଅନ୍ୟପକ୍ଷରେ ଆକାଶତୀର ଏସବୁଠାରୁ ସଂପୂର୍ଣ୍ଣ ଅଲଗା । ଏହାକୁ ଏପରିଭାବେ ପ୍ରସ୍ତୁତ କରାଯାଇଛି ଯେ ଏହା ଯୁଦ୍ଧଭୂମିରେ ନିମ୍ନ ଉଚ୍ଚତାର ବାୟୁକ୍ଷେତ୍ର ଉପରେ ନଜର ରଖେ ଓ ଭୂମି ଭିତ୍ତିକ ବାୟୁପ୍ରତିରକ୍ଷା ଅସ୍ତ୍ରଗୁଡ଼ିକର ଦକ୍ଷତାର ସହ ପରିଚାଳନା କରେ । ଆକାଶତୀର ଭାରତର ରଣନୈତିକ ନୀତିରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛି, ଯାହାକି ଆତଙ୍କବାଦ ବିରୋଧରେ ଆତ୍ମରକ୍ଷାମୂଳକ ନୀତି ବଦଳରେ ଆକ୍ରାମକ ନୀତି ଉପରେ ପର୍ଯ୍ୟବେଶିତ । ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି ପାକିସ୍ତାନର ଆଣବିକ ଧମକ ଆଉ କାମ ଦେବ ନାହିଁ ଓ ଆବଶ୍ୟକ ପଡ଼ିଲେ ପାକିସ୍ତାନ ଭିତିରେ ଥିବା ଆତଙ୍କବାଦୀ ବିପଦଗୁଡ଼ିକୁ ନଷ୍ଟ କରାଯିବ । ଆମ ସାମରିକ ବାହିନୀରେ ଥିବା ଆକାଶତୀରର ଉପସ୍ଥିତି ଆମକୁ ଏକ ଆତ୍ମବିଶ୍ବାସ ପ୍ରଦାନ କରୁଛି, କାରଣ ପାକିସ୍ତାନର ବାୟୁ ପ୍ରତିରକ୍ଷା କ୍ଷମତା ତୁଳନାରେ ଏହା ଆମକୁ ଆଗରେ ରଖୁଛି । ଆକାଶତୀର ବିଶ୍ବର ରଣନୈତିକ କୌଶଳ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛି । ଏହା ଭାରତକୁ ଏକ ଏଲିଟ୍ କ୍ଲବରେ ସାମିଲ କରିଛି, ଯାହା ପାଖରେ ସଂପୂର୍ଣ୍ଣ ସ୍ବୟଂକ୍ରିୟ ବାୟୁ ପ୍ରତିରୋଧକ କମାଣ୍ଡ ଓ ରିପୋର୍ଟିଂ ବ୍ୟବସ୍ଥା ରହିଛି । ଅନ୍ୟ ବାୟୁପ୍ରତିରକ୍ଷା ବ୍ୟବସ୍ଥା ତୁଳନାରେ ଏହା ସବୁଠାରୁ କମ ସମୟରେ ଶତ୍ରୁର ଆକ୍ରମଣକୁ ଦେଖେ, ନିଷ୍ପତ୍ତି ନିଏ ଓ ନଷ୍ଟ କରେ । ଏହା ଭ୍ରାମ୍ୟମାଣ ହୋଇଥିବାରୁ ଏହାକୁ ଯୁଦ୍ଧଭୂମିରେ ମୁତୟନ ଓ ବ୍ୟବହାର କରିବା ସହଜ । ପୁଣି ଏଥିରେ ବହୁମୁଖୀ ବ୍ୟବସ୍ଥା ସମନ୍ବିତ ହୋଇଥିବାରୁ ଏହା ସହଜରେ ଶତ୍ରୁର ବିମାନ ଓ ଡ୍ରୋନକୁ ଚିହ୍ନଟ କରିପାରେ ଓ ନିଜସ୍ବ ବିମାନ ଓ ଡ୍ରୋନକୁ ସୁରକ୍ଷିତ ରଖିଥାଏ । ଆକାଶତୀରର ସବୁଠାରୁ ବିପଜ୍ଜନକ ଦିଗ ହେଉଛି ଏହା ବହୁବିଧ ଫିଡରୁ ତଥ୍ୟ ସଂଗ୍ରହ କରେ, ଯେପରିକି ପାଣିପାଗ, ଭୂଖଣ୍ଡ, ରାଡାର ଇଣ୍ଟରସେପ୍ଟରୁ ତଥ୍ୟ ଗ୍ରହଣ କରିବାର କ୍ଷମତା ଏବଂ ବାସ୍ତବ-ସମୟ ନିଷ୍ପତ୍ତି ନେବା, ମିଶନକୁ ପୁନଃବିନ୍ୟାସ କରିବା ଏବଂ ସ୍ୱୟଂଚାଳିତ ଭାବରେ ଆକ୍ରମଣକୁ କାର୍ଯ୍ୟକାରୀ କରିବା । ଏହାର ଶକ୍ତି ଦେଖି ଅନେକ ପାକିସ୍ତାନୀ ପ୍ରତିରକ୍ଷା ବିଶେଷଜ୍ଞ ବି ଆଶ୍ଚର୍ଯ୍ୟ ହୋଇଛନ୍ତି ।

Leave A Reply

Your email address will not be published.