centurian jitm

ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ମକ୍-ଡ୍ରିଲ୍ ସଫଳତାର ସହ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ୍ ସ୍ଥିତ ନୂଆ ବକ୍ସିପଲ୍ଲୀ, ଆଇ.ଆର୍.ଇ. ମାଟିଖାଲ, ଆର୍ଯ୍ୟପଲ୍ଲୀର ଗୋପାଳପୁର ପୋର୍ଟ ଏବଂ ଗୋପାଳପୁର ବିଜ୍ଞାପିତ ଅଞ୍ଚଳରେ ଅପରାହ୍ନ ୪ ଘଟିକା ସମୟରେ ମକ୍ ଡ୍ରିଲ୍ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଆକାଶ ମାର୍ଗରୁ ଯଦି ଶତୃପକ୍ଷ ଆକ୍ରମଣ କରନ୍ତି ତାହା ହେଲେ ଜନଜୀବନ କିଭଳି ସୁରକ୍ଷିତ ରହିବ ସେହି ସମ୍ପର୍କରେ ଜନ ସଚେତନତାପୂର୍ବକ ଏହି ମକ୍ ଡ୍ରିଲର ସଚେତନତା ସାଇରନ୍ ଅପରାହ୍ନ ୪ ଘଟିକା ସମୟରେ ବାଜିଥିଲା । ସାଇରନ୍ ତିନି ମିନିଟ୍ ପର୍ଯ୍ୟନ୍ତ ସମସ୍ତ ମକ୍ ଡ୍ରିଲ୍ କେନ୍ଦ୍ରରେ ବାଜିଥିଲା । ସାଇରନ୍ ବାଜିବା ପରେ ସଂପୃକ୍ତ ଅଞ୍ଚଳର ବ୍ୟକ୍ତି ବିଶେଷ କଂକ୍ରିଟ୍ ଛାତ ଥିବା କୋଠା ଘର ମଧ୍ୟକୁ ଯାଇଥିଲେ । ତତ୍ ସହିତ ଖୋଲା ରହିଥିବା ଦୋକାନ ଗୁଡିକରେ ନିକଟସ୍ଥ ଲୋକମାନେ ଦୋକାନ ଘର ମଧ୍ୟକୁ ପ୍ରବେଶ କରି କବାଟ ବନ୍ଦ କରିଦେଇଥିଲେ । ବାହାର ଖୋଲାଜାଗା ସ୍ଥାନରେ କୌଣସି ଜନସାଧାରଣ କିମ୍ବା ବ୍ୟକ୍ତି ବିଶେଷ ରହିନଥିଲେ । ଅପରାହ୍ନ ୪ଘଟିକା ୨୦ ମିନିଟ୍ ସମୟରେ ପୁନର୍ବାର ତିନି ମିନିଟ୍ ପର୍ଯ୍ୟନ୍ତ ଶେଷ ସାଇରନ୍ ବାଜିଥିଲା । ଏହାପରେ ଅଗ୍ନିଶମ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ଏବଂ ସ୍ୱେଚ୍ଛାସେବୀ କର୍ମୀଗଣ କ୍ଷୟକ୍ଷତି ଦେଖି ଉଦ୍ଧାର କାର୍ଯ୍ୟରେ ଲାଗିପଡିଥିଲେ । ଦୁର୍ଘଟଣାରେ ଆହତ ହେଲେ କିଭଳି ପ୍ରଥମିକ ଚିକିତ୍ସା ପ୍ରଦାନ କରାଯିବ ଏବଂ ଉଦ୍ଧାର କାର୍ଯ୍ୟ କିଭଳି ହେବ ତାହା ପ୍ରଦର୍ଶନ ମାଧ୍ୟମରେ ଜଣାଇ ଦିଆଯାଇଥିଲା । ଜନସାଧାରଣଙ୍କୁ ଉଦ୍ଦାର କରି ଆରକ୍ଷୀ ବିଭାଗ, ବେଚ୍ଛାସେବୀ କର୍ମୀଗଣ କିଭଳି ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବେ ତାହା ପ୍ରଦର୍ଶିତ ହୋଇଥିଲା । ଜିଲ୍ଲାପାଳ ଗଞ୍ଜାମ ଦିବ୍ୟ ଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା ଜିଲ୍ଲା କଣ୍ଟ୍ରୋଲ ରୁମରେ ରହି ପରିଚାଳନା କରିଥିବା ବେଳେ ନୂଆ ବକ୍ସିପଲ୍ଲୀ ରଙ୍ଗେଇଲୁଣ୍ଡା ଠାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ୱଜିତ୍ ରାୟ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଅଭିଷେକ ସାହୁ ପରିଚାଳନା କରିଥିବା ବେଳେ ଗୋପାଳପୁର ଠାରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋପାଳପୁର ପ୍ରମୋଦ କୁମାର ପାଢୀ, ଆର୍ଯ୍ୟପଲ୍ଲୀ ଠାରେ ଛତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମ୍ବିତ୍ ସଂଗ୍ରାମଜିତ୍ , ଆଇ.ଆର୍.ଇ. ଠାରେ ସହକାରୀ ଅଗ୍ନିଶମ ଅଧିକାରୀ ଧନଞ୍ଜୟ ମଲ୍ଲିକ ଏବଂ ଆଇ.ଆର.ଇ. ଷ୍ଟାଫ୍, ଗୋପାଳପୁର ପୋର୍ଟ ଠାରେ ରେଞ୍ଜ ଫାୟାର ଅଫିସର୍ ବିଚିତ୍ର କୁମାର ପଣ୍ଡା ଏବଂ ଗୋପାଳପୁର ପୋର୍ଟ ଅଧିକାରୀ ଓ କର୍ମଚାରୀଗଣ ଉପସ୍ଥିତ ରହି ଏହାକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.