ପଞ୍ଚଦଶ ଅର୍ଥ ଆୟୋଗ ଚକ୍ରରେ ପ୍ରଧାନମନ୍ତ୍ରୀ ଅନ୍ନଦାତା ଆୟ ସଂରକ୍ଷଣ ଅଭିଯାନ (ପିଏମ-ଆଶା) ଯୋଜନାକୁ ୨୦୨୫ – ୨୬ ପର୍ଯ୍ୟନ୍ତ ଅନୁମୋଦନ କରିଛନ୍ତି ସରକାର

  • ଆସନ୍ତା ୪ ବର୍ଷ ପାଇଁ ରାଜ୍ୟମାନଙ୍କ ହରଡ଼ ଓ ଡାଲି ଉତ୍ପାଦନର ଶତ ପ୍ରତିଶତ କିଣିବେ ସରକାର
  • କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ ଖରିଫ ୨୦୨୪ – ୨୫ ଋତୁ ପାଇଁ ମୂଲ୍ୟ ସହାୟକ ଯୋଜନା ଅଧୀନରେ ୯ଟି ରାଜ୍ୟରେ ହରଡ଼ କିଣିବାକୁ ମଞ୍ଜୁରୀ ଦେଇଛନ୍ତି
  • ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ତେଲଙ୍ଗାନାରେ ୦.୧୫ ଲକ୍ଷ ମେଟ୍ରିକ ଟନ୍ ହରଡ଼ କିଣାଯାଇଥିବାରୁ ୧୨,୦୦୬ ଜଣ ଚାଷୀ ଉପକୃତ ହୋଇଛନ୍ତି
  • ନାଫେଡ୍ ଏବଂ ଏନସିସିଏଫ୍ ଜରିଆରେ ଚାଷୀଙ୍କଠାରୁ ଶତ ପ୍ରତିଶତ ହରଡ଼ କିଣିବାକୁ କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଛନ୍ତି

ନୂଆଦିଲ୍ଲୀ, (ପିଆଇବି) : ପଞ୍ଚଦଶ ଅର୍ଥ ଆୟୋଗ ଚକ୍ରରେ ସମନ୍ୱିତ ପ୍ରଧାନମନ୍ତ୍ରୀ ଅନ୍ନଦାତା ଆୟ ସଂରକ୍ଷଣ ଅଭିଯାନ (ପିଏମ-ଆଶା) ଯୋଜନାକୁ ୨୦୨୫ – ୨୬ ପର୍ଯ୍ୟନ୍ତ ଜାରି ରଖିବାକୁ ଭାରତ ସରକାର ଅନୁମୋଦନ କରିଛନ୍ତି । ସମନ୍ୱିତ ପିଏମ – ଆଶା ଯୋଜନା କ୍ରୟ କାର୍ଯ୍ୟରେ ଅଧିକ ଫଳପ୍ରଦତା ଆଣିବା ପାଇଁ କାର୍ଯ୍ୟକାରୀ କରାଯାଇଛି । ଯାହା କେବଳ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦର ଲାଭଦାୟକ ମୂଲ୍ୟ ପାଇବାରେ ସାହାଯ୍ୟ କରିବ ନାହିଁ ବରଂ ଉପଭୋକ୍ତାଙ୍କ ପାଇଁ ସୁଲଭ ମୂଲ୍ୟରେ ଉପଲବ୍ଧତା ସୁନିଶ୍ଚିତ କରି ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଅସ୍ଥିରତାକୁ ମଧ୍ୟ ନିୟନ୍ତ୍ରଣ କରିବ । ପିଏମ-ଆଶାର ମୂଲ୍ୟ ସମର୍ଥନ ଯୋଜନା ଅଧୀନରେ କେନ୍ଦ୍ରୀୟ ନୋଡାଲ ଏଜେନ୍ସି (ସିଏନ୍‌ଏ) ଦ୍ୱାରା ରାଜ୍ୟସ୍ତରୀୟ ଏଜେନ୍ସି ମାଧ୍ୟମରେ ପ୍ରାକ୍ – ପଞ୍ଜୀକୃତ କୃଷକମାନଙ୍କଠାରୁ ନିର୍ଦ୍ଧାରିତ ଫେୟାର ଏଭରେଜ୍ କ୍ୱାଲିଟି (ଏଫ୍ଏକ୍ୟୁ) ଅନୁଯାୟୀ ବିଜ୍ଞାପିତ ଡାଲି, ତୈଳବୀଜ ଏବଂ କୋପ୍ରା ସିଧାସଳଖ ଏମଏସପିରେ କ୍ରୟ କରାଯାଏ । ଡାଲିର ଘରୋଇ ଉତ୍ପାଦନ ବୃଦ୍ଧିରେ ଯୋଗଦାନ କରୁଥିବା କୃଷକମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ସରକାର ୨୦୨୪ – ୨୫ କ୍ରୟ ବର୍ଷ ପାଇଁ ରାଜ୍ୟମାନଙ୍କ ଉତ୍ପାଦନର ୧୦୦% ସମାନ ମୂଲ୍ୟ ସହାୟକ ଯୋଜନା (ପିଏସ୍‌ଏସ୍‌) ଅଧୀନରେ ହରଡ଼, ମୁଗ ଏବଂ ମସୁର ଡାଲି କିଣିବାକୁ ଅନୁମତି ଦେଇଛନ୍ତି । ସରକାର ୨୦୨୫ ବଜେଟରେ ଘୋଷଣା କରିଛନ୍ତି ଯେ ଦେଶରେ ଡାଲିରେ ଆତ୍ମନିର୍ଭରଶୀଳତା ହାସଲ କରିବା ପାଇଁ ଆସନ୍ତା ୪ ବର୍ଷ ପର୍ଯ୍ୟନ୍ତ କେନ୍ଦ୍ରୀୟ ନୋଡାଲ ଏଜେନ୍ସି ଜରିଆରେ ରାଜ୍ୟମାନଙ୍କ ଉତ୍ପାଦନର ୧୦୦% ପର୍ଯ୍ୟନ୍ତ ହରଡ଼, ମୁଗ ଓ ଡାଲି କ୍ରୟ ଜାରି ରହିବ । କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଗୁଜରାଟ, ହରିୟାଣା, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତେଲେଙ୍ଗାନା ଏବଂ ଉତ୍ତରପ୍ରଦେଶରେ ଖରିଫ ୨୦୨୪ – ୨୫ ଋତୁ ପାଇଁ ମୂଲ୍ୟ ସହାୟକ ଯୋଜନା ଅଧୀନରେ ମୋଟ ୧୩.୨୨ ଲକ୍ଷ ମେଟ୍ରିକ ଟନ୍ ହରଡ଼ କିଣିବାକୁ ଅନୁମୋଦନ କରିଛନ୍ତି । ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ତେଲେଙ୍ଗାନାରେ କ୍ରୟ ଆରମ୍ଭ ହୋଇସାରିଛି ଏବଂ ୧୫.୦୨.୨୦୨୫ ସୁଦ୍ଧା ଏହି ରାଜ୍ୟଗୁଡ଼ିକରେ ମୋଟ ୦.୧୫ ଲକ୍ଷ ମେଟ୍ରିକ ଟନ୍ ହରଡ଼ କ୍ରୟ କରାଯାଇଛି । ଯାହା ଦ୍ୱାରା ଫେବ୍ରୁଆରି ୧୫ ସୁଦ୍ଧା ଏହି ରାଜ୍ୟଗୁଡ଼ିକର ୧୨,୦୦୬ ଜଣ କୃଷକ ଉପକୃତ ହୋଇଛନ୍ତି । ଅନ୍ୟ ରାଜ୍ୟରେ ମଧ୍ୟ ଖୁବଶୀଘ୍ର ହରଡ଼ (ଅରହର) କ୍ରୟ ଆରମ୍ଭ ହେବ। କୃଷକମାନଙ୍କ ଦ୍ୱାରା ଉତ୍ପାଦିତ ହରଡ଼ର ୧୦୦% କେନ୍ଦ୍ରୀୟ ନୋଡାଲ ଏଜେନ୍ସି ଯଥା ନାଫେଡ୍ ଏବଂ ଏନସିସିଏଫ ମାଧ୍ୟମରେ କିଣିବାକୁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ ।

Leave A Reply

Your email address will not be published.