ୱେଭ୍ସ ଯୁବ ଚଳଚ୍ଚିତ୍ର ନିର୍ମାତା ପ୍ରତିଯୋଗିତା

● ୧୨ରୁ ୧୯ ବର୍ଷ ବୟସର ପ୍ରତିଭାସମ୍ପନ୍ନ କାହାଣୀକାରମାନଙ୍କୁ ଚଳଚ୍ଚିତ୍ର ଦୁନିଆରେ ପାଦ ଥାପିବା ଲାଗି ଏକ ପ୍ରକୃଷ୍ଟ ମଞ୍ଚ

ନୂଆଦିଲ୍ଲୀ, (ପିଆଇବି) : ଆସନ୍ତା ୧ରୁ ୪ ମଇ ୨୦୨୫ରେ ମୁମ୍ବାଇରେ ଆୟୋଜିତ ହେବ ବିଶ୍ୱ ଅଡିଓ ଭିଜୁଆଲ ଏବଂ ମନୋରଞ୍ଜନ (ୱେଭ୍ସ) ଶିଖର ସମ୍ମିଳନୀ । ଏହାର ଅଂଶବିଶେଷ ସ୍ୱରୂପ ଆୟୋଜିତ ହେଉଛି ୱେଭ୍ସ ଯୁବ ଚଳଚ୍ଚିତ୍ର ନିର୍ମାତା ପ୍ରତିଯୋଗିତା । ଏହା ୧୨ରୁ ୧୯ ବର୍ଷ ବୟସର ପ୍ରତିଭାସମ୍ପନ୍ନ କାହାଣୀକାରମାନଙ୍କୁ ଚଳଚ୍ଚିତ୍ର ଦୁନିଆରେ ପାଦ ଥାପିବା ଲାଗି ଏକ ପ୍ରକୃଷ୍ଟ ମଞ୍ଚ ଯୋଗାଇ ଦେଉଛି । ହ୍ୱିଶିଲ୍ ଉଡ୍ସ ଇଣ୍ଟରନେସନାଲ ଏବଂ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସହଭାଗିତାରେ ପ୍ରତିଯୋଗିତା ଆୟୋଜନ କରାଯାଉଛି । ଗତ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ମୁଖ୍ୟତଃ ୧୨ରୁ ୧୫ ବର୍ଷ ବୟସ ମଧ୍ୟରେ କନିଷ୍ଠ ଏବଂ ୧୬ରୁ ୧୯ ବର୍ଷ ମଧ୍ୟରେ ବରିଷ୍ଠ ଭଳି ଦୁଇଟି ବର୍ଗରେ ପ୍ରତିଯୋଗିତା ଆୟୋଜନ କରାଯାଉଛି । ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟରେ ଚଳଚ୍ଚିତ୍ର ନିର୍ମାଣ, ସୃଜନଶୀଳତା ଓ ଦଳଗତ କାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରାଯାଇଛି । ପ୍ରତ୍ୟେକ ବର୍ଗର ୧୦ ଜଣ ଶ୍ରେଷ୍ଠ ପ୍ରତିଯୋଗୀ ଆସନ୍ତା ମାର୍ଚ୍ଚ ୭ ଏବଂ ୮ ତାରିଖରେ ମୁମ୍ବାଇର ହ୍ୱିଶିଲ୍ ଉଡ୍ସ ଇଣ୍ଟରନେସନାଲ ଠାରେ ଚଳଚ୍ଚିତ୍ର ନିର୍ମାତା ଆମୋଲ ଗୁପ୍ତାଙ୍କ ସହ ଦୁଇ ଦିନିଆ କର୍ମଶାଳାରେ ଅଂଶଗ୍ରହଣ କରିବେ । ଚୁଡ଼ାନ୍ତ ତାଲିକାରେ ଚୟନ ହୋଇଥିବା ପ୍ରତିଯୋଗୀମାନେ ୧୫ ଏପ୍ରିଲ ୨୦୨୫ ସୁଦ୍ଧା ସେମାନଙ୍କର ଚଳଚ୍ଚିତ୍ରକୁ ପୁନଃଶୁଟିଂ କରି ଚୂଡ଼ାନ୍ତ ସଂସ୍କରଣ ଦାଖଲ କରିପାରିବେ ।
ଶେଷ ତାଲିକାରେ ସ୍ଥାନିତ ଚଳଚ୍ଚିତ୍ରଗୁଡ଼ିକ ଗୋଟିଏ ସ୍ୱତନ୍ତ୍ର ୱେଭ୍ସ ଅଧିବେଶନରେ ପ୍ରଦର୍ଶିତ ହେବ ଯେଉଁଠି ବିଜେତାଙ୍କ ନାମ ଘୋଷଣା କରାଯିବ। ପ୍ରତ୍ୟେକ ବର୍ଗର ବିଜେତାଙ୍କୁ ଓ୍ୱେଭ୍ସ ଠାରେ ଭ୍ରମଣ ଓ ରହଣୀ ନିମନ୍ତେ ସୁଯୋଗ ପ୍ରଦାନ କରାଯିବ । ବିଜେତାଙ୍କୁ ସ୍ୱୀକୃତି, ପ୍ରଶିକ୍ଷଣ, ଛାତ୍ରବୃତ୍ତି ସୁଯୋଗ, ଅନଲାଇନ୍ ଚଳଚ୍ଚିତ୍ର ନିର୍ମାଣ ପାଠ୍ୟକ୍ରମ ଏବଂ ସଫଳତାର ପ୍ରମାଣପତ୍ର ମିଳିବ। ଯୁବ ଚଳଚ୍ଚିତ୍ର ନିର୍ମାତା ଭାବରେ ସେମାନଙ୍କର ଅଭିବୃଦ୍ଧିକୁ ସମର୍ଥନ କରିବା ପାଇଁ ସମସ୍ତ ପ୍ରତିଯୋଗୀ ନିଜ କାମ ସମ୍ପର୍କରେ ମତାମତ ପାଇବେ । ସୃଜନଶୀଳତାକୁ ତ୍ୱରାନ୍ୱିତ କରିବା, ଡିଜିଟାଲ୍ ସାକ୍ଷରତା ବୃଦ୍ଧି କରିବା ଏବଂ କାହାଣୀ କହିବାର ଦକ୍ଷତାକୁ ପରିମାର୍ଜିତ କରିବା ପାଇଁ ପରିକଳ୍ପିତ ଏହି ପ୍ରତିଯୋଗିତା ଯୁବ ନିର୍ମାତାମାନଙ୍କୁ ୬୦ ସେକେଣ୍ଡର ଆକର୍ଷଣୀୟ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଆମନ୍ତ୍ରଣ କରିଥାଏ । ଏହାର ଉଦ୍ଦେଶ୍ୟ ହେଉଛି ସୃଜନଶୀଳତାକୁ ଅନୁପ୍ରାଣିତ କରିବା, କାହାଣୀ ବର୍ଣ୍ଣନାକୁ ପ୍ରୋତ୍ସାହିତ କରିବା, ଆତ୍ମବିଶ୍ୱାସ ବଢ଼ାଇବା ଏବଂ ବିବିଧତାକୁ ମୂଲ୍ୟାଙ୍କନ କରିବା । ବିଶ୍ୱ ଅଡିଓ ଭିଜୁଆଲ ଏବଂ ମନୋରଞ୍ଜନ (ୱେଭ୍ସ)ର ଏକ ପ୍ରମୁଖ ଅଂଶ ଭାବରେ, ଏହା ଶିଶୁ ଏବଂ କିଶୋରମାନଙ୍କୁ ସେମାନଙ୍କର କଳ୍ପନା ଅନ୍ୱେଷଣ କରିବାକୁ ଏବଂ କ୍ଷୁଦ୍ର-ଫର୍ମ କାହାଣୀ ମାଧ୍ୟମରେ ସେମାନଙ୍କର ଦୃଷ୍ଟିକୋଣ ବାଣ୍ଟିବାକୁ ଉତ୍ସାହିତ କରେ ।

Leave A Reply

Your email address will not be published.