- ‘‘ୱେଭ୍ସ ଅରିଜିନାଲ୍ସ : ଏପରି ଏକ ମଞ୍ଚ ଯେଉଁଠି ଦେଖିବାକୁ ମିଳିଛି ସୃଜନଶୀଳତା ଓ ସୁଯୋଗର ସଂଗମ
- ସଂକଳ୍ପରୁ ବାସ୍ତବତା : ଚଳଚ୍ଚିତ୍ର ଏବଂ ଟିଭି ନିର୍ମାତା, ନିବେଶକ ଏବଂ ଶିଳ୍ପ ନେତୃତ୍ୱଙ୍କୁ ପ୍ରକଳ୍ପ ପ୍ରଦର୍ଶନ କରିବାର ସୁଯୋଗ ପାଇବେ ଛାତ୍ରଛାତ୍ରୀ, ସୌଖୀନ ବ୍ୟକ୍ତି ଏବଂ ପେସାଦାର ବ୍ୟକ୍ତିବିଶେଷ
- ୧୫ରୁ ଅଧିକ ଦେଶରୁ ୧୨୦୦ରୁ ଅଧିକ ପଞ୍ଜିକରଣ ଏବଂ ୪୦୦ ସୃଜନଶୀଳ ଆବେଦନ ସହିତ ଉତ୍ସାହଜନକ ପ୍ରତିକ୍ରିୟା ମିଳିଛି : ବିଜୟୀ ପ୍ରକଳ୍ପଗୁଡିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନଗଦ ପୁରସ୍କାର ପାଇବେ
- ପ୍ରତିଭାଙ୍କ ପ୍ରଗତି : ଏଏଫସିର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଚୟନ ହେଲେ ୭୫ ଜଣ କାହାଣୀକାର, ବିଶ୍ୱସ୍ତରୀୟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱଙ୍କ ଦ୍ୱାରା ମାଷ୍ଟର କ୍ଲାସ ସହିତ ୱେଭ୍ସ ୨୦୨୫ରେ କରିବେ ଅଂଶଗ୍ରହଣ
- ଆନିମେସନରେ ମହିଳାଙ୍କୁ ପ୍ରୋତ୍ସାହନ : ଓ୍ୱେଭ୍ସରେ ପ୍ରତିଭାଶାଳୀ ମହିଳା ପ୍ରତିଯୋଗୀଙ୍କୁ ସାମିଲ କରାଯାଇଛି, ଯେଉଁମାନଙ୍କର ସୃଜନଶୀଳ କାମ କାହାଣୀ କହିବାର ମାନଦଣ୍ଡକୁ ନୂଆ ଆକାର ଦେଉଛି
- ୱେଭ୍ସ – ଅନ୍ତର୍ଜାତୀୟ ଆନିମେସନ୍ ଚଳଚ୍ଚିତ୍ର ନିର୍ମାତା ପ୍ରତିଯୋଗିତା (ଏଏଫସି) ଗ୍ଲୋବାଲ୍ ଆନିମେସନ୍ କମ୍ୟୁନିଟି ଏନଗେଜମେଣ୍ଟରେ ନୂତନ ମାନଦଣ୍ଡ ସ୍ଥାପନ କରିଛି
ନୂଆଦିଲ୍ଲୀ, (ପିଆଇବି) : ୱେଭସ୍ – ଇଣ୍ଟରନେସନାଲ ଆନିମେସନ୍ ଚଳଚ୍ଚିତ୍ର ନିର୍ମାତା ପ୍ରତିଯୋଗିତା (ଏଏଫ୍ସି)ର ଉଦ୍ଘାଟନୀ ସଂସ୍କରଣ ଏକ ଯୁଗାନ୍ତକାରୀ ପଦକ୍ଷେପ ଭାବେ ଉଭା ହୋଇଛି । ଏହା ଆନିମେସନ୍, ଭିଏଫଏକ୍ସ, ଏଆର୍ – ଭିଆର୍ ଏବଂ ଭର୍ଚୁଆଲ୍ ପ୍ରଡକ୍ସନର ସୃଷ୍ଟିକର୍ତ୍ତାଙ୍କ ପାଇଁ ଏକ ବିଶ୍ୱସ୍ତରୀୟ ମଞ୍ଚ ପ୍ରଦାନ କରୁଛି । ଆନିମେସନ ଚଳଚ୍ଚିତ୍ର ନିର୍ମାତା ପ୍ରତିଯୋଗିତା – ‘‘ୱେଭ୍ସ ଅରିଜିନାଲ୍ସ’’ ବିଶ୍ୱ ଅଡିଓ ଭିଜୁଆଲ୍ ମନୋରଞ୍ଜନ ସମ୍ମିଳନୀ (ୱେଭସ୍)ର ଅଂଶବିଶେଷ ଭାବେ ୮ ସେପ୍ଟେମ୍ବର ୨୦୨୪ରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଅଂଶଗ୍ରହଣକାରୀ ଏବଂ ଉଦ୍ୟୋଗ ଜଗତର ନେତୃତ୍ୱଙ୍କୁ ସମାନ ଭାବେ ଆକର୍ଷିତ କରିଛି, ଯାହା ସୃଜନଶୀଳ କାହାଣୀ ଓ ବୈଷୟିକ ନବସୃଜନ ପାଇଁ ଏକ ଅଗ୍ରଣୀ ଗନ୍ତବ୍ୟସ୍ଥଳ ଭାବେ ଏହାର ପ୍ରତିଷ୍ଠାକୁ ସୁଦୃଢ଼ କରିଛି । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଆଗାମୀ ବିଶ୍ୱ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ସମ୍ମିଳନୀ (ୱେଭସ୍)ର ଫ୍ଲାଗସିପ୍ ଇଭେଣ୍ଟ ଆନିମେସନ୍ ଚଳଚ୍ଚିତ୍ର ନିର୍ମାତା ପ୍ରତିଯୋଗିତା ପାଇଁ ଡ୍ୟାନ୍ସିଂ ଆଟମ୍ସ ସହିତ ସହଭାଗୀ ହୋଇଛି । ଏହା ଏକ ଐତିହାସିକ ସହଯୋଗକୁ ଚିହ୍ନିତ କରିବା ସହ ଭାରତର ସୃଜନଶୀଳ ଶିଳ୍ପରେ ଏକ ନୂତନ ଯୁଗ ପାଇଁ ପଥ ପରିଷ୍କାର କରିଛି । ଏଥିସହିତ କ୍ରିଏଟ୍ ଇନ୍ ଇଣ୍ଡିଆ ସିଜନ୍ ୧ର ଶୁଭାରମ୍ଭ କରିଛି । ଅଭୂତପୂର୍ବ ଅଂଶଗ୍ରହଣ ଏହାର ଶୁଭାରମ୍ଭ ପରଠାରୁ, ୧୫ରୁ ଅଧିକ ଦେଶରୁ ୧,୨୦୦ରୁ ଅଧିକ ପଞ୍ଜୀକରଣ ଏବଂ ୪୦୦ରୁ ଅଧିକ ସୃଜନଶୀଳ ଆବେଦନ ସହିତ ଏଏଫ୍ସି. ବିପୁଳ ଅଂଶଗ୍ରହଣ ହାସଲ କରିଛି । ଏହି ପଦକ୍ଷେପର ପ୍ରକୃତ ସାର ହେଉଛି ଅଂଶଗ୍ରହଣକାରୀମାନଙ୍କୁ ସେମାନଙ୍କ କାହାଣୀକୁ ଜୀବନ୍ତ କରିବା ପାଇଁ ସୁଯୋଗ ଏବଂ ପ୍ରୋତ୍ସାହନ ଦେଇ ସଶକ୍ତ କରିବା । ଏ.ଏଫ୍.ସି. ଏପରି ଏକ ଇକୋସିଷ୍ଟମ ସୃଷ୍ଟି କରିଛି ଯେଉଁଠାରେ ସୃଜନଶୀଳତା ସୁଯୋଗର ମୁକାବିଲା କରିଥାଏ, ଯାହା କାହାଣୀକାରମାନଙ୍କୁ ଆକର୍ଷଣୀୟ ବ୍ୟାଖ୍ୟା ପ୍ରସ୍ତୁତ କରିବା ଏବଂ ସେମାନଙ୍କ ଦର୍ଶନକୁ ବାସ୍ତବତାରେ ପରିଣତ କରିବାରେ ସକ୍ଷମ କରିଥାଏ । ବିଶିଷ୍ଟ ଉଦ୍ୟୋଗ ବିଶେଷଜ୍ଞଙ୍କ ଦ୍ୱାରା ମାଷ୍ଟର କ୍ଲାସ୍ ଏବଂ ଆଇଆଇଟି ହାଇଦ୍ରାବାଦ, ଆଇଆଇଟି ମୁମ୍ବାଇ, ଆଇଆଇଏମସି ଦିଲ୍ଲୀ ଭଳି ଜାତୀୟସ୍ତରର ଶିକ୍ଷାନୁଷ୍ଠାନରେ କର୍ମଶାଳା ମାଧ୍ୟମରେ ଏହାକୁ ହାସଲ କରାଯାଇପାରିଛି । ଏସବୁ କର୍ମଶାଳାରେ ଅଂଶଗ୍ରହଣକାରୀମାନେ ବିଶ୍ୱ ଆନିମେସନ ପରିଦୃଶ୍ୟ ସମ୍ପର୍କରେ ଜ୍ଞାନ ଆହରଣ କରିପାରିଛନ୍ତି । ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟ ସ୍ତରରେ ସମ୍ମାନଜନକ ଇଭେଣ୍ଟରେ ଏ.ଏଫ୍.ସି.ର ସକ୍ରିୟ ଅଂଶଗ୍ରହଣ ଏହାର ଲକ୍ଷ୍ୟକୁ ଆହୁରି ବୃଦ୍ଧି କରିଛି ଏବଂ ଅଂଶଗ୍ରହଣକାରୀଙ୍କ ପାଇଁ ଅମୂଲ୍ୟ ନେଟୱାର୍କିଂ ସୁଯୋଗ ପ୍ରଦାନ କରିଛି । ଲସ ଏଞ୍ଜେଲସ ଏବଂ ସାନ ଫ୍ରାନ୍ସିସ୍କୋରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଏବଂ ରୋଡଶୋ ଏ.ଏଫ୍.ସି. କୁ ବିଶ୍ୱ ଗଣମାଧ୍ୟମ ଇକୋସିଷ୍ଟମ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ସ୍ଥାନିତ କରିଛି । ପ୍ରତିଯୋଗିତା ଦ୍ୱିତୀୟ ପର୍ଯ୍ୟାୟକୁ ଅଗ୍ରସର ହେବା ସହିତ, ଏ.ଏଫ୍.ସି. ଗର୍ବର ସହ ଚୟନ ହୋଇଥିବା ୭୫ରୁ ଅଧିକ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି । ଏହି ଶ୍ରେଷ୍ଠ କାହାଣୀକାରମାନଙ୍କୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଆହୁରି ସଂକ୍ଷିପ୍ତ ତାଲିକାଭୁକ୍ତ କରାଯିବ ଏବଂ ବ୍ୟକ୍ତିଗତ ଭାବେ ୱେଭସ୍ ସମ୍ମିଳନୀ ୨୦୨୫ରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବ । ସମସ୍ତ ମନୋନୀତ ସୃଷ୍ଟିକର୍ତ୍ତା ବିଶ୍ୱର କେତେକ ପ୍ରସିଦ୍ଧ ଶିଳ୍ପ ବ୍ୟକ୍ତିତ୍ୱଙ୍କୁ ନେଇ ଏକ ସ୍ୱତନ୍ତ୍ର ମାଷ୍ଟରକ୍ଲାସ୍ ଶୃଙ୍ଖଳାକୁ ପ୍ରବେଶ କରିପାରିବେ । ଏହି ପର୍ଯ୍ୟାୟର ଉଦ୍ଦେଶ୍ୟ ହେଉଛି ଅଂଶଗ୍ରହଣକାରୀମାନଙ୍କୁ ବହୁ ପ୍ରତୀକ୍ଷିତ ୱେଭସ୍ ସମ୍ମିଳନୀ ୨୦୨୫ ରେ ସେମାନଙ୍କ ପ୍ରକଳ୍ପକୁ ପରିମାର୍ଜିତ କରିବା ଏବଂ ଉପସ୍ଥାପନ କରିବା ପାଇଁ ଅମୂଲ୍ୟ ଅନ୍ତର୍ଦୃଷ୍ଟି ଏବଂ ଉପକରଣ ସହିତ ସଜ୍ଜିତ କରିବା । ପ୍ରତିଯୋଗିତାର ବିଜେତାମାନେ ଭାରତ ତଥା ଅନ୍ତର୍ଜାତୀୟ ସ୍ତରରେ ଶ୍ରେଷ୍ଠ ନିର୍ମାତା ଏବଂ ଅଗ୍ରଣୀ ଓଟିଟି ପ୍ଲାଟଫର୍ମକୁ ସେମାନଙ୍କର ସୃଜନଶୀଳ ବିଚାର ଉପସ୍ଥାପନ କରିବେ । ସରସ୍ୱତୀ ବୁୟାଲାଙ୍କ ନେତୃତ୍ୱରେ ଡ୍ୟାନ୍ସିଂ ଆଟମ୍ସ ବିବିଧତାକୁ ପ୍ରୋତ୍ସାହିତ କରିବା ଏବଂ ଆନିମେସନ୍ ଏବଂ ଏ.ଭି.ଜି.ସି. କ୍ଷେତ୍ରରେ ମହିଳାମାନଙ୍କୁ ସଶକ୍ତ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଲକ୍ଷ୍ୟବଦ୍ଧ ପଦକ୍ଷେପ ମାଧ୍ୟମରେ, ଷ୍ଟୁଡିଓ ମହିଳା ସ୍ରଷ୍ଟା ବା କ୍ରିଏଟରମାନଙ୍କୁ ସମର୍ଥନ କରିଛି, ସେମାନଙ୍କୁ ପ୍ରତିଭା ପ୍ରଦର୍ଶନ କରିବା ଏବଂ ଶିଳ୍ପ କ୍ଷେତ୍ରରେ ଅର୍ଥପୂର୍ଣ୍ଣ ଯୋଗଦାନ ଦେବା ପାଇଁ ମଞ୍ଚ ପ୍ରଦାନ କରିଛି । ୱେଭସ୍ ଏ.ଏଫ୍.ସି. ପ୍ରତିଯୋଗିତାରେ ଗର୍ବର ସହ ଅନେକ ପ୍ରତିଭାବାନ ମହିଳା ଅଂଶଗ୍ରହଣକାରୀ ଅଂଶଗ୍ରହଣ କରିଛନ୍ତି, ଯେଉଁମାନଙ୍କ ସୃଜନଶୀଳ କାର୍ଯ୍ୟ କାହାଣୀ କହିବାର ମାନଦଣ୍ଡକୁ ନୂଆ ରୂପ ଦେଉଛି ।