ମହାକୁମ୍ଭ ୨୦୨୫ : ୨୩୩ ଜଳ ଏଟିଏମ୍ ଜରିଆରେ ୪୦ ଲକ୍ଷ ତୀର୍ଥଯାତ୍ରୀଙ୍କୁ ଦିନ ରାତି ୨୪ ଘଣ୍ଟା ବିଶୁଦ୍ଧ ପାନୀୟ ଜଣ ଯୋଗାଣ

  • ପରିବେଶର ସୁରକ୍ଷା ପାଇଁ ପ୍ଲାଷ୍ଟିକମୁକ୍ତ ପାନୀୟ ଜଳ ବ୍ୟବସ୍ଥା ଓ ବିଶୁଦ୍ଧ ଜଳ ଯୋଗାଣ

ନୂଆଦିଲ୍ଲୀ, (ପିଆଇବି) : ଦେଶ ବିଦେଶର କୋଣ ଅନୁକୋଣରୁ ପ୍ରୟାଗରାଜର ମହାକୁମ୍ଭ ୨୦୨୫କୁ ଆସୁଥିବା ଲକ୍ଷ ଲକ୍ଷ ତୀର୍ଥଯାତ୍ରୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମେଳା ଅଞ୍ଚଳରେ ମୋଟ ୨୩ଟି ଜଳ ଏଟିଏମ୍ ସ୍ଥାପନ କରାଯାଇଛି, ଯାହାକି ନିରବଚ୍ଛିନ୍ନ ଭାବେ ଦିନ ରାତି ୨୪ ଘଣ୍ଟା କାମ କରିବ । ଏହି ଜଳ ଏଟିଏମ୍ ଜରିଆରେ ତୀର୍ଥଯାତ୍ରୀମାନେ ପ୍ରତିଦିନ ଆରଓର (ରିଭର୍ସ ଅସମୋସିସ୍) ବିଶୁଦ୍ଧ ପାନୀୟ ଜଳ ପାଉଛନ୍ତି । ସରକାରୀ ତଥ୍ୟ ଅନୁସାରେ ଜାନୁଆରୀ ୨୧, ୨୦୨୫ ଓ ଫେବ୍ରୁଆରୀ ୧, ୨୦୨୫ ମଧ୍ୟରେ ଏହି ଜଳ ଏଟିଏମରୁ ୪୦ ଲକ୍ଷ ତୀର୍ଥଯାତ୍ରୀ ଉପକୃତ ହୋଇଛନ୍ତି । ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ଏହି ଜଳ ଏଟିଏମ୍ ଜରିଆରେ ମାଗଣା ଜଳ ବଣ୍ଟନକୁ ଗୁରୁତ୍ୱ ଦେଇଛି ପ୍ରଶାସନ । ପ୍ରଥମେ ଏହି ପାନୀୟ ଜଳ ଲିଟର ପିଛା ୧ ଟଙ୍କାରେ ମିଳୁଥିଲା । ତୀର୍ଥଯାତ୍ରୀମାନଙ୍କୁ ମୁଦ୍ରା ଭର୍ତ୍ତି କରିବାକୁ ପଡୁଥିଲା ନ ହେଲେ ୟୁପିଆଇ ସ୍କାନିଂ କରି ସେମାନେ ପାନୀୟ ଜଳ ପାଇପାରୁଥିଲେ । ତେବେ ବର୍ତ୍ତମାନ ଏହାକୁ ପୁରାପୁରି ମାଗଣା କରି ଦିଆଯାଇଛି ଯାହା ଦ୍ୱାରା କି ତୀର୍ଥଯାତ୍ରୀମାନେ ବିନା କୌଣସି ପ୍ରତିବନ୍ଧକରେ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ । ପ୍ରତ୍ୟେକ ଏଟିଏମ୍‌ରେ ଜଣେ ଲେଖାଏଁ ଅପରେଟର୍ ଉପସ୍ଥିତ ରହିଥାନ୍ତି । ତୀର୍ଥଯାତ୍ରୀମାନେ ବଟନ୍ ଚିପିବା ମାତ୍ରେ ଯେମିତି ତୁରନ୍ତ ବିଶୁଦ୍ଧ ପାନୀୟ ଜଳ ପାଇବେ, ସେଥିପ୍ରତି ଧ୍ୟାନ ଦିଅନ୍ତି ଏହି ଅପରେଟର୍ । ଏହା ଦ୍ୱାରା ତୀର୍ଥଯାତ୍ରୀମାନେ କୌଣସି ସମସ୍ୟାର ସମ୍ମୁଖୀନ ନ ହୋଇ ବିଶୁଦ୍ଧ ପାନୀୟ ଜଳ ପାଆନ୍ତି ଏବଂ ଏହିପରି ଭାବେ ନିରବଚ୍ଛିନ୍ନ ଭାବେ ପାନୀୟ ଜଳ ଯୋଗାଣ ହୋଇଥାଏ । ମହାକୁମ୍ଭରେ ଲଗାଯାଇଥିବା ପାଣି ଏଟିମ୍ ରେ ଅତ୍ୟାଧୁନିକ ଟେକ୍ନୋଲଜି ଅଛି ଯାହା ଦ୍ୱାରା କି ଏହି ପାଣି ଏଟିଏମ୍ ସ୍ୱୟଂକ୍ରିୟ ଭାବେ ଓ ସୁରୁଖୁରୁରେ କାମ କରିଥାଏ । ଏହି ମେସିନରେ ସେନସର୍ ଆଧାରିତ ଏକ ମନିଟରିଂ ବ୍ୟବସ୍ଥା ଲାଗିଛି । କୌଣସି ବୈଷୟିକ ତ୍ରୁଟି ଦେଖା ଦେଲେ, ଏହା ତୁରନ୍ତ ତାକୁ ଚିହ୍ନଟ କରିଥାଏ । କୌଣସି ବୈଷୟିକ ତ୍ରୁଟି ହେଲେ ଜଳ ନିଗମର ଟେକ୍ନିସିଆନମାନେ ତୁରନ୍ତ ତାକୁ ମରାମତି କରି ଦିଅନ୍ତି । ଏହା ଦ୍ୱାରା ତୀର୍ଥଯାତ୍ରୀଙ୍କୁ ଲଗାତର ଭାବେ ବିଶୁଦ୍ଧ ପିଇବା ପାଣି ମିଳିଥାଏ । ମହାକୁମ୍ଭରେ ଏତେ ସଂଖ୍ୟକ ତୀର୍ଥଯାତ୍ରୀ ଆସୁଥିବାରୁ ପ୍ରତ୍ୟେକ ପାଣି ଏଟିଏମ୍ ପ୍ରତିଦିନ ୧୨୦୦୦ରୁ ୧୫୦୦୦ ଲିଟର ବିଶୁଦ୍ଧ ଆରଓ ପାଣି ପ୍ରଦାନ କରିଥାନ୍ତି । ସବୁ ପାଣି ଏଟିଏମରେ ସିମ୍ ଆଧାରିତ ଟେକ୍ନୋଲଜି ଲାଗିଛି । ଫଳରେ ଏହି ପାଣି ଏଟିମ୍ ଗୁଡ଼ିକ ପ୍ରଶାସନର କେନ୍ଦ୍ରୀୟ ନେଟଓ୍ୱର୍କ ସହିତ ସଂଯୁକ୍ତ ରହିଥାଏ । ଏହି ଟେକ୍ନୋଲଜିରୁ ନିରବଚ୍ଛିନ୍ନ ଭାବେ ଜାଣିହୁଏ ମୋଟ କେତେ ପାଣି ବ୍ୟବହାର କରାଯାଉଛି, କେତେ ପାଣି ଅଛି, ପାଣିର ମାନ କେମିତି ଅଛି ଓ କେତେ ପାଣି ବଣ୍ଟନ ହୋଇଛି । ଯେତେବେଳେ ବି ଜଣେ ତୀର୍ଥଯାତ୍ରୀ ପାଣି ଏଟିଏମ୍ ବ୍ୟବହାର କରନ୍ତି, ଥରକରେ ଗୋଟିଏ ଲିଟର୍ ପାଣି ବାହାରିଥାଏ । ସ୍ପାଉଟ ତଳେ ରଖାଯାଇଥିବା ବୋତଲରେ ଏହି ପାଣି ଭର୍ତ୍ତି ହୋଇଥାଏ । ପୂର୍ବର କୁମ୍ଭମେଳାଗୁଡ଼ିକରେ ପ୍ଲାଷ୍ଟିକ ପାଣି ବୋତଲ ଓ ଅନ୍ୟାନ୍ୟ ଆବର୍ଜନା ଯୋଗୁଁ ସଂଗମରେ ଓ ବିଭିନ୍ନ ଘାଟରେ ବହୁତ ପ୍ରଦୂଷଣ ହେଉଥିଲା । ଏଥର ପ୍ରଶାସନ କେବଳ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ୱ ଦେଇନାହିଁ, ବରଂ ପରିବେଶର ସୁରକ୍ଷା ଉପରେ ମଧ୍ୟ ଫୋକସ୍ କରିଛି । ମହାକୁମ୍ଭ ସରିବା ପର୍ଯ୍ୟନ୍ତ ଏହି ପାଣି ଏଟିଏମଗୁଡ଼ିକ ଯେମିତି ନିରବଚ୍ଛିନ୍ନ ଭାବେ କାମ କରନ୍ତି, ସେଥିପ୍ରତି ମହାକୁମ୍ଭ ପ୍ରଶାସନ ଗୁରୁତ୍ୱ ପ୍ରଦାନ କରିଛି । ପାଣି ଏଟିଏମ୍‌ରେ ଯଦି କୌଣସି ସମସ୍ୟା ହୁଏ, ତାର ସମାଧାନ କରିବାକୁ ଓ ନିୟମିତ ପାଇଁ ମନିଟରିଂ କରିବାକୁ ଗଠନ କରାଯାଇଛି ସ୍ୱତନ୍ତ୍ର ଟେକ୍ନିସିଆନ୍ । ଆଗାମୀ କୁମ୍ଭ ଓ ଅନ୍ୟ ଧାର୍ମିକ ସମାବେଶରେ ତୀର୍ଥଯାତ୍ରୀମାନେ ଯେମିତି ସହଜରେ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ, ସେଥିପାଇଁ ଏପରି ବ୍ୟବସ୍ଥା କରିବାକୁ ପ୍ରଶାସନ ବିଚାର କରୁଛି । ଏହି ଜଳ ଏଟିଏମ୍ ଯୋଜନା ମହାକୁମ୍ଭ ୨୦୨୫କୁ ଆହୁରି ଅଧିକ ସୁରକ୍ଷିତ, ସୁବିଧାଜନକ ଓ ପରିବେଶ ଅନୁକୂଳ କରିଛି । ଆଗାମୀ ଦିନର ଜନସମାଗମ ପାଇଁ ଏହା ସୃଷ୍ଟି କରିଛି ଐତିହାସିକ ଓ ଦୃଷ୍ଟାନ୍ତମୂଳକ ମାନଦଣ୍ଡ ।

Leave A Reply

Your email address will not be published.