କେନ୍ଦ୍ର ବଜେଟ୍ ୨୦୨୫-୨୬କୁ ଐତିହାସିକ, ଭବିଷ୍ୟତବାଦୀ ଓ ସନ୍ତୁଳିତ ବଜେଟ୍ କହିଲେ କେନ୍ଦ୍ରମନ୍ତ୍ରୀ

  • ଶିଶୁର ଜନ୍ମ ହେବା ପରଠାରୁ ଉଚ୍ଚସ୍ତରୀୟ ଗବେଷଣା ଓ ଦକ୍ଷତା ବୃଦ୍ଧି ପର୍ଯ୍ୟନ୍ତ ସବୁ ଆବଶ୍ୟକତାକୁ ପୂରଣ କରିବ ବଜେଟ୍ – ଧର୍ମେନ୍ଦ୍ର ପ୍ରଧାନ
  • ଚଳିତ ବଜେଟରେ ଶିକ୍ଷା କ୍ଷେତ୍ର ପାଇଁ ୧ ଲକ୍ଷ ୨୮ ହଜାର ୬୫୦ କୋଟି ଟଙ୍କା ବ୍ୟୟବରାଦ
  • ସର୍ବସ୍ପର୍ଶୀ ଓ ସମାବେଶୀ ବଜେଟ୍ ପାଇଁ ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ କରଛାଡ଼ ମଧ୍ୟ ବିତ୍ତଙ୍କ ପାଇଁ ମୋଦୀ ସରକାରଙ୍କ ବଡ ଉପହାର
  • ଚଳିତ ବଜେଟରୁ ଓଡ଼ିଶା ଭଳି ରାଜ୍ୟ ବିଶେଷ ଭାବରେ ଲାଭବାନ ହେବ
  • ୫୦୦ କୋଟି ଟଙ୍କା ବ୍ୟୟରେ ଶିକ୍ଷାକ୍ଷେତ୍ରରେ ଏଆଇ ପାଇଁ ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ
  • ଆସନ୍ତା ୫ ବର୍ଷରେ ସରକାରୀ ସ୍କୁଲଗୁଡ଼ିକରେ ୫୦,୦୦୦ ଅଟଳ ଟିଙ୍କରିଂ ଲ୍ୟାବ୍ ପ୍ରତିଷ୍ଠା
  • ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ବହି ଯୋଗାଇଦେବା ପାଇଁ ‘ଭାରତୀୟ ଭାଷା ପୁସ୍ତକ ଯୋଜନା’ଆରମ୍ଭ ହେବ
  • ୮ କୋଟିରୁ ଅଧିକ ଶିଶୁ, ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମା’ଙ୍କୁ ପୋଷଣ ସହାୟତା ପ୍ରଦାନ କରୁଥିବା ସଶକ୍ତ ଅଙ୍ଗନବାଡ଼ି ଓ ପୋଷଣ ୨.୦ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ
  • ପ୍ରତି ଗାଁରେ ମାଧ୍ୟମିକ ବିଦ୍ୟାଳୟରେ ବ୍ରଡବ୍ୟାଣ୍ଡ ସଂଯୋଗ ଯୋଗାଇ ଦିଆଯିବ
  • ୫ଟି ଆଇଆଇଟିର କ୍ଷମତା ବୃଦ୍ଧି କରାଯାଇ ଅଧିକ ୬,୫୦୦ ଛାତ୍ରଛାତ୍ରୀଙ୍କ ପଢିବାର ବ୍ୟବସ୍ଥା ହେବ
  • ଆଇଆଇଟି ଏବଂ ଆଇଆଇଏସସିରେ ବୈଷୟିକ ଗବେଷଣା ପାଇଁ ଆସନ୍ତା ୫ ବର୍ଷ ମଧ୍ୟରେ ପିଏମ ରିସର୍ଚ୍ଚ ଫେଲୋସିପ୍ ଯୋଜନା ଅଧୀନରେ ୧୦,୦୦୦ ଫେଲୋସିପ୍ ପ୍ରଦାନ କରାଯିବ
  • ୧ କୋଟି ପାଣ୍ଡୁଲିପି ଐତିହ୍ୟର ସର୍ବେକ୍ଷଣ ଓ ସଂରକ୍ଷଣ ପାଇଁ “ଜ୍ଞାନ-ଭାରତମ ମିଶନ”
  • ଆସନ୍ତା ବର୍ଷଠାରୁ ମେଡିକାଲ କଲେଜରେ ୧୦ ହଜାର ସିଟ୍ ଯୋଡ଼ାଯିବ
  • ଯୁବପିଢିଙ୍କୁ ଦକ୍ଷ କରିବା ପାଇଁ ୫ଟି ଜାତୀୟ ଦକ୍ଷତା ଉତ୍କର୍ଷ କେନ୍ଦ୍ର ହେବ
  • ଷ୍ଟାର୍ଟଅପ୍ ପାଇଁ ସରକାର ବର୍ତ୍ତମାନର ୧୦,୦୦୦ କୋଟି ଟଙ୍କାର ସରକାରୀ ଯୋଗଦାନ ବ୍ୟତୀତ ଅତିରିକ୍ତ ୧୦,୦୦୦ କୋଟି ଟଙ୍କାର ପାଣ୍ଠି ପ୍ରଦାନ କରିବେ

ନୂଆଦିଲ୍ଲୀ, (ପିଆଇବି) : ସଂସଦରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଯେଉଁ ବଜେଟ୍ ଉପସ୍ଥାପନ କରିଛନ୍ତି, ତାହା ବିକଶିତ ଭାରତର ସଂକଳ୍ପ ପାଇଁ ଏକ ଐତିହାସିକ, ଭବିଷ୍ୟତବାଦୀ ଓ ସନ୍ତୁଳିତ ବଜେଟ୍ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗୋଟିଏ ଶିଶୁ ଜନ୍ମ ହେବା ପର ଠାରୁ ଆରମ୍ଭ କରି ଉଚ୍ଚସ୍ତରୀୟ ଗବେଷଣା ଓ ଦକ୍ଷତା ବୃଦ୍ଧି ପର୍ଯ୍ୟନ୍ତ ତଥା ମାନବ ପୁଞ୍ଜିର ସର୍ବାଙ୍ଗୀନ ବିକାଶକୁ ଏହି ବଜେଟ୍ ପୂରଣ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ସମଗ୍ର ଦେଶ ଆଜି କେନ୍ଦ୍ର ବଜେଟକୁ ସ୍ୱାଗତ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ଗରିବ, ମହିଳା, କୃଷକ, ଯୁବକ, ମଧ୍ୟବିତ୍ତ ଏବଂ ବଞ୍ଚିତ ବର୍ଗଙ୍କ ହିତରେ ଏକ ଉତ୍ସର୍ଗୀକୃତ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟ୍ ବିକଶିତ ଭାରତର ସଂକଳ୍ପକୁ ନୂଆ ଉଚ୍ଚତାରେ ପହଞ୍ଚାଇବ । ଏହି ବଜେଟ୍ ‘ସବକା ସାଥ୍, ସବକା ବିକାଶ’ର ସଂକଳ୍ପକୁ ସାକାର କରିବାର ବଜେଟ୍ । ଏହି ବଜେଟରୁ ଓଡ଼ିଶା ଭଳି ରାଜ୍ୟ ବିଶେଷ ଭାବରେ ଲାଭବାନ ହେବ । ପ୍ରତ୍ୟେକ ବର୍ଗଙ୍କୁ ସଶକ୍ତ କରୁଥିବା ଏହି ସର୍ବସ୍ପର୍ଶୀ ଓ ସମାବେଶୀ ବଜେଟ୍ ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଶେଷ ଭାବରେ କେନ୍ଦ୍ର ସରକାରଙ୍କ ବଜେଟରେ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ କରଛାଡ଼ ଘୋଷଣାକୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ମଧ୍ୟବିତ୍ତଙ୍କ ପାଇଁ ମୋଦୀ ସରକାରଙ୍କ ତରଫରୁ ଏହା ବଡ ଉପହାର ବୋଲି ସେ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ଏହି ବଜେଟ୍ ଦୂରଦର୍ଶୀ ଓ ଭବିଷ୍ୟତବାଦୀ । ଏହା ଏକବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧ ପାଇଁ ଉଦ୍ଦିଷ୍ଟ, ଯେଉଁଥିରେ ଶିଶୁମାନଙ୍କ ଠାରୁ ଆରମ୍ଭ କରି ବିକଶିତ ଭାରତର ଏଜେଣ୍ଡାର ସ୍ୱପ୍ନକୁ ସାକାର କରିବା ପାଇଁ ନେତୃତ୍ୱକାରୀ ଯୁବପିଢ଼ି ପର୍ଯ୍ୟନ୍ତ ସମସ୍ତ ଆବଶ୍ୟକତା ପୂରଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ବଜେଟ୍ ଚାଷୀଙ୍କ ଆୟ ବୃଦ୍ଧି କରିବ । ମହିଳା ଉଦ୍ୟୋଗୀଙ୍କ ପାଇଁ ନୂଆ ସୁଯୋଗ ତିଆରି କରିବ । ପୁଞ୍ଜିଗତ ବ୍ୟୟ ବୃଦ୍ଧି ହେବ, ପୁଞ୍ଜିନିବେଶ ବୃଦ୍ଧି ପାଇବ ଏବଂ ଦେଶର ଭିତ୍ତିଭୂମିକୁ ଏକ ନୂଆ ଦିଗ ମିଳିବ । ଶିକ୍ଷା, ଦକ୍ଷତା ବିକାଶ, ଗବେଷଣା ଓ ଉଦ୍ଭାବନକୁ ପ୍ରୋତ୍ସାହନ ମିଳିବ । ଶକ୍ତି, ଭିତ୍ତିଭୂମି ଏବଂ ଚାଷ ଭଳି କ୍ଷେତ୍ରକୁ ଅଧିକ ଗତି ମିଳିବ । ଶ୍ରୀ ପ୍ରଧାନ ଏହାର ବିସ୍ତୁତ ସୂଚନା ଦେଇ କହିଛନ୍ତି ଯେ ଚଳିତ କେନ୍ଦ୍ର ବଜେଟରେ ଚଳିତ ବଜେଟରେ ଶିକ୍ଷା କ୍ଷେତ୍ର ପାଇଁ ୧ ଲକ୍ଷ ୨୮ ହଜାର ୬୫୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ୮ କୋଟିରୁ ଅଧିକ ଶିଶୁ, ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମା’ଙ୍କୁ ପୋଷଣ ସହାୟତା ପ୍ରଦାନ କରୁଥିବା ସଶକ୍ତ ଅଙ୍ଗନବାଡ଼ି ଓ ପୋଷଣ ୨.୦ କାର୍ଯ୍ୟକ୍ରମ ଉପରେ ମୋଦୀ ସରକାର ଗୁରୁତ୍ୱ ଦେଇଛନ୍ତି । ଆସନ୍ତା ୫ ବର୍ଷ ମଧ୍ୟରେ ସରକାରୀ ବିଦ୍ୟାଳୟଗୁଡ଼ିକରେ ୫୦,୦୦୦ ଅଟଳ ଟିଙ୍କରିଂ ଲ୍ୟାବ୍ ପ୍ରତିଷ୍ଠା କରାଯିବାର ବ୍ୟବସ୍ଥା ହୋଇଛି । ସମସ୍ତ ଗ୍ରାମାଞ୍ଚଳରେ ମାଧ୍ୟମିକ ବିଦ୍ୟାଳୟକୁ ବ୍ରଡବ୍ୟାଣ୍ଡ ସଂଯୋଗ ଯୋଗାଇ ଦିଆଯିବ । ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ବହି ଯୋଗାଇଦେବା ପାଇଁ ସରକାର ‘ଭାରତୀୟ ଭାଷା ପୁସ୍ତକ ଯୋଜନା’ଆରମ୍ଭ କରିବା ପାଇଁ ଯାଉଛନ୍ତି । ୫ଟି ଆଇଆଇଟିର କ୍ଷମତା ବୃଦ୍ଧି କରାଯାଇ ଅଧିକ ୬,୫୦୦ ଛାତ୍ରଛାତ୍ରୀ ପଢିବାର ବ୍ୟବସ୍ଥା ହେବ । ଗତ ୧୦ ବର୍ଷ ମଧ୍ୟରେ ୨୩ଟି ଆଇଆଇଟିରେ ମୋଟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୬୫ ହଜାରରୁ ୧୦୦ ପ୍ରତିଶତ ବୃଦ୍ଧି ପାଇ ୧.୩୫ ଲକ୍ଷରେ ପହଞ୍ଚିଛି । ୫୦୦ କୋଟି ଟଙ୍କା ବ୍ୟୟରେ ଶିକ୍ଷାକ୍ଷେତ୍ରରେ ଏଆଇ ପାଇଁ ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ । ଆଇଆଇଟି ଏବଂ ଆଇଆଇଏସସିରେ ବୈଷୟିକ ଗବେଷଣା ପାଇଁ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ପିଏମ ରିସର୍ଚ୍ଚ ଫେଲୋସିପ୍ ଯୋଜନା ଅଧୀନରେ ୧୦,୦୦୦ ଫେଲୋସିପ୍ ପ୍ରଦାନ କରାଯିବ । ୧ କୋଟି ପାଣ୍ଡୁଲିପି ଐତିହ୍ୟର ସର୍ବେକ୍ଷଣ, ଦସ୍ତାବିଜ ଏବଂ ସଂରକ୍ଷଣ ପାଇଁ “ଜ୍ଞାନ-ଭାରତମ ମିଶନ” ହାତକୁ ନିଆଯିବ । ଜ୍ଞାନ ଆଦାନପ୍ରଦାନ ପାଇଁ ଭାରତୀୟ ଜ୍ଞାନ ପ୍ରଣାଳିରେ ଜାତୀୟ ଡିଜିଟାଲ ଡିପୋଜିଟାରୀ (ଆଇକେଏସ)ର ବ୍ୟବସ୍ଥା ହେବ । ଆସନ୍ତା ବର୍ଷଠାରୁ ମେଡିକାଲ କଲେଜରେ ୧୦ ହଜାର ସିଟ୍ ଯୋଡ଼ାଯିବ । ଆସନ୍ତା ତିନି ବର୍ଷ ମଧ୍ୟରେ ସମସ୍ତ ଜିଲ୍ଲା ଡାକ୍ତରଖାନାରେ ଡେ-କେୟାର କ୍ୟାନସର ସେଣ୍ଟର ସ୍ଥାପନ କରିବା ସହ ୨୦୨୫-୨୬ରେ ହିଁ ୨୦୦ଟି କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ପ୍ରୋତ୍ସାହିତ କରିବେ । ଯୁବପିଢିଙ୍କୁ ଦକ୍ଷ କରିବା ସହ ସେମାନଙ୍କ ବିଶ୍ୱସ୍ତରୀୟ ସୁଯୋଗର ସୁବିଧା ନେବା ପାଇଁ ୫ଟି ଜାତୀୟ ଦକ୍ଷତା ଉତ୍କର୍ଷ କେନ୍ଦ୍ର କରାଯିବ । ଏହାବ୍ୟତୀତ ଷ୍ଟାର୍ଟଅପ୍ ପାଇଁ ସରକାର ବର୍ତ୍ତମାନର ୧୦,୦୦୦ କୋଟି ଟଙ୍କାର ସରକାରୀ ଯୋଗଦାନ ବ୍ୟତୀତ ଅତିରିକ୍ତ ୧୦,୦୦୦ କୋଟି ଟଙ୍କାର ପାଣ୍ଠି ପ୍ରଦାନ କରିବେ । ଡିପଟେକ୍ ପାଣ୍ଠି ଉଭୟ ବୈଷୟିକ ଏବଂ ଅଣ-ବୈଷୟିକ ପୃଷ୍ଠଭୂମିର ଷ୍ଟାର୍ଟଅପ୍ ଗୁଡ଼ିକୁ ପ୍ରୋତ୍ସାହିତ କରିବ । ପ୍ରଥମ ଥର ଉଦ୍ୟୋଗୀ ହୋଇଥିବା ୫ ଲକ୍ଷ ମହିଳା, ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ନୂଆ ଯୋଜନା ହୋଇଛି । ଏହାଦ୍ୱାରା ଆଗାମୀ ୫ ବର୍ଷ ମଧ୍ୟରେ ୨ କୋଟି ଟଙ୍କା ପର୍ୟ୍ୟନ୍ତ ଋଣ ମିଳିବ, ଯାହା ସ୍ୱାଗତଯୋଗ୍ୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Leave A Reply

Your email address will not be published.