ପରବର୍ତ୍ତୀ ପାଞ୍ଚ ବର୍ଷ ‘ସବକା ବିକାଶ’କୁ ବାସ୍ତବ ରୂପ ଦେବା ପାଇଁ ଏକ ଅଦ୍ୱିତୀୟ ସୁଯୋଗ ପ୍ରଦାନ କରିବ : କେନ୍ଦ୍ର ବଜେଟ୍ ୨୦୨୫-୨୬
- କୃଷି, ଏମ୍ଏସ୍ଏମ୍ଇ, ନିବେଶ ଏବଂ ରପ୍ତାନି ବିକାଶର ଯାତ୍ରାରେ ଚାରୋଟି ଶକ୍ତିଶାଳୀ ଇଞ୍ଜିନ ହେବ
- ବଜେଟରେ ଗରିବ, ଯୁବକ, ଅନ୍ନଦାତା ଏବଂ ନାରୀଙ୍କ ଉପରେ ଫୋକସ
ନୂଆଦିଲ୍ଲୀ, (ପିଆଇବି) : ଆସନ୍ତା ପାଞ୍ଚ ବର୍ଷକୁ ‘ସବକା ବିକାଶ’ ଲକ୍ଷ୍ୟ ହାସଲ କରିବାର ଏକ ନିଆରା ସୁଯୋଗ ଭାବରେ ଦେଖାଯାଉଛି ବୋଲି କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ କେନ୍ଦ୍ର ବଜେଟ୍ ୨୦୨୫-୨୬ ଉପସ୍ଥାପନ କରୁଥିବାବେଳେ କହିଛନ୍ତି । ବଜେଟ୍ ଭାଷଣରେ କେନ୍ଦ୍ର ଅର୍ଥମନ୍ତ୍ରୀ ସମସ୍ତ ଅଞ୍ଚଳର ସନ୍ତୁଳିତ ଅଭିବୃଦ୍ଧିକୁ ଉତ୍ସାହିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ମନ୍ତ୍ରୀ ଆଲୋକପାତ କରିଛନ୍ତି ଯେ ଆମର ଅର୍ଥନୀତି ହେଉଛି ବିଶ୍ୱର ସମସ୍ତ ପ୍ରମୁଖ ଅର୍ଥନୀତି ମଧ୍ୟରେ ଦ୍ରୁତତମ ଅଭିବୃଦ୍ଧି କରୁଥିବା ଅର୍ଥନୀତି । ବିଗତ ୧୦ ବର୍ଷର ଆମର ବିକାଶର ଟ୍ରାକ୍ ରେକର୍ଡ ଏବଂ ଗଠନମୂଳକ ସଂସ୍କାର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି । ଏହି ଅବଧିରେ ଭାରତର ଶକ୍ତି ଏବଂ ସାମର୍ଥ୍ୟ ଉପରେ ଆତ୍ମବିଶ୍ୱାସ ବଢିଛି ବୋଲି ମନ୍ତ୍ରୀ କହିଛନ୍ତି । ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା, ସମାବେଶୀ ବିକାଶକୁ ପ୍ରୋତ୍ସାହିତ କରିବା, ଘରୋଇ କ୍ଷେତ୍ରର ପୁଞ୍ଜି ବିନିଯୋଗକୁ ବୃଦ୍ଧି କରିବା ଏବଂ ଭାରତର ବଢୁଥିବା ମଧ୍ୟବିତ୍ତଙ୍କ ଖର୍ଚ୍ଚ ଶକ୍ତି ବୃଦ୍ଧି ପାଇଁ ସରକାରଙ୍କ ଉଦ୍ୟମକୁ କେନ୍ଦ୍ର ବଜେଟ୍ ୨୦୨୫-୨୬ ରେଖାଙ୍କିତ କରିଛି । କୃଷି, ଏମଏସଏମଇ, ନିବେଶ ଏବଂ ରପ୍ତାନିକୁ ବିକାଶର ଚାରିଟି ଶକ୍ତିଶାଳୀ ଇଞ୍ଜିନ ବୋଲି ଉଲ୍ଲେଖ କରି ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଏହି ବଜେଟରେ ଛଅ ଟି ଡୋମେନରେ ପରିବର୍ତ୍ତନଶୀଳ ସଂସ୍କାର ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି । ପରବର୍ତ୍ତୀ ପାଞ୍ଚ ବର୍ଷ ମଧ୍ୟରେ ଟିକସ, ବିଦ୍ୟୁତ୍ କ୍ଷେତ୍ର, ସହରୀ ବିକାଶ, ଖଣି, ଆର୍ଥିକ କ୍ଷେତ୍ର ଏବଂ ନିୟାମକ ସଂସ୍କାରର ଡୋମେନ୍ ଆମର ଅଭିବୃଦ୍ଧି ସମ୍ଭାବନା ଏବଂ ବିଶ୍ୱସ୍ତରୀୟ ପ୍ରତିଦ୍ୱନ୍ଦ୍ୱିତାକୁ ବୃଦ୍ଧି କରିବ । ଅର୍ଥମନ୍ତ୍ରୀ କହିଛନ୍ତି ଯେ ବିକାଶର ଯାତ୍ରାରେ “ଆମର ସଂସ୍କାର” ହେଉଛି ଇନ୍ଧନ; “ଅନ୍ତର୍ଭୂକ୍ତିକରଣ” ହେଉଛି ଆବେଗ; ଏବଂ “ବିକଶିତ ଭାରତ” ହେଉଛି ଗନ୍ତବ୍ୟ ସ୍ଥଳ । ତାଙ୍କ ବଜେଟ୍ ୨୦୨୫-୨୬ ଅଭିଭାଷଣରେ ଗରିବ, ଯୁବକ, ଅନ୍ନଦାତା ଏବଂ ନାରୀଙ୍କ ଉପରେ ଧ୍ୟାନ ଦେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଦଶଟି ବ୍ୟାପକ କ୍ଷେତ୍ରକୁ ନେଇ ପ୍ରସ୍ତାବିତ ବିକାଶମୂଳକ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏଗୁଡ଼ିକ ହେଉଛି କୃଷି ଅଭିବୃଦ୍ଧି ଏବଂ ଉତ୍ପାଦକତା; ଗ୍ରାମୀଣ ସମୃଦ୍ଧତା ଏବଂ ସ୍ଥିରତା ନିର୍ମାଣ; ସମସ୍ତଙ୍କୁ ଏକ ଅନ୍ତର୍ଭୂକ୍ତ ଅଭିବୃଦ୍ଧି ପଥରେ ନେବା; ଉତ୍ପାଦନକୁ ବଳ ଦେବା ସହିତ ମେକ୍ ଇନ୍ ଇଣ୍ଡିଆକୁ ଆଗକୁ ବଢାଇବା; ଏମଏସଏମଇ ଗୁଡ଼ିକୁ ସମର୍ଥନ କରିବା; ନିଯୁକ୍ତି-ନେତୃତ୍ୱ ବିକାଶକୁ ସକ୍ଷମ କରିବା; ଲୋକ, ଅର୍ଥନୀତି ଏବଂ ନବସୃଜନରେ ବିନିଯୋଗ; ଶକ୍ତି ଯୋଗାଣକୁ ସୁରକ୍ଷିତ କରିବା; ରପ୍ତାନିକୁ ପ୍ରୋତ୍ସାହିତ କରିବା; ଏବଂ ନବସୃଜନର ସମ୍ମିଳିତ ବିକାଶ । କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ “ବିକଶିତ ଭାରତ” ଶୂନ ଦାରିଦ୍ର୍ୟତା, ଶତ ପ୍ରତିଶତ ଉନ୍ନତ ଗୁଣାତ୍ମକ ବିଦ୍ୟାଳୟ ଶିକ୍ଷା; ଉଚ୍ଚ-ଗୁଣାତ୍ମକ, ସୁଲଭ ଏବଂ ବ୍ୟାପକ ସ୍ୱାସ୍ଥ୍ୟସେବା; ଅର୍ଥପୂର୍ଣ୍ଣ ନିଯୁକ୍ତି ସହିତ ଶତ ପ୍ରତିଶତ କୁଶଳୀ ଶ୍ରମିକ; ଅର୍ଥନୈତିକ କାର୍ଯ୍ୟକଳାପରେ ସତୁରି ପ୍ରତିଶତ ମହିଳା ଏବଂ ଆମ ଦେଶକୁ ‘ବିଶ୍ୱର ଖାଦ୍ୟ ଭଣ୍ଡାର’ ଭାବେ ପ୍ରସ୍ତୁତ କରୁଥିବା କୃଷକଙ୍କ ଉପରେ ଗୁରୁତ୍ୱ ଦେଉଛି ।