ଆର୍ଥିକ ବର୍ଷ ୧୫ ରୁ ୨୨ ମଧ୍ୟରେ ମୋଟ ସ୍ୱାସ୍ଥ୍ୟ ଖର୍ଚ୍ଚରେ ସରକାରୀ ସ୍ୱାସ୍ଥ୍ୟ ଖର୍ଚ୍ଚର ଅଂଶ ୨୯.୦%ରୁ ୪୮.୦%କୁ ବୃଦ୍ଧି ପାଇଛି : ଅର୍ଥନୈତିକ ସର୍ଭେ ୨୦୨୪-୨୫

  • ଆୟୁଷ୍ମାନ ଯୋଜନାରେ ଆଉଟ୍ ଅଫ୍ ପକେଟ୍ ଖର୍ଚ୍ଚରେ ଉଲ୍ଲେଖନୀୟ ହ୍ରାସ, ୧.୨୫ ଲକ୍ଷ କୋଟିରୁ ଅଧିକ ସଞ୍ଚୟ ରେକର୍ଡ଼
  • ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଅଧୀନରେ ୭୨.୮୧ କୋଟି ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଆକାଉଣ୍ଟ ସୃଷ୍ଟି କରାଯାଇଛି
  • ୩୪ ପ୍ରତିଶତ ସ୍ୱାସ୍ଥ୍ୟ ସେବା ସଂଗଠନ ଏଆଇ ପ୍ରୋଜେକ୍ଟ ପରୀକ୍ଷଣ କରୁଛନ୍ତି
  • ଆର୍ଥିକ ବର୍ଷ ୧୬ ରୁ ୨୨ ବର୍ଷ ମଧ୍ୟରେ ପୁଞ୍ଜି ବ୍ୟୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ବ୍ୟୟ ଯଥେଷ୍ଟ ବୃଦ୍ଧି ପାଇଛି
  • ପ୍ରାଥମିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଇ-ସଞ୍ଜୀବନୀ ବିଶ୍ୱର ସର୍ବବୃହତ ଟେଲିମେଡିସିନ୍ ପଦକ୍ଷେପ ଭାବେ ଉଭା ହୋଇଛି

ନୂଆଦିଲ୍ଲୀ, (ପିଆଇବି) : ଭାରତର ଅର୍ଥନୈତିକ ଅଭିବୃଦ୍ଧି ରଣନୀତିରେ ସମସ୍ତ ନାଗରିକଙ୍କ ପାଇଁ ଅନ୍ତର୍ଭୁକ୍ତୀକରଣ ଏବଂ କଲ୍ୟାଣ ଉପରେ ଗୁରୁତ୍ୱ ଦିଆଯାଇଛି । ଶିକ୍ଷା, ସ୍ୱାସ୍ଥ୍ୟସେବା, ଦକ୍ଷତା ବିକାଶ ଏବଂ ସାମାଜିକ ଭିତ୍ତିଭୂମି ବିକାଶ ମାଧ୍ୟମରେ ନାଗରିକମାନଙ୍କୁ ସଶକ୍ତ କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ବିକଶିତ ଭାରତ ୨୦୪୭ ର ପରିକଳ୍ପନାର କେନ୍ଦ୍ରବିନ୍ଦୁ ହେଉଛି ସମନ୍ୱିତ ଅର୍ଥନୈତିକ ଅଭିବୃଦ୍ଧି । ଆଜି ସଂସଦରେ ଉପସ୍ଥାପିତ ଅର୍ଥନୈତିକ ସର୍ବେକ୍ଷଣ ୨୦୨୪-୨୫ରେ କୁହାଯାଇଛି ଯେ ପ୍ରତିଷେଧକ ବ୍ୟବସ୍ଥା, ଉଚ୍ଚମାନର ସ୍ୱାସ୍ଥ୍ୟସେବାର ସାର୍ବଜନୀନ ଉପଲବ୍ଧତା, ଜନସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ଚିକିତ୍ସା ଶିକ୍ଷାର ଉନ୍ନତି ସମେତ ସରକାରୀ ପଦକ୍ଷେପ ଭାରତରେ ସ୍ୱାସ୍ଥ୍ୟସେବାକୁ ଅଧିକ ସୁଲଭ ଏବଂ ସହଜରେ ଉପଲବ୍ଧ କରିବାରେ ସାମୂହିକ ଭାବେ ଯୋଗଦାନ ଦେଇଛି ।
ସ୍ୱାସ୍ଥ୍ୟ ଖର୍ଚ୍ଚ :
ଅର୍ଥନୈତିକ ସର୍ବେକ୍ଷଣ ଅନୁଯାୟୀ, ଆର୍ଥିକ ବର୍ଷ ୨୨ରେ ମୋଟ ସ୍ୱାସ୍ଥ୍ୟ ବ୍ୟୟ ୯,୦୪,୪୬୧ କୋଟି ଟଙ୍କା (ଜିଡିପିର ୩.୮ ପ୍ରତିଶତ ଏବଂ ବର୍ତ୍ତମାନର ମୂଲ୍ୟରେ ମୁଣ୍ଡପିଛା ୬୬୦୨ ଟଙ୍କା) ହେବ ବୋଲି ଆକଳନ କରାଯାଇଛି । ମୁଣ୍ଡପିଛା ମୋଟ ସ୍ୱାସ୍ଥ୍ୟ ଖର୍ଚ୍ଚ (ସ୍ଥିର ମୂଲ୍ୟରେ) ଆର୍ଥିକ ବର୍ଷ ୨୦୧୯ ପର ଠାରୁ ବୃଦ୍ଧି ପାଉଛି ।
ଆର୍ଥିକ ବର୍ଷ ୨୦୧୫ରୁ ୨୨ ମଧ୍ୟରେ ଦେଶର ମୋଟ ସ୍ୱାସ୍ଥ୍ୟ ଖର୍ଚ୍ଚରେ ସରକାରୀ ସ୍ୱାସ୍ଥ୍ୟ ଖର୍ଚ୍ଚର ଅଂଶ ୨୯.୦ ପ୍ରତିଶତରୁ ୪୮.୦ ପ୍ରତିଶତକୁ ବୃଦ୍ଧି ପାଇଛି ।
ମୋଟ୍ ସ୍ୱାସ୍ଥ୍ୟ ଖର୍ଚ୍ଚ ମଧ୍ୟରୁ ବର୍ତ୍ତମାନର ସ୍ୱାସ୍ଥ୍ୟ ଖର୍ଚ୍ଚ ୭,୮୯,୭୬୦ କୋଟି ଟଙ୍କା (ମୋଟ୍ ସ୍ୱାସ୍ଥ୍ୟ ଖର୍ଚ୍ଚର ୮୭.୩ ପ୍ରତିଶତ) ଏବଂ ପୁଞ୍ଜି ବ୍ୟୟ ୧,୧୪,୭୦୧ କୋଟି ଟଙ୍କା (ମୋଟ୍ ସ୍ୱାସ୍ଥ୍ୟ ଖର୍ଚ୍ଚର ୧୨.୭ ପ୍ରତିଶତ) ରହିଛି । ଆର୍ଥିକ ବର୍ଷ ୨୦୧୬ରେ ମୋଟ୍ ସ୍ୱାସ୍ଥ୍ୟ ଖର୍ଚ୍ଚର ପୁଞ୍ଜି ବ୍ୟୟର ଅଂଶ ୬.୩ ପ୍ରତିଶତ ଥିବା ବେଳେ ଆର୍ଥିକ ବର୍ଷ ୨୨ରେ ଏହା ୧୨.୭ ପ୍ରତିଶତକୁ ବୃଦ୍ଧି ପାଇବା ଏକ ସକାରାତ୍ମକ ସଙ୍କେତ କାରଣ ଏହାଦ୍ୱାରା ବ୍ୟାପକ ଏବଂ ଉନ୍ନତ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୃଷ୍ଟି ହେବ ।
ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେଏୱାଇ)
ଏବି-ପିଏମଜେଏୱାଇ ଭାରତର ସବୁଠାରୁ ଦୁର୍ବଳ ଜନସଂଖ୍ୟାର ନିମ୍ନ ୪୦ ପ୍ରତିଶତ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ କରି ସ୍ୱାସ୍ଥ୍ୟସେବାରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି ।
ସ୍ୱାସ୍ଥ୍ୟ କ୍ଷେତ୍ରରେ ସରକାରୀ ବ୍ୟୟ ବୃଦ୍ଧି ପରିବାରଗୁଡ଼ିକର ଆର୍ଥିକ ଅସୁବିଧା ହ୍ରାସ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଛି ।
୧୫ ଜାନୁଆରୀ ୨୦୨୫ ସୁଦ୍ଧା ୪୦ ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ ଏହି ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି ।
ସାମାଜିକ ସୁରକ୍ଷା ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ ଖର୍ଚ୍ଚ ଆଉଟ୍ ଅଫ୍‌ ପକେଟ୍ ଏକ୍ସପେନ୍ସ (ଓଓପିଇ)ରେ ଉଲ୍ଲେଖନୀୟ ହ୍ରାସରେ ଏବି-ପିଏମଜେଏୱାଇ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛି, ଯେଉଁଥିରେ ୧.୨୫ ଲକ୍ଷ କୋଟିରୁ ଅଧିକ ସଞ୍ଚୟ ରେକର୍ଡ କରାଯାଇଛି ।
ମାଗଣା ଡାଏଲିସିସ୍ ଯୋଜନା ଭଳି ଅନ୍ୟାନ୍ୟ ପଦକ୍ଷେପ ଦ୍ୱାରା ପ୍ରାୟ ୨୫ ଲକ୍ଷ ଲୋକ ଉପକୃତ ହୋଇଛନ୍ତି । ସ୍ୱାସ୍ଥ୍ୟସେବାରେ ସରକାରୀ ବ୍ୟୟ ବୃଦ୍ଧି ସହିତ ଓଓପିଇ ହ୍ରାସ ଏକାସାଙ୍ଗରେ ଚାଲିଛି, ଯାହା ସାର୍ବଜନୀନ ସ୍ୱାସ୍ଥ୍ୟ କଭରେଜ୍ ଦିଗରେ ଅଗ୍ରଗତି ପ୍ରଦର୍ଶନ କରୁଛି ।
ଏହି ଯୋଜନା ଅଧୀନରେ ଉପ-ସ୍ୱାସ୍ଥ୍ୟ କେନ୍ଦ୍ର (ଏସଏଚସି) ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚସି)ରେ ପରିବର୍ତ୍ତନ କରି ଗ୍ରାମୀଣ ଏବଂ ସହରାଞ୍ଚଳରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (ଏଏଏମ) (ପୂର୍ବରୁ ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର) କାର୍ୟ୍ୟକ୍ଷମ କରାଯାଇଛି, ଯାହା ସମ୍ପ୍ରଦାୟର ନିକଟତର ପ୍ରତିଷେଧକ, ଉତ୍ସାହଜନକ, ରୋଗ ନିରାକରଣକାରୀ, ଉପଶମକାରୀ ଏବଂ ଥଇଥାନ ସେବାର ସାର୍ବଜନୀନ, ମାଗଣା ଏବଂ ବିସ୍ତାରିତ ପ୍ୟାକେଜ୍ ପ୍ରଦାନ କରୁଛି ।
ଚିତ୍ର ୧: ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଫ୍ୟାକ୍ଟସିଟ୍

ସ୍ୱାସ୍ଥ୍ୟସେବାରେ ବୈଷୟିକ ଜ୍ଞାନକୌଶଳ
ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ (ଏବିଡିଏମ୍) ଅଧୀନରେ ୭୨.୮୧ କୋଟି ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଆକାଉଣ୍ଟ ସୃଷ୍ଟି କରାଯାଇଛି ବୋଲି ଅର୍ଥନୈତିକ ସର୍ବେକ୍ଷଣରେ ଦର୍ଶାଯାଇଛି ।
ଏଥିରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଇ-ସଞ୍ଜୀବନୀ – ଜାତୀୟ ଟେଲିମେଡିସିନ୍ ସେବା, ପ୍ରାଥମିକ ସ୍ୱାସ୍ଥ୍ୟସେବାରେ ବିଶ୍ୱର ସର୍ବବୃହତ ଟେଲିମେଡିସିନ୍ କାର୍ଯ୍ୟକାରିତା ଭାବରେ ଉଭା ହୋଇଛି । ଏହା ୧.୨୯ ଲକ୍ଷ ଏଏଏମ ମାଧ୍ୟମରେ ୩୧.୧୯ କୋଟିରୁ ଅଧିକ ରୋଗୀଙ୍କୁ ସ୍ପୋକ ଭାବରେ ସେବା ପ୍ରଦାନ କରିଛି, ଯାହା ୧୬,୪୪୭ ହବ୍ ଏବଂ ୬୭୬ ଅନଲାଇନ୍ ଓପିଡି ଦ୍ୱାରା ସେବା ପ୍ରଦାନ କରୁଛି ।
ଅର୍ଥନୈତିକ ସର୍ବେକ୍ଷଣରେ ଆହୁରି ମଧ୍ୟ କୁହାଯାଇଛି ଯେ ୟୁ-ୱିନ୍ ପୋର୍ଟାଲରେ ୧.୭ କୋଟିରୁ ଅଧିକ ଗର୍ଭବତୀ ମହିଳା ଏବଂ ୫.୪ କୋଟି ଶିଶୁ ଡିଜିଟାଲ ଭାବେ ପଞ୍ଜୀକରଣ କରିଛନ୍ତି ଏବଂ ରିୟଲ ଟାଇମରେ ୨୬.୪ କୋଟିରୁ ଅଧିକ ଟିକା ଡୋଜ୍ ଟ୍ରାକ୍ କରିଛନ୍ତି ।
ଅର୍ଥନୈତିକ ସର୍ବେକ୍ଷଣରେ ଦର୍ଶାଯାଇଛି ଯେ ଡ୍ରୋନ୍ ଗୁଡ଼ିକ ଜୀବନ ରକ୍ଷାକାରୀ ଔଷଧର ଦ୍ରୁତ ବିତରଣ ସୁନିଶ୍ଚିତ କରିବା ଏବଂ ଦୁର୍ଗମ ଏବଂ ଅପହଞ୍ଚ ଅଞ୍ଚଳରୁ ନମୁନା ସଂଗ୍ରହ କରି ଭାରତରେ ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ କରୁଛି, ଯାହା ଜରୁରୀକାଳୀନ ପରିସ୍ଥିତିରେ ଅପରିହାର୍ଯ୍ୟ ସାବ୍ୟସ୍ତ ହେଉଛି ।
ଟିକା ଏବଂ ଚିକିତ୍ସା ଯୋଗାଣ ପାଇଁ ଡ୍ରୋନ୍ ବ୍ୟବହାରର ସମ୍ଭାବ୍ୟତା ଆକଳନ କରିବା ଉଦ୍ଦେଶ୍ୟରେ ଅକ୍ଟୋବର ୨୦୨୧ରେ ମନ୍ତ୍ରଣାଳୟ ତତ୍ତ୍ୱାବଧାନରେ ‘ଆଇ-ଡ୍ରୋନ୍’ ପ୍ରକଳ୍ପ ଆରମ୍ଭ କରାଯାଇଥିଲା ।
ଅର୍ଥନୈତିକ ସର୍ବେକ୍ଷଣ ରେ କୁହାଯାଇଛି ଯେ ସ୍ୱାସ୍ଥ୍ୟସେବାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଗ୍ରହଣ କରିବାରେ ଭାରତର ବହୁତ ସମ୍ଭାବନା ରହିଛି । ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ୨୦୨୩ରେ ଭାରତର ୩୪ ପ୍ରତିଶତ ସ୍ୱାସ୍ଥ୍ୟସେବା ସଂଗଠନ ଏଆଇ ପ୍ରକଳ୍ପକୁ କାର୍ଯ୍ୟକାରୀ କରୁଛନ୍ତି ଏବଂ ୧୬ ପ୍ରତିଶତ ସେମାନଙ୍କର ଜେନେରେଟିଭ୍ ଏଆଇ ପଦକ୍ଷେପକୁ ଉତ୍ପାଦନ କ୍ଷେତ୍ରରେ ସ୍ଥାନାନ୍ତର କରିଛନ୍ତି ।
ଅର୍ଥନୈତିକ ସର୍ବେକ୍ଷଣ ୨୦୨୪-୨୫ରେ କୁହାଯାଇଛି ଯେ ଜାତୀୟ ସ୍ତରରେ ଆର୍ଥିକ ବର୍ଷ ୨୦୨୪ ପାଇଁ ସମ୍ପୂର୍ଣ୍ଣ ଟୀକାକରଣ କଭରେଜ୍ ୯୩.୫ ପ୍ରତିଶତ ରହିଥିବା ବେଳେ ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମ ଜନସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବା ସହ ଅତ୍ୟାବଶ୍ୟକ ଟିକାର ସମାନ ଉପଲବ୍ଧତା ସୁନିଶ୍ଚିତ କରିବା ଜାରି ରଖିଛି । ପ୍ରଥମ ବର୍ଷରେ ବ୍ୟାସିଲ୍ କାଲମେଟ ଗୁଏରିନ୍ (ବିସିଜି), ଓରାଲ୍ ପୋଲିଓ ଭ୍ୟାକ୍ସିନ୍ (ଓପିଭି)ର ୩ ଡୋଜ୍, ପେଣ୍ଟାଭାଲେଣ୍ଟର ୩ ଡୋଜ୍ ଓ ମିଜିଲ୍ସ ରୁବେଲା (ଏମଆର) ଗୋଟିଏ ଡୋଜ୍ ନେଇଥିବା ଶିଶୁଙ୍କୁ ସମ୍ପୂର୍ଣ୍ଣ ପ୍ରତିଷେଧକ ଶିଶୁ କୁହାଯାଏ । ସୁଲଭ ମୂଲ୍ୟରେ ଔଷଧ ଯୋଗାଇବା ପାଇଁ ଆରମ୍ଭ ହୋଇଥିବା ଜନ ଔଷଧୀ ଯୋଜନା ୨୦୨୪ରେ ରେକର୍ଡ ବିକ୍ରି ହାସଲ କରିବା ସହ ଦେଶବ୍ୟାପୀ ୧୪,୦୦୦ ରୁ ଅଧିକ କେନ୍ଦ୍ରରେ ବିସ୍ତାର କରିଛି ବୋଲି ସର୍ଭେରେ ଦର୍ଶାଯାଇଛି ।

Leave A Reply

Your email address will not be published.