
ନୂଆଦିଲ୍ଲୀ, (ପିଆଇବି) : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦର ସେଣ୍ଟ୍ରାଲ ହଲରେ ଯୁବ ବନ୍ଧୁମାନଙ୍କ ସହ ଆଲୋଚନା କରିଛନ୍ତି । ୨୦୪୭ ସୁଦ୍ଧା ଦେଶର ଲକ୍ଷ୍ୟ କ’ଣ ବୋଲି ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ପଚାରିଥିଲେ, ଯାହାର ଉତ୍ତରରେ ଜଣେ ଛାତ୍ର ପୂର୍ଣ୍ଣ ଆତ୍ମବିଶ୍ୱାସର ସହ କହିଥିଲେ ଯେ ଭାରତକୁ ଏକ ବିକଶିତ ରାଷ୍ଟ୍ର (ବିକଶିତ ଭାରତ)ରେ ପରିଣତ କରିବାକୁ ପଡ଼ିବ । ଯେତେବେଳେ ପ୍ରଧାନମନ୍ତ୍ରୀଙ୍କୁ ପଚରାଯାଇଥିଲା ଯେ କେବଳ ୨୦୪୭ ପର୍ଯ୍ୟନ୍ତ କାହିଁକି, ଅନ୍ୟ ଜଣେ ଛାତ୍ର ଉତ୍ତର ଦେଇଥିଲେ ଯେ ଯେତେବେଳେ ଭାରତ ଏହାର ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବ, ଆମର ବର୍ତ୍ତମାନର ପିଢ଼ି ଦେଶର ସେବା କରିବାକୁ ପ୍ରସ୍ତୁତ ରହିବେ । ଏହି ଦିବସର ମହତ୍ତ୍ୱ ସମ୍ପର୍କରେ ଶ୍ରୀ ମୋଦୀ ଛାତ୍ରଛାତ୍ରୀମାନଙ୍କୁ ପଚାରିବାରୁ ସେମାନେ କହିଥିଲେ ଯେ ଓଡ଼ିଶାର କଟକରେ ଜନ୍ମଗ୍ରହଣ କରିଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମତିଥି । ନେତାଜୀ ବୋଷଙ୍କ ଜୟନ୍ତୀ ଉପଲକ୍ଷେ କଟକରେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏହାପରେ ସେ ଅନ୍ୟ ଜଣେ ଛାତ୍ରଙ୍କୁ ପଚାରିଥିଲେ ଯେ ନେତାଜୀଙ୍କ ସ୍ଲୋଗାନ ମଧ୍ୟରୁ କେଉଁଟି ତାଙ୍କୁ ସବୁଠାରୁ ଅଧିକ ପ୍ରେରଣା ଦେଉଛି, ଯାହାର ଉତ୍ତରରେ ସେ କହିଥିଲେ, “ମୋତେ ରକ୍ତ ଦିଅ ଏବଂ ମୁଁ ତୁମକୁ ସ୍ୱାଧୀନତା ଦେବି” । ନେତାଜୀ ବୋଷ ନିଜ ଦେଶକୁ ସର୍ବଦା ଆଗରେ ରଖି ପ୍ରକୃତ ନେତୃତ୍ୱ ପ୍ରଦର୍ଶନ କରୁଥିଲେ ଏବଂ ଏହି ସମର୍ପଣ ଆମକୁ ବହୁତ ପ୍ରେରଣା ଦେଇଛି । ଏହାପରେ ପ୍ରଧାନମନ୍ତ୍ରୀ ପଚାରିଥିଲେ ଯେ ସେ ଏଥିରୁ କ’ଣ ପ୍ରେରଣା ପାଇଛନ୍ତି, ଯାହାର ଉତ୍ତରରେ ଛାତ୍ରୀ ଜଣକ କହିଥିଲେ ଯେ ସେ ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍ଡିଜି)ର ଏକ ଅଂଶ ସ୍ୱରୂପ ଦେଶରେ କାର୍ବନ ନିର୍ଗମନ ହ୍ରାସ କରିବାକୁ ପ୍ରେରିତ ହୋଇଛନ୍ତି । ଏହାପରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ପଚାରିଥିଲେ ଯେ କାର୍ବନ ନିର୍ଗମନ ହ୍ରାସ କରିବା ପାଇଁ ଭାରତରେ କ’ଣ ପଦକ୍ଷେପ ନିଆଯାଇଛି, ଯାହାର ଉତ୍ତରରେ ସେ କହିଥିଲେ ଯେ ଇଲେକ୍ଟ୍ରିକ୍ ଯାନ ଏବଂ ବସ୍ ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ୧,୨୦୦ରୁ ଅଧିକ ଇଲେକ୍ଟ୍ରିକ୍ ବସ୍ ଦିଲ୍ଲୀରେ ଚାଲୁଛି ଏବଂ ଭବିଷ୍ୟତରେ ଆହୁରି ଅଧିକ ଯୋଡ଼ାଯିବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ବିଷୟରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ । ଏହି ଯୋଜନାଦ୍ୱାରା ଘରର ଛାତ ଉପରେ ସୋଲାର ପ୍ୟାନେଲ ଲଗାଯାଉଛି, ଯାହା ସୌର ଶକ୍ତିରୁ ବିଜୁଳି ଉତ୍ପାଦନ କରିବ । ଏହାଦ୍ୱାରା ବିଦ୍ୟୁତ ବିଲ୍ ପୈଠ କରିବାର ଆବଶ୍ୟକତା ଦୂର ହେବ । ସେ କହିଛନ୍ତି ଯେ ଉତ୍ପାଦିତ ବିଦ୍ୟୁତ୍କୁ ଇଲେକ୍ଟ୍ରିକ୍ ଯାନ ଚାର୍ଜ କରିବା ପାଇଁ ବ୍ୟବହାର କରାଯାଇପାରିବ, ଯାହାଦ୍ୱାରା ଜୀବାଶ୍ମ ଇନ୍ଧନ ଉପରେ ଖର୍ଚ୍ଚ ହ୍ରାସ ପାଇବ ଏବଂ ପ୍ରଦୂଷଣକୁ ରୋକାଯାଇପାରିବ । ଘରୋଇ ବ୍ୟବହାର ପରେ ଘରେ ଉତ୍ପାଦିତ ହେଉଥିବା ଅତିରିକ୍ତ ବିଜୁଳିକୁ ସରକାରଙ୍କୁ ବିକ୍ରି କରାଯାଇପାରିବ । ପ୍ରତିବଦଳରେ ସେମାନେ ପାଣ୍ଠି ପ୍ରଦାନ କରିବେ ବୋଲି ଶ୍ରୀ ମୋଦୀ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ । ଅର୍ଥାତ୍ ଆପଣ ଘରେ ବସି ବିଜୁଳି ଉତ୍ପାଦନ କରି ବିକ୍ରି କରିପାରିବେ ।