jayashree

ଏନ୍‌ସିଆର୍‌ବିରେ ତିନି ନୂଆ ଫୌଜଦାରୀ ଆଇନର କାର୍ଯ୍ୟାନ୍ୱୟନ ସମୀକ୍ଷା ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତା

  • ସିସିଟିଏନ୍‌ଏସ୍‌ ୨.୦, ଏନ୍‌ଏଏପଆଇଏସ୍‌, କାରାଗାର, କୋର୍ଟ, ପ୍ରୋସିକ୍ୟୁସନ, ଫରେନ୍ସିକ୍ସର ଆଇସିଜେଏସ ସହ ମିଶ୍ରଣର ସମୀକ୍ଷା ବୈଠକ
  • ଇ-ସାକ୍ଷ୍ୟ, ନ୍ୟାୟ ଶ୍ରୁତି, ଇ-ସାଇନ, ଇ-ସମନ୍ସ ବ୍ୟବହାର କରିବା ଉପରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗୁରୁତ୍ୱାରୋପ
  • ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ ପାଇଁ ଅଧିକାରୀଙ୍କଠାରୁ ବରିଷ୍ଠ ଅଧିକାରୀଙ୍କ ଯାଏ ଆଲର୍ଟ ମେସେଜ ଦେବା ଉପରେ ଗୁରୁତ୍ୱାରୋପ
  • ଅଜଣା ମୃତଦେହ ବା ଅଜଣା ବ୍ୟକ୍ତିଙ୍କ ଲାଗି ବାୟୋ ମେଟ୍ରିକ ବ୍ୟବହାର ଲାଗି ଗୃହମନ୍ତ୍ରୀଙ୍କ ପରାମର୍ଶ
  • ଏନ୍‌ଏଏଫ୍‌ଆଇଏସ୍‌ର ଯାନ୍ତ୍ରିକ ପ୍ରୟୋଗ ନେଇ ଏନ୍‌ସିଆର୍‌ବିକୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ, (ପିଆଇବି) : ପ୍ରଣୟନ ହୋଇଥିବା ତିନି ନୂଆ ଫୌଜଦାରୀ ଆଇନକୁ ନେସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ସହ ଯୋଡାଯିବା ନେଇ ନୂଆଦିଲ୍ଲୀରେ ବସିଥିବା ସମୀକ୍ଷା ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଅଧ୍ୟକ୍ଷତା କରିଥିଲେ । ସାରା ଦେଶରେ ସିସିଟିଏନ୍‌ଏସ୍‌ ୨.୦, ଏନ୍‌ଏଏଫ୍‌ଆଇଏସ୍‌, କାରାଗାର, କୋର୍ଟ, ପ୍ରୋସିକ୍ୟୁସନ, ଫରେନ୍ସିକ୍ସକୁ ଆଇସିଜେଏସ ସହ ମିଶ୍ରଣ ନେଇ ଏହି ବୈଠକ ବସିଥିଲା । କେନ୍ଦ୍ର ଗୃହ ସଚିବ, ଏନ୍‌ସିଆର୍‌ବି ନିର୍ଦ୍ଦେଶକଙ୍କ ସମେତ ଗୃହ ମନ୍ତ୍ରଣାଳୟ, ଏନ୍‌ସିଆର୍‌ବି, ଏନ୍‌ଆଇସିର ବହୁ ବରିଷ୍ଠ ପଦାଧିକାରୀ ଏହି ବୈଠକରେ ଉପସ୍ଥିତ ରହିଥିଲେ । ଆଇସିଜେଏସ୍‌ ୨.୦ରେ ନୂଆ ଫୌଜଦାରୀ ଆଇନର କାର୍ଯ୍ୟାନ୍ୱୟନ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଏନ୍‌ସିଆର୍‌ବିକୁ ତାଗିଦ କରିଥିଲେ । ପ୍ରତି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଇ-ସାକ୍ଷ୍ୟ, ନ୍ୟାୟ ଶ୍ରୁତି, ଇ-ସାଇନ, ଇ-ସମନ୍ସ ବ୍ୟବହାର କରିବା ଉପରେ କେନ୍ଦ୍ର ଗୃହମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ବିଭିନ୍ନ ଫୌଜଦାରୀ ମାମଲା ରୁଜୁ ହେବାଠାରୁ ଫଇସଲା ହେବା ପର୍ଯ୍ୟନ୍ତ ଅଭିଯୋଗକାରୀଙ୍କୁ ମେସେଜ ଆଲର୍ଟ ଦେବା ନେଇ ଯାନ୍ତ୍ରିକ ବିଦ୍ୟାର ସାହାଯ୍ୟ ନେବାକୁ କେନ୍ଦ୍ରମନ୍ତ୍ରୀ କହିଥିଲେ । ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ତଦନ୍ତକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ବରିଷ୍ଠ ଅଧିକାରୀଙ୍କ ଯାଏ ଆଲର୍ଟ ମେସେଜ ଦେବାକୁ ମନ୍ତ୍ରୀ କହିଥିଲେ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ (ଏମ୍‌ଏଚ୍‌ଏ) ଓ ଏନ୍‌ସିଆର୍‌ବି ପକ୍ଷରୁ ଏକ ଟିମ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ବୁଲି ଏନେଇ ଅଧିକରୁ ଅଧିକ ଯାନ୍ତ୍ରିକ ବିଦ୍ୟାର ସହଯୋଗ ନେବାକୁ ସଚେତନତା ସୃଷ୍ଟି କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ । ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ବିଭିନ୍ନ ପୋଲିସ ଅଧିକାରୀଙ୍କ ସହ ନିୟମିତ ଯୋଗସୂତ୍ର ରକ୍ଷା କରି କ୍ରାଇମ ଓ କ୍ରିମିନାଲ ଟ୍ରାକିଂ ନେଟବର୍କ ଆଣ୍ଡ ସିଷ୍ଟମ୍ସ (ସିସିଟିଏନ୍‌ଏସ୍‌) ଓ ଇଂଟର ଅପରେବୁଲ କ୍ରିମିନାଲ ଜଷ୍ଟିସ ସିଷ୍ଟମ (ଆଇସିଜେଏସ୍‌)ର ଅଗ୍ରଗତି ନେଇ ସେ ବରାବର ସମ୍ପର୍କରେ ରହିବେ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ସୂଚନା ଦେଇଛନ୍ତି । ଅଜଣା ମୃତଦେହ ଓ ଅଜଣା ବ୍ୟକ୍ତିଙ୍କ ଲାଗି ଖାସକରି ବାୟୋ ମେଟ୍ରିକ ଯାନ୍ତ୍ରିକ ବିଦ୍ୟା ବ୍ୟବହାର କରିବା ଲାଗି କେନ୍ଦ୍ର ଗୃହମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ତଦନ୍ତକାରୀ ଅଧିକାରୀ ଓ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ଲାଗି ଏନ୍‌ସିଆର୍‌ବି ପକ୍ଷରୁ ଏକ ଡାଟାବେସ ପ୍ରସ୍ତୁତ କରିବା ଉପରେ ମନ୍ତ୍ରୀ ପ୍ରାଧାନ୍ୟ ଦେଇଛନ୍ତି । ନୂଆ ଫୌଜଦାରୀ ଆଇନ ଓ ନେସନାଲ ଅଟୋମେଟେଡ ଫିଙ୍ଗରପ୍ରିଂଟ ଆଡେଂଟିଫିକେସନ ସିଷ୍ଟମ (ଏନ୍‌ଏଏଫ୍‌ଆଇଏସ୍‌)ରେ ଯାନ୍ତ୍ରିକ ବିଦ୍ୟାର ପ୍ରୟୋଗ ଲାଗି କେନ୍ଦ୍ର ଗୃହମନ୍ତ୍ରୀ ଏନ୍‌ସିଆର୍‌ବିକୁ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.