jayashree

ସୁସ୍ଥ ରାଷ୍ଟ୍ର ନିର୍ମାଣ ଦିଗରେ ପ୍ରୟାସ : ଭାରତର ପ୍ରଗତିକୁ ପ୍ରତିଫଳିତ କରୁଛି ପ୍ରମୁଖ ସ୍ୱାସ୍ଥ୍ୟ ସୂଚକାଙ୍କ

• ୧୭ ଡିସେମ୍ବର ୨୦୨୪ ସୁଦ୍ଧା, ଏବି ପିଏ୍‌ମ-ଜେଏୱାଇ ୩୬.୨୮ କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ ଜାରି
• ୨୨ ଡିସେମ୍ବର ୨୦୨୪ ସୁଦ୍ଧା, ୭୧.୮୧ କୋଟିରୁ ଅଧିକ ଆଭା ନମ୍ବର ସୃଷ୍ଟି

ନୂଆଦିଲ୍ଲୀ, (ପିଆଇବି) : ଏକ ସୁସ୍ଥ ରାଷ୍ଟ୍ର ଗଠନ ଦିଗରେ ଭାରତର ଯାତ୍ରା ସ୍ୱାସ୍ଥ୍ୟସେବା ଉପଲବ୍ଧତା, ସମାନତା ଏବଂ ଫଳାଫଳରେ ଯଥେଷ୍ଟ ଅଗ୍ରଗତି ଦ୍ୱାରା ପ୍ରତିଫଳିତ ହୋଇଛି । ଗତ ଦଶନ୍ଧି ମଧ୍ୟରେ, ଭାରତ ପରିବର୍ତ୍ତନକାରୀ ନୀତି ଏବଂ ପଦକ୍ଷେପଗୁଡିକ କାର୍ଯ୍ୟକାରୀ କରିଛି ଯାହା ସାର୍ବଜନୀନ ସ୍ୱାସ୍ଥ୍ୟ ପ୍ରସାର ହାସଲ କରିବା ପାଇଁ ଏକ ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ । ଏହି ଯାତ୍ରାର ଏକ ପ୍ରମୁଖ ମାଇଲଖୁଣ୍ଟ ଥିଲା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି ପିଏମ୍‌-ଜେଏୱାଇ)ର ଶୁଭାରମ୍ଭ । ଏବି-ପିଏମ୍‌ଜେଏୱାଇ ୨୭ଟି ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ବିଶେଷଜ୍ଞତା କ୍ଷେତ୍ରରେ ୧,୯୬୧ଟି ଚିକିତ୍ସା ପଦ୍ଧତି ଅନୁଯାୟୀ ଦ୍ୱିତୀୟ ଏବଂ ତୃତୀୟ ସ୍ତରୀୟ ଚିକିତ୍ସା ପାଇଁ ପ୍ରତି ଯୋଗ୍ୟ ହିତାଧିକାରୀ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ପ୍ରଦାନ କରିଥାଏ । ୧୭ ଡିସେମ୍ବର ୨୦୨୪ ସୁଦ୍ଧା, ଏବି ପିଏମ୍‌-ଜେଏୱାଇ ୩୬.୨୮ କୋଟିରୁ ଅଧିକ ଆୟୁଷ୍ମାନ କାର୍ଡଜାରି କରି ଉଲ୍ଲେଖନୀୟ ଅଗ୍ରଗତି କରିଛି, ଯାହା ଲକ୍ଷ ଲକ୍ଷ ଲୋକଙ୍କୁ ସ୍ୱାସ୍ଥ୍ୟ ପ୍ରସାର ପ୍ରଦାନ କରି ସେମାନଙ୍କୁ ସଶକ୍ତ କରିଛି । ଲିଙ୍ଗଭିତ୍ତିକ ଉପଯୋଗରୁ ଜଣାପଡିଛି ଯେ ଜାରି କରାଯାଇଥିବା ଆୟୁଷ୍ମାନ କାର୍ଡର ୪୯% ଏବଂ ସମୁଦାୟ ଡାକ୍ତରଖାନାରେ ଭର୍ତ୍ତି ହେବାର ପ୍ରାୟ ୫୦% ମହିଳା ଅଟନ୍ତି । ଏହା ସ୍ୱାସ୍ଥ୍ୟସେବାରେ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରିବାରେ ଏହି ଯୋଜନାର ଭୂମିକାକୁ ଦର୍ଶାଇଥାଏ । ଏହାବ୍ୟତୀତ ଏବି ପିଏମ୍-ଜେଏୱାଇ ଦେଶର ୩୦,୯୩୨ଟି ହସ୍ପିଟାଲରେ ସଫଳତାର ସହ କାର୍ଯ୍ୟକ୍ଷମ ହୋଇପାରିଛି । ସମାନ୍ତରାଳ ଭାବରେ, ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଆକାଉଣ୍ଟ (ଆଭା) ପଦକ୍ଷେପ ମାଧ୍ୟମରେ ଭାରତର ଡିଜିଟାଲ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି । ଆଭା ନମ୍ବର ହେଉଛି ନାଗରିକଙ୍କ ସ୍ୱାସ୍ଥ୍ୟ ରେକର୍ଡକୁ ଡିଜିଟାଲ ଭାବରେ ଆକସେସ୍ ଏବଂ ଶେୟାର କରିବାର ଏକ ବାଧାମୁକ୍ତ ପଦ୍ଧତି । ଏହା ଡିଜିଟାଲ ହାଇୱେ ମାଧ୍ୟମରେ ସ୍ୱାସ୍ଥ୍ୟସେବା ଇକୋସିଷ୍ଟମର ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ ଥିବା ବ୍ୟବଧାନକୁ ପୂରଣ କରିବ । ସ୍ୱାସ୍ଥ୍ୟସେବାକୁ ସମର୍ଥନ କରୁଥିବା ଡିଜିଟାଲ ଭିତ୍ତିଭୂମିରେ ମଧ୍ୟ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ୨୨ ଡିସେମ୍ବର ୨୦୨୪ ସୁଦ୍ଧା, ୭୧.୮୧ କୋଟିରୁ ଅଧିକ ଆଭା ନମ୍ବର ସୃଷ୍ଟି ହୋଇଛି ଏବଂ ୪୬.୫୩ କୋଟି ସ୍ୱାସ୍ଥ୍ୟ ରେକର୍ଡ ଆଭା ସହିତ ସଂଯୋଗ କରାଯାଇଛି । ଏହା ବ୍ୟତୀତ ଏଚ୍‌ଏଫ୍‌ଆର୍‌ରେ ୩.୫୫ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ କେନ୍ଦ୍ର ପଞ୍ଜୀକୃତ ହୋଇଥିବା ବେଳେ ଏଚ୍‌ପିଆର୍‌ାର ୫.୩୮ ଲକ୍ଷରୁ ଅଧିକ ସ୍ୱସ୍ଥ୍ୟକର୍ମୀ ପଞ୍ଜୀକୃତ ହୋଇଛନ୍ତି । ଭାରତର ସ୍ୱାସ୍ଥ୍ୟ ସେବା ସଫଳତାର ଆଉ ଏକ ଆଧାର ହେଉଛି ମିଶନ ଇନ୍ଦ୍ରଧନୁଷ, ଯାହା ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ ଅଧୀନରେ ଟିକାକରଣ ପରିସରକୁ ବିସ୍ତାର କରିଛି । ଏହି ଅଭିଯାନରେ କମ୍ ଟିକାକରଣ ହାର ଥିବା ଅଞ୍ଚଳକୁ ଲକ୍ଷ୍ୟ ରଖି କାର୍ଯ୍ୟ କରାଯାଇଛି, ଯେଉଁଥିରେ ବାଦ୍ ପଡ଼ିଥିବା ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଟିକା ଦିଆଯାଉଛି । ମିଶନ ଇନ୍ଦ୍ରଧନୁଷରେ୧୧ ପ୍ରକାର ଟିକାର ବ୍ୟବସ୍ଥା ରହିଛି ଯାହା ପ୍ରତିରୋଧଯୋଗ୍ୟ ରୋଗରୁ ସୁରକ୍ଷା ପ୍ରଦାନ କରିଥାଏ । ଦେଶରେ ଏପର୍ଯ୍ୟନ୍ତ ହୋଇଥିବା ମିଶନ ଇନ୍ଦ୍ରଧନୁଷର ସମସ୍ତ ପର୍ଯ୍ୟାୟରେ ସମୁଦାୟ ୫.୪୬ କୋଟି ଶିଶୁ ଓ ୧.୩୨ କୋଟି ଗର୍ଭବତୀ ମହିଳାଙ୍କୁ ଟିକା ଦିଆଯାଇଛି । ଏହି ପ୍ରୟାସଗୁଡିକ ପ୍ରମୁଖ ସ୍ୱାସ୍ଥ୍ୟ ସୂଚକାଙ୍କରେ ଉଲ୍ଲେଖନୀୟ ଉନ୍ନତି ଦ୍ୱାରା ସୂଚିତ ହୋଇଛି, ଯାହା ଲକ୍ଷ୍ୟ ଆଧାରିତ ସ୍ୱାସ୍ଥ୍ୟସେବା ରଣନୀତି ଏବଂ ହସ୍ତକ୍ଷେପଗୁଡିକର ଫଳପ୍ରଦତା ଉପରେ ଆଲୋକପାତ କରେ । ମାତୃ ମୃତ୍ୟୁ ହାର ୨୦୧୭-୨୦୧୯ରେ ପ୍ରତି ୧୦୦,୦୦୦ ଶିଶୁ ଜନ୍ମରେ ୧୦୩ ଥିବା ବେଳେ ୨୦୧୮-୨୦ରେ ଏହା ୯୭କୁ ହ୍ରାସ ପାଇଛି । ଶିଶୁ ମୃତ୍ୟୁ ହାର ୨୦୧୮ରେ ପ୍ରତି ୧୦୦୦ ଶିଶୁ ଜନ୍ମରେ ୩୨ଥିବା ବେଳେ ୨୦୨୦ରେ ପ୍ରତି ୧୦୦୦ ଶିଶୁ ଜନ୍ମରେ ୨୮କୁ ହ୍ରାସ ପାଇଛି ଏବଂ ମୋଟ ପ୍ରଜନନ ହାର ୨୦୧୫-୧୬ରେ ୨.୨ରୁ ୨୦୧୯-୨୧ରେ ୨.୦କୁ ହ୍ରାସ ପାଇଛି । ଏହି ଅଗ୍ରଗତି ଦକ୍ଷତା ଏବଂ ପ୍ରଭାବ ସୁନିଶ୍ଚିତ କରିବା ପାଇଁ ନିୟମିତ ତଦାରଖ ଦ୍ୱାରା ସମର୍ଥିତ ଉପଭୋକ୍ତା-କେନ୍ଦ୍ରୀତ ନୀତି ଏବଂ ପଦକ୍ଷେପର ଏକ ପ୍ରମାଣ । ଦୂରଦର୍ଶୀ ନୀତି ଏବଂ ଆୟୁଷ୍ମାନ ଭାରତ ଏବଂ ମିଶନ ଇନ୍ଦ୍ରଧନୁଷ ଭଳି ପଦକ୍ଷେପର ଦୃଢ଼ କାର୍ଯ୍ୟକାରିତା ଦ୍ୱାରା ଭାରତର ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ପରିବର୍ତ୍ତନ ଆସିଛି । ଏହି ମାଇଲଖୁଣ୍ଟଗୁଡିକ ସାର୍ବଜନୀନ ସ୍ୱାସ୍ଥ୍ୟ କଭରେଜ୍ ହାସଲ କରିବା ଏବଂ ସମସ୍ତ ନାଗରିକଙ୍କ ପାଇଁ ଏକ ସୁସ୍ଥ ଭବିଷ୍ୟତ ନିର୍ମାଣ ଲାଗି ଭାରତର ଅତୁଟ ପ୍ରତିବଦ୍ଧତାର ପ୍ରମାଣ ଦେଇଥାଏ । ଦେଶ ନିଜର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ଜାରି ରଖିଥିବା ବେଳେ ଏକ ସୁଦୃଢ଼, ସମାବେଶୀ ଏବଂ ସ୍ଥାୟୀ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଉଛି ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କ କଲ୍ୟାଣକୁ ପ୍ରାଥମିକତା ଦିଏ ।

Leave A Reply

Your email address will not be published.