jayashree

ଷଷ୍ଠ ଡିଏଭି ୟୁନାଇଟେଡ ଫେଷ୍ଟିଭାଲରେ କେନ୍ଦ୍ରମନ୍ତ୍ରୀ

• ଭାରତୀୟ ଶିକ୍ଷା ବ୍ୟବସ୍ଥାର ପରମ୍ପରାକୁ ଆଗକୁ ବଢ଼ାଇଛି ଡିଏଭି- ଧର୍ମେନ୍ଦ୍ର ପ୍ରଧାନ
• ୨୦୩୬ ସୁଦ୍ଧା ଓଡ଼ିଶାକୁ ଭାଷାଭିତ୍ତରେ ୧୦୦ ବର୍ଷ ପୂରିବା ବେଳେ ଡିଏଭି ସ୍କୁଲ ସଂଖ୍ୟା ୬୦ରୁ ୧୦୦କୁ ବଢାଯାଉ
• ଓଡ଼ିଶାରେ ଡିଏଭି ଶିକ୍ଷାର ଦ୍ୱିତୀୟ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ଡିଏଭି ମ୍ୟାନେଜମେଣ୍ଟର ଘୋଷଣା ସ୍ୱାଗତଯୋଗ୍ୟ
• ନୂଆ ଯୁଗର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ କେନ୍ଦ୍ର ଓ ଓଡ଼ିଶା ସରକାରଙ୍କ ତରଫରୁ ଯଥାସମ୍ଭବ ସହଯୋଗ ଯୋଗାଇ ଦିଆଯିବ
• ଛାତ୍ରଛାତ୍ରୀଙ୍କୁ ମାତୃଭାଷାରେ ଶିକ୍ଷା ପ୍ରଦାନ ସହ ଇଂରାଜୀକୁ ଅତିରିକ୍ତ ବିଷୟ ଭାବେ ଗ୍ରହଣ କରିବା ପାଇଁ ପରାମର୍ଶ
• ଦେଶରେ ସ୍କୁଲ ଶିକ୍ଷା ତଥା ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଡିଏଭି କାମ କରୁଛି
• ଡିଏଭି ଭଲ ମଣିଷ ତିଆରି କାରଖାନା, ୨୦୪୭ର ଭାରତ ଏବଂ ୨୦୩୬ର ଓଡ଼ିଶାର ଲକ୍ଷ୍ୟ ପୂରଣ କରିବାରେ ଏକ ବଡ଼ ଭୂମିକା ଗ୍ରହଣ କରିବ
• ଆଗାମୀ ଦିନମାନଙ୍କରେ ଜ୍ଞାନ ପ୍ରଗତିର ମୂଳ ଆଧାର ହେବାକୁ ଯାଉଛି
• ଡିଏଭି ୟୁନାଇଟେଡର ଏହି ଫେଷ୍ଟିଭାଲ ଭୁବନେଶ୍ୱରର ଜାତୀୟ ଓ ବିଶ୍ୱସ୍ତରୀୟ ଆକର୍ଷଣ ବୃଦ୍ଧିରେ ପ୍ରଭାବଶାଳୀ ସାବ୍ୟସ୍ତ ହେବ
• ଡିଏଭି ଜାତୀୟ ଶିକ୍ଷା ନୀତିକୁ ଅଧିକ ବ୍ୟବହାରିକ ଶୈଳୀରେ କାର୍ୟ୍ୟକାରୀ କରିବାର ଦାୟିତ୍ୱ ନେବ

ଭୁବନେଶ୍ୱର, (ପିଆଇବି) : ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଭାରତୀୟ ଶିକ୍ଷା ବ୍ୟବସ୍ଥାର ଏକ ସ୍ତମ୍ଭ ଥିଲେ । ସମାଜ ନିର୍ମାଣ ପାଇଁ ସେ ଶିକ୍ଷାକୁ ଏକ ମାଧ୍ୟମ କରିଥିଲେ । ଡିଏଭି ଭାରତୀୟ ଶିକ୍ଷା ବ୍ୟବସ୍ଥାର ସମାନ ପରମ୍ପରାକୁ ଆଗକୁ ବଢ଼ାଇଛି । ଡିଏଭି ଗବେଷଣା ଆଜି ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ରାଷ୍ଟ୍ରୀୟ ନୀତିର ଏକ ଅଂଶ ହୋଇଛି ବୋଲି ରବିବାର ଭୁବନେଶ୍ୱର ଠାରେ ଷଷ୍ଠ ଡିଏଭି ୟୁନାଇଟେଡ୍ ଫେଷ୍ଟିଭାଲରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ଡିଏଭି ଏକ ଭଲ ମଣିଷ ତିଆରି କାରଖାନା । ଦେଶରେ ସ୍କୁଲ ଶିକ୍ଷା ତଥା ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଡିଏଭି କାମ କରୁଛି । ଛାତ୍ରଛାତ୍ରୀଙ୍କ ପାଠପଢା, ବିଜ୍ଞାନ ପ୍ରତି ଆକର୍ଷଣ ବଢ଼ାଇବା, ଖେଳ ସହ ସାଂସ୍କୃତିକ ବ୍ୟକ୍ତିତ୍ଵ ତିଆରି କରିବାରେ ଡିଏଭି କାମ କରୁଛି । ବର୍ତ୍ତମାନ ଓଡ଼ିଶାରେ ୬୦ଟି ଡିଏଭି ସ୍କୁଲ ଚାଲୁଛି । ୨୦୩୬ ସୁଦ୍ଧା ଓଡ଼ିଶା ଯେତେବେଳେ ଭାଷା ଭିତ୍ତିକ ରାଜ୍ୟ ଭାବରେ ୧୦୦ ବର୍ଷ ପୂରଣ କରିବ, ସେତେବେଶେ ଓଡ଼ିଶାରେ ଡିଏଭି ସ୍କୁଲ ସଂଖ୍ୟା ୧୦୦ରେ ପହଞ୍ଚିବା ପାଇଁ ଶିକ୍ଷା ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ଏହା ଦ୍ୱାରା ଦୁର୍ଗମ ଅଞ୍‌ଞ୍ଚଳରେ ସାମାନ୍ୟ ଗରିବ ଘରର ପିଲା ମାନେ ଡିଏଭି ସ୍ତରର ପାଠପଢ଼ାର ସୁଯୋଗ ପାଇବେ । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଆମେ ଏକ ଗୁରୁତ୍ୱପୂର୍ଣ୍ଣ କାଳଖଣ୍ଡରେ ଅଛୁ । ଆଗାମୀ ଦିନମାନଙ୍କରେ ଜ୍ଞାନ ପ୍ରଗତିର ମୂଳ ଆଧାର ହେବାକୁ ଯାଉଛି । ଆଗାମୀ ୨୫ରୁ ୫୦ ବର୍ଷ ମଧ୍ୟରେ ଭାରତର ଯୁବଶକ୍ତି ଓ ଡେମୋଗ୍ରାଫିକ୍ ଡିଭିଡେଣ୍ଡ୍ ଏକ ବଡ଼ ଭୂମିକା ଗ୍ରହଣ କରିବ । ଆଜି ଶିକ୍ଷା କ୍ଷେତ୍ରରେ ଡିଏଭିର ଏକ ବିଶାଳ ନେଟୱାର୍କ ରହିଛି । ଏଭଳି ସ୍ଥିତିରେ ଏକବିଂଶ ଶତାବ୍ଦୀ ପାଇଁ ସେମାନଙ୍କର ଦାୟିତ୍ୱ ଆହୁରି ଅଧିକ ହୋଇଛି । ଆଗାମୀ ଦିନରେ ଡିଏଭି ଜାତୀୟ ଶିକ୍ଷା ନୀତିକୁ ଅଧିକ ବ୍ୟବହାରିକ ଶୈଳୀରେ କାର୍ଯ୍ୟକାରୀ କରିବାର ଦାୟିତ୍ୱ ନେବ, ଏହା ମୋର ବିଶ୍ୱାସ । ଆଗାମୀ ୧୫ ରୁ ୨୦ ବର୍ଷ ମଧ୍ୟରେ ଆମର ଛାତ୍ରଛାତ୍ରୀମାନେ ବିକଶିତ ଭାରତର ନେତୃତ୍ୱ ନେବେ । ସେହି ସମୟରେ ସେମାନଙ୍କର ଆବଶ୍ୟକତା କ’ଣ ରହିବ ? ଗ୍ଲୋବାଲ ଅର୍ଡର କ’ଣ ହେବ ? ଟେକ୍ନୋଲୋଜି କ’ଣ ହେବ ? ଏଭଳି ବିଷୟରେ ଚିନ୍ତା କରି ଆମକୁ ଆମର ଯୁବପିଢ଼ିଙ୍କୁ ପ୍ରସ୍ତୁତ କରିବାକୁ ପଡିବ । ସେମାନଙ୍କୁ କେବଳ ନିଯୁକ୍ତି ଅନ୍ୱେଷଣ ଭାବରେ ନୁହେଁ ବରଂ ନିଯୁକ୍ତି ଦାତା ବନାଇବାକୁ ହେବ । ଆଜି ସାରା ବିଶ୍ୱ ଯେଉଁ ପର୍ଯ୍ୟାବରଣ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଛି ତାହାର ଉତ୍ତର ଭାରତୀୟ ଜୀବନଶୈଳୀ ଏବଂ ସ୍ୱାମୀ ଦୟାନନ୍ଦ ସରସ୍ୱତୀଜୀ କହିଯାଇଥିବା କଥାରେ ଅନ୍ତର୍ନିହିତ । ଆମକୁ ଆଜିର ସମୟ ଅନୁଯାୟୀ ଏହାକୁ କାର୍ଯ୍ୟକାରୀ କରିବାକୁ ହେବ ଏବଂ ଏହାକୁ ଆଧାର କରି ଶିକ୍ଷା ବ୍ୟବସ୍ଥା ଗଠନ କରିବାକୁ ପଡିବ । ଓଡ଼ିଶାରେ ଡିଏଭି ଶିକ୍ଷାର ଦ୍ୱିତୀୟ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ଡିଏଭିର ମ୍ୟାନେଜମେଣ୍ଟ୍ ଘୋଷଣା କରିବା ସ୍ୱାଗତଯୋଗ୍ୟ । ନୂଆ ଯୁଗର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ କେନ୍ଦ୍ର ଓ ଓଡ଼ିଶା ସରକାରଙ୍କ ତରଫରୁ ଯଥାସମ୍ଭବ ସହଯୋଗ ଯୋଗାଇ ଦିଆଯିବ । ଭୁବନେଶ୍ୱର ଭଳି ସାଂସ୍କୃତିକ ସହରରେ ଡିଏଭି ୟୁନାଇଟେଡ ଫେଷ୍ଟିଭାଲ ଆୟୋଜନ ହେବା ଖୁସିର ବିଷୟ । ଆଗାମୀ କିଛି ଦିନ ମଧ୍ୟରେ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସିବେ । ଏଭଳି ସମୟରେ ଡିଏଭି ୟୁନାଇଟେଡର ଏହି ଫେଷ୍ଟିଭାଲ ଭୁବନେଶ୍ୱରର ଜାତୀୟ ଓ ବିଶ୍ୱସ୍ତରୀୟ ଆକର୍ଷଣ ବୃଦ୍ଧିରେ ପ୍ରଭାବଶାଳୀ ସାବ୍ୟସ୍ତ ହେବ । ଡିଏଭି ୨୦୪୭ର ଭାରତ ଏବଂ ୨୦୩୬ର ଓଡ଼ିଶାର ଲକ୍ଷ୍ୟ ପୂରଣ କରିବାରେ ଏକ ବଡ଼ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ଛାତ୍ରଛାତ୍ରୀଙ୍କୁ ମାତୃଭାଷାରେ ଶିକ୍ଷା ପ୍ରଦାନ ସହ ଇଂରାଜୀକୁ ଅତିରିକ୍ତ ବିଷୟ ଭାବେ ଗ୍ରହଣ କରିବା ପାଇଁ ଡିଏଭିକୁ ପରାମର୍ଶ ଦେଇଛନ୍ତି । ସେହିପରି ଏହି ୟୁନାଇଟେଡ୍ ଫେଷ୍ଟିଭାଲର ପ୍ରଦର୍ଶନୀରେ ଶ୍ରୀ ପ୍ରଧାନ ରାଜ୍ୟ ଏବଂ ରାଜ୍ୟ ବାହାରୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ ।

Leave A Reply

Your email address will not be published.