- ଗୁଜରାଟର ଲୋକକଥା ସହ ଗଭୀର ଭାବେ ଜଡ଼ିତ ‘କାରଖାନୁ’ ଆଇଏଫ୍ଏଫ୍ଆଇରେ ପ୍ରଦର୍ଶିତ ହେବା ପରେ ଗୁଜରାଟୀ ଚଳଚ୍ଚିତ୍ର ଜଗତରେ ସୁଦୂରପ୍ରସାରୀ ପ୍ରଭାବ ବିସ୍ତାର କରିବା ଲାଗି ପ୍ରସ୍ତୁତ ରହିଛି : ଋଷଭ ଥାଙ୍କି
- ଲୋକଙ୍କ ଜୀବନ ଉପରେ ପ୍ରଯୁକ୍ତିର ପ୍ରଭାବକୁ ଉଜାଗର କରିଛି ‘ଗୁଗଲ ମାଟ୍ରିମୋନି’ : ଅଭିନବ ଜି ଆତ୍ରେୟ, ଚଳଚ୍ଚିତ୍ର ନିର୍ମାତା
- ‘ରଦୋର ପାକ୍ଷୀ’ ଏକ ସତ୍ୟ ଘଟଣା ଉପରେ ଆଧାରିତ କାହାଣୀ, ଯାହା ସମ୍ବେଦନଶୀଳ ଢଙ୍ଗରେ ସ୍ପାଇନାଲ୍ ମସ୍କୁଲାର୍ ଆଟ୍ରୋଫିରେ ପୀଡ଼ିତ ଜଣେ ଝିଅର କାହାଣୀ ଏବଂ ନିଜ ସ୍ୱପ୍ନକୁ ପୂରଣ କରିବା ଲାଗି ମଣିଷର ଦୃଢ଼ସଂକଳ୍ପକୁ ଉପସ୍ଥାପନ କରିଛି : ଡକ୍ଟର ବବି ଶର୍ମା ବରୁଆ, ନିର୍ଦ୍ଦେଶିକା
ଭୁବନେଶ୍ୱର, (ପିଆଇବି) : ୫୫ତମ ଭାରତୀୟ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ରେ ତିନୋଟି ଚମତ୍କାର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଛି । ସେଗୁଡ଼ିକ ହେଲା ଗୁଜରାଟୀ ଚଳଚ୍ଚିତ୍ର ‘କାରଖାନୁ’, ଅହମୀୟା ଚଳଚ୍ଚିତ୍ର ‘ରଦୋର ପାକ୍ଷୀ’ ଏବଂ ‘ଗୁଗଲ ମାଟ୍ରିମୋନି’ । ଦୂରଦୃଷ୍ଟି ସମ୍ପନ୍ନ ନିର୍ଦ୍ଦେଶକ ଓ ନିର୍ମାତାମାନଙ୍କ ଦ୍ୱାରା ନିର୍ମିତ ଏସବୁ ଭିନ୍ନ ସ୍ୱାଦର ଚଳଚ୍ଚିତ୍ରରେ ରହସ୍ୟ, ହାସ୍ୟ, ଭୟ, ଅସଲି ମାନବୀୟ ସମ୍ପର୍କର ଅନ୍ୱେଷ ଏବଂ ଜୀବନର ଆହ୍ୱାନକୁ ମୁକାବିଲା କରିବାର ସାମର୍ଥ୍ୟ ପ୍ରଦର୍ଶିତ ହୋଇଛି । ଗଣମାଧ୍ୟମ ସହ ଏକ ବାର୍ତ୍ତାଳାପରେ ‘କାରଖାନୁ’ର ନିର୍ଦ୍ଦେଶକ ଋଷଭ ଥାଙ୍କୀ କହିଛନ୍ତି, ଏ ଚଳଚ୍ଚିତ୍ର ଗଭୀର ଭାବେ ଗୁଜରାଟର ଲୋକକଥା ସହ ଜଡ଼ିତ । ପ୍ରଥମେ ଏହା ଏକ କ୍ଷୁଦ୍ର ଚଳଚ୍ଚିତ୍ର ରୂପେ ନିର୍ମିତ ହୋଇଥିଲା, ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ ଅବଧି ବିଶିଷ୍ଟ ଫିଚର ଚଳଚ୍ଚିତ୍ର ଭାବେ ଏହାକୁ ନିର୍ମାଣ କରାଯାଇଛି । ଅଭିନେତା ପାର୍ଥ ଦାଭେ ଏ ଚଳଚ୍ଚିତ୍ରକୁ ଏକ ୨ ବର୍ଷର ଯାତ୍ରା, ଏକ ବ୍ୟଙ୍ଗ ଏବଂ ୱାନ୍-କଟ୍ ପ୍ରୋଜେକ୍ଟ ରୂପେ ବର୍ଣ୍ଣନା କରିଛନ୍ତି । ଏଥିପାଇଁ ସେମାନଙ୍କୁ ଅର୍ଥ ବ୍ୟୟ କରିବାକୁ ପଡ଼ିଛି, ତେବେ ଆଇଏଫ୍ଏଫ୍ଆଇରେ ପ୍ରଦର୍ଶିତ ହେବା ସହିତ ଏକ ଗୁଜରାଟୀ ଚଳଚ୍ଚିତ୍ର ଉଦ୍ୟୋଗରେ ଏକ ନୂଆ ମାଇଲଖୁଣ୍ଟ ହାସଲ କରିଛି । ‘ଗୁଗଲ ମାଟ୍ରିମୋନି’ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଶ୍ରୀକାର୍ଥିକ୍ ଏସ୍ ଏସ୍ ଏହା ସମ୍ପର୍କରେ କହିଛନ୍ତି ଯେ, ଏହି ଫିଲ୍ମ ଗୋଟିଏ ସଂକଳନର ଏକ ଅଂଶବିଶେଷ । ଚଳଚ୍ଚିତ୍ର ନିର୍ମାତା ଅଭିନବ ଜି ଆତ୍ରେୟ କହିଛନ୍ତି, ପ୍ରଯୁକ୍ତି କିପରି ଲୋକମାନଙ୍କ ଜୀବନକୁ ପ୍ରଭାବିତ କରୁଛି ତାହା ଏହି କାହାଣୀରେ ଅନ୍ୱେଷଣ କରିବାକୁ ପ୍ରୟାସ କରାଯାଇଛି । ଅଭିନେତା ଦେବ ଆହୁରି ମଧ୍ୟ କହିଛନ୍ତି ଯେ ଚଳଚ୍ଚିତ୍ର ନିର୍ମାଣରେ ସମ୍ପୃକ୍ତ ଦଳ ଆଇଏଫଏଫଆଇରେ ମିଳିଥିବା ସ୍ୱୀକୃତିକୁ ଗୁରୁତ୍ୱ ଦେଉଛି, ଯାହା ଉଦୀୟମାନ ଚଳଚ୍ଚିତ୍ର ନିର୍ମାତାଙ୍କୁ ପ୍ରେରଣା ଦେଇଥାଏ । ଫିଲ୍ମର ବ୍ୟାବସାୟିକ ସାମର୍ଥ୍ୟ ବିଷୟରେ ପଚରାଯିବାରୁ ସେ କହିଥିଲେ ଯେ ଟଙ୍କା ରୋଜଗାର କରିବା ପରିବର୍ତ୍ତେ ଏକ ଅର୍ଥପୂର୍ଣ୍ଣ ଚଳଚ୍ଚିତ୍ର ନିର୍ମାଣ ଉପରେ ସେମାନଙ୍କର ଧ୍ୟାନ ରହିଛି । ‘ରାଦୋର ପାକ୍ଷୀ’ ଚଳଚ୍ଚିତ୍ରର ନିର୍ଦ୍ଦେଶିକା ଡକ୍ଟର ବବି ଶର୍ମା ବରୁଆ କହିଛନ୍ତି, ଏହି ଚଳଚ୍ଚିତ୍ରରେ ଏକ ବିରଳ ମାଂସପେଶୀ ଜନିତ ରୋଗ ସ୍ପାଇନାଲ ମସକୁଲାର ଆଟ୍ରୋଫି ପୀଡ଼ିତ ଜଣେ ଝିଅର କାହାଣୀକୁ ସମ୍ବେଦନଶୀଳ ଢଙ୍ଗରେ ବର୍ଣ୍ଣନା କରାଯାଇଛି । ଚଳଚ୍ଚିତ୍ରର ସଂଯମିତ ସ୍ୱର ବିଷୟରେ ପଚରାଯିବାରୁ ସେ କହିଥିଲେ ଯେ, ଏହା ଏକ ସତ୍ୟ ଘଟଣା, ହୃଦୟସ୍ପର୍ଶୀ କାହାଣୀ ଉପରେ ଆଧାରିତ । ଅଭିନେତ୍ରୀ ସୁଲକ୍ଷଣା ବରୁଆ କହିଛନ୍ତି ଯେ ‘ରାଦୋର ପାକ୍ଷୀ’ରେ ଅଭିନୟ କରିବା ଉଭୟ ମାନସିକ ଓ ଶାରୀରିକ ଭାବେ ଆହ୍ୱାନପୂର୍ଣ୍ଣ ଥିଲା, କିନ୍ତୁ ଏହା ଏକ ବଡ଼ ସମ୍ମାନ କାରଣ ସେ ବାସ୍ତବ ଜୀବନର ଜଣେ ପ୍ରକୃତ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ଭୂମିକାରେ ଅଭିନୟ କରିଥିଲେ ।
ଚଳଚ୍ଚିତ୍ରଗୁଡ଼ିକ ସମ୍ପର୍କରେ :
କାରଖାନୁ – ‘ଇଣ୍ଡିଆନ୍ ଫିଚର-ଫିଲ୍ମ’ ବର୍ଗରେ ପ୍ରଦର୍ଶିତ ହେଉଥିବା ‘କାରଖାନୁ’ ଗୁଜରାଟର ପ୍ରଥମ ‘ସ୍ମାର୍ଟ ହରର କମେଡି’ ବା ରୋମାଞ୍ଚ ବ୍ୟଙ୍ଗ ଚଳଚ୍ଚିତ୍ର ଭାବେ ପଦାର୍ପଣ କରିବାକୁ ଯାଉଛି । ଏଥିରେ ଭୟଙ୍କର ‘ହଣ୍ଟେଡ୍ ଫ୍ୟାକ୍ଟ୍ରି’ (ରହସ୍ୟମୟ କାରଖାନା)କୁ ନେଇ ରହିଥିବା ଲୋକକଥାକୁ ପ୍ରଦର୍ଶିତ କରାଯାଇଛି । ଚତୁର୍ଦ୍ଦଶୀ ତିଥିର ଘନ ଅନ୍ଧକାର ରାତିରେ ୩ ଜଣ ବଢ଼େଇ ଭୂତ ଭୟ ଥିବା ଏକ ୱାର୍କସପରେ ଫସିଯାଉଛନ୍ତି । ଯେଉଁଠି ଅନେକ ଅଦ୍ଭୂତ ଘଟଣା ଘଟୁଛି । ବେଶୀ ବିଳମ୍ବ ହେବା ପୂର୍ବରୁ ସେମାନେ ଏହା ପଛରେ ଥିବା ରହସ୍ୟ ଉନ୍ମୋଚନ କରୁଛନ୍ତି । ରହସ୍ୟ, ହାସ୍ୟ, ଭୟ ଓ ରୋମାଞ୍ଚରେ ପରିପୂର୍ଣ୍ଣ ଏ ଚଳଚ୍ଚିତ୍ର ଦର୍ଶକଙ୍କୁ ଏକ ଅବିସ୍ମରଣୀୟ ଅନୁଭୂତି ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇଥାଏ । ଗୁଗୁଲ୍ ମାଟ୍ରିମୋନି: ‘ଇଣ୍ଡିଆନ୍ ନନ୍-ଫିଚର୍ ଫିଲ୍ମ’ ବର୍ଗରେ ପ୍ରଦର୍ଶିତ ହେଉଥିବା ‘ଗୁଗୁଲ୍ ମାଟ୍ରିମୋନି’ ଚଳଚ୍ଚିତ୍ରରେ ଦୃଷ୍ଟିହୀନ ଅନନ୍ତୁଙ୍କ କାହାଣୀ ପ୍ରଦର୍ଶିତ ହୋଇଛି । ସେ ଦୃଷ୍ଟିଶକ୍ତି ଏବଂ ସାହାଯ୍ୟ ପାଇଁ ନିଜ ଗୁଗୁଲ୍ ଗ୍ଲାସ୍ ଉପରେ ନିର୍ଭର କରୁଛନ୍ତି । ଅନ୍ଧତ୍ୱ କାରଣରୁ ମାଟ୍ରିମୋନି ସାଇଟରେ ସେ ବାରମ୍ବାର ପ୍ରତ୍ୟାଖ୍ୟାନର ସାମ୍ନା କରୁଛନ୍ତି । ତାଙ୍କ ଦୁନିଆ ସେତିକିବେଳେ ବଦଳିଯାଉଛି ଯେତେବେଳେ ତାଙ୍କ ଗୁଗଲ ଗ୍ଲାସ୍ ତାଙ୍କୁ ଦେଖି ହସୁଥିବା ଜଣେ ମହିଳାଙ୍କୁ ଠାବ କରୁଛି, ଏହା ତାଙ୍କ ଭିତରେ ପ୍ରେମର ଭାବନା ସୃଷ୍ଟି କରୁଛି । ଏ ଚଳଚ୍ଚିତ୍ରଟି ଏକ ପ୍ରଯୁକ୍ତି-ପରିଚାଳିତ ଦୁନିଆରେ ପ୍ରକୃତ ମାନବିକ ସମ୍ପର୍କକୁ ଅନ୍ୱେଷଣ କରିଥାଏ ଯେଉଁଠାରେ ବାସ୍ତବତା ଏବଂ ଭ୍ରମ ପ୍ରାୟତଃ ପରସ୍ପର ସହ ଜଡିତ ହୋଇଥାଏ ତଥା ପ୍ରେମ ଏବଂ ସ୍ୱୀକୃତି ଚରମ ଇଚ୍ଛା ହୋଇ ରହିଯାଏ । ରାଦୋର ପାକ୍ଷୀ: ସ୍ପାଇନାଲ ମସ୍କୁଲାର୍ ଆଟ୍ରୋଫୀରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ହୋଇପଡ଼ିଥିବା ଆସାମର ଜଣେ ପ୍ରତିଭାସମ୍ପନ୍ନ ଲେଖିକା ଜ୍ୟୋତିଙ୍କୁ ନେଇ ‘ରଦୋର ପାକ୍ଷୀ’ ଚଳଚ୍ଚିତ୍ରର କାହାଣୀ ଗତିଶୀଳ ହୋଇଛି । ଶାରୀରିକ ଆହ୍ୱାନ ସତ୍ତ୍ୱେ ସେ ଲେଖିକା ହେବାର ସ୍ୱପ୍ନକୁ ସାକାର କରିବାରେ ଲାଗି ପଡ଼ିଛନ୍ତି । ଏହି ଚଳଚ୍ଚିତ୍ରରେ ତାଙ୍କ ଜୀବନ ଯାତ୍ରା ଉପରେ ଆଲୋକପାତ କରାଯାଇଛି । ମଣିଷର ଦୃଢ଼ସଂକଳ୍ପ ଓ ସାମର୍ଥ୍ୟ କିଭଳି ବାଧା ଦୂର କରି ସ୍ୱପ୍ନକୁ ସାକାର କରିବାରେ ସହାୟକ ହେଉଛି ତାହା ଅତ୍ୟନ୍ତ ପ୍ରଭାବଶାଳୀ ଢଙ୍ଗରେ ଏଥିରେ ବର୍ଣ୍ଣିତ । ଏହି ସାମ୍ବାଦିକ ସମ୍ମିଳନୀକୁ ପିଆଇବି ଭୁବନେଶ୍ୱରର ସୂଚନା ଅଧିକାରୀ ସ୍ୱାଧୀନ ଶକ୍ତି ପ୍ରସାଦ ପରିଚାଳନା କରିଥିଲେ ।