ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ଡ. ବିବେକ ଦେବରାୟଙ୍କ ସ୍ମୃତିଚାରଣ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପି.କେ. ମିଶ୍ର
- ନୀତି ନିର୍ଦ୍ଧାରଣ ଓ କାର୍ଯ୍ୟକାରିତାରେ ଡ. ଦେବରାୟଙ୍କ ବିଶ୍ଳେଷଣାତ୍ମକ ଦକ୍ଷତା ଏବଂ ଜଟିଳ ଅବଧାରଣାକୁ ସ୍ପଷ୍ଟ ଭାବରେ ବର୍ଣ୍ଣନା କରିବାର ତାଙ୍କର ଅସାଧାରଣ କୌଶଳକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ପ୍ରମୁଖ ସଚିବ
- ଡକ୍ଟର ଦେବରାୟ ଦୂରଦୃଷ୍ଟି ଓ ମାନବୀୟ ମୂଲ୍ୟବୋଧର ଏକ ପରମ୍ପରା ଛାଡ଼ି ଯାଇଛନ୍ତି ଯାହା ଭବିଷ୍ୟତ ପିଢ଼ିକୁ ପ୍ରେରଣା ଯୋଗାଇବ, ତାଙ୍କର ସ୍ମୃତିଚାରଣ କରି କହିଲେ ଡକ୍ଟର ପି.କେ ମିଶ୍ର
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ)ର ଅଧ୍ୟକ୍ଷ ପଦ୍ମଶ୍ରୀ ଡକ୍ଟର ବିବେକ ଦେବରାୟଙ୍କ ଜୀବନ ଓ କାର୍ଯ୍ୟର ସ୍ମୃତିଚାରଣ କରିବା ପାଇଁ ଗତକାଲି ସନ୍ଧ୍ୟାରେ ନୂଆଦିଲ୍ଲୀର ଆକାଶବାଣୀ ରଙ୍ଗ ଭବନରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା । ପୂର୍ବରୁ ଡକ୍ଟର ଦେବରାୟଙ୍କ ବିୟୋଗରେ ଶୋକ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ଜଣେ ମହାନ ବିଦ୍ୱାନ ଥିଲେ, ଅର୍ଥନୀତି, ଇତିହାସ, ସଂସ୍କୃତି, ରାଜନୀତି, ଆଧ୍ୟାତ୍ମିକତା ଆଦି ବିଭିନ୍ନ କ୍ଷେତ୍ରରେ ତାଙ୍କର ଭଲ ଜ୍ଞାନ ଥିଲା । ନିଜ କାର୍ଯ୍ୟ ମାଧ୍ୟମରେ ସେ ଭାରତର ବୌଦ୍ଧିକ ଦୃଶ୍ୟପଟରେ ଏକ ଅବିସ୍ମରଣୀୟ ଛାପ ଛାଡିଯାଇଛନ୍ତି । ଡକ୍ଟର ଦେବରାୟ ଜଣେ ବହୁମୁଖି ପ୍ରତିଭାଧାରୀ ବ୍ୟକ୍ତିତ୍ୱ ଥିଲେ ଯିଏ ପ୍ରାଚୀନ ଭାରତୀୟ ଗ୍ରନ୍ଥ ଉପରେ କାମ କରିବାକୁ ଉପଭୋଗ କରୁଥିଲେ ଏବଂ ଏହାକୁ ଯୁବବର୍ଗଙ୍କ ପାଇଁ ଉପଲବ୍ଧ କରାଇଥିଲେ । ତାଙ୍କର ଶ୍ରଦ୍ଧାଞ୍ଜଳି ସଭାରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ. ମିଶ୍ର ସ୍ୱର୍ଗତ ଦେବରାୟଙ୍କ ସହିତ କାମ କରିବାର ପୁରୁଣା ଦିନଗୁଡ଼ିକ ବିଷୟରେ ସ୍ମୃତିଚାରଣ କରିଥିଲେ । ଡକ୍ଟର ମିଶ୍ର କହିଥିଲେ, ସେମାନେ ନୀତି ନିର୍ଦ୍ଧାରଣ କରିବା କ୍ଷେତ୍ରରେ କାମ କରୁଥିଲେ ଏବଂ ଅର୍ଥବ୍ୟବସ୍ଥାରେ ରହିଥିବା ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରୁଥିଲେ ତଥା ସେଗୁଡ଼ିକର ସମାଧାନ କିପରି ହୋଇପାରିବ ସେ ନେଇ ବିଚାରବିମର୍ଶ କରୁଥିଲେ । ସ୍ୱର୍ଗତ ଦେବରାୟଙ୍କୁ ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଭାବେ ଅଭିହିତ କରି ଡକ୍ଟର ମିଶ୍ର କହିଥିଲେ ଯେ, ସ୍ୱର୍ଗତ ଦେବରାୟଙ୍କ ବୌଦ୍ଧିକ ଜ୍ଞାନର ପରିସର ଅର୍ଥନୀତି ଠାରୁ ଆରମ୍ଭ କରି ସଂସ୍କୃତ ସାହିତ୍ୟ, ଇତିହାସ ଏବଂ ଅନ୍ୟାନ୍ୟ ବିଭିନ୍ନ କ୍ଷେତ୍ରକୁ ପରିବ୍ୟାପ୍ତ ହୋଇଥିଲା । ସେ କହିଥିଲେ ଯେ ଡକ୍ଟର ଦେବରାୟ ଜଣେ ନମ୍ର ବ୍ୟକ୍ତି ଥିଲେ ଏବଂ ଆଲୋଚନା ବେଳେ ସବୁକଥା ବୁଝୁଥିଲେ । ଡିପିଆଇଓର ସଦସ୍ୟ ହେବା ଏବଂ ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ହେବା ସମୟରେ ତାଙ୍କ ସହିତ ଆଲୋଚନା ବେଶ୍ ଫଳପ୍ରଦ ହେଉଥିଲା । ଡକ୍ଟର ଦେବରାୟ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦରେ ଥିବା ସମୟରେ ତାଙ୍କ ସହିତ ବ୍ୟକ୍ତିଗତ ଅନୁଭୂତି ବିଷୟରେ ସ୍ମୃତିଚାରଣ କରି ଡକ୍ଟର ମିଶ୍ର କହିଥିଲେ ଯେ ଡକ୍ଟର ଦେବରାୟ କାର୍ଯ୍ୟ କ୍ଷେତ୍ରରେ କୌଣସି ସମସ୍ୟା ଦେଖା ଦେଲେ ତା’ର ସମାଧାନ କରିବା ପ୍ରତି ବିଶେଷ ଧ୍ୟାନ ଦେଉଥିଲେ । ଡ. ମିଶ୍ର ଆହୁରି ମଧ୍ୟ କହିଥିଲେ, ଯେ ସେ ଗତ କିଛି ବର୍ଷ ଧରି ଡ. ଦେବରାୟଙ୍କୁ ଭଲ ଭାବରେ ଜାଣିଥିଲେ ଏବଂ ସେମାନଙ୍କ ଭିତରେ ଥିବା ଯେଉଁ ସମାନତା ପରସ୍ପରକୁ ଯୋଡ଼ୁଥିଲା ତାହା ହେଉଛି, ଦୁହେଁ ଦିଲ୍ଲୀ ସ୍କୁଲ ଅଫ୍ ଇକୋନୋମିକ୍ସର ପୂର୍ବତନ ଛାତ୍ର । ଭାରତର ପରିସଂଖ୍ୟାନ ବ୍ୟବସ୍ଥାଠାରୁ ଆରମ୍ଭ କରି ପ୍ରତ୍ୟକ୍ଷ ଟିକସ ସଂସ୍କାର ପର୍ଯ୍ୟନ୍ତ ବିଭିନ୍ନ ବିଷୟରେ ହୋଇଥିବା ଆଲୋଚନାକୁ ଶ୍ରୀ ମିଶ୍ର ସ୍ମରଣ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, ସ୍ୱର୍ଗତ ଦେବରାୟ ତାଙ୍କର ସମସ୍ତ କାର୍ଯ୍ୟରେ ସର୍ବଦା ବହୁତ ଆନ୍ତରିକ, ଅତ୍ୟନ୍ତ ପ୍ରତିଶ୍ରୁତିବଦ୍ଧ ଥିଲେ । ସାହିତ୍ୟ ଓ ଅର୍ଥନୀତି ଆଦି କ୍ଷେତ୍ରରେ ଗଭୀର ଆଗ୍ରହ ଥିବା ସତ୍ତ୍ୱେ ନିଜର ସରକାରୀ କାର୍ଯ୍ୟକୁ ନେଇ ଡକ୍ଟର ଦେବରାୟ ବେଶ୍ ସମର୍ପିତ ଥିଲେ ବୋଲି କହି ଡକ୍ଟର ପି.କେ. ମିଶ୍ର ତାଙ୍କର ପ୍ରଶଂସା କରିଥିଲେ । ଅତୀତର ଏକ ଘଟଣାକୁ ମନେ ପକାଇ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ କହିଥିଲେ, ଡ. ଦେବରାୟ ତାଙ୍କ ସାଧାରଣ ଦାୟିତ୍ୱ ବ୍ୟତୀତ ସବୁବେଳେ କିଛି ଗୁରୁତ୍ୱପୂର୍ଣ୍ଣ କରିବାକୁ ପସନ୍ଦ କରୁଥିଲେ । ଡ. ପି.କେ ମିଶ୍ର ଆହୁରି କହିଥିଲେ ଯେ ଦୈନନ୍ଦିନ ନୀତିଗତ କାମ କିମ୍ବା ବିଶ୍ଳେଷଣମୂଳକ କାର୍ଯ୍ୟରେ ଡ. ଦେବରାୟଙ୍କ ଅବଦାନ ଅତ୍ୟନ୍ତ ମୂଲ୍ୟବାନ । ନୀତି ନିର୍ଦ୍ଧାରଣ ଓ କାର୍ଯ୍ୟକାରିତାରେ ଡ. ଦେବରାୟଙ୍କ ବିଶ୍ଳେଷଣାତ୍ମକ ଦକ୍ଷତାକୁ ଡ. ମିଶ୍ର ପ୍ରଶଂସା କରିଥିଲେ । ଜଟିଳ ଅବଧାରଣାକୁ ସରଳ ଢଙ୍ଗରେ ବର୍ଣ୍ଣନା କରିବାରେ ଡକ୍ଟର ଦେବରାୟଙ୍କର ଅସାଧାରଣ ଦକ୍ଷତା ଥିଲା, ଯାହା ତାଙ୍କର ଶକ୍ତି ଥିଲା ବୋଲି ସେ କହିଥିଲେ । ଡ. ମିଶ୍ର ଗୁରୁତ୍ୱାରୋପ କରି କହିଥିଲେ ଯେ ଡ. ଦେବରାୟ ପ୍ରକୃତରେ ଦୂରଦୃଷ୍ଟି ଓ ମାନବୀୟ ମୂଲ୍ୟବୋଧର ଏକ ପରମ୍ପରା ଛାଡ଼ି ଯାଇଛନ୍ତି ଯାହା ଭବିଷ୍ୟତ ପିଢ଼ିକୁ ପ୍ରେରଣା ଯୋଗାଇବ । ସେ ଆହୁରି ମଧ୍ୟ କହିଥିଲେ ଯେ ଡକ୍ଟର ଦେବରାୟଙ୍କୁ ସବୁଠାରୁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେଉଛି ସେ ଯେଉଁ ଉତ୍ସାହ ସହିତ କାମ କରିଛନ୍ତି ସେହି ଉତ୍ସାହ ନେଇ କାମ କରିବା ଏବଂ ତାଙ୍କ ଅବଦାନ ବିଷୟରେ ଅଧିକ ଜାଣିବା ଓ ତାଙ୍କ ସ୍ୱପ୍ନକୁ ଆଗକୁ ବଢ଼ାଇବା । ଏହି ଅବସରରେ ଉଦ୍ବୋଧନ ଦେଇ ଇଏସି-ପିଏମର ସଦସ୍ୟା ଡକ୍ଟର ଶମିକା ରବି କହିଥିଲେ ଯେ, ଡକ୍ଟର ବିବେକ ଦେବରାୟ ଜଣେ ମାର୍ଗଦର୍ଶକ ଭଳି ଥିଲେ ଏବଂ ନୂଆ ଦିଗରେ କାମ କରୁଥିବା ଲୋକମାନଙ୍କୁ ସବୁବେଳେ ଅନୁପ୍ରାଣିତ କରୁଥିଲେ । ଇଏସି-ପିଏମର ସଦସ୍ୟ ସଞ୍ଜୀବ ସାନ୍ୟାଲ ସ୍ୱର୍ଗତ ଦେବରାୟଙ୍କ ସହିତ ଦୀର୍ଘ ଆଲୋଚନାକୁ ସ୍ମରଣ କରିଥିଲେ ଏବଂ ସ୍ୱାଧୀନ ଚିନ୍ତାଧାରାକୁ ସେ କିଭଳି ସମର୍ଥନ କରୁଥିଲେ ତାହା କହିଥିଲେ । ବିଭିନ୍ନ ସଂସ୍କୃତ ମହାକାବ୍ୟର ଇଂରାଜୀ ଅନୁବାଦ ଉପରେ ତାଙ୍କର ପ୍ରଭାବଶାଳୀ କାର୍ଯ୍ୟକୁ ମନେ ପକାଇ ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶ୍ରୀନିବାସ ବରଖେଡି କହିଥିଲେ ଯେ ଡକ୍ଟର ଦେବରାୟ ହେଉଛନ୍ତି ଦ୍ୱିତୀୟ ବ୍ୟକ୍ତି ଯିଏ କି ରାମାୟଣ ଏବଂ ମହାଭାରତକୁ ମୂଳ ସଂସ୍କୃତ ଗ୍ରନ୍ଥରୁ ଅନୁବାଦ କରିଥିଲେ । ନୀତିଗତ କାର୍ଯ୍ୟ ହେଉ କିମ୍ବା ମହାକାବ୍ୟଗୁଡ଼ିକ ଉପରେ ତାଙ୍କର କାର୍ଯ୍ୟକୁ ନେଇ ଡକ୍ଟର ଦେବରାୟ ଯେଉଁ ସମୃଦ୍ଧ ଓ ବିବିଧ ପରମ୍ପରା ଛାଡି ଯାଇଛନ୍ତି ସେ ବିଷୟରେ ପ୍ରଖ୍ୟାତ ଅର୍ଥନୀତିଜ୍ଞ ଡ. ମଣ୍ଟେକ୍ ସିଂହ ଆହଲୁୱାଲିଆ ମତ ରଖିଥିଲେ । ଏହି ଉତ୍ସବରେ ବିଶିଷ୍ଟ ଅର୍ଥନୀତିଜ୍ଞ, ସଂସ୍କୃତ ବିଦ୍ୱାନ, ସରକାରୀ ଅଧିକାରୀ ଓ ଲୋକ ନୀତି ନିର୍ଦ୍ଧାରକ ଓ ଅଧ୍ୟାପକମାନେ ଉପସ୍ଥିତ ଥିଲେ ।