jayashree

ସପ୍ତଦଶ ଅର୍ବାନ୍ ମୋବିଲିଟି ଇଣ୍ଡିଆ (ୟୁଏମ୍ଆଇ) ସମ୍ମିଳନୀ ଏବଂ ପ୍ରଦର୍ଶନୀ ୨୦୨୪ରେ ‘ଶ୍ରେଷ୍ଠ ସାର୍ବଜନୀନ ପରିବହନ ସୁବିଧା ଥିବା ସହର’ ପୁରସ୍କାର ଜିତିଲା ଭୁବନେଶ୍ୱର

  • ଶ୍ରୀନଗର ଜିତିଲା ଅଣମୋଟର ପରିବହନ ବ୍ୟବସ୍ଥା ଥିବା ସହର ପୁରସ୍କାର
  • କେନ୍ଦ୍ରମନ୍ତ୍ରୀ ମନୋହର ଲାଲ ହରିୟାଣାର ଗୁରୁଗ୍ରାମକୁ ଅଷ୍ଟାଦଶ ଅର୍ବାନ୍ ମୋବିଲିଟି ଇଣ୍ଡିଆ (ୟୁଏମ୍ଆଇ) ସମ୍ମିଳନୀ ଏବଂ ପ୍ରଦର୍ଶନୀ ୨୦୨୫ର ଆୟୋଜନ ସ୍ଥଳୀ ଭାବେ ଘୋଷଣା କରିଛନ୍ତି
  • ପ୍ରଧାନମନ୍ତ୍ରୀଙ୍କ ‘ଏକ ରାଷ୍ଟ୍ର ଏକ କାର୍ଡ’ ଲକ୍ଷ୍ୟ ଏବେ ବାସ୍ତବ ରୂପ ନେଉଛି : ମନୋହର ଲାଲ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଆବାସ ଏବଂ ସହରାଞ୍ଚଳ ବ୍ୟାପାର ଏବଂ ଶକ୍ତି ମନ୍ତ୍ରୀ ମନୋହର ଲାଲ ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରରେ ତିନି ଦିନିଆ ସପ୍ତଦଶ ଅର୍ବାନ୍ ମୋବିଲିଟି ଇଣ୍ଡିଆ (ୟୁଏମ୍ଆଇ) ସମ୍ମିଳନୀ ଏବଂ ପ୍ରଦର୍ଶନୀ ୨୦୨୪ର ଉଦଯାପନୀ ଅଧିବେଶନକୁ ସମ୍ବୋଧିତ କରିବା ସହ ବିଭିନ୍ନ ବର୍ଗରେ ରାଜ୍ୟ ଓ ସହରାଞ୍ଚଳଗୁଡ଼ିକୁ ପୁରସ୍କୃତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସହରକୁ ‘ଶ୍ରେଷ୍ଠ ସାର୍ବଜନୀନ ପରିବହନ ସୁବିଧା ଥିବା ସହର’ ଭାବେ ଜାତୀୟ ପୁରସ୍କାର ମିଳିଛି । ସେହିପରି ଶ୍ରୀନଗର ଅଣମୋଟର ପରିବହନ ବ୍ୟବସ୍ଥା ଥିବା ସହର ପୁରସ୍କାର ପାଇଛି । ସ୍ଥାୟୀ ସହରାଞ୍ଚଳ ଗତିଶୀଳତା ସମାଧାନର ଅଗ୍ରଗତି ପାଇଁ ଉତ୍ସର୍ଗୀକୃତ ଏହି ପ୍ରମୁଖ କାର୍ଯ୍ୟକ୍ରମରେ କେନ୍ଦ୍ର ଆବାସ ଏବଂ ସହରାଞ୍ଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ତୋଖାନ ସାହୁ, ଗୁଜରାଟ ସରକାରଙ୍କ ଅର୍ଥ ଏବଂ ଶକ୍ତି ମନ୍ତ୍ରୀ କନୁଭାଇ ଦେଶାଇ, ଓଡ଼ିଶା ସରକାରଙ୍କ ଆବାସ ଏବଂ ନଗର ଉନ୍ନୟନ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଶ୍ରୀନିବାସ ଆର. କାଟିକିଥାଲାଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ଉଦ୍‌ଯାପନୀ ଅଧିବେଶନକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ ମନୋହର ଲାଲ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଭାରତ ବର୍ତ୍ତମାନ କାର୍ଯ୍ୟକ୍ଷମ ରେଳ ନେଟୱାର୍କ ଦୃଷ୍ଟିରୁ ବିଶ୍ୱରେ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ଖୁବ୍ ଶୀଘ୍ର ଭାରତୀୟ ମେଟ୍ରୋ ନେଟୱାର୍କ ଦ୍ୱିତୀୟ ସର୍ବବୃହତ୍ ନେଟୱାର୍କରେ ପରିଣତ ହେବ । ପ୍ରଧାନମନ୍ତ୍ରୀଙ୍କ ‘ଏକ ରାଷ୍ଟ୍ର ଏକ କାର୍ଡ’ର ପରିକଳ୍ପନା, ଯାହାକୁ ‘ଜାତୀୟ ସାଧାରଣ ଗମନାଗମନ କାର୍ଡ’ (ଏନ୍‌ସିଏମ୍‌ସି) କୁହାଯାଉଛି, ଏବେ ବାସ୍ତବ ରୂପ ନେଉଛି । ଭାରତର ଅଧିକାଂଶ ମହାନଗର ଏନ୍‌ସିଏମ୍‌ସିକୁ ଗ୍ରହଣ କରିଛନ୍ତି ଏବଂ ଏହା ସହରାଞ୍ଚଳ ଗମନାଗମନ କ୍ଷେତ୍ରରେ ଏକ ପରିବର୍ତ୍ତନକାରୀ ପଦକ୍ଷେପ ହେବାକୁ ଯାଉଛି ବୋଲି ସେ କହିଥିଲେ । ଆବାସ ଏବଂ ସହରାଞ୍ଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ତୋଖାନ ସାହୁ କହିଥିଲେ, ଭାରତରେ ସହରାଞ୍ଚଳ ଗମନାଗମନ ସମସ୍ୟାର ସମାଧାନ ପାଇଁ ୨୦୦୮ ମସିହାରୁ ‘ଅର୍ବାନ୍ ମୋବିଲିଟି ଇଣ୍ଡିଆ’ (ୟୁଏମ୍ଆଇ)ର ବାର୍ଷିକ ସମ୍ମିଳନୀ ପଦକ୍ଷେପକୁ ପ୍ରଶଂସା କରିଥିଲେ । ଦେଶରେ ଦୈନିକ ମେଟ୍ରୋ ଟ୍ରେନରେ ୧ କୋଟିରୁ ଅଧିକ ଯାତ୍ରୀ ଯାତ୍ରା କରୁଥିବା ନେଇ ସେ ଖୁସି ବ୍ୟକ୍ତ କରିଛନ୍ତି । ‘ବିକାଶ ଭାରତ ୨୦୪୭’ ପ୍ରତି ଭାରତର ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଏବଂ ପ୍ରତିବଦ୍ଧତା ଉପରେ ମଧ୍ୟ ସେ ଆଲୋକପାତ କରିଛନ୍ତି । ପରିବହନ କ୍ଷେତ୍ରରେ ବିଶେଷ କରି ସହରାଞ୍ଚଳ ପରିବହନ କ୍ଷେତ୍ରରେ ୟୁଏମ୍ଆଇର ବିଭିନ୍ନ ବର୍ଗର ପୁରସ୍କାର ରହିଛି । ‘ସହରାଞ୍ଚଳ ପରିବହନରେ ଉତ୍କର୍ଷତା/ସର୍ବୋତ୍ତମ ଅଭ୍ୟାସ ପ୍ରକଳ୍ପ’ ପାଇଁ ରାଜ୍ୟ/ସହର କର୍ତ୍ତୃପକ୍ଷଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ସରକାରଙ୍କ ଉଚ୍ଚସ୍ତରୀୟ ଅଧିକାରୀ ଏବଂ କ୍ଷେତ୍ର ବିଶେଷଜ୍ଞଙ୍କ ନେତୃତ୍ୱରେ ପୁରସ୍କାର ଚୟନ କମିଟି ଦ୍ୱାରା ସୁପାରିସ କରାଯାଇଥିବା ବିଜେତାଙ୍କୁ ନିମ୍ନଲିଖିତ ୧୨ଟି ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଥିଲା । କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ ହରିୟାଣାର ଗୁରୁଗ୍ରାମକୁ ଅଷ୍ଟାଦଶ ଅର୍ବାନ୍ ମୋବିଲିଟି ଇଣ୍ଡିଆ (ୟୁଏମ୍ଆଇ) ସମ୍ମିଳନୀ ଏବଂ ପ୍ରଦର୍ଶନୀ ୨୦୨୫ର ଆୟୋଜନ ସ୍ଥଳୀ ଭାବେ ମଧ୍ୟ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ, ସହରାଞ୍ଚଳ ପରିବହନ ପ୍ରତିଷ୍ଠାନ (ଭାରତ) ମାଧ୍ୟମରେ ଏବଂ ଗୁଜରାଟ ସରକାର ଏବଂ ଗୁଜରାଟ ମେଟ୍ରୋ ରେଳ କର୍ପୋରେସନ୍ ଲିମିଟେଡ୍ ସହାୟତାରେ ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ସପ୍ତଦଶ ୟୁଏମଆଇ ସମ୍ମିଳନୀ ଏବଂ ପ୍ରଦର୍ଶନୀ ୨୦୨୪ ଆୟୋଜନ କରାଯାଇଛି । ଏହି ପ୍ରଦର୍ଶନୀରେ ଭାରତର ସହରାଞ୍ଚଳ ପରିବହନର ସର୍ବୋତ୍ତମ ଅଭ୍ୟାସ ଏବଂ ଅତ୍ୟାଧୁନିକ ସହରାଞ୍ଚଳ ପରିବହନ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ ହୋଇଥିଲା, ଯେଉଁଥିରେ ବିଦେଶରୁ ୫୦ରୁ ଅଧିକ ଅଂଶଗ୍ରହଣକାରୀଙ୍କ ସମେତ ୨୦୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ । ଏହି ପ୍ରଦର୍ଶନୀ ପ୍ରତିବର୍ଷ ଆୟୋଜିତ ହେଉଥିବା ୟୁଏମ୍‌ଆଇ ସମ୍ମିଳନୀର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହି କାର୍ଯ୍ୟକ୍ରମରେ ମେଟ୍ରୋ ରେଳ କମ୍ପାନୀ, ସରକାରୀ ଏବଂ ବେସରକାରୀ କ୍ଷେତ୍ରର ପ୍ରାୟ ୭୬ ଜଣ ପ୍ରଦର୍ଶକ ଅଂଶଗ୍ରହଣ କରିଥିଲେ । ଚଳିତ ବର୍ଷ ଏହି ସମ୍ମିଳନୀର ବିଷୟବସ୍ତୁ ଥିଲା ‘‘ସହରାଞ୍ଚଳ ପରିବହନ ସମାଧାନର ମାନକୀକରଣ ଏବଂ ଅନୁକୂଳତା । ବିଶେଷ କରି ଭାରତୀୟ ସନ୍ଦର୍ଭରେ ସହରାଞ୍ଚଳର ଗତିଶୀଳତାକୁ ଅନୁକୂଳ କରିବା ପାଇଁ ଗୁଣବତ୍ତାର ସମନ୍ୱୟ ଉପରେ ଏହା ଗୁରୁତ୍ୱ ଦେଇଛି ।

Leave A Reply

Your email address will not be published.