ଲୋଇସିଂହାରେ ମା’ ସମଲେଇଙ୍କ ଛତର ଯାତ୍ରା ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସହରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ଛତର ଯାତ୍ରା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ପରି ପୁଅଜିଉନ୍ତିଆ ତିଥିରୁ ମା’ଙ୍କ ଷୋହଳ ପୂଜା ନୀତି ଅନୁଷ୍ଠିତ ହୋଇଥିଲା । ଦଶହରା ନବମୀ ରାତିରେ ମା’ଙ୍କ ଘଣ୍ଟ ଓ ଦୀପ ବିସର୍ଜନ ପରେ ଦଶମୀ ଦିନ ପାହୁର ଯାତ୍ରା ଅନୁଷ୍ଠିତ ହୋଇଥିଲା । ଦେବୀଙ୍କ ଛତର ଯାତ୍ରାର ଦିନକ ପୂର୍ବରୁ ଏହି ପାହୁର ଯାତ୍ରା ଆୟୋଜିତ ହୋଇଥାଏ । ବରୁଆ ଉଭା ହେବା ପରେ ପଞ୍ଚବାଦ୍ୟର ତାଳେ ତାଳେ ମନ୍ଦିରରୁ ବାହାରି ଦେବୀ ଲୋଇସିଂହା ବସ୍ତି ପରିକ୍ରମା କରିଥିଲେ । ଦେବୀଙ୍କ ଆଗମନ ସମୟରେ ପ୍ରତ୍ୟେକ ପରିବାରର ଅଗଣାରେ ଲିପାପୋଛା ପୂର୍ବକ ଗୃହକତ୍‌ର୍ତ୍ତା ଭକ୍ତିର ସହିତ ନୈବେଦ୍ୟ ଅର୍ପଣ ପୂର୍ବକ ପରିବାରର ସୁଖଶାନ୍ତି ତଥା ସମୃଦ୍ଧି କାମନା କରିଥିଲେ । ସ୍ଥାନୀୟ ଶାରଳା ଶକ୍ତିପୀଠର ମୁଖ୍ୟ ପୃଷ୍ଠପୋଷକ ଦେବୀପୁତ୍ର ମୁରଲୀ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଛତର ଯାତ୍ରାକୁ ହଜାର ହଜାର ଶ୍ରଦ୍ଧାଳୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଶ୍ରଦ୍ଧାର ସହିତ ଉପଭୋଗ କରିଥିଲେ ।

Leave A Reply

Your email address will not be published.