- କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସିଆର ପାଟିଲ ନୂଆଦିଲ୍ଲୀର ଶ୍ରମ ଶକ୍ତି ଭବନ ଠାରେ ୫ମ ଜାତୀୟ ଜଳ ପୁରସ୍କାର ବିଜେତାଙ୍କ ତାଲିକା ଘୋଷଣା କରିଛନ୍ତି ।
ନୂଆଦିଲ୍ଲୀ, (ପିଆଇବି) : ଜଳଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ଜଳ ସମ୍ପଦ, ନଦୀ ଉନ୍ନୟନ ଏବଂ ଗଙ୍ଗା ପୁନରୁଦ୍ଧାର ବିଭାଗ (ଡିଓଡବ୍ଲ୍ୟୁଆର, ଆରଡି ଏବଂ ଜିଆର) ଶ୍ରେଷ୍ଠ ରାଜ୍ୟ, ଶ୍ରେଷ୍ଠ ଜିଲ୍ଲା, ଶ୍ରେଷ୍ଠ ଗ୍ରାମ ପଞ୍ଚାୟତ, ଶ୍ରେଷ୍ଠ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା, ଶ୍ରେଷ୍ଠ ବିଦ୍ୟାଳୟ କିମ୍ବା ମହାବିଦ୍ୟାଳୟ ଭଳି ୦୯ଟି ବର୍ଗର ୫ମ ଜାତୀୟ ଜଳ ପୁରସ୍କାର, ୨୦୨୩ ପାଇଁ ଯୁଗ୍ମ ବିଜେତାଙ୍କ ସମେତ ୩୮ ଜଣ ବିଜେତାଙ୍କ ନାମ ଘୋଷଣା କରିଛି । ଶ୍ରେଷ୍ଠ ଶିଳ୍ପ, ଶ୍ରେଷ୍ଠ ଜଳ ଉପଭୋକ୍ତା ସଂଘ, ଶ୍ରେଷ୍ଠ ଅନୁଷ୍ଠାନ (ବିଦ୍ୟାଳୟ କିମ୍ବା କଲେଜ ବ୍ୟତୀତ), ଏବଂ ଶ୍ରେଷ୍ଠ ନାଗରିକ ସମାଜ ବିଜେତାଙ୍କ ତାଲିକା ଅନ୍ତର୍ଭୁକ୍ତ କରାଯାଇଛି । ଶ୍ରେଷ୍ଠ ରାଜ୍ୟ ବର୍ଗରେ ଓଡ଼ିଶାକୁ ପ୍ରଥମ, ଉତ୍ତରପ୍ରଦେଶ ଦ୍ୱିତୀୟ ଏବଂ ଗୁଜରାଟ ଓ ପୁଡୁଚେରୀ ମିଳିତ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ପ୍ରତ୍ୟେକ ପୁରସ୍କାର ବିଜେତାଙ୍କୁ ଏକ ପ୍ରଶଂସାପତ୍ର ଓ ଟ୍ରଫି ସହ ନିର୍ଦ୍ଦିଷ୍ଟ ବର୍ଗରେ ନଗଦ ପୁରସ୍କାର ପ୍ରଦାନ କରାଯିବ । ଜଳ ସମ୍ପଦ, ନଦୀ ଉନ୍ନୟନ ଏବଂ ଗଙ୍ଗା ପୁନରୁଦ୍ଧାର ବିଭାଗ (ଡିଓଡବ୍ଲ୍ୟୁଆର, ଆରଡି ଏବଂ ଜିଆର୍) ୫ମ ଜାତୀୟ ଜଳ ପୁରସ୍କାର, ୨୦୨୩ ପାଇଁ ପୁରସ୍କାର ବିତରଣ ସମାରୋହ ଅକ୍ଟୋବର ୨୨ ପୂର୍ବାହ୍ନ ୧୧ଟାରେ ନୂଆଦିଲ୍ଲୀର ବିଜ୍ଞାନ ଭବନ ସ୍ଥିତ ପ୍ଲେନାରୀ ହଲରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି କାର୍ୟ୍ୟକ୍ରମରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଜଳଶକ୍ତି ମନ୍ତ୍ରଣାଳୟର ଦୁଇ ରାଷ୍ଟ୍ରମନ୍ତ୍ରୀ ରାଜଭୂଷଣ ଚୌଧୁରୀ ଏବଂ ଜଳ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ପୁନରୁଦ୍ଧାର ବିଭାଗ (ଡିଓଡବ୍ଲ୍ୟୁଆର, ଆରଡି ଏବଂ ଜିଆର୍), ସୁଶ୍ରୀ ଦେବଶ୍ରୀ ମୁଖାର୍ଜୀ ପାନୀୟ ଜଳ ଏବଂ ପରିମଳ ବିଭାଗ ସଚିବ ସୁଶ୍ରୀ ବିନ୍ନି ମହାଜନ, ପାନୀୟ ଜଳ ଏବଂ ପରିମଳ ବିଭାଗର ଓଏସ୍ଡି ଅଶୋକ କେ.କେ.ମୀନା କ୍ୟାବିନେଟ ମନ୍ତ୍ରୀଙ୍କ ସହ ଏହି ଜାତୀୟ ଜଳ ପୁରସ୍କାର ଘୋଷଣା କରିଛନ୍ତି । ଜଳଶକ୍ତି ମନ୍ତ୍ରଣାଳୟ ଏକ ଜାତୀୟ ସମ୍ପତ୍ତି ଭାବରେ ଜଳର ବିକାଶ, ସଂରକ୍ଷଣ ଏବଂ ଦକ୍ଷ ପରିଚାଳନା ପାଇଁ ନୀତି ଢାଞ୍ଚା ପ୍ରତିଷ୍ଠା ଏବଂ କାର୍ୟ୍ୟକ୍ରମ କାର୍ୟ୍ୟକାରୀ କରିବାର ଦାୟିତ୍ୱ କେନ୍ଦ୍ରୀୟ ମନ୍ତ୍ରଣାଳୟ ଭାବରେ କାର୍ୟ୍ୟ କରେ । ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଜଳ ଶକ୍ତି ମନ୍ତ୍ରଣାଳୟ ଜାତୀୟ ସ୍ତରରେ ଜଳ ପରିଚାଳନା ଏବଂ ଜଳ ସଂରକ୍ଷଣ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ବ୍ୟାପକ ଅଭିଯାନ ହାତକୁ ନେଉଛି । ଏହି ଦୃଷ୍ଟିକୋଣରୁ ଏବଂ ଜଳର ଗୁରୁତ୍ୱ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ସର୍ବୋତ୍ତମ ଜଳ ବ୍ୟବହାର ପଦ୍ଧତି ଗ୍ରହଣ କରିବାକୁ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ଡିଓଡବ୍ଲ୍ୟୁଆର, ଆରଡି ଏବଂ ଜିଆର ଦ୍ୱାରା ୨୦୧୮ ରେ ପ୍ରଥମ ଜାତୀୟ ଜଳ ପୁରସ୍କାର ଆରମ୍ଭ କରାଯାଇଥିଲା । ୨୦୧୯, ୨୦୨୦ ଓ ୨୦୨୨ ବର୍ଷ ପାଇଁ୨ୟ, ୩ୟ ଓ ୪ର୍ଥ ର୍ଥଜାତୀୟ ଜଳ ପୁରସ୍କାର ପ୍ରଦାନ କରାଯାଇଛି । କୋଭିଡ ମହାମାରୀ କାରଣରୁ ୨୦୨୧ ମସିହାରେ ଏହି ପୁରସ୍କାର ଦିଆଯାଇନଥିଲା । ୨୦୨୩ ମସିହା ପାଇଁ ଗୃହ ମନ୍ତ୍ରଣାଳୟ (ଏମ୍ଏଚ୍ଏ)ର ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲରେ ୧୩ ଅକ୍ଟୋବର ୨୦୨୩ରେ ୫ମ ଜାତୀୟ ଜଳ ପୁରସ୍କାର ଶୁଭାରମ୍ଭ କରାଯାଇଥିଲା । ସମୁଦାୟ ୬୮୬ଟି ଆବେଦନ ଆସିଥିଲା । ଜୁରି କମିଟି ଦ୍ୱାରା ଆବେଦନଗୁଡ଼ିକର ଯାଞ୍ଚ ଏବଂ ମୂଲ୍ୟାଙ୍କନ କରାଯାଇଥିଲା । କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି) ଏବଂ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ (ସିଜିଡବ୍ଲୁବି) ଦ୍ୱାରା ଚୟନ କରାଯାଇଥିବା ଆବେଦନଗୁଡ଼ିକର ମୂଳ ସତ୍ୟତା କରାଯାଇଥିଲା । କ୍ଷେତ୍ର ସ୍ତରୀୟ ସତ୍ୟତା ରିପୋର୍ଟ ଆଧାରରେ ୫ମ ଏନ୍ଡବ୍ଲ୍ୟୁଏ,୨୦୨୩ ପାଇଁ ୦୯ଟି ବିଭିନ୍ନ ବର୍ଗରେ ଯୁଗ୍ମ ବିଜେତାଙ୍କୁ ମିଶାଇ ସମୁଦାୟ୩୮ ଜଣ ବିଜେତାଙ୍କୁ ଚୟନ କରାଯାଇଛି । ଜାତୀୟ ଜଳ ପୁରସ୍କାର (ଏନ୍ଡବ୍ଲ୍ୟୁଏ) ସରକାରଙ୍କ ‘ଜଳ ସମୃଦ୍ଧି ଭାରତ’ର ସ୍ୱପ୍ନକୁ ସାକାର କରିବା ପାଇଁ ସମଗ୍ର ଦେଶର ବ୍ୟକ୍ତି ବିଶେଷ ଏବଂ ଅନୁଷ୍ଠାନଗୁଡିକ ଦ୍ୱାରା କରାଯାଇଥିବା ଭଲ କାର୍ୟ୍ୟ ଏବଂ ପ୍ରୟାସ ଉପରେ ଗୁରୁତ୍ୱାରୋପ କରେ । ଜଳର ମହତ୍ତ୍ୱ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ସର୍ବୋତ୍ତମ ଜଳ ବ୍ୟବହାର ଅଭ୍ୟାସ ଗ୍ରହଣ କରିବାକୁ ପ୍ରେରଣା ଦେବା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏହି କାର୍ୟ୍ୟକ୍ରମ ସମସ୍ତ ବ୍ୟକ୍ତି ଏବଂ ସଂଗଠନକୁ ଏକ ଦୃଢ଼ ଭାଗିଦାରୀ ଏବଂ ଜଳ ସମ୍ପଦ ସଂରକ୍ଷଣ ଏବଂ ପରିଚାଳନା କାର୍ୟ୍ୟକଳାପରେ ଲୋକଙ୍କ ସଂପୃକ୍ତିକୁ ଆହୁରି ସୁଦୃଢ଼ କରିବାର ସୁଯୋଗ ପ୍ରଦାନ କରେ ।