ଲାଓସର ଭିଏନ୍‌ଶେଠାରେ ୨୧ତମ ଆସିଆନ୍-ଭାରତ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍‌ଘାଟନୀ ଅଭିଭାଷଣ

ନୂଆଦଲ୍ଲୀ, (ପିଆଇବି) : ମହାମହିମ, ପ୍ରଧାନମନ୍ତ୍ରୀ ସୋନସାୟ ସିପାନଦୋନ,
ମହାରାଜଗଣ
ମହାମହିମ,
ନମସ୍କାର ।
ଆଜି ଆସିଆନ ପରିବାର ସହିତ ଏକାଦଶ ଥର ପାଇଁ ଏହି ବୈଠକରେ ଅଂଶଗ୍ରହଣ କରି ମୁଁ ଗୌରବାନ୍ୱିତ ଅନୁଭବ କରୁଛି । ୧୦ ବର୍ଷ ତଳେ ମୁଁ ଭାରତର ‘ଆକ୍ଟ ଇଷ୍ଟ’ ନୀତି ଘୋଷଣା କରିଥିଲେ । ଗତ ଏକ ଦଶନ୍ଧି ମଧ୍ୟରେ ଏହି ପଦକ୍ଷେପ ଭାରତ ଓ ଆସିଆନ ରାଷ୍ଟ୍ରମାନଙ୍କ ମଧ୍ୟରେ ଐତିହାସିକ ସମ୍ପର୍କକୁ ପୁନର୍ଜୀବିତ କରିଛି ଏବଂ ଏହାକୁ ନୂତନ ଶକ୍ତି, ଦିଗ ଏବଂ ଗତି ପ୍ରଦାନ କରିଛି । ଆସିଆନ୍ କେନ୍ଦ୍ରୀୟତାକୁ ଗୁରୁତ୍ୱ ଦେଇ ଆମେ ୨୦୧୯ରେ ଭାରତ-ପ୍ରଶାନ୍ତ ମହାସାଗରୀୟ ପ୍ରୟାସ ଆରମ୍ଭ କରିଥିଲୁ । ଏହି ପଦକ୍ଷେପ ‘ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଆସିଆନ୍ ଦୃଷ୍ଟିକୋଣ’ ଅନୁକୂଳ ଅଟେ । ଆଞ୍ଚଳିକ ନିରାପତ୍ତା ଓ ସ୍ଥିରତା ବୃଦ୍ଧି ପାଇଁ ଗତବର୍ଷ ଆମେ ସାମୁଦ୍ରିକ ଅଭ୍ୟାସ ଆରମ୍ଭ କରିଥିଲୁ । ଗତ ୧୦ ବର୍ଷ ମଧ୍ୟରେ ଆସିଆନ୍ ଅଞ୍ଚଳ ସହ ଆମର ବାଣିଜ୍ୟ କାରବାର ପ୍ରାୟ ଦ୍ୱିଗୁଣିତ ହୋଇଛି, ଯାହା କି ୧୩୦ ବିଲିୟନ ଡଲାର ଅତିକ୍ରମ କରିଛି । ଆଜି ଭାରତର ୭ଟି ଆସିଆନ ଦେଶ ସହ ସିଧାସଳଖ ବିମାନ ଯୋଗାଯୋଗ ରହିଛି ଏବଂ ଖୁବଶୀଘ୍ର ବ୍ରୁନେଇକୁ ସିଧାସଳଖ ବିମାନ ସେବା ମଧ୍ୟ ଆରମ୍ଭ ହେବ । ଏହାବ୍ୟତୀତ ତିମୋର-ଲେସ୍ତେରେ ଆମେ ଏକ ନୂଆ ଦୂତାବାସ ଖୋଲିଛୁ । ଆସିଆନ୍‌ ଅଞ୍ଚଳରେ ସିଙ୍ଗାପୁର ହେଉଛି ପ୍ରଥମ ଦେଶ ଯାହା ସହିତ ଆମେ ଫିନ୍ ଟେକ୍ ଯୋଗାଯୋଗ ସ୍ଥାପନ କରିଥିଲୁ ଏବଂ ଏହି ସଫଳତାକୁ ବର୍ତ୍ତମାନ ଅନ୍ୟ ରାଷ୍ଟ୍ରରେ ଅନୁକରଣ କରାଯାଉଛି । ଆମର ବିକାଶ ଭାଗିଦାରୀ ଏକ ଜନକୈନ୍ଦ୍ରିକ ଆଭିମୁଖ୍ୟ ଉପରେ ଆଧାରିତ । ନାଳନ୍ଦା ବିଶ୍ୱବିଦ୍ୟାଳୟରେ ୩୦୦ରୁ ଅଧିକ ଆସିଆନ୍ ଛାତ୍ରଛାତ୍ରୀ ଛାତ୍ର ବୃତ୍ତି ଦ୍ୱାରା ଉପକୃତ ହୋଇଛନ୍ତି । ବିଶ୍ୱବିଦ୍ୟାଳୟର ଏକ ନେଟୱର୍କ ଆରମ୍ଭ ହୋଇଛି । ଲାଓସ୍, କାମ୍ବୋଡିଆ, ଭିଏତନାମ, ମ୍ୟାମାର ଏବଂ ଇଣ୍ଡୋନେସିଆରେ ଆମର ସହଭାଗୀ ଐତିହ୍ୟ ଏବଂ ପରମ୍ପରାକୁ ସଂରକ୍ଷିତ ରଖିବା ପାଇଁ ମଧ୍ୟ ଆମେ କାର୍ଯ୍ୟ କରିଛୁ । କୋଭିଡ ମହାମାରୀ ସମୟରେ ହେଉ ଅବା ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ହେଉ, ଆମେ ପାରସ୍ପରିକ ସହାୟତା ପ୍ରଦାନ କରିଛୁ ଏବଂ ଆମର ମାନବିକ ଦାୟିତ୍ୱ ପୂରଣ କରିଛୁ । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପାଣ୍ଠି, ଡିଜିଟାଲ ପାଣ୍ଠି ଏବଂ ସବୁଜ ପାଣ୍ଠି ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ପାଇଁ ପାଣ୍ଠି ପ୍ରତିଷ୍ଠା କରାଯାଇଛି । ଏହି ପଦକ୍ଷେପରେ ଭାରତ ୩୦ ନିୟୁତ ଡଲାରରୁ ଅଧିକ ଯୋଗଦାନ ଦେଇଛି । ଫଳରେ ଆମର ସହଯୋଗ ଏବେ ଜଳ ପ୍ରକଳ୍ପଠାରୁ ଆରମ୍ଭ କରି ମହାକାଶ ଗବେଷଣା ପର୍ଯ୍ୟନ୍ତ ବ୍ୟାପିଛି । ଅର୍ଥାତ୍ ଗତ ଏକ ଦଶନ୍ଧି ମଧ୍ୟରେ ଆମର ଭାଗିଦାରୀ ସବୁ ଦିଗରେ ଯଥେଷ୍ଟ ବ୍ୟାପକ ହୋଇଛି । ଆହୁରି ଏହା ଅତ୍ୟନ୍ତ ସନ୍ତୋଷର ବିଷୟ ଯେ ୨୦୨୨ରେ ଆମେ ଏହାକୁ ‘ବ୍ୟାପକ ରଣନୈତିକ ଭାଗିଦାରୀ’ର ମାନ୍ୟତା ପ୍ରଦାନ କରିଛୁ ।
ବନ୍ଧୁଗଣ,
ଆମେ ପଡ଼ୋଶୀ, ଗ୍ଲୋବାଲ ସାଉଥର ଅଂଶୀଦାର ଏବଂ ବିଶ୍ୱରେ ଦ୍ରୁତ ଗତିରେ ଅଭିବୃଦ୍ଧି ପାଉଥିବା ଅଞ୍ଚଳ ଅଟୁ । ଆମେ ଶାନ୍ତିପ୍ରିୟ ରାଷ୍ଟ୍ର, ଆମେମାନେ ପରସ୍ପରର ଜାତୀୟ ଅଖଣ୍ଡତା ଏବଂ ସାର୍ବଭୌମତ୍ୱକୁ ସମ୍ମାନ ଦେଉ ଏବଂ ଆମେ ଆମର ଯୁବବର୍ଗଙ୍କ ଉଜ୍ଜ୍ୱଳ ଭବିଷ୍ୟତ ସୁନିଶ୍ଚିତ କରିବାକୁ ପ୍ରତିଶ୍ରୁତିବଦ୍ଧ । ମୁଁ ବିଶ୍ୱାସ କରେ ଯେ ଏକବିଂଶ ଶତାବ୍ଦୀ ହେଉଛି ‘‘ଆସିଆନ୍ ଶତାବ୍ଦୀ’’, ଯାହା କି ଭାରତ ଏବଂ ଆସିଆନ ଦେଶମାନଙ୍କ ପାଇଁ ଏକ ଶତାବ୍ଦୀ । ଆଜି ଯେତେବେଳେ ବିଶ୍ୱର ଅନେକ ସ୍ଥାନରେ ସଂଘର୍ଷ ଓ ଉତ୍ତେଜନା ଲାଗି ରହିଛି, ସେତେବେଳେ ଭାରତ ଓ ଆସିଆନ ମଧ୍ୟରେ ବନ୍ଧୁତା, ସମନ୍ୱୟ, ଆଲୋଚନା ଓ ସହଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆସିଆନର ସଫଳ ଅଧ୍ୟକ୍ଷତା ପାଇଁ ମୁଁ ଲାଓସ ପିଡିଆର ପ୍ରଧାନମନ୍ତ୍ରୀ ସୋନସାୟ ସିପାନଦୋନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ମୋର ବିଶ୍ୱାସ ଯେ ଆଜିର ବୈଠକ ଭାରତ-ଆସିଆନ୍ ଭାଗିଦାରୀରେ ନୂତନ ଅଧ୍ୟାୟ ଯୋଡ଼ିବ । ଅନେକ ଅନେକ ଧନ୍ୟବାଦ ।

Leave A Reply

Your email address will not be published.