ଗଞ୍ଜେଇ ଚାଷକୁ ଆପଣାଇଲେଣି ପରିବା ଚାଷୀ : କଲବଲ କଲାଣି ବଜାର ଦର, ୮୦ ଉପରେ ସବୁ ପରିବା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ପୁଣି କଲବଲ କଲାଣି ପରିବା ଦର । ଆଳୁ, ପିଆଜ ଦର ତ ଖସୁନି, ଏହାସାଙ୍ଗକୁ ପରିବାର ଦର ହୁହୁ ହୋଇ ବଢ଼ି ଚାଲିଛି । ବଜାରରେ ପରିବା ଯାହାକୁ ଯେତେ କିନ୍ତୁ ଦର ହୁ ହୁ ହୋଇ ବଢ଼ିଚାଲିଛି । ଏବେ ପ୍ରାୟ ସବୁ ପରିବା କିଲୋ ପିଛା ୬୦ରୁ ୭୦ ଟଙ୍କା ଉପରେ ବିକ୍ରି ହେଉଛି । କୌଣସି କଞ୍ଚା ପରିବାରେ ହାତ ମାରି ହେଉନାହିଁ । ଅଧିକାଂଶ ପରିବାର ଦର କିଲୋ ପିଛା ୨ରୁ ୩ ଗୁଣ ବୃଦ୍ଧି ପାଇଛି । ଯାହା ଖାଉଟିଙ୍କ ଚିନ୍ତାର କାରଣ ହୋଇଛି । ଆଳୁ କିଲୋ ୩୫ ଟଙ୍କାରୁ ତଳକୁ ଖସୁନଥିବା ବେଳେ ପିଆଜ ୭୦ ଟଙ୍କାରୁ ତଳକୁ ଆସୁନି । ସେହିଭଳି ବାଇଗଣ ଦୀର୍ଘ ଦିନ ଧରି ୬୦ ଟଙ୍କା ଉପରେ ରହିଛି । ଟମାଟୋ ମଧ୍ୟ ୮୦ ତଳକୁ ଖସୁନି କାଙ୍କଡ଼ କେଜି ୧୦୦, ଭେଣ୍ଡି ୬୦-୮୦ ଟଙ୍କାରେ ବିକ୍ରି ହେଉଛି । ସେହିପରି ପୋଟଳ ୮୦ ଟଙ୍କା, କଲରା କେଜି ୮୫, ଝୁଡଙ୍ଗ ୯୦ ଏବଂ ବିନ୍‌ ୮୦ ଟଙ୍କାରେ ପହଞ୍ଚିଛି । ଶିମଲା ଲଙ୍କା ୧୯୦-୨୦୦ ଟଙ୍କା, ଗାଜର ୧୨୦ ଟଙ୍କା ରହିଛି । ବ୍ୟବସାୟୀ ମାନେ କହୁଛନ୍ତି ଯେ, ରାଜ୍ୟରେ ଶୀତଦିନିଆ ଚାଷ ଭଲ ହେଲାନାହିଁ । ପରବର୍ତ୍ତୀ ସମୟରେ ବର୍ଷା ଦିନିଆ ଫସଲର ସ୍ଥିତି ମଧ୍ୟ ଏତେ ଭଲ ନାହିଁ । ପ୍ରାୟ ସବୁ ପନି ପରିବା ଚାଷୀ ବର୍ତ୍ତମାନ ଗଞ୍ଜେଇ ଚାଷକୁ ଆପଣଇଥିବାରୁ ଏହି ଅଞ୍ଚଳର ପନି ପରିବା ଆଉ ପୂର୍ବ ଭଳି ଆଦାୟ ହେଉନାହିଁ । ଯାହା କିଛି ପନି ପରିବା ପାଇଁ ପଡୋଶୀ ଜିଲ୍ଲା ଉପରେ ସମ୍ପୂର୍ଣ୍ଣ ନିର୍ଭର କରିବାକୁ ପଡୁଛି । ତେଣୁ ଦର ନିୟନ୍ତ୍ରଣ ଭିତରେ ରହୁନାହିଁ । ସେଠିକାର ମାର୍କେଟ୍‌ରେ ଯାହା ଦରଦାମ୍‌ ରହୁଛି, ଏଠି ପରିବହନ ଓ ପରିବହନଜନିତ କ୍ଷୟକ୍ଷତି ମିଶିଲେ ଦର ଆକାଶଛୁଆଁ ହୋଇଯାଉଛି । ଆଉ କେତେକ ବ୍ୟବସାୟୀଙ୍କ କହିବା ଅନୁସାରେ ଚଳିତବର୍ଷ ଅନିୟମିତ ବର୍ଷା ଯୋଗୁଁ ବଜାରକୁ ଆସିନି । ତେଣୁ ଟମାଟୋ ପାଇଁ ନାସିକ୍‌, ବେଙ୍ଗାଲୁରୁ, ରାୟପୁର ଉପରେ ନିର୍ଭର କରିବାକୁ ପଡୁଛି । ସେଠି ଯାହା ଦାମ୍‌ ରହୁଛି, ସେହି ଅନୁସାରେ ଆମର ଦାମ୍‌ ରହୁଛି । ତଥାପି ପୂର୍ବାପେକ୍ଷା ଟମାଟୋ ଦର ସାମାନ୍ୟ କମ୍‌ ରହିଛି । ସେହିଭଳି ଅଧିକାଂଶ ପୋଟଳ ଏବେ କଲିକତାରୁ ଆମଦାନୀ ହେଉଛି । ସେହି ପୋଟଳର ଦାମ୍‌ ସାମାନ୍ୟ କମ୍‌ ଥିବାବେଳେ ଦେଶୀ ପୋଟଳରେ ହାତ ମାରିହେଉନି । ଆମର ଆଞ୍ଚଳିକ ପରିବା ଆମଦାନୀ ହେଉଥିଲେ ହେଁ ତାହା ଆବଶ୍ୟକତା ପୂରଣ କରିବାକୁ ସକ୍ଷମ ହେଉନି । ସେହିଭଳି ଅନ୍ୟ ସମସ୍ତ ପରିବା ମଧ୍ୟ ବାହାର ରାଜ୍ୟରୁ ଆମଦାନୀ ହେଉଥିବାରୁ ଦର ହ୍ରାସ ପାଉନି । ଶୀତ ଦିନେ ଅଦିନିଆ ବର୍ଷା ଫସଲ ନଷ୍ଟ କରିଦେଲା । ବର୍ଷା ଆରମ୍ଭରୁ ନିୟମିତ ବର୍ଷା ହେଲାନି । ଫଳରେ ଆଗୁଆ ଚାଷ କରିଥିବା ଚାଷୀ ହତାଶ ହେଲେ । ତା’ପରେ ଲଗାଣ ବର୍ଷା ଓ ଦୀର୍ଘ ଦିନ ପାଣି ଜମି ରହିବା କାରଣରୁ ଫସଲ ମୂଳ ସବୁ ପଚି ନଷ୍ଟ ହୋଇଗଲା । ଏସବୁ ସମସ୍ୟା ପାଇଁ ଆମର ଏହି ଅଞ୍ଚଳରେ ଯାହା କିଛି ଆଦାୟ ପରିବା ଉତ୍ପାଦନ ବାଧାପ୍ରାପ୍ତ ହେଲା । ତେଣୁ ଦାମ୍‌ ନିୟନ୍ତ୍ରଣକୁ ଆସୁନି । ଏହି ଦରବୃଦ୍ଧି ନୂଆ ପରିବା ଉତ୍ପାଦନ ହେବା ପର୍ଯ୍ୟନ୍ତ ଲାଗିରହିବ ବୋଲି ପରିବା ବ୍ୟବସାୟୀ ମାନେ କହିଛନ୍ତି । ପଶ୍ଚିମବଙ୍ଗରୁ ଏହି ଅଞ୍ଚଳକୁ ପର୍ଯ୍ୟାପ୍ତ ପରିମାଣର ଆଳୁ ଆମଦାନୀ ହେଉଛି । ପୂର୍ବରୁ ଯେମିତି ଆଳୁ ଆସୁଥିଲା, ଏବେ ଆସୁଛି । ହେଲେ ଦୁଃଖର ବିଷୟ ପାଇକାରୀ କିଲୋ ପିଛା ଦାମ୍‌ ୨୦ରୁ ୨୨ ଭିତରେ ରହୁଥିବା ବେଳେ ଖୁଚୁରା ବଜାର ଦାମ୍‌ କିନ୍ତୁ ୩୫ ଟଙ୍କାରୁ ତଳକୁ ଖସୁନି । ସେହିଭଳି ପିଆଜ କିଲୋ ପିଛା ପାଇକାରୀ ଦାମ୍‌ ୪୫ରୁ ୪୮ ଟଙ୍କା ରହୁଥିବାବେଳେ ଖୁଚୁରା ବଜାରରେ ୬୦ରୁ ୭୦ ଟଙ୍କାରେ ବିକ୍ରି ହେଉଛି । ଦାମ୍‌ ବଢ଼ିବା ପ୍ରତିଯୋଗିତାରୁ ବାଦ୍‌ ପଡୁନାହାନ୍ତି ରସୁଣ ଓ ଅଦା । ରସୁଣ କିଲୋ ୨୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଅଦା କିଲୋ ୧୧୦ ଟଙ୍କାରେ ବିକ୍ରି ହେଉଛି । ଖାଇବା ତେଲ ଓ ଡାଲି ଦାମ୍‌ ବି ବଢୁଛି । ଖାଇବା ତେଲ ଦାମ୍‌ ଲିଟର ପିଛା ୧୨୫ ଟଙ୍କାରେ ପହଞ୍ଚିଲାଣି । ଏହି ତେଲ ୮ ଦିନ ତଳେ ୧୧୦ ଟଙ୍କା ଥିବାବେଳେ ଗୋଟିଏ ସପ୍ତାହ ଭିତରେ ବଢ଼ି ୧୨୫ ଟଙ୍କାରେ ବିକ୍ରି ହେଉଛି । ହରଡ଼ ଡାଲି କିଲୋ ୧୬୦ ଟଙ୍କାରେ ପହଞ୍ଚିଲାଣି । ଆଉ କେତେ ଦିନ ଭିତରେ ଏହା ୨ ଶହ ଛୁଇଁବ ବୋଲି ବ୍ୟବସାୟୀ ମହଲରେ ଆକନଳ ହେଲାଣି । ତୁରନ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଦାମ୍‌ ନିୟନ୍ତ୍ରଣରେ ସରକାର ପଦକ୍ଷେପ ନନେଲେ ସାଧାରଣ ଲୋକ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.