- ଜଗତ ପ୍ରକାଶ ନଡ୍ଡା, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ
ନୂଆଦିଲ୍ଲୀ, (ପିଆଇବି) : ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମ୍ଜେଏୱାଇ) ଷଷ୍ଠ ବାର୍ଷିକୀ ପାଳନ କରୁଥିବା ବେଳେ, ଏହା ଦେଶ ପାଇଁ ଅତ୍ୟନ୍ତ ଗର୍ବ ଏବଂ ଗୌରବର ମୁହୂର୍ତ୍ତ । ସେପ୍ଟେମ୍ବର ୨୦୧୮ରେ, ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଆରମ୍ଭ ହୋଇଥିବା ଏବି-ପିଏମ୍ଜେଏୱାଇ ବିଶ୍ୱର ଏକ ବୃହତ୍ତମ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମରେ ପରିଣତ ହୋଇଛି । ଏହା ସମସ୍ତ ନାଗରିକ, ବିଶେଷକରି ସବୁଠାରୁ ସମ୍ବେଦନଶୀଳ ଲୋକଙ୍କ ପାଇଁ ସମାନ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଏ । ବିଗତ ଛଅ ବର୍ଷ ମଧ୍ୟରେ, ଏହି ମହତ୍ୱାକାଂକ୍ଷୀ ଯୋଜନା ଲକ୍ଷ ଲକ୍ଷ ଜୀବନକୁ ସ୍ପର୍ଶ କରିଛି, ଜନସାଧାରଣଙ୍କୁ ଆଶା, ଆରୋଗ୍ୟ ଏବଂ ଅନେକ କ୍ଷେତ୍ରରେ ଜୀବନ ରକ୍ଷାକାରୀ ଚିକିତ୍ସା ପ୍ରଦାନ କରିଛି । ଏବି-ପିଏମ୍ଜେଏୱାଇର ଯାତ୍ରା ପ୍ରମାଣ କରୁଛି ଯେ ଯେତେବେଳେ ଏକ ରାଷ୍ଟ୍ର ନିଜ ଲୋକଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣରେ ଉନ୍ନତି ଆଣିବାର ମିଳିତ ଲକ୍ଷ୍ୟ ସହିତ ଏକାଠି ହୁଏ ସେତେବେଳେ କ’ଣ ସବୁ ହାସଲ କରାଯାଇପାରିବ । ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ପରିବର୍ତ୍ତନ ଆୟୁଷ୍ମାନ ଭାରତର ମୂଳ ଲକ୍ଷ୍ୟ । ଏହା ସରଳ କିନ୍ତୁ ଗଭୀର । ଯେପରି କୌଣସି ଭାରତୀୟ ସେମାନଙ୍କର ଆର୍ଥିକ ସ୍ଥିତି କାରଣରୁ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ନ ହୁଅନ୍ତି ତାହା ସୁନିଶ୍ଚିତ କରିବା ଏହି ଯୋଜନାର ମୌଳିକ ଲକ୍ଷ୍ୟ । ଦ୍ୱିତୀୟ ଓ ତୃତୀୟ ସ୍ତରୀୟ ସ୍ୱାସ୍ଥ୍ୟ ସେବା ପାଇଁ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କାର ବୀମା ରାଶି ସହିତ ଏବି-ପିଏମ୍ଜେଏୱାଇ ଅର୍ଥନୈତିକ ଅନଗ୍ରସର ପରିବାରମାନଙ୍କୁ ଦେଶର କେତେକ ଶ୍ରେଷ୍ଠ ଡାକ୍ତରଖାନାରେ ଗୁଣାତ୍ମକ ଚିକିତ୍ସା ସେବା ମାଗଣାରେ ଉପଲବ୍ଧ କରାଇଛି । ସାମାଜିକ-ଅର୍ଥନୈତିକ ସ୍ଥିତି ନିର୍ବିଶେଷରେ ୭୦ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକଙ୍କୁ ଏବି ପିଏମ୍-ଜେଏୱାଇର ଲାଭ ପାଇବାକୁ ଭାରତ ସରକାର ନିକଟରେ ନେଇଥିବା ନିଷ୍ପତ୍ତି ଆମ ଦେଶର ପରିବର୍ତ୍ତିତ ଜନସଂଖ୍ୟାଗତ ସ୍ଥିତିର ହିସାବ ଦେବା ପାଇଁ ଏକ ସୂକ୍ଷ୍ମ ପଦକ୍ଷେପ । ପୂର୍ବରୁ ଆମ ଗୋଷ୍ଠୀ ସ୍ୱାସ୍ଥ୍ୟକର୍ମୀଙ୍କ ପରିବାର ଯଥା ମାନ୍ୟତାପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟ କର୍ମୀ (ଆଶା), ଅଙ୍ଗନବାଡି କର୍ମୀ ଓ ଅଙ୍ଗନବାଡି ସହାୟିକାଙ୍କୁ ଏହି ଯୋଜନା ଅଧୀନରେ ଅଣାଯାଇଥିଲା । ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୫୫ କୋଟିରୁ ଅଧିକ ଲୋକ ସ୍ୱାସ୍ଥ୍ୟସେବା ପାଇବାକୁ ଯୋଗ୍ୟ ଏବଂ ୧ ଲକ୍ଷ କୋଟି ଟଙ୍କା ମୂଲ୍ୟରେ ୭.୫ କୋଟିରୁ ଅଧିକ ଚିକିତ୍ସା ସୁବିଧା ସଫଳତାର ସହ ଯୋଗାଇ ଦିଆଯାଇଛି। ଏହା ଏକ ଉଲ୍ଲେଖନୀୟ ସଫଳତା । ଏକଦା ବହୁଳ ସ୍ୱାସ୍ଥ୍ୟ ଖର୍ଚ୍ଚ ଯୋଗୁଁ ଦାରିଦ୍ର୍ୟ ଭିତରକୁ ଠେଲି ଦିଆଯାଇଥିବା ପରିବାରମାନଙ୍କ ପାଖରେ ଏବେ ଏକ ଆର୍ଥିକ ଶକ୍ତି ଅଛି ଯାହା ସେମାନଙ୍କୁ ଏଭଳି ସଙ୍କଟରୁ ରକ୍ଷା କରିଥାଏ । ବିପୁଳ ସ୍ୱାସ୍ଥ୍ୟ ଖର୍ଚ୍ଚ ଭୋଗୁଥିବା ପରିବାରମାନଙ୍କ ପାଇଁ ଏହି ଯୋଜନା ଲାଇଫ୍ ଲାଇନ୍ ପାଲଟିଛି । ଚାଷୀଙ୍କଠାରୁ ଆରମ୍ଭ କରି ଦିନ ମଜୁରିଆଙ୍କ ପର୍ଯ୍ୟନ୍ତ ହିତାଧିକାରୀଙ୍କ ପ୍ରଶଂସାପତ୍ର ପ୍ରଚୁର ପରିମାଣରେ ରହିଛି ଏବଂ ଏହି ଯୋଜନା ସେମାନଙ୍କୁ କିପରି ଆର୍ଥିକ ବିପର୍ଯ୍ୟୟରୁ ରକ୍ଷା କରିଛି, ଅନେକ ତାହାର ବର୍ଣ୍ଣନା କରିଛନ୍ତି । ଏହି ଦୃଷ୍ଟିରୁ ଆୟୁଷ୍ମାନ ଭାରତ ପ୍ରକୃତରେ ନିଜର ପ୍ରତିଶ୍ରୁତି ପୂରଣ କରିଛି । ଏହି ଯୋଜନାର ପରିସର ବ୍ୟାପକ, ଯେଉଁଥିରେ ୧୯୦୦ରୁ ଅଧିକ ଚିକିତ୍ସା ପଦ୍ଧତି, ହାର୍ଟ ବାଇପାସ୍ ଏବଂ ଗଣ୍ଠି ପ୍ରତିରୋପଣ ଭଳି ଜଟିଳ ଅସ୍ତ୍ରୋପଚାରଠାରୁ ଆରମ୍ଭ କରି କର୍କଟ ଏବଂ କିଡନୀ ରୋଗ ଭଳି ରୋଗର ଚିକିତ୍ସା ଅନ୍ତର୍ଭୁକ୍ତ । ଏଗୁଡ଼ିକ ହେଉଛି ସେହି ଚିକିତ୍ସା ଯାହା ପୂର୍ବରୁ ଅନେକଙ୍କ ପାଇଁ ଉପଲବ୍ଧ ନଥିଲା, କିନ୍ତୁ ଏବି-ପିଏମ୍ଜେଏୱାଇ ଏହାକୁ ସୁଲଭ, ଶସ୍ତା ଏବଂ ସମସ୍ତଙ୍କ ପାଇଁ ଉପଲବ୍ଧ କରିଛି ।
ନେଟୱାର୍କକୁ ବିସ୍ତାର କରିବା, ବ୍ୟବସ୍ଥାକୁ ସୁଦୃଢ଼ କରିବା :
ଏବି-ପିଏମ୍ଜେଏୱାଇର ଅନ୍ୟତମ ବିଶେଷତ୍ୱ ହେଉଛି ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କ ଏକ ମଜଭୁତ ନେଟୱାର୍କ ସୃଷ୍ଟି କରିବାର କ୍ଷମତା । ବର୍ତ୍ତମାନ ଏହି ଯୋଜନାରେ ୧୩,୦୦୦ରୁ ଅଧିକ ଘରୋଇ ହସ୍ପିଟାଲ ସମେତ ସମଗ୍ର ଭାରତରେ ୨୯,୦୦୦ରୁ ଅଧିକ ଡାକ୍ତରଖାନା ତାଲିକାଭୁକ୍ତ ହୋଇଛନ୍ତି । ଏହି ନେଟୱାର୍କ ଗ୍ରାମୀଣ ଏବଂ ସହରାଞ୍ଚଳକୁ ସମାନ ଭାବରେ ବ୍ୟାପିଛି, ଯାହାଦ୍ୱରା ଦେଶର ସବୁଠାରୁ ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକମାନେ ମଧ୍ୟ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପାଇପାରିବେ । ଏହି ଯୋଜନାର ଅନନ୍ୟ ବୈଶିଷ୍ଟ୍ୟ ସୁନିଶ୍ଚିତ କରିଛି ଯେ ହିତାଧିକାରୀମାନେ ଯେଉଁ ରାଜ୍ୟର ବି ହୁଅନ୍ତୁ ସେମାନେ ଦେଶର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା ପାଇପାରିବେ । ଏହି ବିଶାଳ ନେଟୱାର୍କ ଏକ ଦୃଢ଼ ଆଇଟି ଭିତ୍ତିଭୂମି ଦ୍ୱାରା ସମର୍ଥିତ ଯାହା ଦାବି ସମାଧାନରେ ସ୍ୱଚ୍ଛତା, ଦକ୍ଷତା ଏବଂ ଗତି ସୁନିଶ୍ଚିତ କରେ । ଆଧାର ଭିତ୍ତିକ ବାୟୋମେଟ୍ରିକ୍ ଯାଞ୍ଚ ଏବଂ କାଗଜବିହୀନ ଦାବି ପ୍ରକ୍ରିୟା କାର୍ଯ୍ୟକାରୀ ହେବା ଦ୍ୱାରା ଠକେଇ ଏବଂ ଅପାରଗତା ବହୁ ମାତ୍ରାରେ ହ୍ରାସ ପାଇଛି, ଯାହା ଅନେକ ସମୟରେ ଏଭଳି ବୃହତ ଜନକଲ୍ୟାଣକାରୀ ଯୋଜନାରେ ଚ୍ୟାଲେଞ୍ଜ ହୋଇଥାଏ
। ଆୟୁଷ୍ମାନ ଭାରତର ସଫଳତା ସ୍ୱାସ୍ଥ୍ୟସେବା ଇକୋସିଷ୍ଟମର ଅନ୍ୟାନ୍ୟ ଭାଗରେ ମଧ୍ୟ ଉନ୍ନତି ଆଣିଛି । ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଉପରେ ଏହି ଯୋଜନାର ଗୁରୁତ୍ୱ ଉଭୟ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାଗୁଡିକୁ ସେମାନଙ୍କ ଭିତ୍ତିଭୂମି ଏବଂ ସେବାର ଉନ୍ନତି ପାଇଁ ପ୍ରେରିତ କରିଛି । ଏହାବ୍ୟତୀତ, ଏହା ସୁସ୍ଥ ପ୍ରତିଯୋଗିତାର ବାତାବରଣ ସୃଷ୍ଟି କରିଛି, ରୋଗୀ ସେବାକୁ ବୃଦ୍ଧି କରିବା ପାଇଁ ସେବା ପ୍ରଦାନକାରୀଙ୍କୁ ଉତ୍ସାହିତ କରିଛି ।
ସାମଗ୍ରିକ ସ୍ୱାସ୍ଥ୍ୟସେବା ଉପରେ ଫୋକସ୍ :
ଆୟୁଷ୍ମାନ ଭାରତ କେବଳ ଡାକ୍ତରଖାନା ସେବା ପାଇଁ ନୁହେଁ । ଏବି-ପିଏମ୍ଜେଏୱାଇ ସହିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (ଏଏଏମ୍) ନିର୍ମାଣ ମାଧ୍ୟମରେ ପ୍ରାଥମିକ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି । ଲୋକଙ୍କ ଉପରୁ ରୋଗର ସାମଗ୍ରିକ ବୋଝକୁ ହ୍ରାସ କରିବା ଲକ୍ଷ୍ୟରେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକ ପ୍ରତିଷେଧକ ଏବଂ ଉତ୍ସାହଜନକ ସ୍ୱାସ୍ଥ୍ୟସେବା ଉପରେ ଧ୍ୟାନ ଦେଉଛନ୍ତି । ବର୍ତ୍ତମାନ ସୁଦ୍ଧା ସମଗ୍ର ଭାରତରେ ୧.୭୩ ଲକ୍ଷରୁ ଅଧିକ ଏଏଏମ୍ ପ୍ରତିଷ୍ଠା କରାଯାଇଛି, ଯେଉଁଥିରେ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ କର୍କଟ ଭଳି ସାଧାରଣ ରୋଗ ଏବଂ ଗୁରୁତର ରୋଗ ପାଇଁ ମାଗଣା ପରୀକ୍ଷଣ, ନିରୂପଣ ଏବଂ ଔଷଧ ପ୍ରଦାନ କରାଯାଇଛି । ଅଧିକ ବ୍ୟାପକ ଏବଂ ସାମଗ୍ରିକ ସ୍ୱାସ୍ଥ୍ୟସେବା ମଡେଲ ଆଡକୁ ଅଗ୍ରସର ହେବା ପାଇଁ ଏହି କେନ୍ଦ୍ରଗୁଡିକ ଆମର ପ୍ରୟାସର କେନ୍ଦ୍ରରେ ଅଛି । ସୁସ୍ଥତା ଏବଂ ପ୍ରାରମ୍ଭିକ ରୋଗ ନିର୍ଣ୍ଣୟକୁ ପ୍ରୋତ୍ସାହିତ କରି, ଆମେ ଡାକ୍ତରଖାନାରେ ଭର୍ତ୍ତି ହେବାର ଆବଶ୍ୟକତାକୁ ହ୍ରାସ କରିବା ଏବଂ ଦୀର୍ଘକାଳୀନ ସ୍ୱାସ୍ଥ୍ୟସେବାକୁ ଅଧିକ ସ୍ଥାୟୀ କରିବାକୁ ଆଶା କରୁଛୁ ।
ଆହ୍ୱାନକୁ ଅତିକ୍ରମ କରି ଆଗକୁ ବଢ଼ୁଛୁ :
ଯେତେବେଳେ ଆମେ ଆୟୁଷ୍ମାନ ଭାରତର ଉପଲବ୍ଧିକୁ ପାଳନ କରୁଛୁ, ଆମକୁ ଆଗକୁ ଆସୁଥିବା ଆହ୍ୱାନଗୁଡ଼ିକୁ ମଧ୍ୟ ସ୍ୱୀକାର କରିବାକୁ ପଡିବ । ଏହି ଯୋଜନାର ବ୍ୟାପକତା ବିପୁଳ, ଏବଂ ଏହା ସହିତ ଏହାକୁ କ୍ରମାଗତ ଭାବରେ ଅନୁକୂଳ କରିବା, ସଂଶୋଧନ କରିବା ଏବଂ ଉନ୍ନତ କରିବାର ଦାୟିତ୍ୱ ଆସିଥାଏ । ଯୋଜନାର ବ୍ୟାପକତା ବୃଦ୍ଧି କରିବା, ଡାକ୍ତରଖାନାଗୁଡିକୁ ଠିକ୍ ସମୟରେ ଦେୟ ସୁନିଶ୍ଚିତ କରିବା ଏବଂ ପ୍ରତ୍ୟେକ ହିତାଧିକାରୀଙ୍କୁ ପ୍ରଦାନ କରାଯାଉଥିବା ସେବାର ଗୁଣବତ୍ତା ବୃଦ୍ଧି କରିବା ପାଇଁ ଆମେ ନିରନ୍ତର କାର୍ଯ୍ୟ କରୁଛୁ । ଆଗକୁ ଆମେ ଆୟୁଷ୍ମାନ ଭାରତକୁ ସୁଦୃଢ଼ କରିବା ପ୍ରକ୍ରିୟା ଜାରି ରଖିବୁ, ଯାହା ସୁନିଶ୍ଚିତ କରିବ ଯେ ଏହା ସାମଗ୍ରିକ, ସୁଲଭ ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଦିଗରେ ଭାରତର ଯାତ୍ରାରେ ଅଗ୍ରଣୀ ରହିବ । ଏହି ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ ଚିକିତ୍ସା ତାଲିକାକୁ ବିସ୍ତାର କରିବା, ତାଲିକାଭୁକ୍ତ ଡାକ୍ତରଖାନା ସଂଖ୍ୟାକୁ ଆହୁରି ବଢ଼ାଇବା ଏବଂ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ସଫଳତାକୁ ଆଗକୁ ବଢ଼ାଇବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ।
ସୁସ୍ଥ ଭାରତ ପାଇଁ ଏକ ଦୃଷ୍ଟିକୋଣ :
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଭାବରେ ମୁଁ ଦୃଢ଼ ଭାବରେ ବିଶ୍ୱାସ କରେ ଯେ ଏକ ରାଷ୍ଟ୍ରର ସ୍ୱାସ୍ଥ୍ୟ ହିଁ ଏହାର ସମୃଦ୍ଧିର ମୂଳଦୁଆ । ଏକ ସୁସ୍ଥ ଜନସଂଖ୍ୟା ଦେଶର ଅଭିବୃଦ୍ଧି, ଉତ୍ପାଦକତା ଏବଂ ଉଦ୍ଭାବନରେ ଯୋଗଦାନ କରିବା ପାଇଁ ଉତ୍ତମ ଭାବରେ ସଜ୍ଜିତ । ଆୟୁଷ୍ମାନ ଭାରତ ଏକ ସୁସ୍ଥ, ଶକ୍ତିଶାଳୀ ଏବଂ ବିକଶିତ ଭାରତର ପରିକଳ୍ପନାର କେନ୍ଦ୍ରବିନ୍ଦୁ । ସରକାର, ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ଏବଂ ଲୋକଙ୍କ କଠିନ ପରିଶ୍ରମ, ସମର୍ପଣ ଏବଂ ସହଯୋଗକୁ ଏହି ଯୋଜନାର ସଫଳତା ପ୍ରତିଫଳିତ କରୁଛି । ତଥାପି ଆମର ଯାତ୍ରା ଶେଷ ହୋଇନାହିଁ । ଆମେ ପ୍ରତ୍ୟେକ ନାଗରିକଙ୍କ କଲ୍ୟାଣ ଏବଂ ସ୍ୱାସ୍ଥ୍ୟ ପ୍ରତି ପ୍ରତିଶ୍ରୁତିବଦ୍ଧ ଅଛୁ।
ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଏହି ଷଷ୍ଠ ବାର୍ଷିକୀ ଅବସରରେ ଆସନ୍ତୁ ଏକ ସୁଦୃଢ଼ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ସୃଷ୍ଟି କରିବା ପାଇଁ ଆମର ସମର୍ପଣକୁ ଦୋହରାଇବା, ଯାହା ସମାବେଶୀ ଏବଂ ସୁଲଭ ହୋଇଥିବ । ଆମେ ସମସ୍ତେ ମିଶି ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ ଭାରତ ନିର୍ମାଣ ଜାରି ରଖିବା ।