ପୋଲାଭରମ ବନ୍ଧର ଉଚ୍ଚତା ଗଭୀରତମ ସ୍ଥାନରୁ ୭୨.୬୦ ମିଟର : କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ତଥ୍ୟକୁ ପ୍ରଘଟ କଲେ ହେମନ୍ତ ପଣ୍ଡା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୋଲାଭରମ ନଦୀବନ୍ଧର ଉଚ୍ଚତା ଗଭୀରତମ ଫାଉଣ୍ଡେସନ ସ୍ଥାନରୁ ୭୨.୬୦ମିଟର ରଖାଯାଇଥିବା ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ, ଜଳ ସମ୍ପଦ ବିଭାଗ ଓ କେନ୍ଦ୍ରୀୟ ଜଳ ଆୟୋଗ ପକ୍ଷରୁ ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧରକାର କର୍ମି ହେମନ୍ତ କୁମାର ପଣ୍ଡାଙ୍କୁ ପ୍ରଦାନ କରିଥିବା ତଥ୍ୟରେ କୁହାଯାଇଛି । ପୋଲାଭରମ ପ୍ରକଳ୍ପର ୨୦୦୩ – ୦୪ ଡିପିଆର ଅନୁଯାୟୀ ଏହା ୬୦.୨୦ ମି. ଥିଲା । ଏହି ସମୟରେ ଗଭୀରତମ କଂକ୍ରିଟ ଫଉଣ୍ଡେସନ ସ୍ଥାନ – ୬.୧୦ମି ଥିଲା ବୋଲି ଆକଳନ କରାଯାଇଥିଲା । କିନ୍ତୁ ପରବର୍ତ୍ତି ସମୟରେ ଗଭୀରତା – ୧୮.୫୦ମି. ବୋଲି ଆକଳନ କରାଯାଇଛି ବୋଲି ତଥ୍ୟ ପ୍ରଦାନ କରାଯାଇଥିବା ପଣ୍ଡା କହିଛନ୍ତି । ତଥ୍ୟରୁ ଜଣାପଡିଛି ଯେ, ଉଚ୍ଚତାକୁ ନେଇ ମୁଳ ଡିପିଆରରୁ କେତେକ ସ୍ଥାନରେ ପ୍ରାୟ ୧୨ମି.ର ପ୍ରଭେଦ ରହିଛି ହେଲେ ଏହା ଗଭୀରତା ଆଡକୁ ବୃଦ୍ଧି ପାଇଛି ବୋଲି ତଥ୍ୟରେ କୁହାଯାଇଛି । ମୂଳ ଡିପିଆରରେ କୌଣସି ପ୍ରକାର ପରିବର୍ତ୍ତନ କରାଯାଇଥିବା ରିପୋର୍ଟ ଆନ୍ଧ୍ର ପ୍ରଦେଶ ସରକାରଙ୍କ ଠାରୁ ଭାରତ ସରକାରଙ୍କ ହସ୍ତଗତ ହୋଇ ନଥିବା ତଥ୍ୟରେ କୁହାଯାଇଛି । ସିଲେରୁ ଓ ସାବେରୀ ନଦୀରେ ୩୦ କି.ମି. ଲମ୍ବ ଆଡିବନ୍ଧ କରାଗଲେ ଓଡିଶା ଓ ଛତିଶଗଡ ଅଞ୍ଚଳକୁ ଜଳମଗ୍ନ ହେବା ସ୍ଥିତିକୁ ଏଡାଇ ଦେଇ ହେବ ବୋଲି ଆନ୍ଧ୍ର ସରକାରଙ୍କ ରିପୋର୍ଟକୁ ନେଇ କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନ୍ଧ୍ର, ଓଡିଶା ଓ ଛତିଶଗଡର ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ଜନଶୁଣାଣି କରିବା ପାଇଁ ଉଦ୍ୟମ କରୁଥିଲେ ମଧ୍ୟ ଓଡିଶାର ଏହା ବିଚାରଧିନ ଭାବେ ପଡି ରହିଛି । ଏହି ପ୍ରକଳ୍ପର ପ୍ରସ୍ତାବିତ ବ୍ୟୟ ଅଟକଳ ୧୭-୧୮ ମୂଲ୍ୟସ୍ତର ଅନୁଯାୟୀ ୫୫,୫୪୮ କୋଟି ବୋଲି ତତ୍ୟରେ କୁହାଯାଇଥିବା ସୂଚନା କର୍ମି ପଣ୍ଡା କହିଛନ୍ତି । ଏହି ପ୍ରକଳ୍ପ ମାର୍ଚ୍ଚ ୨୦୨୬ରେ ଶେଷ ହେବ ବୋଲି ତଥ୍ୟରେ କୁହାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୋଲାଭରମକୁ ନେଇ ଆନ୍ଧ୍ର – ଓଡିଶା ବିବାଦ ଲାଗି ରହିଛି । ଓଡିଶାରେ ଏହା ଏକ ବଡ ରାଜନୈତିକ ବିଷୟବସ୍ତୁରେ ପରିଣତ ହୋଇଛି । ପୋଲାଭରମ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଓଡିଶାର ମାଲାକାନଗିରି ଜିଲ୍ଲାର ବ୍ୟାପକ ଅଞ୍ଚଳ ପ୍ରଭାବିତ ହେବ । କେନ୍ଦ୍ର ସରକାର ଆଗେଇ ଆସି ଏହାର ସମାଧାନ କରିବା ସଙ୍ଗେ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ନ୍ୟାୟ ପ୍ରଦାନ କରିବାକୁ ପଣ୍ଡା ଦାବୀ କରିଛନ୍ତି ।

Leave A Reply

Your email address will not be published.