ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ଜୁଲାଇ ୨୯ରେ ‘ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ’ ପାଳନ କରାଯାଏ । ମହାବଳ ବାଘ ଦୁନିଆର ଏକ ବୃହତ ଓ ବଡ ବଳବାନ ବନ୍ୟ ପ୍ରାଣୀ ହେବାର ସୁନାମ ଅର୍ଜନ କରେ । ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ ସମଗ୍ର ବିଶ୍ୱରେ ପାଳନ କରାଯାଏ ଯାହା ଦ୍ଵାରା ଆମେ ସମସ୍ତେ ବାଘ ସଂରକ୍ଷଣ ପାଇଁ ସଚେତନତା ସୃଷ୍ଟି କରିପାରିବା । ଏହି ଦିନଟି ଏକ ବିଶ୍ୱବ୍ୟାପୀ ବ୍ୟବସ୍ଥା ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି ଯାହା ବାଘ ଏବଂ ସେମାନଙ୍କର ପ୍ରାକୃତିକ ବାସସ୍ଥାନର ସୁରକ୍ଷା ପାଇଁ ଉତ୍ସର୍ଗୀକୃତ ହେବ । ବାଘମାନଙ୍କ ପାଇଁ ଏକ ନିରାପଦ ଏବଂ ସମୃଦ୍ଧ ବାସସ୍ଥାନ ଅର୍ଥ ହେଉଛି ଯେ, ଆମେ ଅନ୍ୟ ଜାତି ପ୍ରଜିତି ବନ୍ୟ ଜୀବ ଏବଂ ଆମର ଜଙ୍ଗଲକୁ ମଧ୍ୟ ସଂରକ୍ଷଣ କରୁ । ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ ମାଧ୍ୟମରେ ଆମେ ଆଗାମୀ ଭବିଷ୍ୟତ ପାଇଁ କାର୍ଯ୍ୟ କରିପାରିବା ଯେଉଁଠାରେ ମଣିଷ ଏବଂ ବାଘ ଶାନ୍ତିରେ ଏକାଠି ରହିପାରିବେ । ସର୍ବୋତ୍ତମ ଉପଲବ୍ଧ ସୂଚନା ଉପରେ ଆଧାର କରି କୁହାଯାଇପାରେ ଯେ, ଭାରତ, ନେପାଳ, ଭୁଟାନ, ରୂଷିଆ ଏବଂ ଚୀନରେ ବାଘର ଜନସଂଖ୍ୟା ବର୍ତ୍ତମାନ ସ୍ଥିର ରହିଛି କିମ୍ବା ବୃଦ୍ଧି ପାଉଛି । ଗ୍ଲୋବାଲ୍ ଟାଇଗର ଫୋରମ୍ ଅନୁଯାୟୀ ପ୍ରାୟ ୫,୫୭୪ ବାଘ ବର୍ତ୍ତମାନ ବିଶ୍ଵର ବିଭିନ୍ନ ଜଙ୍ଗଲରେ ରହିଛନ୍ତି, କିନ୍ତୁ ଏହି ବିପଦ ସଙ୍କୁଳ ବାଘ ବଂଶର ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଆହୁରି ଅନେକ ପଦକ୍ଷେପ ନେବା ଆବଶ୍ୟକ । ଭାରତରେ ବର୍ତ୍ତମାନ ହାରାହାରି ୩,୬୮୨ ବାଘ ରହିଥିବା କୁହାଯାଏ ଯାହା ବିଶ୍ଵ ବାଘ ସଂଖ୍ୟାର ୭୫ % ଅଟେ । ସେଣ୍ଟ ପିଟର୍ସବର୍ଗ ବ୍ୟାଘ୍ର ସମ୍ମିଳନୀ (ଜର୍ମାନୀ)ରେ ପ୍ରଥମେ ୨୦୧୦ରେ ନିଷ୍ପତ୍ତି ହୋଇଥିଲା ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳନ ପାଇଁ, ଯେତେବେଳେ ବାଘଙ୍କ ସଂଖ୍ୟାରେ ଭୟଙ୍କର ହ୍ରାସ ପାଇବା ଦେଖାଗଲା ଏବଂ ଏହାର ସଂରକ୍ଷଣ ପ୍ରୟାସର ଜରୁରୀ ଆବଶ୍ୟକତା ଅନୁଭବ କରାଗଲା । ବିଶ୍ୱ ବନ୍ୟଜୀବ ପାଣ୍ଠି (ଡବ୍ଲ୍ୟୁୁଡବ୍ଲୁଏଫ୍)ର ରିପୋର୍ଟ ଅନୁସାରେ ବାଘଙ୍କ ସଂଖ୍ୟାରେ ପ୍ରାୟ ୯୭ ପ୍ରତିଶତ ହ୍ରାସ ଦେଖାଗଲା; ଏକ ଶତାବ୍ଦୀ ପୂର୍ବରୁ ପ୍ରାୟ ଏକ ଲକ୍ଷ ବାଘ ଜଙ୍ଗଲରେ ବୁଲୁଥିବା ବେଳେ ୨୦୧୦ ବେଳକୁ ପ୍ରାୟ ୩,୦୦୦ କୁ ଖସି ଆସିଲା ଏବଂ ଏହି ସଂଖ୍ୟା ଅଧିକତର ଭାବରେ ହ୍ରାସ ପାଇବାର ଆଶଙ୍କା ଦେଖାଗଲା । ପ୍ରାକୃତିକ ବାସସ୍ଥାନ ହ୍ରାସ, ଜଳବାୟୁ ପରିବର୍ତ୍ତନ, ଶିକାର ଏବଂ ବେନିୟମ ପ୍ରାଣୀ ହତ୍ୟା ଭଳି ଅନେକ କାରଣ ଯାହା ବାଘ ଜନସଂଖ୍ୟା ହ୍ରାସ ପାଇଁ ଦାୟୀ । ସ୍ମିଥସୋନିଆନ୍ ଇନ୍ଷ୍ଟିଚ୍ୟୁଟ୍ ପରି ଅନେକ ଆନ୍ତର୍ଜାତୀୟ ସଂଗଠନ ମଧ୍ୟ ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳନ କରନ୍ତି । ବେନିୟମ ବନ୍ୟ ପ୍ରାଣୀ ହତ୍ୟା ଏବଂ ବେଆଇନ ପ୍ରାଣୀ ଅଙ୍ଗ ବାଣିଜ୍ୟ ଶିଳ୍ପ ମଧ୍ୟ ବାଘ ବଂଶ ପାଇଁ ଏକ ଭୟଙ୍କର ବିପଦ । ବାଘ ହାଡ, ଚର୍ମ, ନଖ ଏବଂ ଶରୀରର ଅନ୍ୟ ଅଙ୍ଗଗୁଡ଼ିକର ଚାହିଦା ଏମାନଙ୍କ ହତ୍ୟାର ପ୍ରମୁଖ କାରଣ ହୋଇଥାଏ । ବାଘ ସଂଖ୍ୟା ଉପରେ ନକାରାତ୍ମକ ପ୍ରଭାବ ପକାଇଥିବା ଅନ୍ୟ ଏକ ବିପଦ ହେଉଛି ପ୍ରାକୃତିକ ଆବାସ ନଷ୍ଟ । ରାସ୍ତାଘାଟ ସମ୍ପ୍ରସାରଣ, ମାନବ ଜନ ବସତି, ଖଣି ଖାଦାନ, ସହରୀକରଣ, କାଠ କାଟିବା, ବୃକ୍ଷରୋପଣ ଏବଂ କୃଷି ପାଇଁ ଜଙ୍ଗଲ ଅପସାରଣ ଯୋଗୁଁ ବାଘଙ୍କ ବାସସ୍ଥାନ ନଷ୍ଟ ହେବାରେ ଲାଗିଛି । ବାସ୍ତବରେ, ମୂଳ ବାଘ ବାସସ୍ଥାନର ପ୍ରାୟ ୭ % ଆଜି ବି ଅକ୍ଷୁର୍ଣ୍ଣ ରହିଛି । ଦିନକୁ ଦିନ ବଢୁଥିବା ବାସସ୍ଥାନ ନଷ୍ଟ ହେବାର ଅର୍ଥ ହେଉଛି ବାଘ ଏବଂ ମଣିଷ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ବିଲୁପ୍ତ ପ୍ରାୟ ବାଘକୁ ସୁରକ୍ଷା ଦେବା ପାଇଁ ଭାରତ ସରକାର ବନ୍ୟଜନ୍ତୁ ସଂରକ୍ଷଣ ଆନ୍ଦୋଳନ ‘ପ୍ରୋଜେକ୍ଟ ଟାଇଗର’ ଆରମ୍ଭ କରିଥିଲା ୧୯୭୩ ମସିହାରେ । ମାର୍ଚ୍ଚ ୨୦୨୪ ସୁଦ୍ଧା, ୫୫ଟି ସଂରକ୍ଷିତ ଅଞ୍ଚଳ ଅଛି ଯାହା ଏହି ପ୍ରକଳ୍ପ ଅଧୀନରେ ଟାଇଗର ରିଜର୍ଭ ଭାବରେ ନାମିତ ହୋଇଛି । ଓଡିଶାର ଦୁଇଟି ଟାଇଗର ସଂରକ୍ଷଣ ଅଞ୍ଚଳ ଅଛି ଯଥା ସିମିଳିପାଳ ଏବଂ ସାତକୋସିଆ । ଓଡିଶା ସରକାରଙ୍କ ତଥ୍ୟ ଅନୁଯାୟୀ ସିମିଳିପାଳରେ ୨୭ଟି ବାଘ ଅଛନ୍ତି । ସାତକୋସିଆ ବର୍ତ୍ତମାନ ବାଘ ଶୂନ୍ୟ । ୨୦୨୪ର ବିଷୟବସ୍ତୁ ବାଘଙ୍କ ସଂରକ୍ଷଣ ଏବଂ ସେମାନେ ସମ୍ମୁଖୀନ ହେଉଥିବା ଜରୁରୀ ବିପଦ ଯେପରିକି ବାସସ୍ଥାନ ନଷ୍ଟ, ବନ୍ୟ ପ୍ରାଣୀ ହତ୍ୟା ଏବଂ ମାନବ-ବନ୍ୟଜନ୍ତୁ ବିବାଦ ବିଷୟରେ ସଚେତନତା ସୃଷ୍ଟି କରିବା ବିଷୟରେ ପର୍ଯ୍ୟବେଷିତ ଅଟେ ।