ବଲାଙ୍ଗିର, (କେପିଏନ୍ଏସ୍) : ଲୋୟର ସୁକତେଲ ପ୍ରକଳ୍ପକୁ ଗତ ୨୦୧୬-୧୭ ଆର୍ଥିକ ବର୍ଷରୁ କେନ୍ଦ୍ରୀୟ ସହୟତା ବନ୍ଦ ଥିବା କଥା ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା ଜଣାଇଛନ୍ତି । ସୂଚନା ଅଧିକାର ଆଇନ ବଳରେ ରାଜ୍ୟ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପତ୍ର ନଂ – ଆର୍. ଟି. ଆଇ ୨୬୩/୨୦୨୨-୨୩ ଯୋଗେ ମିଳିଥିବା ତଥ୍ୟରୁ ଜଣାପଡିଛି ଯେ, ଏ ଆଇ ବି ପି ଯୋଜନା ମାଧ୍ୟମରେ କେନ୍ଦ୍ରୀୟ ସହାୟତା ପାଉଥିବା ସମଗ୍ର ରାଜ୍ୟରେ ୧୧ଟି ଜଳସେଚନ ପ୍ରକଳ୍ପ ରହିଛି । ଏହା ମଧ୍ୟରେ ସମନ୍ୱିତ ଆନନ୍ଦପୁର ବ୍ୟାରେଜ, କାନୁପୁର ଜଳସେଚନ ପ୍ରକଳ୍ପ, ଅପର ଇନ୍ଦ୍ରାବତୀ, ଲୋୟର ଇନ୍ଦ୍ର ପ୍ରକଳ୍ପ, ସୁବର୍ଣ୍ଣରେଖା ପ୍ରକଳ୍ପର ଅଂଶ, ରେତ ପ୍ରକଳ୍ପ, ରୁକୁରା ପ୍ରକଳ୍ପ, ତେଲେଙ୍ଗିରି ପ୍ରକଳ୍ପ, ଲୋୟର ସୁକତେଲ ପ୍ରକଳ୍ପ, ଛେଳିଗଡ ପ୍ରକଳ୍ପ ଓ ରେଙ୍ଗାଲି (ଆର୍ .ବି. ସି) ପ୍ରକଳ୍ପ ରହିଛି । ଏହା ମଧ୍ୟରୁ ୫ଟି ପ୍ରକଳ୍ପ ଯଥା ଅପର ଇନ୍ଦ୍ରାବତୀ, ଲୋୟର ଇନ୍ଦ୍ର, ରେତ, ରୁକୁରା ଓ ତେଲେଙ୍ଗିରି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବା ବେଳେ ବାକି ୬ଟି ପ୍ରକଳ୍ପ ନିର୍ମାଣାଧିନ ରହିଛି । ରାଜ୍ୟର ନିର୍ମାଣାଧିନ ୬ଟି ପ୍ରକଳ୍ପ ମଧ୍ୟରେ କେବିକେ ଅଞ୍ଚଳର ଏକମାତ୍ର ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ରହିଛି । ଏହି ପ୍ରକଳ୍ପକୁ କେନ୍ଦ୍ରୀୟ ସହାୟତା ୬ ବର୍ଷ ହେଲା ବନ୍ଦ ରହିଛି । ଲୋୟର ସୁକତେଲ ପ୍ରକଳ୍ପକୁ କାହିଁକି କେନ୍ଦ୍ରୀୟ ପାଣ୍ଠି ବନ୍ଦ କରାଯାଇଛି ବୋଲି ସୂଚନା କର୍ମୀ ପଣ୍ଡା ପ୍ରଶ୍ନ କରିଛନ୍ତି । ବିଭିନ୍ନ ରାଜନୈତିକ ଦଳଗୁଡିକ ଲୋୟର ସୁକତେଲକୁ ଏକ ରାଜନୈତିକ ଆୟୁଧ ଭାବେ ବ୍ୟବହାର କରିବା ପାଇଁ ଅଣ୍ଟା ଭିଡିଥିବା ବେଳେ ଏହି ପ୍ରକଳ୍ପ ନିର୍ମାଣରେ କାହିଁକି ବିଳମ୍ବ ହୋଇଛି ଓ ଉଦ୍ଦ୍ଘାଟନ ପରେ ଜଳସେଚନ ବ୍ୟବସ୍ଥା କାହିଁକି ହୋଇ ନାହିଁ ଏହାର ଉତ୍ତର କୌଣସି ରାଜନୈତିକ ଦଳ ନଦେବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ପଣ୍ଡା କହିଛନ୍ତି । ରାଜ୍ୟ ସରକାର କେନ୍ଦ୍ରୀୟ ଅନୁଦାନ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଥିଲେ ମଧ୍ୟ କେନ୍ଦ୍ର ସରକାର ଲୋୟର ସୁକତେଲ ପ୍ରକଳ୍ପ ପ୍ରତି ବୈମାତୃକ ମନୋଭାବ ପୋଷଣ କରି ଆସୁଛନ୍ତି ବୋଲି ମିଳିଥିବା ତଥ୍ୟରୁ ଜଣା ପଡିଛି ପଣ୍ଡା କହିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଲୋୟର ସୁକତେଲ ପ୍ରକଳ୍ପ ବିଷୟରେ ଶ୍ରୀ ପଣ୍ଡା ବାରମ୍ବାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରୁ ତଥ୍ୟ ସଂଗ୍ରହ କରି ଲୋକଙ୍କୁ ସଚେତନ କରି ଆସୁଛନ୍ତି ।