ଯୁବ ପୁରସ୍କାର ୨୦୨୩ ପ୍ରଦାନ ଉତ୍ସବ

କୋଲକାତା, (କେପିଏନ୍‌ଏସ୍‌) : ଗତକାଲି ଅପରାହ୍ନ ୫ଟାରେ କୋଲକାତା ସ୍ଥିତ ରବୀନ୍ଦ୍ର ସଦନ ପ୍ରେକ୍ଷାଳୟରେ ସାହିତ୍ୟ ଅକାଦେମୀ ପକ୍ଷରୁ ୨୦୨୩ ମସିହାର ଯୁବ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଭବ୍ୟ ସମାରୋହରେ ସାହିତ୍ୟ ଅକାଦେମୀର ସଭାପତି ମାଧବ କୌଶିକ ୨୨ଟି ଭାଷାର ଯୁବ ଲେଖକ ଲେଖିକାମାନଙ୍କୁ ଯୁବ ପୁରସ୍କାର ପ୍ରଦାନ କରିଥିଲେ । ପୁରସ୍କାର ପ୍ରାପକମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ ଅକାଦେମୀର ଉପସଭାପତି ପ୍ରଫେସର କୁମୁଦ ଶର୍ମା । ସ୍ୱାଗତ ଭାଷଣ ସହିତ ମାନପତ୍ର ପାଠ କରିଥିଲେ ସାହିତ୍ୟ ଅକାଦେମୀର ସଚିବ ଡକ୍ଟର କେ. ଶ୍ରୀନିବାସ ରାଓ । ଜିଣ୍ଟୁ ଠାକୁରିଆ (ଅହମିୟା), ହମିରୁଦ୍ଦିନ ମିଦ୍ୟା (ବଙ୍ଗଳା), ମାଇନାଉଶ୍ରୀ ଦାଇମାରି (ବୋଡ଼ୋ), ଅନିରୁଦ୍ଧ କାନିସେଟ୍ଟି (ଇଂରାଜୀ), ଅତୁଲ କୁମାର ରାଇ (ହିନ୍ଦୀ), ମଂଜୁନାୟକ ଚଲ୍ଲୁରୁ (କନ୍ନଡ଼), ନିଗହତ ନସରୀନ (କାଶ୍ମିରୀ), ତନ୍ୱୀ ଶ୍ରୀଧର କାମତ ବୋମବାଲକର (କୋଙ୍କଣୀ), ସଂସ୍କୃତି ମିଶ୍ର (ମୈଥିଳୀ), ଗଣେଶ ପୁଥୁର (ମାଲୟାଲମ), ଥିଙ୍ଗନାମ ପର୍ଶୁରାମ (ମଣିପୁରୀ), ବିଶାଖା ବିଶ୍ୱନାଥ (ମରାଠୀ), ନୟନ କଳା ଦେବୀ (ନେପାଳୀ), ଡିଲେଶ୍ୱର ରଣା (ଓଡ଼ିଆ), ସନ୍ଦୀପ ଶର୍ମା (ପଞ୍ଜାବୀ), ଦେବୀଲାଲ ମାହିୟା (ରାଜସ୍ଥାନୀ), ମଧୁସୂଦନ ମିଶ୍ର (ସଂସ୍କୃତ), ବାପି ଟୁଡୁ (ସାନ୍ତାଳୀ), ମୋନିକା ପଞ୍ଜୱାଣୀ (ସିନ୍ଧୀ), ରାମ ଥଙ୍ଗମ (ତାମିଲ), ତାକ୍କେଡ୍ସିଲା ଜାନି (ତେଲୁଗୁ) ଏବଂ ତୌସିଫ ଖାନ (ଉର୍ଦ୍ଦୁ) ଯୁବ ପୁରସ୍କାର ଗ୍ରହଣ କରିଥିଲେ । ଯୁବ ପୁରସ୍କାର ପ୍ରାପକମାନଙ୍କୁ ସାହିତ୍ୟ ଅକାଦେମୀ ତରଫରୁ ତାମ୍ରଫଳକ ଏବଂ ପଚାଶ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଡୋଗ୍ରୀ ଭାଷାର ପ୍ରାପକ ଧୀରଜ କୁମାର ରାଇନା ଅନୁପସ୍ଥିତ ଥିଲେ । ସ୍ୱାଗତ ଭାଷଣରେ ସାହିତ୍ୟ ଅକାଦେମୀର ସଚିବ ଡକ୍ଟର କେ. ଶ୍ରୀନିବାସ ରାଓ କହିଥିଲେ ଯେ, ଯୁବ ପୁରସ୍କାର ପ୍ରଦାନ ସମାରୋହ ସାହିତ୍ୟ ଅକାଦେମୀର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସବ । ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ତିଥିରେ ପ୍ରଥମ ଥର ପାଇଁ ଯୁବ ପୁରସ୍କାର ପ୍ରଦାନ ଉତ୍ସବ କୋଲକାତାରେ ଅନୁଷ୍ଠିତ ହୋଇଛି । ଯୁବ ଲେଖକ ଲେଖିକାମାନଙ୍କୁ ସ୍ୱୀକୃତି ଓ ଉତ୍ସାହ ଦେବାପାଇଁ ଏଭଳି ପୁରସ୍କାର ପ୍ରଦାନ କରାଯାଉଛି । ଏଥି ସହିତ ଯୁବ ଲେଖକମାନଙ୍କ ପାଇଁ ଉଦ୍ଦିଷ୍ଟ ଅକାଦେମୀର ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ଡକ୍ଟର ରାଓ ସୂଚନା ଦେଇଥିଲେ । ନିଜ ସଭାପତିତ୍ୱ ବକ୍ତବ୍ୟରେ ସାହିତ୍ୟ ଅକାଦେମୀର ସଭାପତି ମାଧବ କୌଶିକ କହିଥିଲେ, ଯୁବ ଲେଖକଙ୍କ ପାଖରେ ଉଭୟ ପ୍ରେମ ଓ ବିଦ୍ରୋହ ରହିଛି ଯାହାର ଶକ୍ତି ଅନେକ । ତେଣୁ ସେମାନେ ସମାଜକୁ ପ୍ରଶ୍ନ କରିପାରିବେ ଏବଂ ପୁନର୍ଗଠନ ମଧ୍ୟ କରିପାରିବେ । ଯୁବ ଉନ୍ମାଦନା ନୂଆ ଧରଣର ଲେଖା ଲେଖିବା ପାଇଁ ଅନୁପ୍ରେରିତ କରିଥାଏ । ଉତ୍ସବର ମୁଖ୍ୟ ଅତିଥି ବିଶିଷ୍ଟ ବଙ୍ଗଳା କବି ସୁବୋଧ ସରକାର ଯୁବ ଲେଖକ ଲେଖିକାମାନଙ୍କ ସମ୍ମୁଖରେ ଥିବା ଆହ୍ୱାନଗୁଡ଼ିକ ସମ୍ପର୍କରେ ଆଲୋକପାତ କରିଥିଲେ । ସେମାନେ ନିଜ ଲେଖାକୁ ନେଇ ନିଜେ ପ୍ରଶ୍ନ କରିବା ଉଚିତ ଏବଂ ନିଜର ଉତ୍ସାହ ଓ ଉଦ୍ଦୀପନାକୁ ଠିକ୍ ମାର୍ଗରେ ଉପଯୋଗ କରିବା ଦରକାର ବୋଲି ସେ କହିଥିଲେ । ସେହିପରି ସମାପନୀ ବକ୍ତବ୍ୟରେ ସାହିତ୍ୟ ଅକାଦେମୀର ଉପସଭାପତି ପ୍ରଫେସର କୁମୁଦ ଶର୍ମା ଯୁବ ଲେଖକଙ୍କ ଭୂମିକା ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ ଆଜିର ସମୟରେ ନିଜର ଲେଖା ପ୍ରକାଶ କରିବା ପାଇଁ ସାମାଜିକ ଗଣମାଧ୍ୟମ ଭଳି ବଳିଷ୍ଠ ମାଧ୍ୟମ ରହିଛି । କିନ୍ତୁ ସାବଧାନତାର ସହ ତାହାର ବ୍ୟବହାର କରିବା ପାଇଁ ସେ ସତର୍କ କରାଇଥିଲେ । ପ୍ରଫେସର ଶର୍ମା କହିଥିଲେ, ଆଜିର ଯୁବ ଲେଖକ ଲେଖିକାମାନଙ୍କ ଲେଖା ପଢ଼ିଲେ ଅନୁଭବ ହେଉଛି ଯେ ସାହିତ୍ୟର ଭବିଷ୍ୟତ ଏବଂ ଭବିଷ୍ୟତର ସାହିତ୍ୟ ପାଇଁ କୌଣସି ବିପଦ ନାହିଁ । ଏହି ସମାରୋହରେ ବିଭିନ୍ନ ଭାରତୀୟ ଭାଷାର ବୁହସଂଖ୍ୟକ ଲେଖକ ଲେଖିକା ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.