ବିଛିନ୍ନାଞ୍ଚଳର ଦୀନବନ୍ଧୁ ସାହୁ ଆଉ ନାହାନ୍ତି

ଷଢେଇକଳା, (ସସ୍ମିତା ପ୍ରଧାନ) : ଝାଡ଼ଖଣ୍ଡ ଉତ୍କଳୀୟ ମୂଳବାସୀ ସସ୍କୃତି ପରିଷଦରର ଟ୍ରଷ୍ଟି ଦୀନବନ୍ଧୁ ସାହୁ ଷଢେଇକଳାର ରୋଳାଗ୍ରାମଠାରେ ଇହଧାମରୁ ବିଦାୟ ନେଇଛନ୍ତି । ବିଛିନ୍ନାଞ୍ଚଳରେ ଓଡ଼ିଆ ସମାଜ ପାଇଁ ସର୍ବଦା ତତ୍ପର ରହୁଥିବା ସ୍ୱର୍ଗତ ସାହୁ ବାର୍ଦ୍ଧକ୍ୟ ଜନିତ ଅବସ୍ଥାରେ କିଛି ସମୟ ଆଗରୁ ଅସୁସ୍ଥ ଥିଲାବେଳେ ଗତ ଶୁକ୍ରବାର ଦିନ ତାଙ୍କର ଦେହାନ୍ତ ହୋଇଛି । ଏନେଇ ଷଢେଇକଳା ଖରସୁଆଁ, ସିଂହଭୂମି ଜିଲ୍ଲାରେ ଓଡ଼ିଆ ଲୋକଙ୍କ ଭିତରେ ଶୋକରେ ଛାୟା ଖେଳିଯାଇଛି । ବିଛିନ୍ନାଞ୍ଚଳ ଷଢେଇକଳା ଖରସୁଆଁର ଅଗ୍ରଣୀ ଓଡ଼ିଆ ଅନୁଷ୍ଠାନ ଝାଡ଼ଖଣ୍ଡ ଉତ୍କଳୀୟ ମୂଳବାସୀ ସାଂସ୍କୃତିକ ପରିଷଦ ଟ୍ରଷ୍ଟି ବର୍ଷିଆନ ଓଡ଼ିଆ ସଂଗଠକ ସ୍ୱର୍ଗତ ଦୀନବନ୍ଧୁ ସାହୁଙ୍କ ଜନ୍ମ ୧୯୪୭ ମସିହାରେ ଷଢେଇକଳାର ରୋଳା ଗ୍ରାମରେ ହୋଇଥିଲା । ତାଙ୍କ ଅନ୍ୟ ଏକ ନିବାସ ସ୍ଥାନ ଷଢେଇକଳା ଗଡ଼ଜାତର ଇଚା ସାମନ୍ତ ରାଜାଙ୍କ ଗାଁରେ ମଧ୍ୟ ରହିଛି । ସ୍ୱର୍ଗତ ସାହୁ ଦେଶ ସ୍ୱାଧୀନ ହେବା ପରେ ଷଢେଇକଳା ଖରସୁଆଁକୁ ନେଇ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା ସେଥିରେ ଓଡିଆକୁ ବଞ୍ଚାଇବାକୁ ତାଙ୍କ ଉଦ୍ୟମ ବେଶ ପ୍ରଶଂସନୀୟ ବୋଲି ଜଣାପଡ଼େ । ବିହାର ସରକାର ଏହି ଓଡ଼ିଆ ଗଡ଼ଜାତ ରାଜ୍ୟକୁ ନିଜ ଆୟତ୍ତକୁ ଆଣିବା ପାଇଁ ଓଡ଼ିଆ ବିରୁଦ୍ଧରେ ଷଡ଼ଯନ୍ତ୍ର ଓ କାର୍ଯ୍ୟାନୁଷ୍ଠାନ ଚଳାଇଥାନ୍ତି । ସେ ସମୟରେ କିଶୋର ଅବସ୍ଥାରେ ସ୍ୱର୍ଗତ ଦୀନବନ୍ଧୁ ସାହୁ ଓଡ଼ିଆ ଭାଷା,ସାହିତ୍ୟ, ସଂସ୍କୃତି ବଞ୍ଚାଇବାକୁ ବେଶ ତତ୍ପରତା ଦେଖାଇ କାର୍ଯ୍ୟ କରିଥିବା ଜଣାଯାଏ । ଦିନଥିଲା ଏହି ଗଡ଼ଜାତ ରାଜ୍ୟରେ ସବୁଠି ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ହୋଇଥିଲା । ଦେଶ ସ୍ୱାଧୀନ ହେବା ପରେ ସେ ସମସ୍ତ ଓଡ଼ିଆ ବିଶ୍ୱବିଦ୍ୟାଳୟ ଗୁଡିକ ଉପରେ ବିହାରର ରାଜଧାନୀ ପାଟଣା ମନ୍ତ୍ରଣାଳୟ ମନ୍ତ୍ରଣାରେ ଜୋର ଜବରଦସ୍ତି ହିନ୍ଦୀ କରଣ କରାଯାଇ ଏ ଜାତିକୁ ଶେଷ କରାଯିବା ସହ ସେମାନଙ୍କ ବିରୁଦ୍ଧରେ ପୋଲିସ ବାରା ଗିରଫ କରାଯିବା ଆଦି ଘଟଣା ଗୁଡ଼ିକ ଜୋର ଧରିଥାଏ । ସେ ସମୟରେ ସ୍ୱର୍ଗତ ସାହୁଙ୍କ ଉଦ୍ୟମ ଫଳରେ ଅନେକ ସମସ୍ୟାର ସମାଧାନ ହୋଇଥିବା ଜଣାଯାଏ । ସେ ଥିଲେ ବର୍ଷିୟାନ୍ ସମାଜସେବୀ ତଥା “ଝାଡ଼ଖଣ୍ଡ ଉତ୍କଳୀୟ ଓ ମୂଳବାସୀ ସାଂସ୍କୃତିକ ପରିଷଦ”ର ପୂର୍ବତନ ସଭାପତି ଦେବେନ୍ଦ୍ର ଦାସଙ୍କର ଘନିଷ୍ଠ ବନ୍ଧୁ । ଯିଏ ନିଜେ ରାଜନଗର ସ୍କୁଲରେ ପାଠ ପଢି ଓଡ଼ିଆ ଭାଷା ସଂସ୍କୃତି ଓ ରାଜନୈତିକ ଜୀବନରେ ବେଶ କ୍ଷାତି ଅର୍ଜନ କରିଥିଲେ । ସ୍ୱର୍ଗତ ସାହୁ ନିଜ ପଛରେ ତାଙ୍କ ପତ୍ନୀ ସହ ଦୁଇ ଶିକ୍ଷକ ପୁତ୍ରଙ୍କୁ ଛାଡି ଯାଇଛନ୍ତି । ଓଡ଼ିଆ ଭାଷାକୁ ନେଇ କାର୍ଯ୍ୟରତ ରୋହିତ ସାହୁ ତାଙ୍କର ବଡ଼ ପୁଅ । ତାଙ୍କ ବିୟୋଗରେ ଓଡ଼ିଆ ଜନତା ସହିତ ଝାଡ଼ଖଣ୍ଡ ଉତ୍କଳୀୟ ମୂଳବାସୀ ସାଂସ୍କୃତିକ ପରିଷଦ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ଜଣା ପଡିଛି ।

Leave A Reply

Your email address will not be published.