‘କୋଶଳ ପ୍ରବାହ’ର ମହାପ୍ରଭାବ : ଫୁଟବଲ ଖେଳରେ ଘୁଡୁଘୁଡୁ ପଟ୍ଟି ଉପରେ ମୁରିବାହାଲ ପୁଲିସର ଚଢାଉ, ୪ଗିରଫ

  • ମାମଲା ରୁଜ୍ଜୁ, ମୋଟ ଟ୧୮ହଜାର, ୩୪୦ଟଙ୍କା ସହ ବହୁ ସାମଗ୍ରୀ ଜବତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ତଥା ବ୍ଲକ ଅଞ୍ଚଳର ୨୨ଟି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଅନୁଷ୍ଠିତ ହେଉଥିବା ଫୁଟବଲ, କ୍ରିକେଟ ମ୍ୟାଚ, ଯାନିଯାତ୍ରା, ବଜାର, ଜନଗହଳି ସ୍ଥାନ ଆଦିରେ ବେଧଡ଼କ ଭାବେ ବ୍ୟାପକ ଘୁଡୁଘୁଡୁ ପଟ୍ଟି, ସଟା, ମଦ ଓ ନିଶା କାରବାର ଚାଲିଥିବା ବାରମ୍ବାର ଅଭିଯୋଗ ହେଉଥିବା ସମ୍ପର୍କରେ ଗତ କିଛି ଦିନ ତଳେ ‘କୋଶଳ ପ୍ରବାହ’ରେ ବିସ୍ତୃତ ତଥ୍ୟ ସହ ଖବର ପ୍ରକାଶିତ ହୋଇଥିଲା । ଖବର ପ୍ରକାଶ ପାଇବା ପରେ ଏ ସମ୍ପର୍କରେ ମୁରିବାହାଲ ଥାନା ପୁଲିସ୍ ପକ୍ଷରୁ ଅଧିକ ତତ୍ପରତା ପ୍ରକାଶ ପାଇଥିଲା । କୌଣସି ସୂତ୍ରରୁ ଖବର ପାଇ ଥାନା ଏସ୍‌ଆଇ ଦନାର୍ଦନ ଓରାମ ଓ ଏଏସଆଇ ଜଗଦୀଶ ମହାନନ୍ଦଙ୍କ ନେତୃତ୍ବରେ ପୁଲିସ ଟିମ୍ ଥାନା ପାଖ ଘୁଷୁରାମୁଣ୍ଡା ଗ୍ରାମରେ ଚାଲିଥିବା ଫୁଟବଲ୍ ମ୍ୟାଚରେ ଚଢାଉ କରି ଘୁଡୁଘୁଡୁ ପଟ୍ଟି ଖେଳାଉଥିବା ୪ଜଣଙ୍କୁ ଗିରଫ କରିବା ସହ ତାଙ୍କ ପାଖରୁ ମୋଟ ୧୮ହଜାର ୩୪୦ଟଙ୍କା ଓ ବିଭିନ୍ନ ସାମଗ୍ରୀ ଜବତ କରିଥିବା ଥାନା ପୁଲିସ ସୂତ୍ରରୁ ଜଣାପଡିଛି । ଗିରଫ ବ୍ୟକ୍ତିମାନେ ବେଲପଡ଼ା ଥାନା ତଅଁଲା ଗ୍ରାମର ବିରମଣି ପୁଟେଲ(୫୨), ଈଶ୍ୱର ରାଓ(୫୧), ଡୋଳାମଣି ମେହେର(୪୮) ଓ କଣ୍ଟାବାଞ୍ଜି ଥାନା ଖୁଟୁଲୁମୁଣ୍ଡା ଗ୍ରାମର ଭଗବାନ ଥପା(୩୬) ବୋଲି ଜଣାପଡିଛି । ସେମାନଙ୍କ ପାଖରୁ ମୋଟ ୧୮ହଜାର ୩୪୦ଟଙ୍କା, ଗୋଟିଏ ଘୁଡୁଘୁଡୁ ପଟ୍ଟି, ଗୋଟିଏ ଟୋକେଇ(ଭୁଗା) ଓ ୬ଟି ଗୁଳି(ଡାଇସ)ଜବତ କରି ୪ଜଣଙ୍କୁ ଗିରଫ କରି ପୋଲିସ ଥାନାକୁ ଆଣିଥିଲା । ଏସ୍‌ଆଇ ଶ୍ରୀ ଓରାମଙ୍କ ଏତଲା ଆଧାରରେ ପୁଲିସ କେସ୍‌ ନ ୩୩୪/୨୩ ରୁଜ୍ଜୁ କରି ସଂପୃକ୍ତ ୪ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ପରେ ଶେଷରେ ୪୧ ଧାରାରେ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ି ଦିଆଯାଇଥିବା ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି । ମୁରିବାହାଲ ଥାନା ଅନ୍ତର୍ଗତ କେତେକ ଗ୍ରାମରେ ରୀତିମତ ଘୁଡୁଘୁଡୁ ପଟ୍ଟି, ସଟା ଓ ନିଶା କାରବାର ଦୀର୍ଘଦିନ ଧରି ବ୍ୟବସାୟ ଭାବେ ଚାଲିଥିବା ଅଭିଯୋଗ ହୋଇଆସୁଥିଲା । ଏହା ସହିତ ଥାନା ଅନ୍ତର୍ଗତ ଅନ୍ୟାନ୍ୟ ଗ୍ରାମରେ ମଧ୍ୟ କିଛି ଯୁବକ ପ୍ରତ୍ୟେହ ସଟା କାରବାର ଏବେବି ଚଳାଇଛନ୍ତି । ବିଭିନ୍ନ ଛକରେ ନାମକୁ ମାତ୍ର ଦୋକାନ ଖୋଲି କିଛି ଯୁବକ ସଟା ଓ ନିଶା କାରବାର କରୁଥିବା ଅଭିଯୋଗ ହେଉଛି । ପୂର୍ବରୁ ମୁରିବାହାଲ ଥାନା ପୁଲିସ ପକ୍ଷରୁ ସେମିତି କୌଣସି ଆଖିଦୃଶିଆ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ପଦକ୍ଷେପ ନିଆଯାଉନଥିବା ଯୋଗୁଁ ଥାନା ଅଞ୍ଚଳର ବହୁ ସ୍ଥାନରେ ଲୁଚାଛପାରେ ଘୁଡୁଘୁଡୁ ପଟ୍ଟି, ସଟା, ମଦ ଓ ନିଶା କାରବାର ଚାଲିଥିବା ବାରମ୍ବାର ଅଭିଯୋଗ ହେଉଥିଲା । ଏହି ସଟା, ମଦ ଓ ନିଶା କାରବାରରେ କେତେକ ଶିକ୍ଷିତ ଯୁବକ ଭଦ୍ରବ୍ୟକ୍ତି ସାଜି ପୁଲିସ ସହ ମଧ୍ୟସ୍ତି ସାଜି ଏଥିରେ ସାମିଲ ହୋଇ ବେଧଡକ ଘୁଡୁଘୁଡୁ ପଟ୍ଟି, ସଟା କାରବାର କରୁଥିବା ଅଭିଯୋଗ ହେଉଛି । ବ୍ଲକ ଅଞ୍ଚଳର ଯେଉଁଠି ବି ଛୋଟରୁ ବଡ ଫୁଟବଲ ମ୍ୟାଚ୍ ହେଉ କି ଯାନିଯାତ୍ରା ହେଉ ସେଠାରେ ଘୁଡୁଘୁଡୁ ପଟ୍ଟି ଖେଳାଇବା ପାଇଁ ଏହାର ଦଲାଲ, ମଧ୍ୟସ୍ଥିମାନେ ସ୍ଥାନୀୟ ପୁଲିସ ସହ ଯୋଗାଯୋଗ କରିବା ପାଇଁ ଥାନାର ଚକ୍କର ମାରିଥାନ୍ତି । କେତେକ ସ୍ଥାନରେ ପୁଲିସକୁ ଅଣଦେଖା କରି ଆୟୋଜକମାନେ ଦଲାଲମାନଙ୍କୁ ହାତ କରି ଘୁଡୁଘୁଡୁ ପଟ୍ଟି ଖେଲାଉ ଥିବା ମଧ୍ୟ ଅଭିଯୋଗ ହୋଇଥାଏ । ଆଜିଭଳି ଏହି ଘୁଡ଼ୁଘୁଡୁ ପଟ୍ଟିକୁ ବିଶେଷ ରୂପେ ପଡୋଶୀ ଥାନା ଅଞ୍ଚଳର ଯୁବକମାନେ ଆସି ପୁଲିସ, ଆୟୋଜକ କମିଟି ସହ ସଲାସୁତୁରା କରି ବ୍ଲକ ଅଞ୍ଚଳରେ ଖେଳାଉଥିବା ଦେଖିବାକୁ ମିଳିଛି । ସମସ୍ତ ଯୁବଗୋଷ୍ଠୀ ବିପଥଗାମୀ ହେଉଥିବା ଘୁଡୁଘୁଡୁ ପଟ୍ଟି, ସଟା, ମଦ ଓ ନିଶା କାରବାରକୁ ପ୍ରଶ୍ରୟ ନ ଦେଇ ଏଭଳି ଅସାମାଜିକ କାର୍ଯ୍ୟ ଓ ଏଥିରେ ସଂପୃକ୍ତ ତଥାକଥିତ ଭଦ୍ର ଯୁବକମାନଙ୍କୁ ପୁଲିସ ଦୃଢ଼ ହସ୍ତରେ ଦମନ ପାଇଁ ମୁରିବାହାଲ ଥାନା ପୁଲିସ ପକ୍ଷରୁ ଥାନା ଅଞ୍ଚଳରେ ଆହୁରି ବ୍ୟାପକ ପୁଲିସ ପେଟ୍ରୋଲିଂ ଓ ଚଢ଼ାଉକୁ ଜୋରଦାର କରାଯିବାକୁ ବୁଦ୍ଧିଜୀବୀ ଓ ସାଧାରଣ ମହଲରେ ଦୃଢ଼ ଦାବୀ ହେଉଛି ।

Leave A Reply

Your email address will not be published.