କଳାହାଣ୍ଡି ଇତିହାସ ପୃଷ୍ଠାର ପର୍ୟ୍ୟଟନ ସ୍ଥଳୀ : ଗୁଡହାଣ୍ଡି ଡୋକରୀଚଞ୍ଚରା

ଧର୍ମଗଡ଼, (ଭରତ ବିଶି) : କଳାହାଣ୍ଡିର ଅନେକ ପର୍ୟ୍ୟଟନ ସ୍ଥଳୀ ମାନଙ୍କ ଠାରୁ ଏକ, ଅନନ୍ୟ ଓ ସମ୍ପୂର୍ଣ ଭିନ୍ନ ପର୍ୟ୍ୟଟନ ସ୍ଥଳୀ ହେଉଛି ଡୋକରୀଚଞ୍ଚରା । କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଓ ନବରଙ୍ଗପୁର ଜିଲ୍ଲାର ସୀମାନ୍ତ ବର୍ତ୍ତୀ ଅଞ୍ଚଳରେ ଏହା ଅବସ୍ଥିତ । ଡୋକରୀଚଞ୍ଚରାରେ ଥିବା ଦୁଇଟି ପ୍ରମୁଖ ଜଳପ୍ରପାତ ପାଇଁ ଏହା ସାରା ଜିଲ୍ଲାରେ ପ୍ରସିଦ୍ଧ । ଗୋଟିଏ ହେଲା ଡୋକରୀଦର ଓ ଅନ୍ୟଟି ଭଏଁର ଘୁମର (ଭୈରବଦର) । ଏତଦ୍ ବ୍ୟତୀତ ଏହା ପାଖରେ ଥିବା ପ୍ରାକ ଐତିହାସିକ ଯୁଗର ଗୁଡାହାଣ୍ଡି ଗୁମ୍ଫା ଏହି ପର୍ୟ୍ୟଟନ ସ୍ଥଳୀକୁ ଏକ ସ୍ଵତନ୍ତ୍ର ପରିଚୟ ପ୍ରଦାନ କରିଛି । ଗୁଡରେ ପରିପୂର୍ଣ ହାଣ୍ଡିପରି ଦେଖାଯାଉଥିବାରୁ ଏହି ଗୁମ୍ଫାର ନାମକରଣ ଏହି ପରି ହୋଇଛି ବୋଲି କିମ୍ବଦନ୍ତୀ କୁହେ ।

ଏହି ଗୁଡହାଣ୍ଡି ଗୁମ୍ଫାର ବିଶେଷତ୍ଵ ହେଉଛି ଏଥିରେ ଅବିଷ୍କୃତ ହୋଇଥିବା ପ୍ରାକ ଐତିହାସିକ ଯୁଗର ବିଭିନ୍ନ ଚିତ୍ର, ଶିଳାଲେଖ ତଥା ଗୁମ୍ଫାର କାନ୍ଥ ଗୁଡିକରେ ଖୋଦିତ ହୋଇଥିବା ବିଭିନ୍ନ ଚିତ୍ର । ଡ଼ୋକରୀଚଞ୍ଚରା ପରିବେଶ ମଧ୍ୟରେ ଥିବା ଏକ ପୁରାତନ ତଥା ପ୍ରାଚୀନ ଶ୍ରୀରାମ ମହାପ୍ରଭୁଙ୍କ ମନ୍ଦିର ଏହି ସ୍ଥଳୀକୁ ଅଧ୍ୟାତ୍ମିକତାର ଏକ ବିଶେଷ ମାନ୍ୟତା ପ୍ରଦାନ କରିଛି । ପ୍ରତି ବର୍ଷ ଏହି ରାମ ମନ୍ଦିର ପରିସରରେ ଶ୍ରୀରାମ ନବମୀ ମହୋତ୍ସବ ନଅ ଦିନ ଧରି ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଥାଏ ।

ଏଠାରେ ଥିବା ଡ଼ୋକରୀଦର ଜଳପ୍ରପାତ ୨୦୦ ଫୁଟ ଉଚ୍ଚତା ବିଶିଷ୍ଟ ଏବଂ ଏହି ଜଳ ଧାରାର କଡେ କଡେ ଗଲେ ୨ କିମି ଯିବା ପରେ ପ୍ରସିଦ୍ଧ ଭାନ୍ୟରଘୁମର (ଭୈରବ ଧର) ଜଳ ପ୍ରପାତ ଅଛି, ଯାହା କି ୧୫୦ ଫୁଟ ଉଚ୍ଚ ଉପରୁ ପତିତ ହୋଇଥାଏ । କେଉଁ ଆବାହମାନ କାଳରୁ ଏହି ଅଂଚଳର ଆରାଧ୍ୟ ଦେବୀ ମା’ ଡ଼ୋକରୀ ଦେବୀଙ୍କୁ ଏହି ସ୍ଥଳୀରେ ପୂଜାର୍ଚ୍ଚନା କରାଯାଇଥାଏ । ଏହି ପର୍ୟ୍ୟଟନ ସ୍ଥଳୀର ବିଶେଷତ୍ଵ ହେଲା ପାଖରେ ଦଣ୍ଡାୟମାନ ହୋଇଥିବା ଯୋଗୀ ପାହାଡ଼ ଓ ରାଣୀ ପାହାଡ଼ ଯାହାକି ପ୍ରାକୃତିକ ସବୁଜିମାରେ ଭରପୁର ରହିଛି ।

ପାଖ ରେଳ ଷ୍ଟେସନ :ଜୁନାଗଡ , ଭବାନୀପାଟଣା
ପାଖ ବିମାନ ବନ୍ଦର : ଭୁବନେଶ୍ବର, ରାୟପୁର ,ବିଶାଖାପାଟଣା

କିପରି ପହଞ୍ଚିବେ : ଭୁବନେଶ୍ଵର, ରୁ ୫୫୦+କିମି ରାସ୍ତା, ବସ ଓ ରେଳ ପ୍ରତି ଦିନ ଚାଲିଥାଏ । ଭୁବନେଶ୍ଵରରୁ ଭବାନୀପାଟଣା ( କଳାହାଣ୍ଡି ଜିଲ୍ଲା ସଦର ମହକୁମା) ଏବଂ ଭବାନୀପାଟଣାରୁ ଭଡା ଗାଡି ଯୋଗେ କୋକସାରା ବ୍ଲକ ଦେଇ ଡୋକରୀଚଞ୍ଚରା ଜଳ ପ୍ରପାତକୁ ପହଞ୍ଚି ପାରିବେ । ଗୁଡହାଣ୍ଡି ପର୍ବତ, ଖାଲିଗଡ ନାମକ ଏକ ଛୋଟ ଗ୍ରାମ ପାଖରେ ଅବସ୍ଥିତ ଯାହାର ସୀମା ନବରଙ୍ଗପୁର ଜିଲ୍ଲାକୁ ଲାଗିଛି । ଏହା ଆମପାଣି ଠାରୁ ୧୭.୬ କିମି ଉତ୍ତର-ପୂର୍ବରେ ଅବସ୍ଥିତ ଏବଂ ଆମପାଣି , ଭବାନୀପାଟଣା ଠାରୁ ୭୭ କିମି ଦୂରରେ ଅବସ୍ଥିତ । ଗୁଡହାଣ୍ଡି ପର୍ବତରେ ପୁରାତନ ଯୁଗର କିଛି ଗୁମ୍ଫା ଅଛି ସେଥିରେ ଆଦିମାନବ ସଭ୍ୟତାର କିଛି ପ୍ରସ୍ତର ଚିତ୍ର ଅଙ୍କା ହୋଇଥିବା ଦେଖିବାକୁ ମିଳିଥାଏ । ତିନୋଟି ଛୋଟ ଗୋଲାକାର ପାହାଡକୁ ମିଳିତ ଭାବେ ଗୁଡହାଣ୍ଡି କୁହାଯାଇଥାଏ ।

ଉତ୍ତର ଓ ଦକ୍ଷିଣ ପର୍ବତ ମାଳା ପୁର୍ବରେ ମିଶିଛି ଓ ପଶ୍ଚିମ ଦିଗରେ ଖୋଲା ସ୍ଥାନ ରହିଛି । ପୂର୍ବକୁ ତିଖ ପଥର ସବୁ ଅଛି । ଏହାର ପାଦଦେଶରେ ପର୍ବତ ମାଳାକୁ ସାମନା କରି ଗୁମ୍ଫା ଗୁଡିକ ଧାଡି କରି ରହିଅଛି । ଉତ୍ତର ପଟର ଗୋଟିଏ ଗୁମ୍ଫାକୁ ଛାଡିଦେଲେ ଅନ୍ୟ ସମସ୍ତ ଗୁମ୍ଫା ଗୁଡିକ ଛୋଟ ଛୋଟ ଅଟେ । ଏହି ଜାଗା ଲାଲ ସିଲଟ ପଥର ଦ୍ଵାରା ଆଚ୍ଛାରିତ । ଦକ୍ଷିଣ ଧାଡିରେ ଥିବା କିଛି ଗୁମ୍ଫାର ପ୍ରବେଶ ଦ୍ଵାରରେ ଲାଲ ଓ କଳା ରଙ୍ଗର ପ୍ରସ୍ତର ଚିତ୍ର ସବୁ ଦେଖିବାକୁ ମିଳିଥାଏ । ଏହି ଐତିହାସିକ ସ୍ଥଳୀର ପର୍ୟ୍ୟନ୍ତ ଉପଯୁକ୍ତ ଅଧୟନ କରାଯାଇନାହିଁ । କିନ୍ତୁ ସାଧାରଣତଃ ଅନୁମାନ କରାଯାଏ ଯେ, ଏହି ଚିତ୍ରାଙ୍କନ ସବୁ ପ୍ରାୟ ସିନ୍ଧୁ ସଭ୍ୟତା ସମୟର ହୋଇଥାଇପାରେ ।

Leave A Reply

Your email address will not be published.