jayashree

ଖୁଣ୍ଟପାଲି ବିସ୍ତାପିତଙ୍କ ଥଇଥାନ କଲୋନୀରେ ନରସିଂହ

  • ଆଜି ବି ଅଛି ଅନେକ ଅବ୍ୟବସ୍ଥା ସରକାର ତୁରନ୍ତ ଦୃଷ୍ଟି ଦେଉ : ନରସିଂହ
  • ଖୁଣ୍ଟପାଲି ଗାଁରୁ ଆରଆର କଲୋନୀକୁ ଆସି ସ୍ଥାପିତ ହେଲେ ଭଗବାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋୟର ସୁକତେଲ ବୁଡି ଅଂଚଳରେ ଖୁଣ୍ଟପାଲି ଏକମାତ୍ର ଗ୍ରାମ ଯେଉଁ ଗ୍ରାମ କି ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପକୁ ଆରମ୍ଭ ଦିନରୁ ସମର୍ଥନ କରି ଆସୁଛି । ସରକାରଙ୍କ ସମସ୍ତ ପ୍ରକାର ଥଇଥାନ ନୀତିକୁ ସେମାନେ ଅଂଚଳର ସାମୁହିକ ସ୍ୱାର୍ଥ ପାଇଁ ଲାଭ କ୍ଷତି ନ ଦେଖି ଗ୍ରହଣ କରି ନେଇଛନ୍ତି କିନ୍ତୁ ବିଡମ୍ବନାର ବିଷୟ ଆଜିବି ସେମାନଙ୍କୁ ଯେଉଁ ଜାଗାରେ ସ୍ଥାନୀୟ କରାଯାଇଛି ସେମାନେ ଖୁସିରେ ନାହାନ୍ତି । ଅନେକ ପ୍ରକାର ମୌଳିକ ସୁବିଧା ଯଥା ପିଇବା ପାଣି, ବିଜୁଳି ଏ ସବୁରେ ତାଙ୍କର ଅନେକ ସମସ୍ୟା ଅଛି । ତେଣୁ ବିସ୍ଥାପିତଙ୍କୁ ସରକାର ଓ ବିଭାଗ ସ୍ପର୍ଷକାତର ହୋଇ ଯାହା କିଛି ଅବ୍ୟବସ୍ଥା ଅଛି ସେ ସବୁ ସମାଧାନ ଶୀଘ୍ର କରୁ ବୋଲି ଆଜି ଖୁଣ୍ଟପାଲି ଗାଁରୁ ବିସ୍ଥାପିତ ହୋଇ ସ୍ଥାନୀୟ ସଦାଇପାଲି ପଂଚାୟତ ପାଖରେ ଥିବା ଥଇଥାନ କଲୋନୀରେ ରହୁଥିବା ଲୋକଙ୍କର ସମସ୍ୟା ଶୁଣିବା ପରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କ୍ଷୋଭର ସହ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ପିଇବା ପାଣି, ବିଜୁଳି, ରାସ୍ତାଘାଟ ସମସ୍ୟାକୁ ସରକାର ପ୍ରାଥମିକତା ଭିତ୍ତିରେ ସମାଧାନ କରିବା ଦରକାର । ବର୍ଷା ଋତୁ ସରିଯାଇଥିଲେ ହେଁ ରାସ୍ତାଘାଟର ଅବ୍ୟବସ୍ଥା ପାଇଁ ଲୋକେ ହଇରାଣ ହେଉଛନ୍ତି । ସ୍ଥାନେ ସ୍ଥାନେ ଟ୍ୟୁବ୍‌ୱେଲ ଓ ପିଇବା ପାଣି ବ୍ୟବସ୍ଥା ପାଇଁ ପାଇପ ଯୋଗେ ଘରକୁ ଘର ବଣ୍ଟନ ବ୍ୟବସ୍ଥା କରିବା ଦରକାର । ଯେହେତୁ ଏହି କଲୋନୀରେ ଖୁଣ୍ଟପାଲିରୁ ବିସ୍ଥାପିତ ଆସି ରହୁଛନ୍ତି ଏହି ଥଇଥାନ କଲୋନିର ନାଁ ଖୁଣ୍ଟପାଲି ଆରଆର କଲୋନୀ ଦିଆଯାଉ ବୋଲି ବିଧାୟକ ଶ୍ରୀ ମିଶ୍ର କହିଛନ୍ତି । ଏହି ଥଇଥାନ କଲୋନୀରେ ଅନେକ ଭୂମିହୀନ ଅଛନ୍ତି ତେଣୁ ସେମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ସ୍କିଲ ଡବଲମେଣ୍ଟ ବିଭାଗ ତରଫରୁ ସେମାନଙ୍କୁ ଟ୍ରେନିଂ ଦିଆଯାଇ ସେମାନଙ୍କୁ ରୋଜଗାରକ୍ଷମ କରାଯାଉ । ଲୋକଙ୍କ ପାଇଁ ଉତ୍ତମ ରାସ୍ତା ସହ ସେଠାରେ ଏକ ପୋଖରୀ ନିର୍ମାଣ କରାଯାଉ ଏବଂ ସେଠାରେ ନିର୍ମାଣ ହୋଇଥିବା ଦୋକାନ ଗୃହ ଗୁଡିକର ମୂଲ୍ୟ ଆହୁରି କମ୍‌ କରାଯାଉ, ଯାହା ଦ୍ୱାରା କି ଲୋକେ ସେଠାରେ ବ୍ୟବସାୟ କରି ଦୁଇ ପଇସା ରୋଜଗାର କରିପାରିବେ । ଏଠାରେ ସୂଚନାଯୋଗ୍ୟ ଯେ, ଆଜି ଖୁଣ୍ଟପାଲି ଠାରେ ପୂଜା ପାଉଥିବା ଭୁବନେଶ୍ୱର ବାବା ଏହି ଥଇଥାନ କଲୋନୀରେ ନିର୍ମିତ ହୋଇଥିବା ମନ୍ଦିରକୁ ବିରାଜମାନ କରିଛନ୍ତି । ଏଠାରେ ଏକ ଭବ୍ୟ ଉତ୍ସବରେ ଖୁଣ୍ଟପାଲି ବିସ୍ଥାପିତ କଲୋନୀର ଲୋକେ ପୂଜାପାଠ କରି ଭୁବନେଶ୍ୱର ବାବାଙ୍କୁ ସ୍ଥାପନ କରି ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି । ଆଜି ଏହି କାର୍ଯ୍ୟକ୍ରମରେ ଏହି ବିସ୍ଥାପନ କଲୋନୀର ପ୍ରାୟ ସମସ୍ତ ମହିଳା ଓ ପୁରୁଷ ଉପସ୍ଥିତ ରହି ତାଙ୍କ ସମସ୍ୟା ବିଧାୟକ ଶ୍ରୀ ମିଶ୍ରଙ୍କ ଆଗରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.