jayashree

ଅତିକଳ୍ପନାର ଗଳ୍ପ ମାଧ୍ୟମରେ ଆମ ଭାବଜଗତର ଗଭୀରତାକୁ ବୁଝିହୁଏ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗଳ୍ପର ସୃଷ୍ଟି ହୁଏ ଜୀବନରୁ । ଜୀବନର ବିଚିତ୍ର ପ୍ରବହମାନତାରେ ସଭ୍ୟତାର ଦୀର୍ଘ ଅତୀତରୁ ଅତିକଳ୍ପନାର ନିଦର୍ଶନ ସୁସ୍ପଷ୍ଟ । ତଦନୁଯାୟୀ ବିଶ୍ଵର ରାଶି ରାଶି ମୌଖିକ କାହାଣୀ ଓ ପ୍ରାଚୀନ କଥାଗୁଡିକରେ ଥିବା ଅତିକଳ୍ପନାର ଉପାଦାନସବୁରୁ ମଣିଷର ଭାବଜଗତର ବିବିଧତା ଓ ଗଭୀରତାକୁ ବୁଝିହୁଏ । ଏମିତି ଏକ ପାରମ୍ପରିକ ଧାରାରେ ଆମର ଆଧୁନିକ କଥା ସାହିତ୍ୟ ପରିପୁଷ୍ଟ । ସମାଜ ସାହିତ୍ୟ ସଂସ୍କୃତି କ୍ଷେତ୍ରରେ କାର୍ଯ୍ୟରତ ଅଗ୍ରଣୀ ଅନୁଷ୍ଠାନ ‘ରଚନା’ ଦ୍ୱାରା ସ୍ଥାନୀୟ ପି.ପି.ଏକାଡେମୀ ସଭାଗୃହରେ ଆୟୋଜିତ “କଥାକାର ମନୋଜ କୁମାର ପଣ୍ଡା ସର୍ଜନ ପୁରସ୍କାର ସମାରୋହ ଓ ସ୍ମାରକୀ ବକ୍ତୃତା”ରେ ଅତିଥି ବକ୍ତା ଭାବରେ ବିଶ୍ଵଭାରତୀ, ଶାନ୍ତିନିକେତନର ପୂର୍ବତନ ପ୍ରଫେସର ଡ଼. କୈଳାଶ ପଟ୍ଟନାୟକ ଯୋଗ ଦେଇ ଏଭଳି ମତପ୍ରକାଶ କରିଛନ୍ତି । ବିଶିଷ୍ଟ ଗାଳ୍ପିକା ଗାୟତ୍ରୀ ସରାଫଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ଗାଳ୍ପିକା ଡ଼. ହିରଣ୍ମୟୀ ମିଶ୍ରଙ୍କୁ ରାଜ୍ୟ ସ୍ତରୀୟ “ମନୋଜ କୁମାର ପଣ୍ଡା ସର୍ଜନ ପୁରସ୍କାର ୨୦୨୩” ସ୍ୱରୂପ ମାନପତ୍ର ଓ ସ୍ମାରକୀ ସହିତ ଦଶହଜାର ଟଙ୍କା ପ୍ରଦାନ କରାଯାଇଥିଲା । ‘ରଚନା’ ଦ୍ୱାରା ପ୍ରକାଶିତ କବି ଅଞ୍ଜଳି ପଟ୍ଟନାୟକଙ୍କ “ସରାଗାତର ସୁରଗୀତି” କବିତା ସଙ୍କଳନ ମଞ୍ଚାସୀନ ଅତିଥିମାନଙ୍କ ସହିତ ବରିଷ୍ଠ କବି ଡ଼.ଗିରିବାଳା ମହାନ୍ତି ଏବଂ ପ୍ରଦୀପ କୁମାର ପଣ୍ଡାଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା । ‘ରଚନା’ର ସମ୍ପାଦକ ଭାଗୀରଥି ମିଶ୍ର ସ୍ୱାଗତ ଭାଷଣ, ଗାଳ୍ପିକ ହୃଷିକେଶ ପୂଜାରୀ ମନୋଜ କୁମାର ପଣ୍ଡାଙ୍କ ଜୀବନ ଓ କୃତି ସମ୍ପର୍କରେ ସୂଚନା ପ୍ରଦାନ ଓ ଅଧ୍ୟାପକ ଜିତେନ୍ଦ୍ରିୟ ତ୍ରିପାଠୀ କଥାକାର ପଣ୍ଡାଙ୍କ ଗଳ୍ପପାଠ କରିଥିଲେ । ‘ରଚନା’ର ସଭାପତି ସନାତନ ଠାକୁର ଧନ୍ୟବାଦ୍‌ ଅର୍ପଣ ଏବଂ ସଦସ୍ୟା ସୌମ୍ୟା ମଧୁପର୍ଣ୍ଣା ତ୍ରିପାଠୀ ସଭାକାର୍ଯ୍ୟ ସଂଯୋଜନା କରିଥିଲେ । ଏହି ସମାରୋହରେ ବହୁ ଲେଖକ, ବୁଦ୍ଧିଜୀବୀ, ସାହିତ୍ୟ ପ୍ରେମୀ ଏବଂ ଜନସାଧାରଣ ଯୋଗ ଦେଇଥିଲେ ।

Leave A Reply

Your email address will not be published.