ଅକ୍ଟୋବର ୨୧ ତାରିଖରେ ‘ଗଗନାୟନ’ ପରୀକ୍ଷଣ ଯାନ ମହାକାଶ ଉଡାଣ ଅର୍ଥାତ୍ ‘ଗଗନାୟନ’ ପରୀକ୍ଷଣ ଯାନ ବିକାଶ ଉଡାଣ (ଟିଭି – ଡି୧) ହେବ : କେନ୍ଦ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ
- ଚୂଡ଼ାନ୍ତ ମାନବଯୁକ୍ତ ‘ଗଗନାୟନ’ ଅଭିଯାନ ପୂର୍ବରୁ , ଆସନ୍ତା ବର୍ଷ ଏକ ପରୀକ୍ଷାମୂଳକ ଉଡ଼ାଣ ହେବ, ଯେଉଁଥିରେ ମହିଳା ରୋବଟ ମହାକାଶଚାରୀ ‘ବ୍ୟୋମମିତ୍ର’ ରହିବେ
- ପ୍ରଧାନମନ୍ତ୍ରୀ ମୋଦୀ ଗତ ୯ ବର୍ଷ ମଧ୍ୟରେ ଭାରତର ମହାକାଶ କ୍ଷେତ୍ରକୁ ଉନ୍ମୁକ୍ତ କରିଛନ୍ତି ଏବଂ ଏକ ଅନୁକୂଳ ପରିବେଶ ପ୍ରଦାନ କରିଛନ୍ତି
- ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଯେ ଇସ୍ରୋ ହେଉଛି ଭାରତର ନାରୀ ଶକ୍ତିର ପ୍ରତୀକ, ଯେଉଁଥିରେ ମହିଳା ବୈଜ୍ଞାନିକମାନେ ମହାକାଶ ଗବେଷଣା କାର୍ଯ୍ୟକ୍ରମରେ ବିଭିନ୍ନ କାର୍ଯ୍ୟକଳାପର ନେତୃତ୍ୱ ନେଉଛନ୍ତି
ଦିଲ୍ଲୀ, (ପିଆଇବି) : ‘ଗଗନାୟନ’ ପରୀକ୍ଷଣ ଯାନ ମହାକାଶ ଉଡାଣ ଅର୍ଥାତ୍ ‘ଗଗନାୟନ’ ପରୀକ୍ଷଣ ଯାନ ବିକାଶ ଉଡାଣ (ଟିଭି – ଡି୧)ର ଉତ୍କ୍ଷେପଣ ଚଳିତ ମାସ ୨୧ ତାରିଖରେ ଅନୁଷ୍ଠିତ ହେବ ।
ଆଜି ଚନ୍ଦ୍ରାୟନ ଅଭିଯାନ ସହ ଜଡିତ ଇସ୍ରୋ ବୈଜ୍ଞାନିକ ମାନଙ୍କର ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ପିଏମଓ, କାର୍ମିକ, ଜନ ଅଭିଯୋଗ, ପେନସନ, ଆଣବିକ ଶକ୍ତି ଏବଂ ମହାକାଶ ରାଷ୍ଟ୍ର ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ ଉପସ୍ଥିତ ଜନତା ମାନଙ୍କୁ ସମ୍ବୋଧିତ କରିଛନ୍ତି ।
ଇସ୍ରୋ ‘ଗଗନାୟନ’ ଅଭିଯାନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ କ୍ରୁ ଏସ୍କେପ୍ ସିଷ୍ଟମ (ଜରୁରୀକାଳୀନ ପଳାୟନ ବ୍ୟବସ୍ଥା )ର ଫଳପ୍ରଦତା ପରୀକ୍ଷା କରିବ, ଯାହା ଫଳରେ ୨୦୨୪ ସୁଦ୍ଧା ବାହ୍ୟ ମହାକାଶକୁ ମାନବରହିତ ଏବଂ ମାନବଯୁକ୍ତ ଅଭିଯାନ ଆରମ୍ଭ ହେବ । ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରେ ଏହି ପରୀକ୍ଷଣ କରାଯିବ । ‘ଗଗନାୟନ’ ଅଭିଯାନ ସମୟରେ ମହାକାଶଚାରୀ ମାନଙ୍କୁ କ୍ରୁ ମଡ୍ୟୁଲ୍ ମହାକାଶକୁ ନେଇ ଯିବ ।
ଏହି ପରୀକ୍ଷଣରେ ବାହ୍ୟ ମହାକାଶକୁ ଏକ କ୍ରୁ ମଡ୍ୟୁଲ୍ ଉତକ୍ଷେପଣ କରିବା ଏବଂ ଏହାକୁ ପୃଥିବୀକୁ ଫେରାଇ ଆଣିବା ଏବଂ ବଙ୍ଗୋପସାଗରରେ ଏହା ସ୍ପର୍ଶ କରିବା ପରେ ଏହାକୁ ପୁନରୁଦ୍ଧାର କରିବା ଅନ୍ତର୍ଭୁକ୍ତ । ଭାରତୀୟ ନୌସେନାର ଯବାନମାନେ ମଡ୍ୟୁଲକୁ ଉଦ୍ଧାର କରିବା ପାଇଁ ମକ୍ ଅପରେସନ ଆରମ୍ଭ କରି ସାରିଛନ୍ତି ।
ଏହି ପରୀକ୍ଷଣର ସଫଳତା ପ୍ରଥମ ମାନବବିହୀନ ‘ଗଗନାୟନ’ ଅଭିଯାନ ଏବଂ ଶେଷରେ ପୃଥିବୀର ନିମ୍ନ କକ୍ଷପଥରେ ମହାକାଶକୁ ମାନବଯୁକ୍ତ ଅଭିଯାନ ପାଇଁ ମଞ୍ଚ ପ୍ରସ୍ତୁତ କରିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଚୂଡ଼ାନ୍ତ ମାନବଯୁକ୍ତ ‘ଗଗନାୟନ’ ଅଭିଯାନ ପୂର୍ବରୁ ଆସନ୍ତା ବର୍ଷ ଏକ ପରୀକ୍ଷାମୂଳକ ଉଡ଼ାଣ ହେବ, ଯେଉଁଥିରେ ମହିଳା ରୋବଟ୍ ମହାକାଶଚାରୀ ‘ବ୍ୟୋମମିତ୍ର’ ରହିବେ ।
ଗଗନାୟନ’ ପ୍ରକଳ୍ପରେ ମାନବ ଦଳଙ୍କୁ ୪୦୦ କିଲୋମିଟର କକ୍ଷପଥକୁ ଉତକ୍ଷେପଣ କରି ଏବଂ ଭାରତୀୟ ସମୁଦ୍ର ଜଳରେ ଅବତରଣ କରାଇ ସେମାନଙ୍କୁ ସୁରକ୍ଷିତ ଭାବେ ପୃଥିବୀକୁ ଫେରାଇ ଆଣି ମାନବ ମହାକାଶ ଯାତ୍ରା କ୍ଷମତା ପ୍ରଦର୍ଶନ କରାଯିବ ବୋଲି ପରିକଳ୍ପନା କରାଯାଇଛି । ‘ଗଗନାୟନ’ ଅଭିଯାନର ପ୍ରାଥମିକତା ମଧ୍ୟରେ ମାନବ ଦଳ ମାନଙ୍କୁ ସୁରକ୍ଷିତ ଭାବେ ମହାକାଶକୁ ନେବା ପାଇଁ ମାନବ ରେଟେଡ୍ ଲଞ୍ଚ ଯାନ, ମହାକାଶରେ ମାନବ ଦଳଙ୍କୁ ପୃଥିବୀ ପରି ପରିବେଶ ପ୍ରଦାନ କରିବା ପାଇଁ ଜୀବନ ସହାୟତା ବ୍ୟବସ୍ଥା, ମାନବ ଦଳର ଜରୁରୀକାଳୀନ ପଳାୟନ ବ୍ୟବସ୍ଥା ଏବଂ ଚାଳକ ଦଳଙ୍କୁ ପ୍ରଶିକ୍ଷଣ, ପୁନରୁଦ୍ଧାର ଏବଂ ଥଇଥାନ ପାଇଁ ଚାଳକ ଦଳ ପରିଚାଳନା ଦିଗ ବିକଶିତ କରିବା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ଜ୍ଞାନକୌଶଳର ବିକାଶ ଅନ୍ତର୍ଭୁକ୍ତ ।
ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଯେ ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ଶ୍ରେଷ୍ଠ ପାଞ୍ଚଟି ଦେଶ ମଧ୍ୟରେ ରହିଛି ।
ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁ ଅଞ୍ଚଳରେ ଅବତରଣ କରିବାରେ ଭାରତ ପ୍ରଥମ ଦେଶ ଭାବେ ଇତିହାସ ରଚନା କରିଛି । ସୂର୍ଯ୍ୟ ଉପରେ ଅଧ୍ୟୟନ ପାଇଁ ପ୍ରଥମ ମହାକାଶ ଭିତ୍ତିକ ଭାରତୀୟ ଅଭିଯାନ ଆଦିତ୍ୟ – ୧ର ଉତ୍କ୍ଷେପଣ ସହିତ ଭାରତର ମହତ୍ୱାକାଂକ୍ଷୀ ମହାକାଶ ଅନୁସନ୍ଧାନ କାର୍ଯ୍ୟକ୍ରମ ଏକ ସ୍ପଷ୍ଟ ବାର୍ତ୍ତା ପ୍ରଦାନ କରିଛି ଯେ ଆମେ ମହାକାଶ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ବୈଜ୍ଞାନିକ ସ୍ତରରେ ସବୁଠାରୁ ଉନ୍ନତ ରାଷ୍ଟ୍ର ମାନଙ୍କ ମଧ୍ୟରୁ ଅନ୍ୟତମ ବୋଲି ସେ କହିଥିଲେ ।
ଭାରତର ମହାକାଶ କ୍ଷେତ୍ରକୁ ଉନ୍ମୁକ୍ତ କରି ଭାରତର ମହାକାଶ ବୈଜ୍ଞାନିକମାନେ ସେମାନଙ୍କ ପ୍ରତିଷ୍ଠାତା ବିକ୍ରମ ସରାଭାଇଙ୍କ ସ୍ୱପ୍ନକୁ ସାକାର କରିବାରେ ସକ୍ଷମ କରିବା ଏବଂ ଭାରତର ବୃହତ୍ ସାମର୍ଥ୍ୟ ଏବଂ ପ୍ରତିଭା ମାନଙ୍କୁ ଏକ ସକ୍ଷମ ପରିବେଶ ପ୍ରଦାନ କରିବା ପାଇଁ ଭାରତର ମହାକାଶ ବୈଜ୍ଞାନିକ ମାନଙ୍କୁ ସକ୍ଷମ କରିବା ନିମନ୍ତେ ଡକ୍ଟର ଜିତେନ୍ଦ୍ର ସିଂହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମ୍ପୂର୍ଣ୍ଣ ଶ୍ରେୟ ଦେଇଛନ୍ତି ।
ଜୁନ୍ ୨୦୨୦ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାକାଶ କ୍ଷେତ୍ରକୁ ଉଦଘାଟନ କରିବା ପରେ ମହାକାଶ ଷ୍ଟାର୍ଟଅପ୍ ସଂଖ୍ୟା ମାତ୍ର ୪ ଥିବାବେଳେ ଏବେ ୧୫୦କୁ ବୃଦ୍ଧି ପାଇଛି ।
ସେ କହିଛନ୍ତି, ଭାରତର ମହାକାଶ ଅଭିଯାନକୁ ସୁଲଭ କରିବା ପାଇଁ ପ୍ରସ୍ତୁତି କରାଯାଇଛି ।
ରେଳବାଇ, ରାଜପଥ, କୃଷି, ଜଳ ମାନଚିତ୍ରଣ, ସ୍ମାର୍ଟ ସିଟି, ଟେଲିମେଡିସିନ୍ ଏବଂ ରୋବୋଟିକ୍ ସର୍ଜରୀ , ଯାହା ସାଧାରଣ ଲୋକମାନଙ୍କୁ ସହଜ ଜୀବନଶୈଳୀ ପ୍ରଦାନ କରୁଛି, ସେହିଭଳି ବିଭିନ୍ନ କ୍ଷେତ୍ରରେ ମହାକାଶ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ବିଷୟରେ ଉଲ୍ଲେଖ କରି ଡ. ଜିତେନ୍ଦ୍ର ସିଂହ କହିଛନ୍ତି ଯେ ମହାକାଶ ଜ୍ଞାନକୌଶଳ ଭାରତର ପ୍ରାୟ ପ୍ରତ୍ୟେକ ଘରକୁ ସ୍ପର୍ଶ କରିଛି ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ୯ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଭାରତର ବିପର୍ଯ୍ୟୟ ସାମର୍ଥ୍ୟ ବିଶ୍ୱସ୍ତରୀୟ ହୋଇଛି ଏବଂ ଆମେ ପଡ଼ୋଶୀ ଦେଶଗୁଡ଼ିକ ପାଇଁ ମଧ୍ୟ ବିପର୍ଯ୍ୟୟ ପୂର୍ବାନୁମାନ ପ୍ରଦାନ କରୁଛୁ ବୋଲି ସେ ଉଲ୍ଲେଖ କରିଛନ୍ତି ।
ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଯେ ଇସ୍ରୋ ହେଉଛି ଭାରତର ନାରୀ ଶକ୍ତିର ପ୍ରତୀକ, ଯେଉଁଥିରେ ମହିଳା ବୈଜ୍ଞାନିକମାନେ କେବଳ ଅଂଶଗ୍ରହଣ କରନ୍ତି ନାହିଁ ବରଂ ମହାକାଶ ଗବେଷଣା କାର୍ଯ୍ୟକ୍ରମରେ ବିଭିନ୍ନ କାର୍ଯ୍ୟକଳାପର ନେତୃତ୍ୱ ମଧ୍ୟ ନେଇଥାନ୍ତି ।
ଏହି ଅବସରରେ, ଇସ୍ରୋ ବୈଜ୍ଞାନିକମାନେ ଚନ୍ଦ୍ରାୟନ – ୩ର ପ୍ରକଳ୍ପ ନିର୍ଦ୍ଦେଶକ ଡ. ବୀରମୁଥୁଭେଲ; ଚନ୍ଦ୍ରାୟନ – ୩ର ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ସୁଶ୍ରୀ କଳ୍ପନା ; ଚନ୍ଦ୍ରାୟନ – ୩ ଓ ଆଦିତ୍ୟ ଏଲ୍ – ୧ର ମିଶନ ନିର୍ଦ୍ଦେଶକ ଏମ୍ ଶ୍ରୀକାନ୍ତ ଏବଂ ଆଦିତ୍ୟ ଏଲ୍ – ୧ର ପ୍ରକଳ୍ପ ନିର୍ଦ୍ଦେଶକ ନିଗାର ସାଜିଙ୍କୁ କେନ୍ଦ୍ର ମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ ।