ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରରେ ଥିବା ବନ୍ଧ (ପୋଖରୀ)ଗୁଡ଼ିକର ଅବସ୍ଥା ଏବେ ଅସମ୍ଭାଳ ହୋଇପଡ଼ିଛି । ଉଚିତ ରକ୍ଷଣାବେକ୍ଷଣର ଅଭାବ ଯୋଗୁଁ ସବୁ ଜଳାଶୟ ପ୍ରାୟତଃ ନର୍ଦ୍ଦମା ଭଳି ପଡ଼ି ରହିଥିବା ବେଳେ ଏଗୁଡ଼ିର ଜଳ ମଧ୍ୟ ଅତ୍ୟନ୍ତ ଦୁଷିତ ହେବାରେ ଲାଗିଛି । ବଲାଙ୍ଗିର ସହର ମଧ୍ୟରେ ଥିବା କନ୍ଧପାଲି ବନ୍ଧ ଏକ ବିଶାଳ ଜଳାଶୟ । କିନ୍ତୁ ଅବହେଳିତ ହୋଇ ପଡ଼ି ରହିଥିବା ଯୋଗୁଁ ଏହି ପୋଖରୀର ପାଣି ପାଟିରେ ଦେବାକୁ ମଧ୍ୟ ଲୋକେ ଘୃଣା କରୁଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଏମିତି ଏକ ସମୟ ଥିଲା ଯେଉଁ ସମୟରେ ଏହି ପୋଖରୀର ପାଣିକୁ ପିଇବା ପାଣି ଭାବେ ଆଖପାଖର ଲୋକେ ବ୍ୟବହାର କରୁଥିଲେ । କିନ୍ତୁ ଏବେ ଏହି ପୋଖରୀର ପାଣିରୁ ଦୁର୍ଗନ୍ଧ ବାହାରୁଛି । ସ୍ଥାନୀୟ ବୃଦ୍ଧବ୍ୟକ୍ତିମାନେ କୁହନ୍ତି, ବଲାଙ୍ଗିର ସହର ଭିତରେ ଛୋଟ ବଡ ହୋଇ ୨୭ଟି ବନ୍ଧ (ଜଳାଶୟ) ରହିଥିଲା । କନ୍ଧପାଲିପଡା ବନ୍ଧ ଏମାନଙ୍କ ମଧ୍ୟରେ ଏକ ନିର୍ଭରଯୋଗ୍ୟ ବନ୍ଧ ଭାବେ ସେତେବେଳେ ଗ୍ରହଣ ହେଉଥିବା ବେଳେ ଏହା ପ୍ରାୟ ୩୬ ଏକର ଜମିରେ ରହିଛି । ଏହି ବନ୍ଧ ବଲାଙ୍ଗିର ଜିଲ୍ଲାର ରାଜାରାଜୁଡା କାଳର ଏକ ପୁରୁଣା ଜଳାଶୟ ବୋଲି ଏଠାକାର ଲୋକ ମାନଙ୍କଠୁ ଶୁଣିବାକୁ ମିଳେ । ପୁରୁଣା ଯୁଗରେ ଏହି ବନ୍ଧର ପାଣି ଏତେ ସଫା ଥିଲା ଯେ, ବଲାଙ୍ଗିର ସହରର ଅନେକ ସ୍ଥାନରୁ ତିନି ଚାରି ହଜାରରୁ ଅଧିକ ଲୋକେ ଏହି ବନ୍ଧର ପାଣି ବ୍ୟବହାର କରୁଥିଲେ । ହେଲେ ଆଶ୍ଚର୍ୟ୍ୟର କଥା ଯେ, ବର୍ତ୍ତମାନ ଏହି ବନ୍ଧର ପାଣିକୁ ପିଇବା ପାଣି ଭାବେ ବ୍ୟବହାର କରିବା ତ’ ଅଲଗା କଥା, ଲୋକେ ଗାଧୋଇବା ପାଇଁ ଇଚ୍ଛା କରୁ ନାହାନ୍ତି । ବନ୍ଧର ଆଖପାଖ ପଡା ଗୁଡିକର ନାଳ ନର୍ଦ୍ଦମା ପାଣି ତଥା ମିକ୍ସଚର ଫ୍ୟାକ୍ଟାରୀ ଆଦିର ଦୂଷିତ ପାଣି ଆସି ସବୁଯାକ ବନ୍ଧରେ ପଡୁଛି । ଯାହାଫଳରେ ବନ୍ଧର ପାଣି ଦୁର୍ଗନ୍ଧ ହେବା ସହ ଅପରିଷ୍କାର ହେଇଯାଉଛି । ଅନ୍ୟପଟେ କଇଁ ଓ ପଦ୍ମପତ୍ର ଗୁଡାକ ବନ୍ଧର ସବୁଆଡେ ମାଡି ସାରିଲାଣି, ଯାହାକି ପ୍ରଶାସନର ନଜରରେ ଆସିଥିଲେ ମଧ୍ୟ ପ୍ରଶାସନ ଚୁପ୍ ହୋଇ ବସିଛି । ସେଥିପାଇଁ ପଡା ବାସିନ୍ଦା ତଥା ଉକ୍ତ ବନ୍ଧ ଉପରେ ନିର୍ଭର କରୁଥିବା ଲୋକମାନେ ବହୁତ ଗୁଡାଏ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଏହି ବନ୍ଧର ପାଣି ଯୋଗୁଁ ପାଖରେ ଥିବା ଚାଷ ଜମି ଗୁଡିକରେ ଚାଷ କରିବା ମଧ୍ୟ ସୁବିଧା ହୁଏ । ବର୍ତ୍ତମାନ ବନ୍ଧର ଜଳଧାରଣା କ୍ଷମତା କ୍ଷୂର୍ଣ୍ଣ ହେବା କାରଣରୁ ତାହା ମଧ୍ୟ ଭଲ ଭାବେ ହେଉନାହିଁ । ଏହି ପୁରୁଣା କାଳର ବନ୍ଧର ଏଭଳି ଅବସ୍ଥା ଯୋଗୁଁ ପଡାବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ଏହାକୁ ନେଇ ଅଂଚଳବାସୀଙ୍କ ପ୍ରତିକ୍ରିୟା ସଂପର୍କରେ ଆସନ୍ତୁ ଜାଣିବା ।
ଶ୍ରୀମତୀ ସତ୍ୟଭାମା ନାଏକ, କନ୍ଧପାଲିପଡ଼ା
ଏହି ବନ୍ଧର ପାଣି ଖୁବ୍ ସଫା ଥିଲା । ବିଭିନ୍ନ ପଡାର ଲୋକମାନେ ପିଇବା ପାଣି ଭାବେ ଏହି ବନ୍ଧର ପାଣିକୁ ବ୍ୟବହାର କରୁଥିଲେ । ହଜାର ହଜାର ଲୋକ ଗାଧୋଇବା ପାଇଁ ବି ଆସୁଥିଲେ । ହେଲେ ବର୍ତ୍ତମାନ ଏହି ବନ୍ଧ ପାଖକୁ ଆସିବା ପାଇଁ ଖରାପ ଲାଗିଲାଣି । ଏବେ ଦୁର୍ଗନ୍ଧମୟ ହେଇଗଲାଣି ଏହି ବନ୍ଧର ପାଣି । ପ୍ରଶାସନକୁ ଅନୁରୋଧ କରୁଛି ଯେ, ଯଥାଶୀଘ୍ର ଏଥିପ୍ରତି ଧ୍ୟାନ ଦିଅନ୍ତୁ ଓ ଉଚିତ ପଦକ୍ଷେପ ଗ୍ରହଣ କରନ୍ତୁ ।
ଶ୍ରୀମତୀ ବୈଦେହୀ ସାହୁ, କନ୍ଧପାଲିପଡ଼ା
ବଲାଙ୍ଗିର ସହରର ସବୁଠାରୁ ବଡ ବନ୍ଧ କହିଲେ ଏହି ବନ୍ଧକୁ ବୁଝାଏ । ରାଜାରାଜୁଡା ସମୟର ଏହି ବନ୍ଧର ଅବସ୍ଥା ଏତେ ଖରାପ ହେଇଗଲାଣି ଯେ କହିଲେ ନସରେ । ବର୍ତ୍ତମାନର ପଦ ପଦବୀରେ ଥିବା ଲୋକମାନଙ୍କ ନଜରରେ ଆସିଲେ ମଧ୍ୟ ସେମାନେ ଚୁପ୍ ହୋଇ ରହିଛନ୍ତି । ଗୁହାରୀ କରି କରି ଥକି ଯିବାକୁ ପଡୁଛି । କେହି ଶୁଣୁ ନାହାନ୍ତି । ଯଦି ଆଗକୁ ଏପରି ଅବସ୍ଥା ଲାଗିରହେ କିମ୍ବା ଅବସ୍ଥାରେ ସୁଧାର ନ ଆସେ, ତେବେ ଆଗକୁ ଜୋରଦାର୍ ଆନ୍ଦୋଲନ ହେବ ।
ହରିଶଙ୍କର ସାଏ, କନ୍ଧପାଲିପଡ଼ା
ଏହି ବନ୍ଧ ପ୍ରାୟ ୩୬ ଏକର୍ ଜମିକୁ ନେଇ ରାଜରାଜୁଡା ଶାସନରୁ ନିର୍ମାଣ କରାଯାଇଥିଲା । ବନ୍ଧ ଉପରେ ବିଭିନ୍ନ ପଡାବାସୀ ନିର୍ଭର କରନ୍ତି । କିନ୍ତୁ ବଡ ଦୁଖଃର କଥା ଯେ, ବନ୍ଧକୁ ଆଖପାଖ ସ୍ଥାନର ନାଳ ନର୍ଦ୍ଦମାର ପାଣି ପଶି ଆସୁଛି । ଯେଉଁଥି ପାଇଁ ବର୍ତ୍ତମାନ ଏହି ବନ୍ଧର ପାଣି ବ୍ୟବହାର ଯୋଗ୍ୟ ନୁହେଁ । ବ୍ୟବହାର କଲେ କୋ÷ଣସି ରୋଗରେ ଆକ୍ରାନ୍ତ ହେବାର ମଧ୍ୟ ସମ୍ଭାବନା ରହିଛି । ବନ୍ଧର ପୁନଃଉଦ୍ଧାର ପାଇଁ ପ୍ରଶାସନକୁ ବହୁବାର କୁହାଯାଇଛି । ହେଲେ ଶୁଣୁ ନାହିଁ ପ୍ରଶାସନ । ଯଦି ବନ୍ଧ ସମସ୍ତ ପଦ୍ମ ଓ କଇଁ ପତ୍ର ଗୁଡାକ ସଫା କରି ଦିଆଯାଏ ଏବଂ ଆଖପାଖ ଅଚଂଳର ନାଳ ନର୍ଦ୍ଦମା ପାଣି ପାଇଁ ଅଲଗା ବ୍ୟବସ୍ଥା କରାଯାଏ, ତାହେଲେ ଏହି ବନ୍ଧ ପରିଷ୍କାର ପରିଛନ୍ନ ହେବ ଏବଂ ଅନେକ ଲୋକଙ୍କ ବ୍ୟବହାରରେ ଆସିବ ।
ଚିନ୍ତାମଣି ସାହୁ, କନ୍ଧପାଲିପଡ଼ା
ପୂର୍ବ ପୁରୁଷାରୁ ଆମେ ଏହି ବନ୍ଧକୁ ବ୍ୟବହାର କରି ଆସୁଥିଲୁ । କିନ୍ତୁ ଏହି ବନ୍ଧର ପାଣି ୪ରୁ ୫ ବର୍ଷ ହେଲା ଏତେ ଅପରିଷ୍କାର ହେଇଗଲାଣି ଯେ, ଏହା ଏବେ ଆଉ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ । ଏହି ବନ୍ଧ ଯୋଗୁଁ ସ୍ଥାନୀୟ ତଥା ଆଖପାଖର ଲୋକେ ଉପକୃତ ହୋଇ ପାରୁଥିଲେ । ପ୍ରଶାସନ ଏହି ବନ୍ଧର ପୁନଃଉଦ୍ଧାର ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରୁଛି ।
କେଶବ ନାଏକ, କନ୍ଧପାଲିପଡ଼ା
ବନ୍ଧକୁ ଲାଗି ରହିିଥିବା ମିକ୍ସଶ୍ଚର ଫ୍ୟାକ୍ଟେରୀରୁ ଆବର୍ଜନା ପାଣି ଆସି ବନ୍ଧର ପାଣି ଖରାପ କରୁଛି । ସେଥିପାଇଁ ବହୁବାର ପ୍ରଶାସନକୁ ଅନୁରୋଧ କରାଯାଇଛି, ଅଥଚ କିଛି ଲାଭ ମିଳିନି । ପ୍ରଶାସନ ସବୁ ଜାଣିଶୁଣି ଚୁପ୍ ରହିଥିବା ସହ ଦୋଷୀ ବିରୁଦ୍ଧରେ ମଧ୍ୟ କାର୍ୟ୍ୟନୁଷ୍ଠାନ ନେଉନାହାଁନ୍ତି । ଆମେ ଯୁବ ପିଢି ମିଶି ବନ୍ଧକୁ ସଫା କରିଥିଲୁ । ହେଲେ ବନ୍ଧରେ ଥିବା ପଦ୍ମ ଓ କଇଁ ପତ୍ର ପୁଣି ମାଡ଼ି ଯାଇ ସାରିଲାଣି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଆମେ ଦାବୀ କରୁଛୁ ।
ଲକ୍ଷ୍ମୀ ପ୍ରସାଦ ନନ୍ଦ, କନ୍ଧପାଲିପଡ଼ା
ବନ୍ଧର ପାଣି ଏତେ ଭଲ ଥିଲା ଯେ, କାହିଁ କେତେ ଦୂରରୁ ଏଠାକୁ ସ୍ତ୍ରୀ ଲୋକମାନେ ପାଣି ନେବା ପାଇଁ ଆସୁଥିଲେ । ହେଲେ ଆଜିକାଲି ସେ ପାଣି ଟିକାକ ଆମ ପାଇଁ ସାତ ସପନ ପାଲଟିଛି । ବନ୍ଧର ସୁରକ୍ଷା ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଅନୁରୋଧ କରୁଛି ।
ଚନ୍ଦ୍ରଶେଖର ଠେଲା, କନ୍ଧପାଲିପଡ଼ା
ବନ୍ଧକେ ସଫା ସୁତ୍ରା ରଖବାର୍ ଆମର କାମ, ଯାହାକି ଆମେ ପାଳନ କରୁଛୁଁ । ହେଲେ କିଛି ବଡ୍ ବଡ୍ ଲୋକମାନେ ତାକର୍ ଅସ୍କଟିଆ ପାଏନ୍ ଛାଡ଼ୁଛନ୍ । ସେଥିର୍ ଲାଗି ବନ୍ଧର ପାଏନ୍ ଗନ୍ଧି ଯାଉଛେ । ପ୍ରଶାସନ ଇ’ ବନ୍ଧ ଉପ୍ରେ ନଜର୍ ଦଉନ୍ ଆର୍ ଇତାର ସୁରକ୍ଷା ଦାୟିତ୍ୱ ଗ୍ରହଣ କରୁନ୍ ।
ନେତ୍ରାନନ୍ଦ ସାହୁ, କନ୍ଧପାଲିପଡ଼ା
ବନ୍ଧକୁ ଗାଧୋଇ ଯିବା ପାଇଁ ଆଗ ପରି ଆଉ ମନ ଲାଗୁନାହିଁ । ବନ୍ଧରେ ପୂର୍ଣ୍ଣିପତ୍ର ଯେମିତି ଚାରିଆଡେ଼ ଭରି ହୋଇ ରହିଛି, ସେମିତି ପାଣି ବି ଦୁର୍ଗନ୍ଧ ହେଉଛି । ନାଳନର୍ଦ୍ଦମା ପାଣିର ଗନ୍ଧରେ ନାକ ଫାଟି ପଡ଼ୁଛି । ଏଥିପାଇଁ ପଦ ପଦବୀରେ ଥିବା ଲୋକଙ୍କ ଦୃଷ୍ଠି ପଡ଼ିବା ଦରକାର । କିମ୍ବଦନ୍ତୀ ସୁଲଭ ଏଇ ବନ୍ଧର ପୁନଃଉଦ୍ଧାର ହେବା ଏକାନ୍ତ ଆବଶ୍ୟକ ।