ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଗରିବ ଅସହାୟ ଲୋକଙ୍କୁ କିପରି ହତାଦର କରାଯାଏ, ଏହାର ଜ୍ୱଳନ୍ତ ଉଦାହରଣ ଜାମଚୁଆଁ ଗ୍ରାମର ବିଜୟ ଲକ୍ଷ୍ମୀ ରଣା । କୈାଣସି ଏକ ଅଜଣା ରୋଗରେ ପଡି ସ୍ବାମୀ ବନମାଳୀ ରଣା ୧୫ ବର୍ଷ ଆଗରୁ ସ୍ତ୍ରୀ ବିଜୟ ଲକ୍ଷ୍ମୀ ରଣାଙ୍କୁ ଏକୁଟିଆ କରି ଆରପାରିକୁ ଚାଲିଗଲେ । ବହୁତ ଦୁଃଖ କଷ୍ଟରେ ନିଜର ପିଲାଛୁଆଙ୍କୁ ପାଳିଛନ୍ତି । ସ୍ବାମୀ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ । ସେ ଚାଲିଗଲା ପରେ ବହୁ ଦୁର୍ଦ୍ଦିନରେ କାଳାତିପାତ କରିଛନ୍ତି । ଗତ ୧୫ ବର୍ଷ ହେଲା ବାରମ୍ବାର ବିଡ଼ିଓ, ସରପଞ୍ଚ, ମେମ୍ବର ସମସ୍ତଙ୍କୁ ଗୁହାରି କରିଛନ୍ତି ଭତ୍ତା ପାଇଁ । କିନ୍ତୁ ଆଜି ପର୍ୟ୍ୟନ୍ତ କିଛି ବି ମିଳିଲା ନାହିଁ । ମିଳିଲା ଖାଲି ଆଶ୍ଵାସନା, ପ୍ରତିଶୃତି । ବାରମ୍ବାର ଅଫିସ୍ ଅଫିସ୍ ଧାଇଁ ଧାଇଁ ଥକି ଗଲିଣି ବୋଲି କୋହଭରା କଣ୍ଠରେ କହିଛନ୍ତି ବିଜୟଲକ୍ଷ୍ମୀ । ଗରିବଙ୍କୁ ଏପରି ଉପହାସ କରିବା ଠିକ୍ ନୁହେଁ, ଭଗବାନ ସବୁ ଦେଖୁଛନ୍ତି ବୋଲି ସେ କହିଛନ୍ତି । ସେ ପ୍ରଶାସନକୁ ଅନୁରୋଧ କରିଛନ୍ତି, କମସେ କମ୍ ଏବେ ତ ମୋ’ ଭତ୍ତା କରିଦିଅ । ଜିଇଁ ଥାଉ ଥାଉ ଟିକେ ସୁଖରେ ରହିବି ।