- ବିକାଶ କାର୍ଯ୍ୟ ଅପେକ୍ଷା କ’ଣ ଗ୍ରୀଡ ସ୍ଥାପନ ଜରୁରୀ ନ ଥିଲା : ସାଧାରଣରେ ପ୍ରଶ୍ନ
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସାରା ରାଜ୍ୟରେ ଉତ୍ତପ୍ତ ସହର ରୂପେ ଟିଟିଲାଗଡ ସହର ପରିଚିତ । ଖରା ଦିନ ଆସିବା ପୂର୍ବରୁ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସେହି ବୈଠକରେ ଲୋକଙ୍କୁ କିପରି ପିଇବା ପାଣି ଯୋଗାଇ ଦିଆଯିବ ? ଅଂଶୁଘାତର ଶିକାର ହୋଇଥିବା ଲୋକଙ୍କୁ ଚିକିତ୍ସା ବ୍ୟବସ୍ଥା ତଥା ଖରା ଦିନେ କିପରି ବିଦ୍ୟୁତ ଯୋଗାଣରେ ବିଭ୍ରାଟ ସୃଷ୍ଟି ନ ହେବ ସେ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଥିଲା । ଖରା ଦିନ ଆସିଲା, ଧୀରେ ଧୀରେ ତାପମାତ୍ରା ବୃଦ୍ଧି ହେବାକୁ ଲାଗିଲା କିନ୍ତୁ ବିଦ୍ୟୁତ କାଟ ହେଉ ନ ଥିଲା । କିଛି ଦିନ ତଳେ ଟିକିଏ ବର୍ଷା ସାଙ୍ଗକୁ ପବନ ହୋଇ ଗଛ ପଡିବା ଦିନ ଠାରୁ ଆଜି ଯାଏଁ ବିଦ୍ୟୁତ୍ ଯୋଗାଣରେ ବ୍ୟାପକ ତୃଟି ତଥା ବାରମ୍ବାର ବିଦ୍ୟୁତ କାଟ ଯୋଗୁଁ ଲୋକେ ଅତିଷ୍ଟ ହୋଇଗଲେଣି । ଖାସ କରି ଛୋଟ ଛୋଟ ଛୁଆ, ରୋଗୀଙ୍କ କ୍ଷେତ୍ରରେ ଜମ ଦଣ୍ଡ ସଦୃଶ ଯନ୍ତ୍ରଣା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।
ଖରାର ପ୍ରାଦୁର୍ଭାବ ଏତେ ବଢ଼ିଛି ଯେ, କୁଲର କି ଏସି ବିନା ଜୀବନ ବିତେଇବା ଏକ ସଂଘର୍ଷ ଭଳି ଲାଗିଲାଣି । ଶହ ଶହ କୋଟି ଟଙ୍କାର ଶିଳାନ୍ୟାସ କରାଗଲା କିନ୍ତୁ ସେ ଭିତରେ ବିଦ୍ୟୁତ ଗ୍ରୀଡ ସ୍ଥାପନର କୌଣସି ନା’ ନାହିଁ । ଆଜିର ଯୁଗରେ ବିଦ୍ୟୁତ ଯୋଗାଣ ଲାଇଫ ଲାଇନ କହିଲେ ଚଳିବ । ରାଜ୍ୟର ଶକ୍ତି ମନ୍ତ୍ରୀ କହୁଛନ୍ତି ବିଦ୍ୟୁତ କାଟ ହେଉନି ଟ୍ରିପ ହେଉଛି, ତାଙ୍କୁ କିଏ ବୁଝେଇବ ଯେ, ଟିଟିଲାଗଡ ସହରରେ ଟ୍ରିପ ଦିନକୁ କେତେ ଥର ହେଉଛି ଯେ ? ସହରର ବିକାଶ କାର୍ଯ୍ୟ ପାଇଁ ଯେତେ ଖର୍ଚ୍ଚ କରାଯାଉଛି ଆଜି ଯାଏଁ ଟିଟିଲାଗଡ ସରକାରୀ ଡାକ୍ତରଖାନାରେ ଡାକ୍ତର, ନର୍ସଙ୍କ ଅଭାବ, ପିଇବା ପାଣି ଯୋଗାଣ ପାଇଁ ଶିଳାନ୍ୟାସ ସହ କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ ସମ୍ପୂର୍ଣ୍ଣ ହୋଇନି, ସେଥିପାଇଁ ଆଜି ଯାଏଁ ଚାରି ଦିନରେ ଥରେ ଆସୁଛି ପିଇବା ପାଣି । ସହରର ବିକାଶ ଜରୁରୀ ଅଟେ କିନ୍ତୁ ଯେଉଁ ମୌଳିକ ସୁବିଧା ଲୋକଙ୍କୁ ଆଗ ଦରକାର ସେ ଦିଗରେ କାହିଁକି ପଦକ୍ଷେପ ନିଆଯାଉ ନାହିଁ ? ବିକାଶ କ୍ଷେତ୍ରରେ ରେଳ ଓଭରବ୍ରିଜ, ଭୂତଳ ପୋଲକୁ ଛାଡ଼ି ଦେଲେ ବାକି ଯାହା ବି ନିର୍ମାଣ କି ଉନ୍ନତିକରଣ କାର୍ଯ୍ୟ ହୋଇଛି ସେ ସବୁ ଆଜି ଲୋକଙ୍କ ମନୋରଞ୍ଜନ ପାଇଁ, ଯେମିତିକି ମହାରାଜା ସାଗର, ରାଜ କନ୍ଵାର ପାର୍କର ସୌନ୍ଦର୍ଯ୍ୟକରଣ ଏବଂ ଆଇ ଲଭ ଟିଟିଲାଗଡ ପାର୍କ ନିର୍ମାଣ ଅନ୍ୟତମ । ସେହିପରି ପିପଲ ପଦରଠାରେ ନିର୍ମିତ ହୋଇଥିବା ମାତୃ ଶିଶୁ ଡାକ୍ତରଖାନା ଆଜି ବି ଆରମ୍ଭ ହୋଇପାରିନି, କର୍ମଚାରୀମାନଙ୍କ ନିମନ୍ତେ ରହିବା ପାଇଁ ଘର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ଦୁଇ ଦୁଇଟି ଟାଉନ ହଲ ନିର୍ମାଣ ହେବ ପାଖାପାଖି ୫ କୋଟିରୁ ଅଧିକ ଟଙ୍କା ବ୍ୟୟ ଅଟକଳରେ ତାହା ବି ୧୦୦ରୁ ୨୦୦ ମିଟର ଭିତରେ, ଗୋଟିଏ ଡିଏଭି ମହାବିଦ୍ୟାଳୟ ପରିସର ଭିତରେ ଅନ୍ୟଟି ଓଭର ବ୍ରିଜ ସମ୍ମୁଖରେ । ଏହି ସବୁ ନିର୍ମାଣ କାର୍ଯ୍ୟ ଠାରୁ ବି ଟିଟିଲାଗଡ ସହରରେ ବିଦ୍ୟୁତ ଗ୍ରୀଡ ସ୍ଥାପନ ଏ ସବୁଠାରୁ ବେଶୀ ଜରୁରୀ ଥିଲା ବୋଲି ସହରରେ ମତ ପ୍ରକାଶ ପାଇଛି । ଟିଟିଲାଗଡ଼ର ବିଧାୟିକା ତଥା ମନ୍ତ୍ରୀ ଥାଇ ମଧ୍ୟ ଏହି ସମସ୍ୟାର ସମାଧାନ ନ ହେବା ଅତି ଦୁର୍ଭାଗ୍ୟର ବିଷୟ ବୋଲି ଚର୍ଚ୍ଚା ହେଉଛି । ମନ୍ତ୍ରୀ ରାଜ୍ୟ ସରକାରଙ୍କ ବିଶ୍ୱାସ ଜିଣିବା ସହ ହଜାର ହଜାର କୋଟି ଟଙ୍କାର ବିକାଶ କାର୍ଯ୍ୟ ଆଣି ପାରୁଛନ୍ତି କିନ୍ତୁ ଯାହାକି ନିତ୍ୟାନ୍ତ ଦରକାର ଯେପରିକି ଟିଟିଲାଗଡ ସରକାରୀ ଡାକ୍ତରଖାନାରେ ଡାକ୍ତର, ନର୍ସଙ୍କ ଅଭାବ, ବିଦ୍ୟୁତ ଗ୍ରୀଡ ସ୍ଥାପନ କାର୍ଯ୍ୟରେ କିପରି ସୁଫଳ ମିଳୁନି ତାଙ୍କୁ, ସେ କ୍ଷେତ୍ରରେ ତାଙ୍କର ଦାବୀ ମୁଖ୍ୟମନ୍ତ୍ରୀ କି ୫-ଟି ସଚିବ ଭି କେ ପାଣ୍ଡିଆନ କାହିଁକି ଶୁଣୁ ନାହାନ୍ତି ବୋଲି ଏବେ ସାରା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ଯେତେ ବିକାଶ କାର୍ଯ୍ୟ ହେବ ସେତିକି ଭଲ କିନ୍ତୁ ଯେଉଁଟା ଜରୁରୀ ସୁବିଧା ତାହା ଯୋଗାଇବାରେ କାହିଁକି ଅସମର୍ଥ ମନ୍ତ୍ରୀ ? ସ୍ଥାନୀୟ ଲୋକ ଚୁପ ରହି କେବଳ ପଛପଟେ କଥା ହେବା ସାର ହେଉଛି । ବିରୋଧୀ ଉପାୟ ଶୂନ୍ୟ, କେବଳ ଦାବୀପତ୍ର ଦେଇ ଚୁପ, ତାହେଲେ ସମାଧାନ କାହା ପାଖରେ ? ସହରର ପୌରାଧ୍ୟକ୍ଷା ପୌର ପରିଷଦର ଉନ୍ନତି ନିମନ୍ତେ କୋଟି କୋଟି ଟଙ୍କା ଆସୁଥିବା ବେଳେ ଏ ଦିଗରେ ସେ ବି ନୀରବଦ୍ରଷ୍ଟା । ଦୁର୍ଭାଗ୍ୟର ବିଷୟ ସହରରେ ଆଜି ବି ଲୋକ ମୌଳିକ ସୁବିଧା ପାଇବାରୁ ବଞ୍ଚିତ । ଆଗକୁ ସାଧାରଣ ନିର୍ବାଚନ ଆସୁଛି କିନ୍ତୁ ଏ ଯାଏଁ ମନ୍ତ୍ରୀଙ୍କ ପ୍ରତିଦ୍ବନ୍ଦି ନ ବାହାରିବା ଯୋଗୁଁ ଆଜି ମଧ୍ୟ ଲୋକେ ନିଷ୍ପେସିତ, ଲୋକଙ୍କ ସମସ୍ୟା ଯଦି ସରକାର ଜାଣି ପାରୁନାହାଁନ୍ତି ତାହେଲେ ଲୋକ ପ୍ରତିନିଧିଙ୍କ ସଫଳତା କାହା ପାଇଁ ? ପିଇବା ପାଣି, ବିଦ୍ୟୁତ କାଟ, ଡ଼ାକ୍ତରଙ୍କ ଅଭାବ ଦୂର କରିବା ପାଇଁ ଶାସକ ଦଳକୁ ହରାଇ ବିଜେପି ପ୍ରାର୍ଥୀଙ୍କୁ ସହରବାସୀ ଭୋଟ ଦେଇ ବିଜୟୀ କରାଇଲେ କିନ୍ତୁ ରାଜନୀତି ଖେଳରେ ସେ ବି ଅସହାୟ ହୋଇ ରହିଗଲେ । ସହରବାସୀଙ୍କ ସମସ୍ୟାର ସମାଧାନ ନିମନ୍ତେ ବିକଳ୍ପ ନେତା ଦରକାର, ଯିଏ କି ଲୋକଙ୍କ ସ୍ୱର ହୋଇ ବିଧାନସଭାରେ ଲୋକଙ୍କ କଥା ଉପସ୍ଥାପନ କରିପାରିବ, ଯିଏ ଲୋକଙ୍କ ପାଇଁ ଚିନ୍ତା କରୁଛି ସିଏ ବାହାରିବ, ଆଉ କ୍ଷମତା ପାଇବା ଆଶାରେ ଛିଡ଼ା ହେଲେ ଲୋକ ପ୍ରତ୍ୟାଖ୍ୟାନ କରିବା ସୁନିଶ୍ଚିତ । ନିର୍ବାଚନ ମଧ୍ୟ ପାଖେଇ ଆସିଲାଣି, ନୂତନ ଚେହେରା, ଭଲ ଏବଂ ଦକ୍ଷତା ଥିବା ବ୍ୟକ୍ତିତ୍ୱକୁ ଲୋକ ଖୋଜୁଛନ୍ତି, ପରିବର୍ତ୍ତନର ସ୍ୱର ସହରବାସୀ ପୌର ନିର୍ବାଚନରେ ଭୋଟ ଦେଇ ଦେଖେଇ ଦେଲେଣି, ଏବେ ଆଗକୁ କ’ଣ ହେବ ଦେଖିବାକୁ ବାକି ରହିଲା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।