ବାଲି ମାଫିଆଙ୍କ କବଜାରେ ନଦୀପଠା : ବାହାର ରାଜ୍ୟକୁ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ପ୍ରାୟ ୮ଟି ନଦନଦୀ ରହିଛି । ଏହି ନଦୀରୁ ବିପୁଳ ପରିମାଣର ବାଲି ଉଠୁଛି । ଜିଲ୍ଲାର ବିଭିନ୍ନ ତହସିଲ ଅଞ୍ଚଳରେ ବାଲିଘାଟ ଗୁଡିକ ଲିଜରେ ଦିଆଯାଇଛି । କିନ୍ତୁ ଲିଜଧାରୀମାନେ ଯେତେ ପରିମାଣରେ ରାଜସ୍ୱ ଦେଉଛନ୍ତି ତା’ଠୁ ଢେରଗୁଣ ବାଲି ଉଠାଇ ଚୋରା ଚାଲାଣ କରୁଥିବା ଅଭିଯୋଗ ହେଉଛି । ଏପରକି ଯେଉଁ ଘାଟ ଲିଜରେ ନେଇଛନ୍ତି କେବଳ ସେଠୁ ନୁହେଁ ନଦୀର ଅନ୍ୟସ୍ଥାନରୁ ମଧ୍ୟ ବାଲି ଉଠାଯାଉଛି । ଲିଜଧାରୀମାନେ ରାଜସ୍ୱବିଭାଗରୁ ବାଲିଘାଟ ଲିଜରେ ନେଇ ପରେ ତାକୁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ହାତରେ ଟେକି ଦେଇଛନ୍ତି । ସେହି ବାଲିମାଫିଆମାନେ ନଦୀ ଭିତରୁ ଜେସିବି ଲଗାଇ ହାଇୱା ଯୋଗେ ବାଲିଚାଲାଣ କରୁଛନ୍ତି । ଲିଜ ବେଳେ ହୋଇଥିବା ଚୁକ୍ତିରେ ଲିଜଧାରୀମାନେ କେଉଁ ଅଞ୍ଚଳରୁ କେତେ ବାଲି ଉଠାଇବେ ତଥା କେତେ ପର୍ଯ୍ୟନ୍ତ ବାଲିଉଠିବ ତାହା ସ୍ପଷ୍ଟ ଉଲ୍ଲେଖ ରହିଥାଏ । କିନ୍ତୁ ଏମାନେ ଜେସିବି ଲଗାଇ ହାଇୱାରେ ବେଆଇନ ଭାବରେ ବାଲି ଚୋରାଚାଲାଣ କରୁଛନ୍ତି । ଅଳ୍ପ ପରିମାଣର ରୋୟାଲ୍ଟି ଦେଇ କୋଟି କୋଟି ଟଙ୍କାର ବାଲି ଚୋରା ଚାଲାଣ କରୁଛନ୍ତି । ଏପରିକି ବଲାଙ୍ଗିର ନଦୀମାନଙ୍କର ବାଲି ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମ (ୱାଲଟିୟର) ପର୍ଯ୍ୟନ୍ତ ଚୋରା ଚାଲାଣ କରାଯାଉଛି । ଖୋଦ ରାଜସ୍ୱବିଭାଗର ଜ୍ଞାତସାରରେ ଏହି କାରବାର ଚାଲିଥିବା ଅଭିଯୋଗ ହେଉଛି । ବଲାଙ୍ଗିର ଜିଲ୍ଲାର ସୁକତେଲ ନଦୀରେ ଅଧିକ ପରିମାଣରେ ଉନ୍ନତମାନର ବାଲି ମିଳିଥାଏ । ଏହାକୁ ବିଲଡିଂ, ବ୍ରିଜ, ଘର ନିର୍ମାଣରେ ବ୍ୟବହାର କରାଯାଇଥାଏ । ରାଜ୍ୟର ଅନେକଗୁଡିଏ ନଦୀରେ ବାଲି ସରି ଆସୁଥିବାରୁ ଏବେ ବଲାଙ୍ଗିର ଜିଲ୍ଲା ମେନ୍‌ ଟାର୍ଗେଟ୍‌ରେ ରହିଛି । ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ, ପାଟଣାଗଡ, ବଲାଙ୍ଗିର, ପୁଇଁତଲା ତହସିଲ ଅଞ୍ଚଳରେ ପ୍ରାୟ ୧୫ରୁ ଅଧିକ ବାଲିଘାଟ ନିଲାମ ହୋଇଛି । ଏହାବାଦ ବାଲି ମାଫିଆମାନେ ସ୍ଥାନୀୟ କିଛି ଗ୍ରାମବାସୀଙ୍କୁ ଧରି ସେଠାରୁ ବେଧଡକ ବାଲି ଉଠାଉଛନ୍ତି । ରାଜସ୍ୱବିଭାଗ ଯେତେ ପରିମାଣରେ ରୋୟାଲ୍ଟି ପାଇବା କଥା ସେଥିରୁ ୨୫% ମଧ୍ୟ ପାଉନାହିଁ । ନିୟମ ରହିଛି ଲିଜଧାରୀମାନେ ଯେତେ ବାଲି ଉଠାଇବେ ତାହା ରାଜସ୍ୱବିଭାଗ ଦେଇଥିବା ଫର୍ମରେ ଉଲ୍ଲେଖ କରିବେ ଓ ତହସିଲରେ ଜମା ଦେବେ । କେଉଁଦିନ କେତେ ବାଲି ଉଠିଲା ତାହାକୁ ରାଜସ୍ୱ ଅଧିକାରୀ ଯାଞ୍ଚ କରିବେ । ଯଦି ସେଥିରେ ଖିଲାପ ହୋଇଥାଏ ତା’ହେଲେ ସେହି ଲିଜକୁ ବାତିଲ କରି ଫାଇନ ଆଦାୟ କରିବେ । ନଦୀରୁ ବେଆଇନ ଭାବରେ ବାଲି ଉଠାଇଲେ ତା’ଉପରେ ତହସିଲଦାର ଏନ୍‌ଫୋର୍ସମେଣ୍ଟ ଟିମ୍‌ ନେଇ ଚଢାଉ କରି କାର୍ଯ୍ୟାନୁଷ୍ଠାନ ନେବେ । କିନ୍ତୁ ରାଜସ୍ୱ ବିଭାଗର ଅଧିକାରୀ ନିଜେ ବାଲି ମାଫିଆଙ୍କ ସାଙ୍ଗରେ ମିଶିଛନ୍ତି ସେଥିପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି । ବଲାଙ୍ଗିର ସହରର ଜଣେ ନିର୍ଦ୍ଦିଷ୍ଟ ବାଲି ମାଫିଆ ପ୍ରତ୍ୟହ ୬୦ ଟ୍ରିପରୁ ଅଧିକ ବାଲି ବାହାର ରାଜ୍ୟକୁ ଚୋରା ଚାଲାଣ କରୁଥିବା ଅଭିଯୋଗ ହେଉଛି । ସ୍ଥାନୀୟ ପୋଲିସ ଓ ପ୍ରଶାସନର ଜ୍ଞାତସାରରେ ଏହା ଚାଲିଥିବାରୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ ବୋଲି ଅଭିଯୋଗ ହେଉଛି । ସୋନପୁର ଜିଲ୍ଲାର ଖାରୀ, ରମ୍ଭାସିଣ୍ଢୋଲ, କଦଲିପାଲିଠାରୁ ଆରମ୍ଭ କରି ବଲାଙ୍ଗିର ଜିଲ୍ଲାର ଲୁକାପଡା, ପିପିର୍ଡା, ବିଲେଇସର୍ଡା, ରାକ୍ସିମୁଣ୍ଡା, ଫାସଡ, ଛତାମଖନା, ଚନ୍ଦନଭାଟି, କୁଟୁମଡୋଲା ବାଲିଘାଟ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଦ୍ୱାରା ପରିଚାଳିତ ହେଉଥିବା ଆଲୋଚନା ହେଉଛି । ତେଣୁ ପ୍ରଶାସନର ଅଧିକାରୀମାନେ ତାଙ୍କ ଭାଗ ଖାଇ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାଁନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଏପରିକି ନଦୀରେ ଥିବା ପୋଲମାନଙ୍କଠାରୁ ୫୦୦ମିଟର ଦୂରତା ପର୍ଯ୍ୟନ୍ତ ବାଲି ଉଠାଯାଇ ପାରିବ ନାହିଁ ବୋଲି ନିୟମ ରହିଛି । ଠିକ୍‌ ସେହିପରି ଗ୍ରାମାଞ୍ଚଳକୁ ପାନୀୟଜଳ ଯୋଗାଣ ପାଇଁ ନିର୍ମାଣ କରାଯାଇଥିବା ଥିବା ଇନ୍‌ଟେକୱେଲ ପାଖରୁ ମଧ୍ୟ ବାଲି ଉଠାଯାଇପାରିବ ନାହିଁ । କିନ୍ତୁ ଏହି ନିୟମକୁ ଖୋଲାଖୋଲି ଉଲଂଘନ କରାଯାଉଛି । ସେଥିପାଇଁ ସୁକତେଲ ନଦୀରେ ଭୂତଳ ଜଳସ୍ରୋତ କମିଯାଉଛି । ତେଣୁ ରାଜ୍ୟସରକାର ତୁରନ୍ତ ଏ ଦିଗରେ ପଦକ୍ଷେପେ ନେବାର ଆବଶ୍ୟକତା ରହିଛି ବୋଲି ଜନସାଧାରଣରେ ଦାବୀ ହେଉଛି । ଏନେଇ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ମହେନ୍ଦ୍ର ମହାପାତ୍ରଙ୍କୁ ପଚାରିବାରୁ ତହସିଲଦାରମାନେ ବିଭିନ୍ନ ସମୟରେ ଏନ୍‌ଫୋର୍ସମେଣ୍ଟ କରୁଛନ୍ତି । ଯଦି କୌଣସି ଅଞ୍ଚଳରେ ବେଆଇନ ଭାବରେ ବାଲି ଉଠୁଥିଲେ ଆମେ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି କହିଛନ୍ତି ।

Leave A Reply

Your email address will not be published.

error: Content is protected !!