jayashree

ଯୁଧିଷ୍ଠିର ମିଶ୍ରଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ ମହାମହିମ ରାଜ୍ୟପାଳ

  • ମୁକ୍ତିର ବାର୍ତ୍ତାବହ ଥିଲେ ସ୍ୱର୍ଗତ ଯୁଧିଷ୍ଠିର ମିଶ୍ର : ମହାମହିମ ରାଜ୍ୟପାଳ
  • ଅଂଚଳବାସୀଙ୍କ ରାଜନୈତିକ ଓ ଶିକ୍ଷାଗତ ସମ୍ପର୍ଣ୍ଣତା ପାଇଁ ଲଢୁଥିଲେ ସ୍ୱର୍ଗତ ଯୁଧିଷ୍ଠିର ମିଶ୍ର : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜୀବ ମାତ୍ରକେ ସ୍ୱାଧିନତା ହିଁ ତା’ ପାଇଁ ସବୁଠୁଁ ମୂଲ୍ୟବାନ ସମ୍ପତ୍ତି । ପ୍ରଜା ମଣ୍ଡଳ ଓ କୃଷକ ଆନ୍ଦୋଳନ ହେଉକି ଇଂରେଜମାନଙ୍କ ବିରୁଦ୍ଧରେ ହୋଇଥିବା ଦୁର୍ବାର ସ୍ୱାଧିନତା ଆନ୍ଦୋଳନ । ସ୍ୱାଧିନତା ପରେ ଗଣତନ୍ତ୍ର ପାଇଁ ଅତ୍ୟନ୍ତ ଆବଶ୍ୟକ ସମ୍ବିଧାନ ସମିତିରେ କାର୍ଯ୍ୟ କରିବା ହେଉ କି ଅଂଚଳବାସୀଙ୍କ ମୁକ୍ତି ପାଇଁ ଆବଶ୍ୟକ ଶିକ୍ଷାର ବିକାଶ । ଏହି ଅଂଚଳ, ଜାତି ଓ ଦେଶ ପାଇଁ ଯୁଧିଷ୍ଠିର ମିଶ୍ରଙ୍କ ଅବଦାନ ସଦା ବନ୍ଦନୀୟ । ପ୍ରକୃତ ଅର୍ଥରେ ମୁକ୍ତିର ବାର୍ତ୍ତାବହ ଥିଲେ ସ୍ୱର୍ଗତ ଯୁଧିଷ୍ଠିର ମିଶ୍ର । ଆଗାମୀ ପିଢି ତାଙ୍କ ଅବଦାନକୁ ସଦା ମନେ ରଖିବ ବୋଲି ଆଜି ବଲାଙ୍ଗିର ଆଇନ ମହାବିଦ୍ୟାଳୟ ପରିସରରେ ଅୟୋଜିତ ସ୍ୱର୍ଗତ ଯୁଧିଷ୍ଠିର ମିଶ୍ରଙ୍କ ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ନିଜ ଅଭିଭାଷଣରେ କହିଥିଲେ । ସେ ନିଜ ବକ୍ତବ୍ୟରେ ଆହୁରି କହିଥିଲେ ଯେ, ଆଜି ସ୍ୱାଧିନତା ପରେ କେହିବି ଜାତୀୟ ପତାକା ଉଡେଇ ପାରିବେ କିନ୍ତୁ ୧୯୩୮ ମସିହାରେ ରେଭେନ୍ସା କଲେଜରେ ଇଂରେଜ ଶାସନ ବିରୁଦ୍ଧରେ ସଭାର ସଭାପତିତ୍ୱ କରି ଜାତୀୟ ପତାକା ଉଡାଇବା ପାଇଁ ପ୍ରବଳ ମାତ୍ରାର ସାହାସ ଓ ଦେଶ ମାତୃକା ପ୍ରତି ସମ୍ମାନ ଆବଶ୍ୟକ । ରାଜ ରାଜୁଡା ବିରୁଦ୍ଧରେ ଅଂଚଳର ପ୍ରଜା ମଣ୍ଡଳ ଓ କୃଷକଙ୍କ ମୁକ୍ତି ସଂଗ୍ରାମରେ ତାଙ୍କର ଅଗ୍ରଣି ଭୂମିକା ଏହାର ନିଦର୍ଶନ ଥିଲା । ତାଙ୍କର ଏହି ପ୍ରତିମୂର୍ତ୍ତି ଅଗାମୀ ପିଢି ପାଇଁ ପଥ ପ୍ରଦର୍ଶକ ହେବ ବୋଲି ମହାମହିମ ରାଜ୍ୟପାଳ କହିଥିଲେ । ସେହିପରି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଯୋଗଦେଇ ତାଙ୍କ ପିତା ସ୍ୱର୍ଗତ ଯୁଧିଷ୍ଠିର ମିଶ୍ରଙ୍କ ଜୀବନି ଉପରେ ଆଲୋକପାତ କରିଥିଲେ । ସ୍ୱର୍ଗତ ଯୁଧିଷ୍ଠିର ମିଶ୍ର ସ୍ୱାଧୀନତା ପରେ ପଶ୍ଚିମ ଓଡିଶାରୁ ଏକ ମାତ୍ର ଆଇନଜ୍ଞ ଭାବେ ସମ୍ବିଧାନ ପ୍ରଣୟନ ସମିତିର ସଭ୍ୟ ଭାବେ ଗୁରୁତ୍ୱପୁର୍ଣ୍ଣ ଯୋଗଦାନ କରିଥିଲେ । ପ୍ରଥମ ନିର୍ବାଚନ ପୂର୍ବରୁ ସେ ପ୍ରଥମ ସାଂସଦ ଭାବେ ମନୋନୀତ ହୋଇ କେନ୍ଦ୍ରରେ ଅଂଚଳର ପ୍ରତିନିଧିତ୍ୱ କରିଥିଲେ । ସେହିପରି ସ୍ୱର୍ଗତ ମିଶ୍ର ସମ୍ବଲପୁର ବିଶ୍ୱ ବିଦ୍ୟାଳୟର କୁଳପତି ଭାବେ ମନୋନୀତ ହୋଇ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ, ଇଞ୍ଜିନିଅରିଂ କଲେଜ ଓ ୟୁନିଭର୍ସିଟି ତଥା ଅଂଚଳରେ ଶିକ୍ଷାର ବିକାଶ ପାଇଁ କାମ କରିଥିଲେ । ପରେ ପରେ ବଲାଙ୍ଗିରରେ ଆୟୁର୍ବେଦିକ ମହାବିଦ୍ୟାଳୟ, ଟାଉନ ହାଇସ୍କୁଲ, ଟାଉନ ଗାର୍ଲ୍ସ ହାଇସ୍କୁଲ ଭଳି ଅନେକ ଶିକ୍ଷାନୁଷ୍ଠାନ ସୃଷ୍ଟି କରିବାରେ ଅନେକ ଉଦ୍ୟମ କରିଥିଲେ । ଏକାଧାରରେ ସେ ଜଣେ ସ୍ୱାଧୀନତା ସଂଗ୍ରାମୀ, ସମ୍ବିଧାନବିତ୍‌ ଓ ଶିକ୍ଷାବିତ୍‌ ଥିଲେ । ଯଦିଓ ତାଙ୍କର ନାମରେ ଏହି ମହାବିଦ୍ୟାଳୟ ପୂର୍ବରୁ ନାମିତ ହୋଇସାରିଛି, କିନ୍ତୁ ପରିସରରେ ମହାମହିମ ରାଜ୍ୟପାଳଙ୍କ ଦ୍ୱାରା ଅନାବରିତ ତାଙ୍କର ପ୍ରତିମୂର୍ତ୍ତି ଆଗାମୀ ପିଢି ପାଇଁ ପ୍ରେରଣା ଦାୟକ ହେବ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗିର ଜିଲ୍ଲାପାଳ ଚଂଚଲ ରାଣା ମଞ୍ଚସୀନ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ମିଶ୍ର ଓ ମାହବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ପ୍ରଧାନ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇବା ସହ ପାଛୋଟି ନେଇଥିଲେ ।

Leave A Reply

Your email address will not be published.