ଗନ୍ଧମାର୍ଦ୍ଦନ ପର୍ବତକୁ ମିଳିଲା ଜୈବ ବିବିଧତା ଐତିହ୍ୟସ୍ଥଳର ମାନ୍ୟତା

ବରଗଡ଼, (ନିରୋଜ କୁମାର ପାଣୀ) : ଓଡ଼ିଶାର ବଲାଙ୍ଗିର ଓ ବରଗଡ଼ ଜିଲ୍ଲାରେ ବ୍ୟପ୍ତ ଗନ୍ଧମାର୍ଦ୍ଦନ ପର୍ବତକୁ ମିଳିଲା ଜୈବ ବିବିଧତା ଐତିହ୍ୟସ୍ଥଳର ମାନ୍ୟତା । ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଛି । ଦୁଇଟି ଜିଲ୍ଲାକୁ ଲାଗି ରହିଥିବା ଏହି ପାହାଡ଼ରେ ନାନା ଔଷଧୀୟ ବୃକ୍ଷ ସହ ମୂଲ୍ୟବାନ ପ୍ରାକୃତିକ ସମ୍ପଦ ଭରି ରହିଛି । ସୂଚନା ଅନୁସାରେ ଏହି ପର୍ବତରେ ୧୦୫୫ ପ୍ରଜାତିର ବୃକ୍ଷଲତା ରହିଛି । ସେଥିମଧ୍ୟରୁ ୮୪୯ ପ୍ରକାର ଫୁଲ, ବୁଦା, ଗୁଳ୍ମ, ଲତା ଜାତୀୟ ଉଦ୍ଭିଦ ରହିଥିବା ବେଳେ ୩୦୦ ପ୍ରକାର ଔଷଧୀୟ ଗଛ ରହିଛି । ସେହିପରି ଏହି ପର୍ବତରେ ୫୦୦ ପ୍ରକାର ପ୍ରାଣୀ ବସବାସ କରୁଥିବା ବେଳେ ସେଥିମଧ୍ୟରୁ ୪୩ ପ୍ରକାରର ସ୍ତନ୍ୟପାୟୀ ପ୍ରାଣୀ ଓ ୧୬୧ ପ୍ରକାର ପକ୍ଷୀ, ୪୪ ପ୍ରକାର ସରୀସୃପ ଅଛନ୍ତି । ଏହି ପର୍ବତରେ ୧୧୮ ପ୍ରକାରର ପ୍ରଜାପତି ଓ ୮୩ ପ୍ରକାର ବୁଢ଼ିଆଣୀ ଦେଖିବାକୁ ମିଳିଥାଆନ୍ତି । ସେହିପରି ୧୮ ପ୍ରକାର ବିଲୁପ୍ତ ପ୍ରଜାତିର ପ୍ରାଣୀ ମଧ୍ୟ ଏହି ପର୍ବତରେ ବସବାସ କରୁଛନ୍ତି । ଜୈବ ବିବିଧତା ପାଇଁ ଏହି ପର୍ବତ ଯେତିକି ଗୁରୁତ୍ୱପୂର୍ଣ୍ଣ ପୌରାଣିକ ଓ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ମଧ୍ୟ ଗନ୍ଧମାର୍ଦ୍ଦନ ସେତିକି ଲୋକଙ୍କ ନିକଟତର । ଏହାର ଗୋଟିଏ ପଟେ ପ୍ରସିଦ୍ଧ ନୃସିଂହନାଥ ମନ୍ଦିର ଓ ଅନ୍ୟପଟେ ହରିଶଙ୍କର ମନ୍ଦିର ମଧ୍ୟ ରହିଛି । ତେଣୁ ପର୍ଯ୍ୟଟନ ସ୍ଥଳ ଭାବେ ଏହି ସ୍ଥାନରେ ପ୍ରସିଦ୍ଧି ମଧ୍ୟ ବେଶ୍ ରହିଛି ।

ଗତବର୍ଷ ଡିସେମ୍ବର ମାସରେ ୧୮,୯୬୩.୮୯ ହେକ୍ଟରେ ଜମିରେ ବ୍ୟପ୍ତ ଗନ୍ଧମାର୍ଦ୍ଧନ ପର୍ବତକୁ ଜୈବ ବିବିଧତା ଐତିହ୍ୟସ୍ଥଳ ମାନ୍ୟତା ଦେବାପାଇଁ ଓଡ଼ିଶା ଜୈବ ବିବିଧତା ବୋର୍ଡ ପକ୍ଷରୁ ଜଙ୍ଗଲ ଓ ପରିବେଶ ବିଭାଗକୁ ଏକ ପ୍ରସ୍ତାବ ଦିଆଯାଇଥିଲା । ଆଉ ଏବେ ବିଭାଗ ପକ୍ଷରୁ ସରକାରୀ ବିଜ୍ଞପ୍ତି ପ୍ରକାଶ କରି ଏହି ପର୍ବତକୁ ଜୈବ ବିବିଧତା ଐତିହ୍ୟସ୍ଥଳ ମାନ୍ୟତା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.