jayashree

ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଅଧିକ୍ଷିକାଙ୍କୁ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ୧୦ ଦଫା ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଦୈନନ୍ଦିନ ରୋଗୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଅବଗତ କରାଇ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ମେଡିକାଲ ଅଧିକ୍ଷିକାଙ୍କୁ ୧୦ ଦଫା ସମ୍ବଳିତ ଏକ ଦାବୀପତ୍ର ପ୍ରଦାନ କରିଛି । ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଉପରେ ବଲାଙ୍ଗିର ତଥା ପଡୋଶୀ ଜିଲ୍ଲାଗୁଡିକ ମଧ୍ୟ ନିର୍ଭର କରି ଆସୁଛନ୍ତି । ଦୈନନ୍ଦିନ ଶହ ଶହ ସଂଖ୍ୟାରେ ରୋଗୀମାନେ ଓପିଡି ଓ ଆଇପିଡିକୁ ଆସୁଥିବା ବେଳେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ରୋଗୀମାନଙ୍କ ବୃହତ୍ତର ସ୍ୱାର୍ଥ ଓ ସୁବିଧାକୁ ଦୃଷ୍ଟିରେ ରଖି ମେଡିକାଲର ବିଭିନ୍ନ ସମସ୍ୟାକୁ ସୁବ୍ୟବସ୍ଥିତ କରିବା ସକାଶେ ବଲାଙ୍ଗିର ସ୍ୱେଛାସେବୀ ସଂଗଠନର ସନ୍ତୋଷ ପଟ୍ଟନାୟକ, ଗୋବିନ୍ଦ ଚନ୍ଦ୍ର ଶତପଥୀ, ସୁମିତ ମିଶ୍ର, ଦେବରାଜ ନାଗ, ଟୁଲୁ ସାହୁ, ଅଜୟ ନାଗ, ସନ୍ଦୀପ ବାଗ, ଏମ ଡି ବବଲୁ, ଶ୍ୟାମସୁନ୍ଦର ଗହୀର, ମିଲି ପଟ୍ଟନାୟକ, ବର୍ଷାରାଣୀ ଷଡଙ୍ଗୀ, ଶ୍ୱେତା ସାହୁ, ଅନିତା ମିଶ୍ର ଓ ବାବୁ ପୂଜାରୀ ପ୍ରମୁଖ ମେଡିକାଲ ଅଧିକ୍ଷିକା ପ୍ରଫେସର ଡ. ମାନସୀ ପଣ୍ଡାଙ୍କୁ ଭେଟି ସବିଶେଷ ଆଲୋଚନା କରିବା ସହିତ ଏହାର ତୁରନ୍ତ ସମାଧାନ ଦିଗରେ ଦୃଢ ପଦକ୍ଷେପ ଗ୍ରହଣ କରିବା ପାଇଁ ଅନୁରୋଧ କରିଥିଲେ । ମେଡିକାଲ ଅଧିକ୍ଷିକା ସମସ୍ତ ଦାବୀ ଗୁଡିକ ପ୍ରତି ତାଙ୍କୁ ଅବଗତ କରାଇଥିବାରୁ ଧନ୍ୟବାଦ ଦେବା ସହ ହସ୍ପିଟାଲ ପରିଚାଳନା ଏକ ଟିମ ୱାର୍କ ବୋଲି କହିଥିଲେ । ସେଥିପାଇଁ ସେ ଏହି ସମସ୍ୟା ଗୁଡିକୁ ଦୃଢତାର ସହ ଗ୍ରହଣ କରି ଏହାକୁ ସମାଧାନ କରିବା ପାଇଁ ନିଜେ ଦୈନନ୍ଦିନ ହସ୍ପିଟାଲ ବିଭାଗ ଗୁଡିକୁ ବୁଲି ସମସ୍ତ ସମସ୍ୟାର ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପରେ ଏହି ୧୦ ଦଫା ସମ୍ବଳିତ ଦାବୀପତ୍ରର ନକଲ ବଲାଙ୍ଗିର ଜିଲ୍ଲା ମାଜିଷ୍ଟ୍ରେଟ ଓ ଜିଲ୍ଲାପାଳଙ୍କ ଅବଗତି ନିମନ୍ତେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦିଆଯାଇଥିଲା ।

ଦାବୀପତ୍ରରେ ଉଲ୍ଲେଖ ଥିବା ଦାବୀଗୁଡିକ ହେଲା ;
୧: ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସମସ୍ତ ବିଭାଗରେ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ନିଯୁକ୍ତି ରହିଥିବା ବେଳେ ସେମାନେ ପ୍ରାୟତଃ ହସ୍ପିଟାଲରେ ଅନୁପସ୍ଥିତ ରହୁଛନ୍ତି । ଯଦ୍ୱାରା ଏଠାକୁ ଆସୁଥିବା ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ମିଳିପାରୁ ନଥିବାରୁ ନିୟମିତ ଭାବରେ ଅନ୍ୟତ୍ର ରେଫର କରି ଦିଆଯାଉଛି । ତେଣୁ କରି ସମସ୍ତ ବିଭାଗରେ ନିଯୁକ୍ତି ପାଇଥିବା ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସରମାନଙ୍କୁ ନିୟମିତ ହସ୍ପିଟାଲରେ ଉପସ୍ଥିତ ରହିବା ପାଇଁ ତାଗିଦ କରାଯାଉ ।
୨ : ହସ୍ପିଟାଲକୁ ଅନେକ ରୋଗୀ ଡାଏଲେସିସ ପାଇଁ ଆସୁଥିବା ବେଳେ ୩୦/୪୦ ରୋଗୀ ଡାଏଲେସିସ ପାଇଁ ଅପେକ୍ଷାରତ ରହୁଛନ୍ତି । ସେହି ରୋଗୀମାନଙ୍କ ସୁବିଧା ଦୃଷ୍ଟିରୁ ହସ୍ପିଟାଲରେ ଡାଏଲେସିସ ମେସିନ ସଂଖ୍ୟା ଅତି କମ୍‌ରେ ଆଉ ୫ଟିକୁ ବୃଦ୍ଧି କରାଯାଉ ।
୩ : ମହିଳା ଓ ପୁରୁଷ ମେଡିସିନ ୱାର୍ଡରେ ଦୈନନ୍ଦିନ ରୋଗୀମାନେ ହସ୍ପିଟାଲ ବେଡ ଅଭାବରୁ ବାରଣ୍ଡାରେ ତଳେ ଏଣେତେଣେ ଗଡିବାକୁ ବାଧ୍ୟ ହେଉଛନ୍ତି । ମେଡିସିନ ୱାର୍ଡରେ ଉଭୟ ବର୍ଗ ପାଇଁ ଉପଯୁକ୍ତ ବେଡ ବ୍ୟବସ୍ଥା ଅତିଶୀଘ୍ର କରାଯାଉ ।
୪ : ଅସ୍ଥିଶଲ୍ୟ ବିଭାଗରେ ବୋନ ସର୍ଜରୀ ଅପରେସନ କରାନଯାଇ ପ୍ରାୟତଃ ଅନ୍ୟତ୍ର ରେଫର କରି ଦିଆଯାଉଛି । ତେଣୁ ରୋଗୀମାନଙ୍କ ସୁବିଧା ଦୃଷ୍ଟିରୁ ଅସ୍ଥିଶଲ୍ୟ ବିଭାଗରେ ନିୟମିତ ବୋନ ସର୍ଜରୀ ଅପରେସନ କରାଯାଉ ।
୫ : ଟିକେଟ ପଞ୍ଜିକରଣ କାଉଣ୍ଟରରେ ପ୍ରତ୍ୟେକ ଦିନ ବହୁ ଲମ୍ବା ଲାଇନ ଲାଗି ରହୁଥିବାରୁ ସାଧାରଣ ଲୋକଙ୍କୁ ଘଣ୍ଟା ଘଣ୍ଟା ପଞ୍ଜିକରଣ ପାଇଁ ଅପେକ୍ଷା କରିବାକୁ ପଡୁଛି । ଏହାକୁ ବ୍ୟବସ୍ଥିତ କରିବା ନିମନ୍ତେ ପଞ୍ଜିକରଣ କାଉଣ୍ଟର ସଂଖ୍ୟାକୁ ବୃଦ୍ଧି କରାଯାଉ ।
୬ : ରକ୍ତ ଭଣ୍ଡାରରେ ରୋଗୀ ତଥା ସମ୍ପର୍କୀୟଙ୍କୁ ସଠିକ ତଥ୍ୟ ପ୍ରଦାନ କରାଯାଉ ନାହିଁ । ଫଳରେ ପ୍ରାୟତଃ ଲୋକେ ହଇରାଣ ହରକତ ହେଉଛନ୍ତି । ରକ୍ତ ଭଣ୍ଡାରରେ ସଠିକ ତଥ୍ୟ ପ୍ରଦାନ ସହିତ ସାଧାରଣ ଲୋକଙ୍କୁ ଉତ୍ତମ ବ୍ୟବହାର ଦେଇ କଥାବାର୍ତ୍ତା କରିବା ପାଇଁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଉ ।
୭ : ହସ୍ପିଟାଲରେ ଶବବାହକ ଯାନ ଅଭାବ ଯୋଗୁଁ ଅନେକ ସମୟରେ ଲୋକେ ଚଢା ଦରରେ ବେସରକାରୀ ଗାଡି ଉପରେ ନିର୍ଭର ହେବା ପାଇଁ ବାଧ୍ୟ ହେଉଛନ୍ତି । ତେଣୁ ଶବବାହକ ଗାଡି ସଂଖ୍ୟାକୁ ବୃଦ୍ଧି କରାଯାଉ ଓ ମରାମତି ପାଇଁ ଗ୍ୟାରେଜରେ ପଡି ରହିଥିବା ଶବବାହକ ଗାଡିକୁ ତୁରନ୍ତ କାର୍ଯ୍ୟକ୍ଷମ କରି ହସ୍ପିଟାଲକୁ ଅଣାଯିବାର ବ୍ୟବସ୍ଥା କରାଯାଉ ।
୮ : ହସ୍ପିଟାଲର ଅନେକ ବେଡ ଛିଣ୍ଡା ଦଦରା ହୋଇଥିବା ସତ୍ତ୍ୱେ ବେଡ ଅଭାବରୁ ରୋଗୀ ସେହି ବେଡରେ ଶୋଇବା ପାଇଁ ବାଧ୍ୟ ହେଉଛନ୍ତି । ବ୍ୟବହାର ଅନୁପଯୋଗୀ ବେଡ ଗୁଡିକର ମରାମତି ବ୍ୟବସ୍ଥା ଶୀଘ୍ର କରାଯାଉ ।
୯ : ହସ୍ପିଟାଲ ବେଡରେ ରୋଗୀଙ୍କୁ ଅତି ଅପରିଷ୍କାର ଅସ୍ବଚ୍ଛ ବେଡସିଟ ଗୁଡାକ ବ୍ୟବହାର ପାଇଁ ଦିଆଯାଉଛି । ରୋଗୀଙ୍କ ସ୍ୱଚ୍ଛତା ଦୃଷ୍ଟିରୁ ସବୁବେଳେ ପରିଷ୍କାର ପରିଚ୍ଛନ୍ନ ବେଡସିଟ ଯୋଗାଇବା ଉପରେ ଧ୍ୟାନ ଦିଆଯାଉ ।
୧୦ : ଅନେକ ସମୟରେ ରୋଗୀ ଓ ରୋଗୀ ସମ୍ପର୍କୀୟମାନେ ହସ୍ପିଟାଲର ସୁରକ୍ଷା ନିମନ୍ତେ ମୁତୟନ ସିକ୍ୟୁରିଟି ଗାର୍ଡ ମାନଙ୍କର ଖରାପ ବ୍ୟବହାରର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ସିକ୍ୟୁରିଟି ଗାର୍ଡମାନଙ୍କୁ ଏଥିରୁ ବିରତ ରହିବା ପାଇଁ ତାଗିଦ କରାଯାଉ ଏବଂ ରୋଗୀ ଓ ରୋଗୀ ସମ୍ପର୍କୀୟ ଯେମିତି ସେମାନଙ୍କ ଠାରୁ ସାହାଯ୍ୟ ଓ ଉତ୍ତମ ବ୍ୟବହାର ପାଇପାରିବେ ସେଥିପ୍ରତି କଡା ନଜର ରଖାଯାଉ ।

Leave A Reply

Your email address will not be published.