oom

ବଲାଙ୍ଗିରଠାରେ ଅନୁଷ୍ଠିତ ଦୁଇ ଦିନିଆ ଗୋପାଳନ ସମ୍ମିଳନୀ ଉଦ୍‌ଯାପିତ

jsmm
  • ବୈଷୟିକ ଜ୍ଞାନ କୌଶଳ ମାଧ୍ୟମରେ ଉତ୍ପାଦନ ବୃଦ୍ଧି କରି ଚାଷୀ ମାନେ ସ୍ୱାବଲମ୍ବୀ ତଥା ଆତ୍ମନିର୍ଭରଶୀଳ ହେବା ଉପରେ ଗୁରୁତ୍ଵାରୋପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କୋଶଳ କଳା ମଣ୍ଡଳ ପଡିଆରେ ରାଜ୍ୟ ପ୍ରାଣୀ ସମ୍ପଦ ବିଭାଗ, ବଲାଙ୍ଗିର କଳାହାଣ୍ଡି ନୂଆପଡା ଆଞ୍ଚଳିକ ସମବାୟ ଦୁଗ୍ଧ ସଂଘ ଓ ବଲାଙ୍ଗିର ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଦୁଇ ଦିନିଆ ଗୋପାଳନ ସମ୍ମିଳନୀ ଗତକାଲି ଉଦ୍‌ଯାପିତ ହୋଇଯାଇଛି । ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୈଷୟିକ ଜ୍ଞାନ କୌଶଳ ମାଧ୍ୟମରେ ଉତ୍ପାଦନ ବୃଦ୍ଧି କରି ଚାଷୀ ମାନେ ସ୍ୱାବଲମ୍ବୀ ତଥା ଆତ୍ମନିର୍ଭରଶୀଳ ହେବା ଉପରେ ଗୁରୁତ୍ଵାରୋପ କରିଥିଲେ । ଗୋପାଳନ, ମତ୍ସଚାଷ ତଥା କୁକୁଡା ପାଳନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା ମାନ କାର୍ଯ୍ୟକାରୀ କରାଯିବା ସହ ଚାଷୀ ମାନେ ଏହି ସବୁ ଯୋଜନାରୁ ଯେପରି ଅଧିକରୁ ଅଧିକ ଉପକୃତ ହୋଇପାରିବେ ସେଥିପ୍ରତି ରାଜ୍ୟ ସରକାର ଗୁରୁତ୍ଵ ପ୍ରଦାନ କରୁଛନ୍ତି ବୋଲି ସେ ପ୍ରକାଶ କରିଥିଲେ । ଏହି ସମ୍ମିଳନୀ ଦ୍ଵାରା ଜିଲ୍ଲାର ଦୁଗ୍ଧ ଚାଷୀ ମାନେ ଆହୁରି ବୈଷୟିକ ଜ୍ଞାନ କୌଶଳ ଆହରଣ କରିବା ସହ ନିଜ ବ୍ୟବସାୟରେ ଉନ୍ନତି ଆଣିପାରିବେ ଓ ଅର୍ଥନୈତିକ ପ୍ରଗତିରେ ସହାୟକ ହୋଇପାରିବେ ବୋଲି ପ୍ରକାଶ କରିଥିଲେ । ସମ୍ମିଳନୀରେ ଓଡିଶା ସରକାରଙ୍କ ମତ୍ସ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର କମିଶନର ତଥା ସଚିବ ସୁରେଶ କୁମାର ବଶିଷ୍ଠ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗୋପାଳକମାନଙ୍କୁ ରାଜ୍ୟ ସରକାରଙ୍କ ଦ୍ଵାରା ଯୋଗାଇ ଦିଆଯାଉଥିବା ବିଭିନ୍ନ ଯୋଜନା ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ରାଜ୍ୟ ସରକାର ଗୋପାଳକମାନଙ୍କୁ ୫୪୧ ପ୍ରାଣୀ ଚିକିତ୍ସାଳୟ, ୩୨୩୯ ପ୍ରାଣୀସମ୍ପଦ ସହାୟକ କେନ୍ଦ୍ର ଓ ୩୨୪ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ୟୁନିଟ ଜରିଆରେ ପ୍ରାଣୀ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି । ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ୟୁନିଟ ଗାଁ ଗାଁରେ ସେବା ଯୋଗାଇ ଦେଉଛି । ସଂକ୍ରାମକ ରୋଗ ବିରୁଦ୍ଧରେ ରାଜ୍ୟର ଗୋ’ ସଂପଦକୁ ଟୀକାକରଣ କରାଯାଉଛି । ସଂପ୍ରତି ଚର୍ମ୍ୱ ବିଣ୍ଡି ରୋଗ ବିରୁଦ୍ଧରେ ଗାଈଗୋରୁଙ୍କ ଟୀକାକରଣ କରାଯାଉଛି ଓ ଏହି ଟୀକାକରଣ ରାଜ୍ୟ ସରକାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ମାଗଣାରେ କରାଯାଉଛି । ପ୍ରତିଦିନ ପ୍ରାୟ ୧ ଲକ୍ଷ ଗୋରୁଗାଈଙ୍କ ଏହି ରୋଗ ବିରୁଦ୍ଧରେ ଟୀକାକରଣ କରାଯାଉଛି । ଗୋପାଳନ ପାଇଁ ସରକାର ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ସହାୟତା ଯୋଗାଇ ଦେଉଛନ୍ତି, ସାଧାରଣ ବର୍ଗର ହିତାଧିକାରୀଙ୍କୁ ୪୦ ପ୍ରତିଶତ ଏବଂ ମହିଳା, ତଫସିଲଭୂକ୍ତ ଜାତି, ଉପଜାତି ପାଇଁ ୫୦ ପ୍ରତିଶତ ରିହାତିର ବ୍ୟବସ୍ଥା କରାଯାଇଛି । ରାଜ୍ୟରେ ଗୋପାଳକମାନଙ୍କୁ ଅଧିକ ଲାଭ ଓ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ sex sorted semen କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । sex sorted semen ମାଧ୍ୟମରେ କୃତ୍ରିମ ପ୍ରଜନନ କଲେ ୯୦ ପ୍ରତିଶତ ମାଈ ବାଛୁରୀ ସୃଷ୍ଟି ହେବାର ସମ୍ଭାବନା ଥାଏ, ଚାଷୀ ମାନେ ଅଣ୍ଡିରା ବାଛୁରୀ ପାଳନ ଖର୍ଚ୍ଚରୁ ରକ୍ଷା ପାଇଥାନ୍ତି । ତେଣୁ ଏ ସବୁ ସୁବିଧା ରାଜ୍ୟର ଗୋପାଳକ ମାନେ ନେବା କଥା । ଶ୍ରୀ ବଶିଷ୍ଠ କହିଥିଲେ ଯେ, ବଲାଙ୍ଗିର ଜିଲ୍ଲାର କୃତ୍ରିମ ପ୍ରଜନନକାରୀ ଗୋପାଳ ରଣା ସର୍ବଭାରତୀୟ ସ୍ତରରେ କୃତ୍ରିମ ପ୍ରଜନନରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି । ବଲାଙ୍ଗିର ଜିଲ୍ଲା ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଏକ ଦୃଷ୍ଟାନ୍ତ ସୃଷ୍ଟି କରିପାରିଛି । ନାରୀ ସଶକ୍ତିକରଣ ନିମନ୍ତେ ଗୋପାଳନ, ମତ୍ସଚାଷ କ୍ଷେତ୍ରରେ ଅନେକ ସୁଯୋଗ ଓ ସମ୍ଭାବନା ରହିଛି ବୋଲି ସେ ପ୍ରକାଶ କରିବା ସହ ଏଥିସକାଶେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ସମ୍ମିଳନୀରେ ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ କୁମାର ଚଡ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜର ବକ୍ତ୍ୟବ୍ୟରେ କହିଛନ୍ତି ଯେ, ଏହି ସମ୍ମିଳନୀ ଚାଷୀମାନଙ୍କ ପାଇଁ ପ୍ରେରଣାଦାୟୀ ରହିବ । ଦୁଗ୍ଧ ଉତ୍ପାଦନ ଚାଷୀଙ୍କୁ ଏକ ସ୍ଥାୟୀ ରୋଜଗାର ଯୋଗାଇବା ସହ ସେମାନଙ୍କ ରୋଜଗାରକୁ ଦ୍ଵିଗୁଣିତ କରିବାରେ ସହାୟକ ହୋଇପାରିବ ବୋଲି ପ୍ରକାଶ କରିଥିଲେ । ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପ୍ରାଣୀ ଚିକିତ୍ସା ବିଜ୍ଞାନ ବିଭାଗର ଡିନ୍‌ ଡ. ସୁଶେନ କୁମାର ପଣ୍ଡା ସମ୍ମନିତ ଅତିଥି ଭାବେ ଯୋଗଦେଇ ବଲାଙ୍ଗିରରେ ଏପରି ଏକ ସମ୍ମିଳନୀ ସଫଳତାର ସହ ଆୟୋଜନ ଏକ ଦୃଷ୍ଟାନ୍ତ ଏବଂ ଗୋପାଳନ କ୍ଷେତ୍ରରେ ଏହା ଚାଷୀ ମାନଙ୍କୁ ବିଶେଷ ଲାଭଦାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ । ଜିଲ୍ଲାପାଳ ଚଞ୍ଚଳ ରାଣା ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଦୁଗ୍ଧ ଚାଷୀମାନେ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ ହେବା ସହ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସୁଯୋଗ ନେବା ପାଇଁ ପରାମର୍ଶ ଦେଇଥିଲେ । ବଲାଙ୍ଗିର କଳାହାଣ୍ଡି ନୂଆଁପଡା ଆଞ୍ଚଳିକ ସମବାୟ ଦୁଗ୍ଧ ସଂଘର ସଭାପତି ସୀମା ପଟେଲ ସମ୍ମିଳନୀରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ବଲାଙ୍ଗିର କଳାହାଣ୍ଡି ନୂଆପଡା ଆଞ୍ଚଳିକ ସମବାୟ ଦୁଗ୍ଧ ସଂଘର ସାଧାରଣ ପରିଚାଳକ ଡ଼ ସରୋଜ କୁମାର ସାହୁ ସମ୍ମିଳନୀ ଆୟୋଜନର ଉଦ୍ଦେଶ୍ୟ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଗୋପାଳନ ସମ୍ମିଳନୀ ଅବସରରେ ଆୟୋଜିତ ପ୍ରଦର୍ଶନୀକୁ ଅତିଥି ମାନେ ପରିଦର୍ଶନ କରିଥିଲେ । ଗୋପାଳନ ସମ୍ମିଳନୀ ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ୟାନେଲ ଆଲୋଚନାରେ ରାଜ୍ୟ ତଥା ରାଜ୍ୟ ବାହାରର ଗୋପାଳନ ବିଶେଷଜ୍ଞ, ପ୍ରାଣୀ ଚିକିତ୍ସକ, ଗବେଷଣା ପ୍ରତିଷ୍ଠାନର ବୈଜ୍ଞାନିକ ତଥା ଗୋପାଳନ କ୍ଷେତ୍ର ସହିତ ଜଡିତ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ନିଜର ମତାମତ ଉପସ୍ଥାପନ କରିଥିଲେ । ସମ୍ମିଳନୀ ଅବସରରେ ଆୟୋଜିତ ସାରସ୍ଵତ ସଭାରେ ପଦ୍ମଶ୍ରୀ ହଲଧର ନାଗ, କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ପଙ୍କଜ ଜାଲ, କଣ୍ଠଶିଳ୍ପୀ ମାନସୀ ପାଣିଗ୍ରାହୀ ଯୋଗଦେଇଥିଲେ । ବଲାଙ୍ଗିରରେ ଗୋପାଳନ ସମ୍ମିଳନୀ ଆୟୋଜନ ପରିପ୍ରେକ୍ଷୀରେ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଡାଇରି ସମ୍ପର୍କିତ ବିଷୟ ବସ୍ତୁ ଉପରେ ଆଧାରିତ ଏକ ଜିଲ୍ଲାସ୍ତରୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଚଞ୍ଚଳ ରାଣା, ଆରକ୍ଷୀ ଅଧିକ୍ଷକ ନିତିନ କୁଶଳକର, ବଲାଙ୍ଗିର କଳାହାଣ୍ଡି ନୂଆପଡା ଆଞ୍ଚଳିକ ସମବାୟ ଦୁଗ୍ଧ ସଂଘର ସଭାପତି ସୀମା ପଟେଲ, ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ କୁଇଜ ପ୍ରତିଯୋଗିତାର କୃତି ପ୍ରତିଯୋଗୀ, ପ୍ରଦର୍ଶନୀରେ ରାଜ୍ୟ ତଥା ରାଜ୍ୟ ବାହାରରୁ ଆସି ପ୍ରଦର୍ଶନ କରିଥିବା ଉଦ୍ୟୋଗୀ, ବିଭାଗ ମାନଙ୍କୁ ସମ୍ମାନିତ କରିଥିଲେ । ସମ୍ମିଳନୀ ଶେଷରେ ଉପଖଣ୍ଡ ପ୍ରାଣୀ ସମ୍ପଦ ଅଧିକାରୀ ପ୍ରସନ୍ନ କୁମାର ସାମଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.